ଜାମାତା ନିର୍ବାଚନ

                ପ୍ରିୟମ୍ବଦା ଏହାର ଆଉ କିଛିବି ଉତ୍ତର ଦେଇ ପାରିଲେ ନାହିଁ । ସେ ନିଶ୍ଚୟ କଲେ ଯେ ଜୟକୁ ଡାକି ତାକୁ ସେ ସବୁ ବୁଝାଇ ଦେବେ ଓ ତା’ର ସ୍ୱୀକୃତି ନେଇ ସେ ରାଜଦୀପକୁ ବିବାହ କରିବେ । ଏହିପରି ନାନାକଥା ଭାବୁ ଭାବୁ ସେମାନେ ସେହି ସୁଡଙ୍ଗର ଶେଷ ପ୍ରାନ୍ତରେ ଯାଇ ପହଁଚିଲେ । ପ୍ରିୟମ୍ବଦା ଗୁପ୍ତଦ୍ୱାର ଭିତର ଦେଇ ନିଜ କକ୍ଷରେ ଯାଇ ପହଁଚିଲେ । ସେ ରାଜଦୀପକୁ ସେହିଠାରେହିଁ କିଛି ସମୟ ରହିବାକୁ ଅନୁରୋଧ କଲେ ।

ଶୟନକକ୍ଷରେ ପ୍ରବେଶ କରି ପ୍ରିୟମ୍ବଦା ଘଂଟି ବଜାଇଲେ । ଅନେକ ପରିଚାରିକା ଏହା ଶୁଣି ଦୌଡି ଆସିଲେ । ଅଳ୍ପ ସମୟ ମଧ୍ୟରେ ପ୍ରିୟମ୍ବଦା କୁଶଳରେ ଫେରିଥିବା ଖବର ସେ ରାଜମହଲ ଭିତରେ ପ୍ରଚାର ହୋଇଗଲା ।

ରାଜା ରାଣୀ ଦୌଡି ଆସି ତାଙ୍କ ଝିଅକୁ ଅତି ସ୍ନେହରେ ଆଲିଙ୍ଗନ କରି ସବୁକଥା ପଚାରି ପକାଇଲେ । ପ୍ରିୟମ୍ବଦା କେବଳ ଅଳ୍ପ ହସି କହିଲେ, “ମା’, ସେସବୁ ଗପିଲେ ଦୀର୍ଘ ସମୟ ଲାଗିବ । ପରେ ପଛେ ମୁଁ ଆଉ କେତେବେଳେ ସେସବୁ କହିବି । ଏବେ ଅନ୍ତଃପୁରର ସମସ୍ତ ରକ୍ଷୀଙ୍କୁ ମୋ ପାଖକୁ ଟିକିଏ ଡାକିଦିଅ ।”

ରାଜାଙ୍କ ଆଜ୍ଞାରେ ସବୁ ପ୍ରହରୀ ଆସି ତୁରନ୍ତ ହାଜର ହେଲେ । କିନ୍ତୁ ସେତେବେଳେ ସେମାନଙ୍କ ମଧ୍ୟରେ ଜୟ ନଥିଲା । ପ୍ରିୟମ୍ବଦା ଆଶ୍ଚର୍ଯ୍ୟ ହୋଇ ପିତାଙ୍କୁ ପଚାରିଲେ, “ବାବା, ଏମାନଙ୍କ ମଧ୍ୟରେ ଜୟ ନାମକ ଏକ ପ୍ରହରୀ ଥିଲା, ସେ କାହିଁ?”

ଜଣେ ପ୍ରହରୀ ରାଜକୁମାରୀଙ୍କୁ କହିଲା, “ଜୟର ବିବାହ ହେବା କଥା । ତା’ର ଆଜି ନିର୍ବନ୍ଧ । କେବଳ ସେଇଥିପାଇଁ ଛୁଟି ନେଇ ସେ ତା’ ଘରକୁ ଯାଇଛି । କାଲି ସେ ପୁଣି ଆସି ତା’କାମରେ ଯୋଗଦେବ ।”

