ତାନ୍ତ୍ରିକ

                କେବଳ ବିମଳା ଜାଣେ ଯିଦ୍ଖୋର୍ ରାଜକୁମାରୀ, ନିଶ୍ଚୟ ବିବାହରୁ ମୁକ୍ତି ପାଇବା ପାଇଁ କୁଆଡେ ପଳାଇଛନ୍ତି । ପଳାଇଛନ୍ତି ଅର୍ଥ ସେ ନିଶ୍ଚୟ ସେହି ଭଗ୍ନ ଦୁର୍ଗକୁ ହିଁ ଯାଇଥିବେ; କାରଣ ସେଥିପ୍ରତି ତାଙ୍କ ମନରେ ବହୁତ ଆକର୍ଷଣ ଥିଲା । ବିମଳା କାହାକୁ କିଛି ନକହି ଚୁପ୍ ଚାପ୍ ଯାଇ ସେହି ଦୁର୍ଗ ପାଖରେ ପହଁଚିଲା । ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା ନକରି କବାଟ ଫାଙ୍କରେ ସେ ଯାହା ଦେଖିଲା ସେଥିରେ ତା’ର ମଥା ଘୁରିଗଲା । ସେ ଦେଖିଲା କୁତ୍ସିତ ରୂପଧାରୀ, ପିଠିରେ କୁଜ ଥିବା ଏକ ବାମନ ବସି ଅଟ୍ଟହାସ୍ୟ କରୁଛି । ହାତରେ ତା’ର ଛୋଟ ବାଡିଟିଏ । ତା’ ସାମ୍ନାରେ ରୂପମତୀ ବସିଛନ୍ତି । ବାମନ କହି ଚାଲିଥାଏ, “ମୋର ରୂପ ନଥିଲେ କ’ଣ ହେଲା ଗୁଣ ତ ଅଛି । ମୋ ମନ୍ତ୍ର ସାହାଯ୍ୟରେ ପୃଥିବୀରେ ମୁଁ କ’ଣ ବା କରି ନପାରେ? ଏହି ପୋଖରୀରେ ଯେତେ ମାଛ ଅଛନ୍ତି ସେଥିରୁ ଅର୍ଦ୍ଧେକ, ତୋ’ପରି ସୁନ୍ଦରୀ ଝିଅ ମୋତେ ଦେଖି ଘୃଣା କରିବାରୁ ସେମାନଙ୍କୁ ମୁଁ ମାଛ କରି ରଖିଛି । ତୋତେ ମଧ୍ୟ ମାଛ କରି ରଖିବି । ସମୟ ଦେଉଛି । ଭାବି ଦେଖ । ମୋତେ ବାହା ନହେଲେ ମାଛ ହୋଇ ରହିବୁ ।”

                ତା’ପରେ ରୂପମତି କାନ୍ଦି କାନ୍ଦି କହିଲେ, “ଦୁଷ୍ଟ ତାନ୍ତ୍ରିକ, ମୁଁ ମାଛ ହେଲେ ପଛେ ହେବି ମାତ୍ର ତୋ ପରି ଦୁଷ୍ଟ ଓ କୁରୁପ ଲୋକକୁ ମୁଁ ଆଦୌ ବିବାହ କରିବି ନାହିଁ । ମୁଁ ନିଜର ଦୁର୍ବୁଦ୍ଧି ଓ କୌତୁହଳବଶତଃ ଏଠାକୁ ଆସି ଆଜି ଏପରି ବିପଦରେ ପଡିଲି ।”

                ତାନ୍ତ୍ରିକ କହିଲା “ବିପଦ କ’ଣ । ମୋତେ ବିବାହ କଲେ ରାଜରାଜେଶ୍ୱରୀ ହୋଇ ଅଖଣ୍ଡ ଐଶ୍ୱର୍ଯ୍ୟ ଭୋଗ କରିବୁ । ଏବେ ମଧ୍ୟ ସମୟ ଅଛି । ମୋତେ ବିବାହ କରିବାକୁ ସ୍ୱୀକୃତ ହୋଇ ଦେଖ ଫଳ କ’ଣ ହେଉଚି ।”

