ଚୋର ଅତିଥି

                ଚୋର ଏଥିରୁ ସବୁ ବୁଝି ଯାଇ କହିଲା, “ନମସ୍କାର, ଭିଣୋଇବାବୁ, ଦିଦିର ବାହାଘର ସମୟରେ ମୁଁ, ତ ଗ୍ରାମରେ ନଥିଲି, ତେଣୁ ଆସିପାରି ନଥିଲି ଆଜି ସହର ଯାଉଥିଲି ତ ଭାବିଲି ଟିକିଏ ଭଉଣୀ ଭିଣୋଇଙ୍କୁ ଯାଇ ଦେଖି ଆସେ । ଆପଣ ଶୋଇଥିଲେ ବୋଲି ଆମେ ଆଉ ଆପଣଙ୍କୁ ଉଠାଇଲୁ ନାହିଁ । ଏଣେ ରାତି ତ ଆସି ବହୁତ ହେଲାଣି । କିନ୍ତୁ ଦିଦି, ମୋତେ ନ ଖୁଆଇ କେବେବି ଏଠାରୁ ଛାଡିବ ନାହିଁ ।”

ଠିକ୍ ଏତିକି ବେଳେ କିଏ ଦରଜା ବାଡେଇଲା । ବିଠଲ ଯାଇ ଦରଜା ଖୋଲି ଦେଖିଲା ଦୁଇଜଣ ସିପାହୀ । ସେମାନେ କହିଲେ, “ଆମେ ଗୋଟାଏ ଚୋରକୁ ଗୋଡାଇ ଗୋଡାଇ ଏଠାରେ ଆସି ପହଁଚିଲୁ । ଆପଣଙ୍କ ଘରେ ଆଲୁଅ ଦେଖି ଏଠାକୁ ଆମେ ଆସିଲୁ । କ’ଣ ଏହା ଭିତରକୁ କେହି ଆସିଛିକି? ଏତେ ରାତିରେ ଆଲୁଅ ଜଳୁଛି କାହିଁକି?”

ସିପାହୀମାନଙ୍କ କଥା ଶୁଣି ବିଠଲ କହିଲା, “ଏଠାକୁ କୌଣସି ଚୋର ଫୋର କେହି ବି ଆସି ନାହାଁନ୍ତି । ମୋର ଶ୍ୟାଳକ ଓ ମୋର ପତ୍ନୀ କଥାବାର୍ତ୍ତା ହେଉଥିଲେ । ତେଣୁ ଏ ଆଲୁଅ ଜଳୁଥିଲା ।”

ବିଠଲର ଏଭଳି କଥା ଶୁଣି ସିପାହୀମାନେ ସେଠାରୁ ଲେଉଟି ଗଲେ । ବିଠଲ ଘରକୁ ଫେରି ଆସିବାରୁ ସାବିତ୍ରୀ କହିଲା, “ମୋ ଭାଇ ତ ତୁମ ସହିତ ଦେଖା କଲା; ଏବେ ସେ କହୁଛି ଏଠାରୁ ସେ ଚାଲିଯିବ, ତେବେ ଯାଇ ସେ ସହରରେ ସକାଳ ସୁଧା ପହଁଚି ଯାଇ ପାରିବ ।”

ସ୍ତ୍ରୀକଥା ଶୁଣି ବିଠଲ କହିଲା, “ଇଏ କିପରି କଥା? ତୁମ ଘରର ଲୋକ କ’ଣ ରାତିରେ ପହଁଚି ଚାଲିଯିବେ? ମୁଁ ତାଙ୍କୁ ଏଠାରୁ ଏ ସମୟରେ ଯିବାକୁ ଦେବି ବୋଲି ଭାବିଛ । ଯାଅ ଆର ଘରେ ବିଛଣା କରିଦିଅ ସେ ଆଜିକ ରହିଯା’ନ୍ତୁ, କାଲି ସକାଳୁ ଉଠି ଖାଇ ପିଇ ସେ ସହରକୁ ଯିବେ ।”