ଏକଥା ଶୁଣିବା ମାତ୍ରେ ପ୍ରିୟମ୍ବଦାଙ୍କର ସମସ୍ୟାର ଅର୍ଦ୍ଧେକ ସମାଧାନ ହୋଇଗଲା । ତା’ପରେ ସେ ସେଠୁ ସମସ୍ତଙ୍କୁ ବିଦାକରି କହିଲେ, “ମୋତେ ବହୁତ ନିଦ ମାଡୁଛି ମୁଁ ଖୁବ୍ କ୍ଳାନ୍ତ । ଟିକିଏ ବିଶ୍ରାମ କରିବି ।” ପ୍ରିୟମ୍ବଦାଙ୍କୁ ନିଜ କକ୍ଷରେ ବିଶ୍ରାମ କରିବାକୁ ଛାଡିଦେଇ, ରାଜା ରାଣୀ ଓ ଅନ୍ୟମାନେ ସେଠାରୁ ଚାଲିଗଲେ । ସମସ୍ତେ ଯିବା ପରେ ପ୍ରିୟମ୍ବଦା ଦ୍ୱାର ଖୋଲି ରାଜଦୀପଙ୍କୁ ଡାକି ସବୁ କଥା କହିଲେ ।

ରାଜଦୀପ କହିଲେ, “ପ୍ରିୟମ୍ବଦା, ଏବେ ମଧ୍ୟ କଥା ସ୍ପଷ୍ଟ ହୋଇନାହିଁ । ଆମ ବିବାହ ପାଇଁ ଜୟର ସହର୍ଷ ସ୍ୱୀକୃତି ମିଳିବା ଦରକାର ।” ତା’ପରେ ସେ କିଛି ଖାଇବା ପରେ ପୁଣି ସୁଡଙ୍ଗ ଭିତରକୁ ଚାଲିଗଲେ ।

ପରଦିନ ଜୟ ଆସି କାମରେ ଯୋଗ ଦେଲା । ପ୍ରିୟମ୍ବଦା ମଧ୍ୟ ଉଦ୍ୟାନକୁ ଯାଇ ତାହା ସହିତ ଦେଖା କଲେ ଓ ତାକୁ ପଚାରିଲେ “ଜୟ, କ’ଣ ତୁମର ସବୁ କୁଶଳ ତ? ମୁଁ ଶୁଣିଲି ତୁମର କୁଆଡେ ବିବାହ ସ୍ଥିର ହୋଇ ଯାଇଛି ।”

ଜୟ କହିଲା “ଆଜ୍ଞା, ହଁ । ସେଦିନ ମୁଁ କିଛି ବିଚାର ନ କରି ଆପଣଙ୍କ କଥାରେ ସିନା ରାଜି ହୋଇ ଯାଇଥିଲି । ସେଥିପାଇଁ ମୋତେ କ୍ଷମା କରନ୍ତୁ । ସବୁଦିଗରୁ ଚିନ୍ତାକରି ମୁଁ ଦେଖିଲି ଯେ ଆପଣଙ୍କର ମୁଁ ଯୋଗ୍ୟ ନୁହେଁ, ପୁଣି ଏପରି ଏକ କଥା ଶୁଣିବା ମାତ୍ରେ ମୁଣ୍ଡକାଟ ଛଡା ରାଜା ଆଉ କିଛି ଦଣ୍ଡ ଦିଅନ୍ତେ ନାହିଁ । ତେଣୁ ମୁଁ ମୋରି ସମାସ୍କନ୍ଦ ଜଣେ ପରିବାରର ଝିଅକୁ ନିଜ ପାଇଁ ବାଛିଲି ।” ତା’ପରେ ପ୍ରିୟମ୍ୱଦା ସେ ସୁଡଙ୍ଗ ଭିତରୁ ରାଜଦୀପକୁ ଡାକି ତାଙ୍କୁ ସବୁ କଥା କହିବାରୁ ଅବଶେଷରେ ସେ ବିବାହ ପାଇଁ ନିଜର ସ୍ୱୀକୃତି ଦେଲେ । ଏହାପରେ ପ୍ରିୟମ୍ବଦା ତାଙ୍କୁ ନିଜର ମାତାପିତାଙ୍କ ପାଖକୁ ନେଇଯାଇ କହିଲେ, “ମୁଁ ଥରେ କୌତୁହଳବଶତଃ ସୁଡଙ୍ଗ ଭିତରେ ଯାଉ ଯାଉ ଭିତରକୁ ଅନେକ ଦୂର ଚାଲିଗଲି ଓ ଶେଷରେ ଅନ୍ଧକାର ଭିତରେ କୁଆଡେ ଯାଉଛି ତାହା ବୁଝିପାରିଲି ନାହିଁ । ଶେଷ ଭାଗରେ ପହଁଚି ମୁଁ ମୂର୍ଚ୍ଛିତ ହୋଇ ପଡିଲି ଏବଂ ଏଇ ଯୁବକ ମୋର ଜୀବନ ରକ୍ଷା କଲେ ।” ତା’ପରେ ପ୍ରିୟମ୍ବଦା ଅଳ୍ପ ବହୁତ ରାଜଦୀପଙ୍କ ବିଷୟରେ ଓ ଗ୍ରାମରେ ରହିବାର ଅନୁଭୂତି ବିଷୟରେ କହିଲେ ।