                ରୂପମତୀଙ୍କୁ ବହୁ ପ୍ରକାର ପ୍ରଲୋଭନ ଦେଖାଇ, ଭୟ ଦେଖାଇ ଓ ନାନା ଉପାୟକରି ମଧ୍ୟ ସେ ତାନ୍ତ୍ରିକ ମୋଟେ ମନାଇ ପାରିଲା ନାହିଁ । ବାହାରେ ଥାଇ କବାଟ ଫାଙ୍କବାଟେ ବିମଳା ଆଶ୍ଚର୍ଯ୍ୟ ହୋଇ ଏହି ସବୁ ଘଟଣା ଦେଖୁଥାଏ । ତା’ପରେ ତାନ୍ତ୍ରିକ କହିଲା, “କୌଣସିମତେ ତୁ ଯେବେ ମୋ କଥାରେ ରାଜି ନ ହେଉଛୁ ତେବେ ତୋର ଭାଗ୍ୟ ଅସ୍ତ ହେଲା ବୋଲି ଜାଣ । ଚଣ୍ଡାଳୁଣୀ, ଗର୍ବିତା, ତୋ ରାଜକୁମାରୀ ପଣିଆ ମୁଁ ଏହିକ୍ଷଣି ଛଡାଉଛି । ତୁ ନିଜକୁ ଏମିତି କ’ଣ ବୋଲି ଭାବିଛୁ କି? ତୁ ତୋ ସାରାଜୀବନ ଏହି ଗରା ଭିତରେ ରହିବୁ ।” ଏତିକି କହି ସେ ହାତରେ ଗୋଟିଏ ଛୋଟ ବାଡି ଧରି ରାଜକୁମାରୀଙ୍କୁ ତାହା ସ୍ପର୍ଶ କରାଇ କିଛି ମନ୍ତ୍ର ପଢିଲା । ଚାହୁଁ ଚାହୁଁ ରାଜକୁମାରୀ ମାଛଟିଏ ହୋଇ ଭୂଇଁ ଉପରେ ଛଟପଟ ହେଲେ । ତାଙ୍କୁ ଭୂଇଁରୁ ଉଠାଇ ନେଇ ସେ ତାନ୍ତ୍ରିକ ଅଟ୍ଟହାସ୍ୟ କରୁକରୁ କହିଲା, “ଏବେ ତୁ ତୋ ଗର୍ବର ଫଳ ଭୋଗକର । ଅଧୁନା ଏହି ଗରା ହେଉଛି ତୋର ପୃଥିବୀ ।”

                ରୂପମତୀଙ୍କର ଏପରି ଅବସ୍ଥା ଦେଖି ବିମଳାର ରକ୍ତ ପାଣି ହୋଇଗଲା ପରି ଲାଗିଲା । କିନ୍ତୁ ସେ ସବୁ ଜାଣିଗଲା ପରେ ମନେ ମନେ ସାହସ ବାନ୍ଧିଲା; ସଖୀ ରୂପମତୀଙ୍କୁ ଯେପରି ହେଲେ ସେ ଉଦ୍ଧାର କରିବ । ତେଣୁ ଟିକିଏ ଚିନ୍ତା କରିବା ପରେ ସେ ଦୁର୍ଗର କବାଟରେ କରାଘାତ କଲା ।

                କବାଟ ଫିଟାଇବାକୁ ଆସିବା ପୂର୍ବରୁ ବାମନ ନିଜେ ନିଜେ କହୁଥାଏ, “କିଏ ଏଡେ ଦୁଃସାହସ କରି ଏଠାକୁ ଆସିଛି, ପୁଣି ଭିତରେ ପ୍ରବେଶ କରିବାକୁ ବି ଚାହୁଁଛି?” ତା’କଥା ବିମଳା ଶୁଣିପାରୁଥାଏ ।

