ଜମିଦାର ରାଜା

ଆଗନ୍ତୁକ କହିଲା – “ଏହି ଭଦ୍ରଲୋକ ଜଣକ ତ ମୋତେ କାଲି ଚିଠିଟି ଦେଲେ ଆପଣଙ୍କ ହାତରେ ଦେବାପାଇଁ । ଏଇ ଫଟୋରେ ତାଙ୍କର ଯେଉଁ ପୋଷାକ ଅଛି, କାଲି ତ ସେ ଅବିକଳ ତାକୁ ହିଁ ପିନ୍ଧିଥିଲେ ।”

ଏପରି କଥା ସେ ଆଗନ୍ତୁକଠୁ ଶୁଣି ଜମିଦାର ମହେନ୍ଦ୍ରକୁମାର ହଠାତ୍ କାନ୍ଦି ପକାଇଲେ । ସେ କହିଲେ, “ତୁମେ ଯାହାଙ୍କର ଚିଠି ଆଣିଦେଲ, ସେ ଥିଲେ ମୋର ବାପା । ବର୍ଷେ ହେଲାଣି ସେ ମୃତ୍ୟୁବରଣ କଲେଣି । ତାଙ୍କର ହସ୍ତାକ୍ଷର ଚିହ୍ନିବାରେ ମୋର ଆଦୌ ଅସୁବିଧା ହୋଇନାହିଁ ।”

ଏହି କଥା ଶୁଣି ସେ ଆଗନ୍ତୁକ ଜଣକ ଖୁବ୍ ବିଚଳିତ ହେଲା । ମନେ ମନେ ଭାବିଲା, ଏହା କ’ଣ ସମ୍ଭବ ! କାଲି ଯାହାଙ୍କ ସହିତ ସେ କଥା ହେଉଥିଲା, ସେ ତାହାହେଲେ ଗୋଟିଏ ଭୂତ? ଏପରି ଭାବି ଭାବି ସେ ଥକାମାରି ତଳେ ବସିପଡିଲା । ଭୂତ କଥା ଭାବିଲା ମାତ୍ରକେ ତା’ ଦେହରୁ ଖାଲି ଝାଳ ବୋହିଗଲା ।

ଜମିଦାର ଚିଠିଟି ପଢି ଶୁଣାଇଲେ – “ଆଦରର ପୁଅ ମୋର ! ଧନ ଦଉଲତରେ ବୁଡିରହି ତୁ ମୋତେ ପୁରାପୁରି ଭୁଲିଗଲୁ । ଏମିତିକି ତୁ ମୋ ଲାଗି ଶ୍ରାଦ୍ଧଟିଏ ମଧ୍ୟ ଦେଲୁ ନାହିଁ । ମୋର ଆତ୍ମା ମୋକ୍ଷ ନ ହୋଇ ଘୂରି ବୁଲୁଥିଲା । ଏହି ଗରିବ ଲୋକଟି ଗତକାଲି ଶ୍ରାଦ୍ଧ ପାଇଁ ତାର ଶେଷ କପର୍ଦ୍ଦକ ଦାନ କରିଛି । ସେଥିଲାଗି ମୋ ପରି ବହୁ ଅମୋକ୍ଷ ଆତ୍ମା ମଧ୍ୟ ଉଦ୍ଧାର ପାଇଛନ୍ତି । ଗରିବ ହେଲେ ମଧ୍ୟ ଏ ଲୋକଟିର ମନ କେଡେ ଉଦାର । ତାର ଏଭଳି ଉପକାର ଆଦୌ ଶୁଝି ହେବନାହିଁ । ସେ ଲୋକଟିର ଚଳିବାର ବି ଆଉ କୌଣସି ଉପାୟ ନାହିଁ । ତାର ପରିବାରର ଭରଣ ପୋଷଣର ସମସ୍ତ ଦାୟିତ୍ୱ ତୁ ହିଁ ନେବୁ । ତାହାହେଲେ ଯାଇ ମୋର ଆତ୍ମା ଶାନ୍ତିରେ ରହିବ ।”

ଏସବୁ ପଢିସାରି ଜମିଦାର ମହେନ୍ଦ୍ରକୁମାର ଅତିଶୟ ଅନୁତାପ କଲେ । ସେ ଏବେ ଠିକ୍ ବୁଝିଲେ ଯେ, ସେ ତାଙ୍କର ମୃତ ପିତାଙ୍କ ପ୍ରତି ଆଦୌ ଉପଯୁକ୍ତ କର୍ତ୍ତବ୍ୟ କରିପାରି ନାହାଁନ୍ତି । ଏହି ଗରିବ ଲୋକଟି ହିଁ ମୋ ଆଖି ଖୋଲି ଦେଇଛି ।

ତାପରେ ସେ ଜମିଦାର ସଙ୍ଗେ ସଙ୍ଗେ ତାଙ୍କ ଦେବାନଙ୍କୁ ଡାକି ଆଦେଶ ଦେଲେ – “ବଗିଚାକୁ ଲାଗି ଗୋଟିଏ ଘରେ ଆଗନ୍ତୁକର ରହିବା ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଦିଅ । ମଫସଲରୁ ତାର ପରିବାରକୁ ଏଠାକୁ ଅଣାଇବାର ସମସ୍ତ ପ୍ରକାର ବ୍ୟବସ୍ଥା କର । ତାର ସମସ୍ତ ଖର୍ଚ୍ଚ ଜମିଦାରୀ ବହନ କରିବ ।”

ଏଣେ ସେହି ଶ୍ରମିକକୁ ଜମିଦାର ତାଙ୍କ ବଗିଚାର ପ୍ରଧାନମାଳୀ କରିଦେଲେ । ସେ ଆଗନ୍ତୁକ ଲୋକଟି ରାଜାଙ୍କର ସେବା କରି ତା ପରିବାର ସହ ସେଠାରେ ଅତି ସୁଖରେ ରହିଲା । ଜମିଦାର ମଧ୍ୟ ସେହିଦିନୁ ଦାନପୁଣ୍ୟ କରିବାକୁ ଆଦୌ କୁଣ୍ଠିତ ହେଲେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