ରାଜଦୀପଙ୍କର ପ୍ରଭାବପୂର୍ଣ୍ଣ ବ୍ୟକ୍ତିତ୍ୱ ଦେଖି ରାଜା, ରାଣୀ ବହୁତ ଖୁସି ହେଲେ । ସେମାନେ ଏହାଜାଣି ଆହୁରି ମଧ୍ୟ ଖୁସି ହେଲେ ରାଜଦୀପ ଯେ ପ୍ରିୟମ୍ବଦାଙ୍କ ପାଇଁ ନିଜର ଅସାଧାରଣ ଶକ୍ତି ତ୍ୟାଗ କରିଛନ୍ତି । ରାଜା କହିଲେ, “ବତ୍ସ, ତମେ ମୋ ଝିଅ ପାଇଁ ନିଜର ସମସ୍ତ ଅସାଧାରଣ ଶକ୍ତିକୁ ପରିତ୍ୟାଗ କରିଛ ତାହା ମୋର ସୌଭାଗ୍ୟ । ପ୍ରିୟମ୍ବଦା ମୋର ଏକମାତ୍ର କନ୍ୟା । ତେଣୁ ତା’ର ସ୍ୱାମୀ ରୂପେ ଭବିଷ୍ୟତରେ ଏ ରାଜ୍ୟର ଶାସନ ଦାୟିତ୍ୱ କେବଳ ତୁମର । ସେଥିପାଇଁ ଏକ ଯୋଗ୍ୟ ପାତ୍ର ପାଇ ଆମେ ଖୁବ୍ ଖୁସି ।”

ରାଜଦୀପ ଅଳ୍ପ ହସି କହିଲେ, “ମହାରାଜ, ଗୁରୁଙ୍କ ଆଦେଶରେ ଅପକାର କରିବା ବ୍ୟକ୍ତିର ମଧ୍ୟ ଉପକାର କରିଥିବା ହେତୁ ତା’ରି ଫଳ ସ୍ୱରୂପ ମୋତେ ଆଜି ପ୍ରିୟମ୍ବଦା ଓ ରାଜ୍ୟ ସବୁ କିଛି ମିଳିଛି । ମୁଁ ଆପଣଙ୍କ ଇଚ୍ଛା ଅନୁସାରେହିଁ ନ୍ୟାୟ ଓ ଧର୍ମ ପୂର୍ବକ ରାଜ୍ୟ ଶାସନ କରିବି । ସେ ବିଷୟରେ ଆପଣ ନିଶ୍ଚିନ୍ତ ରହନ୍ତୁ ।”

ରାଜଦୀପଙ୍କ ଏଭଳି କଥା ଶୁଣି ସେ ରାଜା ରାଣୀ ଅତ୍ୟନ୍ତ ଆନନ୍ଦିତ ହେଲେ । ରାଜା କହିଲେ, “ବତ୍ସ, ପ୍ରଜାଙ୍କ ହିତ ପାଇଁ କାର୍ଯ୍ୟ କରିବା ହେଲା ଗୋଟେ ରାଜାର ପ୍ରଥମ କର୍ତ୍ତବ୍ୟ । ତୁମେ ମନ, ବାକ୍ୟ ଓ କର୍ମରେ ପ୍ରଜାଙ୍କର ମଙ୍ଗଳ କରିବାକୁ ଚାହଁ, ତା’ଠାରୁ ବଡ ଆଉ କ’ଣ ବା ଥାଇପାରେ?”

