ଚାରୁ କୁମାରୀ କାହାଣୀ ।

ହଠାତ୍ ସୁରେନ୍ଦ୍ର ଭାବିଲା – ଯଦି ଏଭଳି –

ଦ୍ୱିଜରାଜ ମୁଖୀ ଗଜରାଜ ଗତ

ମୃଗରାଜ ବିରାଜିତ ମଧ୍ୟ କଟି

                ଏହି ଯୁବତୀ ସଙ୍ଗେ ଯଦି ମୁଁ ବିବାହ କରି ନ ପାରିବି, ତେବେ ମୋର ରାଜପୁତ୍ର ହୋଇ ଜନ୍ମ ହେବାଟା ସମ୍ପୂର୍ଣ୍ଣ ବୃଥା ହୋଇଯିବ । ମଣିଷ ଜନ୍ମ ହୋଇଛି ଜୀବନର ସାର୍ଥକତା ଲାଗି । ସେ ଭଲ ଖାଇବ, ଭଲ ପିନ୍ଧିବ, ଅଳସ ବିଳାସରେ ସାଥି କରି ଯାହାକୁ ପାଇବ, ସେହି ଅପରୂପ ସୁନ୍ଦରୀ ଓ ରସିକା ହୋଇଥିବା ଦରକାର । ତା ନହେଲେ ଏ ମଣିଷ ଜୀବନଟା ପୁରାପୁରି ରୁକ୍ଷ ହୋଇ ଉଠେ । ଏମିତିକା ବେଳକୁ ବେଳ ନାନାକଥା ଭାବି ସୁରେନ୍ଦ୍ର ଦୁଃଖିତ ହୋଇ ଉଠେ । ତା’ର ଏପରି ହାବଭାବକୁ ଲକ୍ଷ୍ୟ କରି ତା ସଙ୍ଗୀ ଦିହେଁ ତାକୁ ପଚାରିଲେ – ‘ସଙ୍ଗାତ! ତୁମେ ଏପରି ମଉଳିପଡୁଛ କାହିଁକି?

                ସୁରେନ୍ଦ୍ର କହିଲା – ଏବେ କହୁଛି ସଙ୍ଗାତ! ଏ ମେଘମାଳା କିଏ ଓ ସୁଗନ୍ଧିତ କେଶଟି କାହାର, ତାକୁ ନ ଜାଣିଲେ ଏ ଜୀବନ ମୋର ବଡ ବୈକୁଲ୍ୟ ହୋଇ ଉଠିବ ।

ରବୀନ୍ଦ୍ର କହିଲା – “ଚାଲ, ଆମେ ଏବେ ଯାଇ ମନ୍ଦିରର ସେବକଙ୍କୁ ଏ ବିଷୟରେ ପଚାରିବା ।”

ରବୀନ୍ଦ୍ରର କଥାଟା ସମସ୍ତଙ୍କ ମନକୁ ବେଶ୍ ପାଇଲା । ତହୁଁ ସମସ୍ତେ ଯାଇ ସିଧା ପହଁଚିଲେ ମନ୍ଦିରର ସେବକଙ୍କ ପାଖରେ । ଫରୁଆ କଥା, କେଶ କଥା ବିଷୟରେ ସେବକଙ୍କୁ ପଚାରିବାରୁ ସେବକ ଜଣକ କହିଲେ – “ବଡ ଅଡୁଆ କଥାରେ ମୁଣ୍ଡ ପୁରାଇଲ କୁମାର! ହଉ ତେବେ ଶୁଣ । ମେଘମାଳା ହେଉଛି କେନ୍ଦୁଝର ରାଜାଙ୍କ ଝିଅ । ସେ ଦେଖିବାକୁ ଠିକ୍ ସ୍ୱର୍ଗର ଅପ୍ସରୀ ପରି । ଦେହରୁ ତା’ର ମନୋହର ପଦ୍ମଫୁଲର ଗନ୍ଧ ବାହାରେ । ମୁଣ୍ଡରୁ କେଶ ଗୁଡିକ ତାର ବାସି ଉଠେ ଠିକ୍ ସୁଗନ୍ଧରାଜ ପରି । ତାକୁ ଆନନ୍ଦ ରଖିବା ପାଇଁ କେନ୍ଦୁଝର ମହାରାଜ ତାଙ୍କ କନ୍ୟା ନିମନ୍ତେ ସବୁକଥା ଖଞ୍ଜାଇ ଦେଇଛନ୍ତି । କେବଳ ଶହେଟି ହାସ୍ୟମୟୀ ସଖୀ ଅଛନ୍ତି ତାର ନିର୍ଜନା ବୁଝିବାକୁ । ବୈତରଣୀ ନଦୀ କୂଳରେ ତା ପାଇଁ ତୋଳା ହୋଇଛି ଗୋଟିଏ ଉଆସ । ସେ ଉଆସର କାନ୍ଥ ଚଟାଣସବୁ ଶଙ୍ଖମଲମଲ ପଥରରେ ତିଆରି । କେବଳ ସେହି କନ୍ୟାର କିଛି ଗୋଟାଏ ଦୋଷ ଥିବାରୁ ତାର ବିବାହ ଆଦୌ ହୋଇ ପାରୁନି ।