ସାବିତ୍ରୀ ଏଥର ବାଧ୍ୟ ହୋଇ ନିଜ ଚୋର ଭାଇ ପାଇଁ ଅନ୍ୟ ଘରେ ବିଛଣା ପ୍ରସ୍ତୁତ କଲା । ତା’ପରେ ସେ କହିଲା, “ମୋ ସ୍ୱାମୀ ଚୋରଙ୍କୁ ଖୁବ୍ ଚିଡନ୍ତି । ମୁଁ ତୁମକୁ ତାଙ୍କଠାରୁ ରକ୍ଷାକଲି; ସେ ତୁମକୁ ସିପାହୀଙ୍କଠାରୁ ରକ୍ଷାକଲେ । ତୁମେ ଏବେ ଶୋଇଯାଅ । ଆଉ କେବେ ଆମ ଘରେ ଚୋରୀ କରିବାକୁ ଚେଷ୍ଟା ସୁଧା କରିବ ନାହିଁ । ଆମେ ଶୋଇଯିବା ପରେ ତୁମେ ଚୁପ୍ଚାପ୍ ଏଠାରୁ ନିଜ ରାସ୍ତାରେ ଚାଲିଯିବ । ମୁଁ ତାଙ୍କୁ ଯାହା ହେଲେ ବି କିଛି କହି ବୁଝାଇ ଦେବି ।”

ସାବିତ୍ରୀ ସେଠାରୁ ଚାଲିଯିବା ପରେ ସେ ଚୋର ଆଉ ଶୋଇ ପାରିଲା ନାହିଁ । ଏଣେ ସାବିତ୍ରୀ ମଧ୍ୟ ଆଉ ଶୋଇ ପାରିଲା ନାହିଁ; ରାତିଯାକ ସେ ଭାବିଲା କାଳେ ସେ ଆଉ ଧରାପଡିଯିବ କି! ଶେଷରାତ୍ରିକୁ ସେ ଟିକିଏ ଶୋଇଥିଲା । ତା’ପରେ ସକାଳ ହେଉ ହେଉ ସାବିତ୍ରୀ ଆସି ଦେଖିଲା ସେ ଲୋକଟି ସେଠାରୁ ପଳାଇଛି । ଜିନିଷପତ୍ର ସବୁ ଏଠି ସେଠି ପଡିଛି । ଏସବୁ ଘଟଣା ଦେଖି ସେ ସାବିତ୍ରୀ ଚିତ୍କାର କଲା, “ହାୟ, ମୋର ସବୁ ଚୋରୀ ହୋଇଗଲା ।” ସାବିତ୍ରୀର ଏଭଳି ଚିତ୍କାର ଶୁଣି ବିଠଲ ସେଠାକୁ ଆସି ତାକୁ ପଚାରିଲା, “କ’ଣ ହେଲା? କାହିଁକି ତମର ଏତେ ଚିତ୍କାର?”

ସାବିତ୍ରୀ କହିଲା, “ସେ ଚୋର ମୋର ସବୁ ଗହଣା ଓ ଶାଢୀ ନେଇ ଏଠାରୁ ପଳାଇଛି ।”

ସ୍ତ୍ରୀର ଏଭଳି କଥା ଶୁଣି ବିଠଲ ହସି ହସି କହିଲା, “ଚୋର ପୁଣି କିଏ? ସିଏ ପରା ତମ ଭାଇ? ଭାଇକୁ କ’ଣ ତମେ ଚୋର ବୋଲି କହୁଛ?” ଏହାପରେ ସାବିତ୍ରୀ କାନ୍ଦି କାନ୍ଦି ସବୁକଥା ମୂଳରୁ ଶେଷ ଯାଏଁ କହିଲା । ସବୁଶୁଣି ବିଠଲ କହିଲା, “ଦୁଃଖ କର ନାହିଁ । ତୁମ ଭାଇ ତ ଏଠାରୁ ଆଦୌ କିଛି ହେଲେ ବି ନେଇ ନାହିଁ ମୁଁ ତୁମକୁ ହଇରାଣ କରିବାକୁ ସବୁ ଲୁଚାଇ ଦେଇଛି । ତୁମ ଭାଇର ତୁମ ପାଖକୁ ଲେଖିଥିବା ଚିଠି ଏବେ ନିଅ ପଢ ।”

