ଝିଅର ବିବେକ

                ସେଉଠୁ ସେ ପିଲାର ଲୁଗାପଟା ତଲାସ୍ କରାହେଲା । ଦେଖିବା ବେଳକୁ ତା’ ଜାମା ପକେଟରେ ମାତ୍ର ଦୁଇ ଚାରି ପଇସା ଅଛି । ତା’ଛଡା ଆଉ କିଛି ବି ନାହିଁ । ଏସବୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ ।

                ତା’ପରେ ଗଙ୍ଗାଧର ସେ ପିଲାଟିକୁ ପଚାରିଲା “ଯଦି ତୁ ଚୋରି ନ କରିଛୁ, ତେବେ ତୁ କ’ଣ କରିଛୁ?

                ସେ ପିଲାଟି ଏଥର କହିଲା “ବାବୁ, ମୁଁ କିଛି ନକହି ଏଠାରୁ ଚାଲିଯିବି ବୋଲି ଭାବିଥିଲି । କିନ୍ତୁ ଯେତେବେଳେ ଏତେ କଥା ହେଲାଣି, ସେତେବେଳେ ମୋତେ ହିଁ ସବୁକଥା କହିଦେବାକୁ ହେବ । ତେବେ ଶୁଣ । ଏହା ଦୀର୍ଘ ବାରବର୍ଷ ତଳର କଥା । ମୁଁ ସେତେବେଳେ ମାତ୍ର ତିନିବର୍ଷର ପିଲା । ମୋତେ କଠିନ ବେମାର ହୋଇଥାଏ । ତେଣୁ ମୋ ବାପା ବିଖ୍ୟାତ ବୈଦ୍ୟ ବଳଭଦ୍ର ଦାସଙ୍କୁ ଯାଇ ଭେଟିଲେ । ରୋଗର ଲକ୍ଷଣ ଶୁଣି ବୈଦ୍ୟ ଗୋଟିଏ ଅତି ମୂଲ୍ୟବାନ୍ ଔଷଧ ତିଆରି କରିବେ ବୋଲି କହିଲେ । ସେଥିରେ ସ୍ୱର୍ଣ୍ଣ ଭଷ୍ମ ଲାଗିବ । ତେଣୁ ସେ ମୋ ବାପାଙ୍କୁ ଟିକିଏ ସୁନା ଆଣିବା ପାଇଁ କହିଲେ । ଆମେ ତ ସେତେବେଳେ ଅତି ଗରୀବ ଥିଲୁ । ବାପା ସୁନା କାହୁଁ ଆଣିବେ? ଏଣୁ ସେ ହତାଶ ହୋଇ ଫେରୁଛନ୍ତି, ହଠାତ୍ ତାଙ୍କୁ ଶୋଷ ଲାଗିଲା । ସେ ଏହି ଘରେ ଆସି ପାଣି ମାଗିଲେ । ବୋଧେ ଆପଣହିଁ ସେତେବେଳେ ତାଙ୍କୁ ପାଣି ଦେଇଥିବେ । ପାଣି ଗିଲାସ ଧରି ଆପଣ ଘର ଭିତରକୁ ପଶିଯିବା ବେଳକୁ ଆପଣଙ୍କ ଅଂଟିରୁ ଗୋଟିଏ ସୁନାମୁଦି ଖସି ପଡିଲା । ଆପଣ ବୋଧହୁଏ ତାହା ବଣିଆ ପାଖରୁ ନେଇ ଆସିଥିଲେ । ମୋତେ ମୃତ୍ୟୁ କବଳରୁ ରକ୍ଷା କରିବା ନିମନ୍ତେ ବାପା ନିଜ ବିବେକର ତାଡନା ସତ୍ତ୍ୱେ ସୁନା ମୁଦିଟି ଉଠାଇ ନେଇ ଚାଲିଗଲେ । ତା’ପରେ ଔଷଧ ପ୍ରସ୍ତୁତ ହେଲା । ମୁଁ ସୁସ୍ଥ ହେଲି । ବାପା ବେପାର କରି କିଛି ଧନ ଅର୍ଜିଲେ । ଆପଣଙ୍କ ପାଖରେ ଯେମିତି ହେଲେ ବି ମୁଁ ପାଂଚଶହ ଟଙ୍କା ପହଁଚାଇ ଦେବାକୁ ମୃତ୍ୟୁ ବେଳକୁ ସେ ମୋତେ କାନେ କାନେ କହିଗଲେ । କେବଳ ସେଇଥିପାଇଁ ମୁଁ ଏଠାକୁ ଆସିଥିଲି ।”

                ସେତେବେଳେ ତ ଗୋଟିଏ ସୁନାମୁଦିର ଦାମ ମାତ୍ର କୋଡିଏ କି ତିରିଶ ଟଙ୍କା ଥିଲା । ମାତ୍ର ଏ ପାଂଚଶହ ଟଙ୍କା କଥା ଶୁଣି କେହି କେହି ହସିଲେ । କେହି କେହି କହିଲେ, “ଏ ଟୋକା ଭାରି ଚାଲାକ । ସାଙ୍ଗେ ସାଙ୍ଗେ ଗୋଟାଏ ଗଳ୍ପ ତିଆରି କରିଦେଲା ।”

                ଗଙ୍ଗାଧର କହିଲା, “ସେକଥା ତ ମୁଁ ବୁଝିଲି । ତେବେ ତୁ ପାଂଚଶହ ଟଙ୍କା ଦେବା ପରିବର୍ତ୍ତେ ଆମ ଘର ଭିତରେ ପଶିବାକୁ କାହିଁକି ଚେଷ୍ଟା କରୁଥିଲୁ?”

                ତହୁଁ ସେ ପିଲାଟି କହିଲା “ବାବୁ, ତୁମ ଘର ଭିତରେ ପଶିବାକୁ ମୁଁ କାହିଁକି ଚେଷ୍ଟା କରିବି? ମୁଁ ଟଙ୍କା ଥଳିଟି ଝରକା ଭିତର ଦେଇ ପକାଇଦେଇ ଚାଲି ଯାଉଥିଲି!”

ଏପରି କଥା ଶୁଣି କେହି ଜଣେ ଥଟ୍ଟା କରି କହିଲା “ତାହେଲେ ଏମିତି କଥା? ତା’ ଦେଖାଦେଖି ଆଉ ଜଣେ ବି କହିଲା “ବର୍ତ୍ତମାନ ଯଦି ଘର ଭିତରୁ ଟଙ୍କା ଥଳି ନ ମିଳିବ ତେବେ ଏ ଟୋକା କହିବ କି ସେ ଗୋଟିକ କେହି ଜଣେ ଉଠାଇ ନେଇ ଯାଇଛି । ନା କ’ଣ ରେ?”


ଗପ ସାରଣୀ

ତାଲିକାଭୁକ୍ତ ଗପ