ସୁରେନ୍ଦ୍ର ଏସବୁ ଶୁଣି ସେବକଙ୍କୁ ପଚାରିଲା – “ଦୋଷଟା ପୁଣି କ’ଣ?”

ସେବକ କହିଲେ – “ସେପରି କିଛି ନୁହେଁ । କେବଳ ଏତିକି ଯେ, ଜଣେ ସାଧୁ ତା ଠାରୁ କ’ଣ ଗୋଟାଏ ସତ୍ୟ କରାଇ ନେଇଛନ୍ତି, ଗୋଟାଏ କାର୍ଯ୍ୟ ଉଦ୍ଧାର ପାଇଁ । ସେ କାର୍ଯ୍ୟଟି ଉଦ୍ଧାର ନ ହେଲେ ସେ ମୋଟେ ବିବାହ ହେବନି ବୋଲି ଏକା ଜିଦ୍ ଧରିଛି ।”

ଏସବୁ ଶୁଣି ସାରିବା ପରେ ଆଉ କିଛି ପଚାରିଲାନି ସୁରେନ୍ଦ୍ର । ମନକଥା ମନରେ ରଖି ସୁରେନ୍ଦ୍ର ସେ ମନ୍ଦିରର ସେବକଙ୍କ ଠାରୁ ବିଦାୟ ନେଲା । ତା’ପରେ ସମସ୍ତେ ଫେରିଗଲେ ପୋଛିକୋଟ ।

ମନ କଥା ତ ମନରେ ଥାଏ । ଏଣେ ସୁରେନ୍ଦ୍ର କ’ଣ କରିବ ନ କରିବ କାହାକୁ କିଛି ନ କହି ନିତିଦିନ ପରି ସମସ୍ତ କାର୍ଯ୍ୟ ଠିକ୍ ଠିକ୍ କରି ଚାଲିଲା । ତାଙ୍କ ସାଙ୍ଗମାନେ ବି ସୁରେନ୍ଦ୍ରଙ୍କ ଠାରୁ କୌଣସି କଥାରେ କିଛି ବି ଇସାରା ପାଇଲେନି । ସେଦିନ ରାତିକି ସମସ୍ତେ ଖାଇପିଇ ଶୋଇଲା ପରେ ସୁରେନ୍ଦ୍ର ଅସ୍ତାଚଳରୁ ଗୋଟିଏ ଘୋଡା ଆଣିଲା । ଆବଶ୍ୟକ ମତେ ଖର୍ଚ୍ଚ ପତ୍ର, ଅସ୍ତ୍ର ଶସ୍ତ୍ର ଓ ବେଶି ପୋଷାକ ଘେନି ବାହାରି ପଡିଲେ କେନ୍ଦୁଝର ।

ବଣ ବାଟ ହେଲେ କ’ଣ ହେବ, ସଡକ ସାରା ଜହ୍ନ ଆଲୁଅ ପଡିଥାଏ । ସେ କାଳର ରାଜା ମାନେ ଏ ରାଜ୍ୟରୁ ସେ ରାଜ୍ୟକୁ ଯିବାପାଇଁ ସଡକ ତିଆରି କରିଥାନ୍ତି । ଦୂର ହେଲେ କ’ଣ ହେବ, ପୋଛିକୋଟରୁ କେନ୍ଦୁଝରକୁ ଯିବାପାଇଁ ସଡକ ଥାଏ । ସେହି ସଡକରେ ଘୋଡା ଛୁଟାଇ ସୁରେନ୍ଦ୍ର ଗଲାବେଳେ ଭାବୁଥାଏ –