ରାଜଦୀପ କହିଲେ “ମହାରାଜ, ଆମେ ରହିଥିବା ଗ୍ରାମ ବିଷୟ ତ ଶୁଣିଲେ । ସେପରି କୌଣସି ପ୍ରଜା ବା ସ୍ଥାନ ଏ ରାଜ୍ୟରେ ଥିଲେ ମୁଁ ନିଃସଙ୍କୋଚରେ ନିଜେ ଯାଇ ସବୁ ପ୍ରକାର କଷ୍ଟ ସହି ସେମାନଙ୍କର ମଙ୍ଗଳ ହେବା ପରି କାର୍ଯ୍ୟ କରିବି । ତାହା ହେବ ମୋର ପ୍ରଥମ କର୍ତ୍ତବ୍ୟ ।”

ରାଜା କହିଲେ “ପୁତ୍ର, ତମେ କେବଳ ମୋର ଜାମାତା ନୁହେଁ, ଆହୁରି ମଧ୍ୟ ଏ ଦେଶର ଭବିଷ୍ୟତ ଶାସନକର୍ତ୍ତା । ତୁମର ପ୍ରଜାମାନଙ୍କ ପ୍ରତି ଏହି ଭାବ କଥା ଶୁଣି ମୋ ମନ ଅତ୍ୟନ୍ତ ଆନନ୍ଦିତ ।”

ପ୍ରିୟମ୍ବଦା ଜାଣିଥିଲେ କି ରାଜଦୀପ ତାଙ୍କ ପ୍ରେମରେ ମୁଗ୍ଧ ହୋଇ ବିବାହ କରୁଛନ୍ତି । କିନ୍ତୁ ତାଙ୍କର ଏହି ପ୍ରଜାବତ୍ସଳ ଗୁଣ ଯେ ତାଙ୍କର ମହନୀୟ ଚରିତ୍ରର ଅନ୍ୟ ଏକ ଦିଗ, ସେ ବିଷୟରେ ଜାଣି ତାଙ୍କ ମଥା ଆପେ ଆପେ ନଇଁଗଲା । ସେ ତାଙ୍କୁ ପ୍ରଣାମ କରି କହିଲେ, “ମୋ ଜାତକରେ ଥିଲା ମୁଁ ଜଣେ ସାଧାରଣ ବ୍ୟକ୍ତିଙ୍କୁ ବିବାହ କରିବି । ହୋଇପାରେ ତୁମେ ରାଜବଂଶୀ ନୁହଁ । ତେଣୁ ସାଧାରଣ । କିନ୍ତୁ ଅନ୍ୟ ସବୁ ଭାବରେ ଦେଖିଲେ ତମେ ଅସାଧାରଣ । ତମେ ଉତ୍ତରପୁରୁଷଙ୍କ ପାଇଁ ଜଣେ ଉଜ୍ଜ୍ୱଳ ଦୃଷ୍ଟାନ୍ତ ହୋଇ ଇତିହାସରେ ରହିବା ପରି ଲୋକ । ତୁମକୁ ପାଇ ମୁଁ ସବୁଠାରୁ ବେଶି ଖୁସି ।”

ତା’ପରେ ସେ ରାଜଦୀପ ଓ ପ୍ରିୟମ୍ବଦାଙ୍କର ବିବାହ ଖୁବ୍ ଜାକଜମକରେ ସମ୍ପନ୍ନ ହେଲା । ଦୁହେଁ ସେମାନଙ୍କର ଜୀବନକାଳରେ ଅନେକ ଲୋକହିତକର କାର୍ଯ୍ୟ କରି ପ୍ରଜାଙ୍କର ପ୍ରିୟ ରାଜରାଣୀ ଭାବରେ କାଳ ଯାପନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