ସେ ଚିଠିରେ ଲେଖାଥିଲା, “ଦିଦି ଓ ଭିଣେଇ – ମୁଁ କୌଣସି ଚୋର ନୁହେଁ । ବରଂ ମୁଁ ଜଣେ ଶିକ୍ଷିତ ଲୋକ । ଚାକିରୀ ନ ମିଳିବାରୁ ଦୁଃଖ ଓ ଅପମାନରେ ଆଜି ପ୍ରଥରଥର ଲାଗି ମୁଁ ଚୋରୀ କରିବାକୁ ଆସିଥିଲି । ସିପାହୀମାନେ ମୋତେ ଗୋଡାଇଥିଲେ । ମୁଁ ଭୟରେ ଏଠାରେ ତଥା ଆପଣଙ୍କ ଘରେ ପଶିଗଲି । ତୁମେ ଦୁହେଁ ମୋତେ ନିଜ ଭଉଣୀ ଭିଣେଇଠାରୁ ବି ଅଧିକ କରି ମହା ଅପରାଧ ଓ ମହାବିପଦରୁ ରକ୍ଷା କଲ । ଭଗବାନ ମୋତେ ଚୋର ହେବାକୁ ଦେଲେ ନାହିଁ । ଏଣୁ ମୁଁ ତୁମ ଦୁହିଁଙ୍କ ପାଖରେ ଜନ୍ମାଜନ୍ମାନ୍ତର ପାଇଁ ଋଣି । କିନ୍ତୁ ଦିଦି ତମେ ଭିଣେଇଙ୍କ ପାଖରୁ ଲୁଚେଇ ଖାଉଥିଲ ଏବଂ ତାହା ଧରା ପଡିବା ଭୟରେ ମୋତେ ଅତିଥି ବନାଇ ଦେଲ ସେତକ ତ ମୁଁ ଠିକ୍ ବୁଝି ପାରିଲି । ଭୋକରେ ବୁଲୁ ଥିଲି, ତୁମ ହାତରନ୍ଧା ସୁନ୍ଦର କ୍ଷିରୀ ଖାଇ ମୁଁ ଶାନ୍ତିରେ ନିଦ୍ରାଗଲି । ମୁଁ ଆଜି ଶପଥ କରୁଛି ଆଉ କେବେ ହେଲେ ବି ଚୋରୀ କଥା ମନକୁ ଆଣିବି ନାହିଁ । ତମେ ମଧ୍ୟ ଭିଣେଇଙ୍କଠାରୁ ଲୁଚାଇ କିଛି ବି କରିବ ନାହିଁ । କାହିଁକିନା ଯେ କୌଣସି କଥା ଲୁଚାଇଲେ ତାହା ଚୋରୀ ସହିତ ସମାନ । ମୁଁ ସହରକୁ ଯାଇ ଚାକିରୀ ବାକିରୀ କରି ଧନ ରୋଜଗାର କରି ପୁଣି ଆଉ ଦିନେ ଉଜ୍ୱଳ ସୂର୍ଯ୍ୟାଲୋକରେ ତୁମ ଦୁହିଁଙ୍କ ସହିତ ଦେଖା କରିବି । ତୁମର ଭାଇ ହେବାକୁ ଯୋଗ୍ୟ ହୋଇ ଆସିବି । ତୁମେ ମୋତେ ଆଉ ଭୁଲ୍ ବୁଝିବ ନାହିଁ ତ?” ଇତି ତୁମର ଭାଇ ବିରୁ । ସାବିତ୍ରୀ ସେ ଚିଠିଟି ପଢି ଶେଷ କଲା । ତା’ ମନ ମଧ୍ୟରେ ଦୁଃଖ, ଆନନ୍ଦ, ନିଜେ ଧରା ପଡିବାରେ ଲଜ୍ଜା, ତା’ପ୍ରତି ଦୟା, ଏହି ପରି ସବୁ ଭାବ ମିଶିଯାଇ, ତା’ ଆଖିରୁ ଝରଝର ହୋଇ ଲୁହ ବୋହିଗଲା ।

ଏଭଳି ପରିସ୍ଥିତିରେ ସେ ବିଠଲ ହସି ହସି କହିଲା, “ଆରେ ଏଥିରେ ଦୁଃଖ କରିବାର କ’ଣ ଅଛି । ଦେଖ ଭଗବାନଙ୍କର ଏ କି ଲୀଳା । ସେ କାହାକୁ କେଉଁଠୁ ଆଣି, କ’ଣ ଘଟାଇ, କେଉଁଥିରେ କ’ଣ କଲେ । କି ପରିବର୍ତ୍ତନ । ଭଗବାନଙ୍କର ଅପାର କୃପା ସମସ୍ତିଙ୍କ ପ୍ରତି ଥାଏ । ମଣିଷ ବୁଝୁ ବା ନବୁଝୁ । ତମେ ଏତେ ସୁନ୍ଦର କ୍ଷିରୀ କରି ଜାଣ? ଯାହାକୁ ଖାଇ ଜଣେ ଚୋରର ହୃଦୟ ପରିବର୍ତ୍ତନ ହେଲା? ପୁଣି ସେ ତୁମର ଭାଇ ବନିଗଲା । ତାହେଲେ ମୋତେ ସେଥିରୁ କାହିଁକି ବଂଚିତ କରୁଛ? ଆଜିଠାରୁ ସବୁଦିନେ ଯଥେଷ୍ଟ କ୍ଷିରୀ କରିବ ଆମେ ଦୁହେଁ ମନ ପୁରାଇ ତାହା ଖାଇବା ।” ଏହାଶୁଣି ସେ ସାବିତ୍ରୀ ହସିଦେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