ପବିତ୍ର ଓଡିଆ ଜାତିରେ ଜନମ

ହୋଇ ନ କରିଛି ଯେ ମହତ କର୍ମ ।

ନୁହେଁ ସେ ମାତାର ସୁଯୋଗ୍ୟ କୁମର

ତାର ପୂଜା ନକରନ୍ତି ନାରୀ ନର ।

ଅଦ୍ଭୁତ କରମା-ପ୍ରତିଜ୍ଞା ସମର୍ଥ

ନୁହେଁ ଯେ ମାନବ ଜୀବନ ତା ବ୍ୟର୍ଥ ।

ତେଣୁ ମୁଁ ପଛକେ ଦେବି ପ୍ରାଣ ଦାନ

ରଖିବି ନିଶ୍ଚୟ ମୋ ଜାତିର ମାନ ।

ନୋହୁ ପଛେ ମେଘମାଳା ମୋର ବଶ

ତା ପ୍ରତିଜ୍ଞା ପୂର୍ଣ୍ଣ କରିବି ମୁଁ ଅବଶ୍ୟ ।

ସ୍ୱର୍ଣ୍ଣାକ୍ଷରେ ଲେଖା ରହିବ ଏକଥା

ଉନ୍ନତ ରହିବ ମୋ’ ଜାତିର ମଥା ।

                ଏହିପରି ଉଚ୍ଚ ଭାବନାମାନ କରି କରି ଆଗକୁ ଛୁଟିଥାଏ ସୁରେନ୍ଦ୍ର । ନିଘୋଡ ବନର ବିଭୀଷିକା ପ୍ରତି ତିଳେ ହେଲେ ସେ ଭ୍ରୂକ୍ଷେପ କରୁ ନଥାଏ । ହିଂସ୍ର ଜୀବମାନେ ପଥରେ  ଦେଖା ହୋଇ ପାରନ୍ତି, ଏଥିରେ ଆଶ୍ଚର୍ଯ୍ୟ କଥା କିଛି ବି ନୁହେଁ । ହେଲେ କ’ଣ କରିବେ ସେମାନେ? ନିଜ ଚଲା ବାଟ ଛାଡି ଯଦି ସେମାନେ ଆକ୍ରମଣ କରନ୍ତି ତେବେ ଶର ମୁନରେ ପ୍ରାଣ ବିସର୍ଜନ କରିବା ଛଡା ଅନ୍ୟ ପନ୍ଥା ନାହିଁ ତାଙ୍କର । କଥାରେ ଅଛି –

                ହିଂସ୍ରକକୁ ଦେବ                               ଉତ୍ତର ହିଂସାରେ

                                                କପଟୀକୁ କପଟତା

                ଅହିଂସା ଯେ ତାକୁ                            ପୂଜ୍ୟ ପୂଜା ଦେଇ

                                                ଟେକ ଶୂନ୍ୟେ ଯଶ ଛତା ।

                ହିଂସା କରିବାକୁ ଆସୁଥିବା ପ୍ରାଣୀକୁ ସେ ନିଶ୍ଚୟ ହିଂସାରେ ହିଁ ଉତ୍ତର ଦେଇ ପାରିବ । ବୁକୁରେ ତା’ର ସାହସ ଅଛି ଯେମିତି, ବାହୁରେ ମଧ୍ୟ ତାର ଶକ୍ତି ଅଛି ସେମିତି । ସେ ବା କାହାକୁ ଡରିବ କାହିଁକି । ଚାଲିଛି ସେ ଘୋଡା ଉପରେ ମହାବୀର କୁମାର କାର୍ତିକେୟ ପରି ।

                ହଠାତ୍ ତାକୁ ଦେଖାଗଲା ଗୋଟାଏ ମହାବଳ ବ୍ୟାଘ୍ର । ଘୋଡା ଓ ମନୁଷ୍ୟ ଏକାଥରେ ଯୋଡାଏ ଶିକାର ଦେଖି ବାଘର ମନ ଖାଲି ନାଚି ଉଠିଲା । ସଟା କେଶ ଫୁଲାଇ ଦେଇ ସେ ଥରେ ତା ଲାଙ୍ଗୁଳକୁ ତଳେ ପିଟିଦେଲା । ତା ପରେ ସେ ଦେଖାଇଲା ଖୁବ୍ ପଇଁତରା । ଆଁ କରି ତର୍ଜନ ଗର୍ଜନ କଲା । ଆଗ ଉଗାଳି ସେ ଯାଇ ବାଟରେ ବସିଲା । ଏଣେ ତାକୁ ସାମନାରେ ଦେଖି ସେ ଘୋଡା ବିଚରା ଭୟରେ ଅସ୍ଥିର । ବାଘର ଭେଳିକି ଦେଖି ସୁରେନ୍ଦ୍ର ବିଚାରା କଲା ଗୋଟିଏ ତୀର ଛାଡିବାକୁ । କିନ୍ତୁ ଠିକ୍ ଏତିକିବେଳେ ଆହୁରି ଗୋଟିଏ ଦୁର୍ଘଟଣା ଘଟିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