ତତ୍କଳ ଜାତକ

         ପୁଅଟିର ଉପଦେଶ ମାନି ବଶିଷ୍ଠକ ପୁଣି ନିଜର ବୃଦ୍ଧପିତା ଓ ପୁଅକୁ ଗାଡିରେ ବସାଇ ଘରକୁ ଫେରିଗଲା । ସେତେବେଳକୁ ତା’ର ସ୍ତ୍ରୀ ଘରଦ୍ୱାର ଲିପାପୋଛା କରି ମନ ଖୁସିରେ ଭଲ ରନ୍ଧାବଢା କରି ସ୍ୱାମୀ ଓ ପୁଅକୁ ଅପେକ୍ଷା କରି ବସିଥିଲା । ବୁଢାଟା ଘରୁ ଯାଇଛି ବୋଲି ତା’ର ମନରେ ଭାରି ଆନନ୍ଦ । ସ୍ୱାମୀ ଓ ପୁଅ ସହିତ ବୁଢା ଶ୍ୱଶୁର ଫେରିଥିବାର ଦେଖି ତା’ର ମନରେ ରାଗ ଜାତ ହେଲା । ବଶିଷ୍ଟକ ତାକୁ କିଛି ନକହି ଗାଡିରୁ ବଳଦ ଫିଟାଇଲା । ବୁଢାକୁ ଧରି ଗାଡିରୁ ଓହ୍ଲାଇଦେଲା । ଏହି ସମୟରେ ତା’ର ସ୍ତ୍ରୀ କହିଲା, “ଏଇଟା କୌଣସି କାମର ନୁହେଁ । ପୁଣି ସେ ହତଭାଗାକୁ ନେଇଆସିଛି ।” ବଶିଷ୍ଠକ ଏତିକି ଶୁଣିଲାମାତ୍ରେ “ତୁ କ’ଣ କହିଲୁ? ମୋର ବାପ ହତଭାଗା” କହି ପାଂଚଣ ଧରି ସ୍ତ୍ରୀକୁ ପିଟିଦେଇଗଲା ଓ ଘରୁ ବାହାରକୁ ଟାଣିଟାଣିନେଇ କହିଲା, “ଯାଆ, ଆଜିଠାରୁ ତୁ ମୋ ଦୁଆର ମାଡିବୁନାହିଁ ।”

         ବୁଢା, ପୁଅ ଓ ନାତି ତିନିହେଁ କିଛିଦିନ ସୁଖରେ ରହିଲେ । ବଶିଷ୍ଠକର ସ୍ତ୍ରୀ ସ୍ୱାମୀଠାରୁ ମାଡଖାଇ ଜଣେ ବନ୍ଧୁ ଘରେ ରହିଲା । ଦିନେ ପୁଅ ବଶିଷ୍ଠକକୁ କହିଲା, “ବାପା, ତୁମେ ମାଆକୁ ଗାଳିଦେଲେ, କିନ୍ତୁ ତା’ର କିଛି ପରିବର୍ତ୍ତନ ଆସିଥିବାର ଜଣାଯାଉନାହିଁ । ତୁମେ ଗୋଟିଏ କାମ କର । ପ୍ରଚାର କରିଦିଅ, ଅମୁକ ଗାଆଁରେ ଗୋଟିଏ ସୁନ୍ଦରୀ ଝିଅ ଅଛି । ଯାଉଛି ତାକୁ ଆଣି ବିବାହ କରିବି । ସେ ମୋର, ମୋ ବୁଢାବାପାଙ୍କର ଓ ମୋ ପୁଅର ସବୁକଥା ବୁଝିବ । ଶ୍ୱଶୁରଙ୍କ ସେବାରେ ମୋଟେ ହେଳା କରିବନାହିଁ ।”

         ବଶିଷ୍ଠକ ଅନେକ ଲୋକଙ୍କ ଆଗରେ ଏହି କଥା କହିଲା । ଗାଆଁର ମାଇପେ ତାହା ଶୁଣି ବଶିଷ୍ଠକର ସ୍ତ୍ରୀକୁ ତାହା କହିଲେ । ତହୁଁ ସେ ଭାବିଲା, “ସ୍ୱାମୀ ଆଉ ଗୋଟାକୁ ବିଭାହେଲେ ମୋର ସର୍ବନାଶ ହେବ । ମୁଁ କେବେହେଲେ ତାଙ୍କ ଘରକୁ ଯିବିନାହିଁ କି ସେ ମୋ ମୁହଁକୁ ଚାହିଁବେନାହିଁ । କଅଣ କରିବି?”

         ଏହିପରି ଚିନ୍ତା କରି କରି ସେ ସ୍ଥିରକଲା, ପୁଣି ସେହି ସ୍ୱାମୀଙ୍କର ପାଦତଳେ ପଡି କ୍ଷମା ମାଗିବ । କିନ୍ତୁ ସ୍ୱାମୀଙ୍କ ପାଖକୁ ଯିବାକୁ ତା’ର ସାହସ ପାଇଲା ନାହିଁ । ତେଣୁ ସେ ପୁଅ ପାଖକୁ ଯାଇ ତାକୁ ଖୋସାମତ କରି କହିଲା, “ତୁ ମୋତେ ରକ୍ଷା ନକଲେ ମୁଁ ମରିଯିବି । ତୋ ରାଣ ପକାଉଛି, ଆଜିଠାରୁ ତୋ ବାପା ଓ ଜେଜେବାପାଙ୍କର ସେବାରେ ଟିକିଏ ହେଲେ ହେଳା କରିବି ନାହିଁ । ସେ ମୋର ଦେବତା । ତାଙ୍କୁ ଦେବତା ପରି ମାନ୍ୟ କରିବି; ପୂଜା କରିବି ।”

         ବାଳକଟି ମାଆର ଏହି ପରିବର୍ତ୍ତନ ଦେଖି ବାପାଙ୍କୁ କହିଲା, “ଏବେ ମୋ ମାଆ ବଦଳି ଯାଇଛନ୍ତି । ତାଙ୍କୁ ଘରକୁ ଆଣ ।” ବଶିଷ୍ଠକ ପୁଅର ଅନୁରୋଧରେ ସ୍ତ୍ରୀକୁ ଘରକୁ ଫେରାଇ ଆଣିଲେ । ସ୍ତ୍ରୀ ସ୍ୱାମୀ, ଶ୍ୱଶୁରଙ୍କ ସେବାରେ ନିଯୁକ୍ତ ହେଲା ଓ ପୁଅର ଉପଦେଶ ମାନି ଚଳିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