କବାଟ ଖୋଲିଲା, ବିମଳା କହିଲା, “ଆହେ ଭିଣେଇବାବୁ ମୁଁ ଅନେକ ଦୂରରୁ ଚାଲି ଚାଲି ଆସି ଥକା ହୋଇ ପଡିଛି । ଏଇଠାରେ ରାତ୍ରିରେ ଟିକିଏ ବିଶ୍ରାମ ନେଇ ସକାଳୁ ଉଠି ଚାଲିଯିବି । ମୋତେ କ’ଣ ଏଥିଲାଗି ତୁମେ ଅନୁମତି ଦେବନି?”

ତା’କଥା ଶୁଣି ସେ ବାମନ ତାନ୍ତ୍ରିକ ବିକଟ ହସ ହସି କହିଲା, “ଓ ଏଇ କଥା? ତୁମ ପରି ସୁନ୍ଦରୀ ନାରୀଙ୍କୁ ଅତିଥି ଭାବରେ ପାଇବା ତ ଅତ୍ୟନ୍ତ ଭାଗ୍ୟର କଥା । ତେବେ କ’ଣ ତୁମକୁ ଏଠାରେ ଆଦୌ ଭୟ ଲାଗୁନାହିଁ? ଏକୁଟିଆ ସ୍ଥାନରେ ଏତେ ରାତିରେ ତୁମେ ମୋ ପାଖରେ ରହି ପାରିବ ତ? ମୋର ଏଭଳି କୁତ୍ସିତ ରୂପ ଦେଖି ତୁମକୁ କ’ଣ ଟିକିଏ ବି ହେଲେ ଭୟ ଲାଗୁନାହିଁ?”

“ତୁମର ପୁଣି କୁତ୍ସିତ ରୂପ? ଏକଥା କିଏ କହିଲା? ମୋତେ ତ କାହିଁ ସେମିତି କିଛି ଲାଗୁନାହିଁ । ତୁମପରି ହସଖୁସିଆ ମେଳାପୀ ଲୋକଟିଏ ଦେଖିଲେ ନିଜର ପରି ମନେ ହେଉଛି । ସେଥିପାଇଁ ତ ତୁମକୁ ମୁଁ ଭିଣେଇବାବୁ ବୋଲି ଡାକିଲି । ତୁମ ଯୁବକ ଅବସ୍ଥାରେ ତୁମେ କେତେ ସୁନ୍ଦର ହୋଇ ନଥିବ ।” ଏପରି କଥା କହି ବିମଳା ସେ ତାନ୍ତ୍ରିକର ଅନେକ ପ୍ରଶଂସା କଲା ।

ପ୍ରଶଂସାରେ ମୁଗ୍ଧ ହୋଇ ବାମନ କହିଲା, “ମୋର ବିବାହ ଏପର୍ଯ୍ୟନ୍ତ ହୋଇ ନାହିଁ । ମୋ ମନରେ ଅନେକ ଦିନର ସ୍ୱପ୍ନ ଯେ ମୁଁ ଜଣେ ରାଜକୁମାରୀକୁ ବିବାହ କରନ୍ତି । ଏତେ ଦିନରେ ରାଜକୁମାରୀଟିଏ ପାଇଛି ଯେ ସେ ମୋତେ ବିବାହ କରିବାକୁ ନାରାଜ ହେଉଛି । ତୁମେ ଏବିଷୟରେ କିଛି କରିପାରିବ?”

ବିମଳା କହିଲା “ଆରେ ଇଏ ଗୋଟାଏ କଥା? ମୋ ହାତରେ ଏହି ଯେଉଁ ଅଙ୍ଗରୀୟଟି ଦେଖୁଛ, ଏହା ହୀରାର ହେଲେ ମଧ୍ୟ ଏହା ସାଧାରଣ ନୁହେଁ, ଏଥିରେ ଅସାଧାରଣ ଶକ୍ତି ଅଛି । ଏଥିରେ ଅନ୍ୟର ମନକୁ ପରିବର୍ତ୍ତନ କରାଯାଇ ପାରିବ । ତୁମେ ରାଜକୁମାରୀଙ୍କୁ ଆଣ ମୁଁ ତାଙ୍କୁ ଠିକ୍ କରିଦେବି ।”

“ସତରେ? ତୁମର ଏପରି ଶକ୍ତି ଅଛି? ତାହାହେଲେ ତ ଏହା ଅତି ଆନନ୍ଦର କଥା । ମୋର ସ୍ୱପ୍ନ ସଫଳ ହେବାକୁ ଯାଉଛି । ତୁମେ ଏଇଠି ବସିଥାଅ ମୁଁ ଆସୁଛି ।” ଏହା କହି ସେ ତାନ୍ତ୍ରିକ ଭିତରକୁ ଗଲା । ଇତିମଧ୍ୟରେ ବିମଳା ମାଛରୂପୀ ରୂପମତୀଙ୍କୁ କିଛି କହିଲା । ରୂପମତୀ ଏବେ ସବୁ ବୁଝିପାରିଲେଟି ।

ବାମନ ତାନ୍ତ୍ରିକ ଆସିଲା । ସେ କହିଲା, “ତୁମେ ଜାଣ, ଏଇ ଗରାରେ ମୁଁ ଗୋଟିଏ ରାଜକୁମାରୀକୁ ମାଛ ବନାଇ ରଖିଛି । ମୁଁ ତାକୁ ଏଇନା ମଣିଷ କରିଦେବି । ତୁମେ କ’ଣ ତା’ ମନକୁ ପରିବର୍ତ୍ତନ କରିଦେଇ ପାରିବ? ଯେପରିକି ସେ ମୋତେ ବିବାହ କରିବାକୁ ସ୍ୱୀକାର କରିବ । ତା’ପରେ ମୁଁ ସେ ରାଜାଙ୍କର ଜ୍ୱାଇଁ ହେବି । ତା’ପରେ ମୁଁ ନିଜେ ଏଇ ରାଜ୍ୟର ରାଜା ହେବି ।”

ବିମଳା ପଚାରିଲା “ନିଶ୍ଚୟ, ନିଶ୍ଚୟ, ତୁମେହିଁ ଦିନେ ରାଜା ହେବ । କିନ୍ତୁ ରାଜକୁମାରୀ କାହାଁନ୍ତି?”

ତାନ୍ତ୍ରିକ ସଙ୍ଗେ ସଙ୍ଗେ ନିଜର ବାଡି ସ୍ପର୍ଶ କରି ସେ ଗରାମଧ୍ୟରୁ ରାଜକୁମାରୀଙ୍କୁ ବାହାର କଲା । ବିମଳା ତାଙ୍କୁ ଟିକିଏ ଆଖି ମାରି ଦେଇ ନିଜର ହୀରାମୁଦି ସ୍ପର୍ଶ କରାଇ କହିଲା, “ତୁମେ ଜାଣ, ଏବେ ତୁମେ ଏହାଙ୍କୁ ବିବାହ କରିବ?”

ରାଜକୁମାରୀ କହିଲେ “ନିଶ୍ଚୟ ବିବାହ କରିବି । ମୁଁ ତାଙ୍କ ଛଡା ଆଉ କାହାକୁ ବିବାହ କରିବି? ତାଙ୍କୁ ତ ମୁଁ ମୋ ମନ ମଧ୍ୟରେ ସ୍ୱାମୀ ବୋଲି ଭାବି ସାରିଛି ।”

ଏକଥା ଶୁଣି ସେ ବାମନ ଅତି ଆନନ୍ଦରେ ଗଦ୍ଗଦ୍ ହୋଇ ଯାଇ କହିଲା, “କିନ୍ତୁ ଭଉଣୀ, ସେ ତ ତୁମ ହୀରାମୁଦି ପ୍ରଭାବରେ ମୋତେ ବିବାହ କରିବାକୁ ସ୍ୱୀକାର କରୁଛି । ହେଲେ ପରେ ଏ ମୁଦିର ପ୍ରଭାବ କଟିଗଲେ କ’ଣ ହେବ?”

ବିମଳା କହିଲା “ବିବାହ ସମୟରେ ସେଇଟିକୁ ମୁଁ ତୁମକୁ ଉପହାର ସ୍ୱରୂପ ଦେବି ।”

“ଏବେ ଦେଇଦେଲେ ତ ଖୁବ୍ ଭଲ ହୁଅନ୍ତା ।” ତାନ୍ତ୍ରିକ ଏହା କହିଲା ଓ ମୁଦି ନେବାକୁ ଆଗେଇ ଆସିଲା । ବିମଳା ବାମନର ହାତ ଧରି ଟାଣି କଚାଡି ଦେଇ ତା’ ହାତରୁ ମନ୍ତ୍ରବାଡି ଛଡାଇ ନେଲା ଓ ତା’ମୁଣ୍ଡରେ ସ୍ପର୍ଶ କରାଇ ତାକୁ ମାଛ କରିଦେଲା । ମାଛ ଛଟପଟ ହୋଇ ପୋଖରୀକୁ ଡେଇଁ ଚାଲିଗଲା ।

ଏଣେ ଏ ଦୁଇ ସଖୀ ମନ୍ତ୍ରବାଡି ଧରି ରାଜପ୍ରାସାଦକୁ ଫେରିଲେ । ସେମାନଙ୍କୁ ଦେଖି ରାଜାରାଣୀ ବହୁତ ଖୁସି ହେଲେ । ରତ୍ନସେନ କିନ୍ତୁ କହିଲେ, “ଘଟଣାଟିରୁ ଯାହା ଜଣାଗଲା ବିମଳାହିଁ ସାହସୀ ଓ ବୁଦ୍ଧିମାନ । କେବଳ ତା’ରି ଯୋଗୁଁ ରୂପମତୀ ପୁଣି ଆଜି ମଣିଷ ଜୀବନ ପାଇ ପାରିଲେ । ତେଣୁ ଏପରି ଯିଦ୍ଖୋର ଖିଆଲି ଝିଅକୁ ବିବାହ କରି ମୁଁ କାହିଁକି ମୋ ନିଜ ଜୀବନକୁ ଅଯଥା ବିପଦରେ ପକାଇବି? ବିମଳା ତ ତାକୁ ଉଦ୍ଧାର କରିବାକୁ ଆଉ ସର୍ବଦା ପାଖରେ ନଥିବ ।”

ରାଜା କହିଲେ, “ରୂପମତୀ ଓ ବିମଳା ଏ ଦୁହେଁ ପିଲାଦିନରୁ ସାଙ୍ଗ । ରୂପମତୀର ବିବାହ ପରେ ବିମଳା ମଧ୍ୟ ତା’ ସହିତ ତୁମ ଘରକୁ ଯିବ । ତାକୁ ଆମେ ରୂପମତୀ ସହିତ ଅନ୍ୟାନ୍ୟ ଅନେକ ସଖୀଙ୍କ ସହ ଯୌତୁକ ଦେବା ପାଇଁ ରଖିଛୁ । ତା’ର ବୁଦ୍ଧି ଯୋଗୁଁ ସେ ରୂପମତୀକୁ ସର୍ବଦା ରକ୍ଷା କରିବା ସଙ୍ଗେ ସଙ୍ଗେ ସାରାଜୀବନ ତୁମର ସେବା ମଧ୍ୟ କରି ରହିବ ।”

ରାଜା ରାଣୀଙ୍କ କଥାରେ ରତ୍ନସେନ ଖୁସିହେଲେ । ତା’ପରେ ରାଜକୁମାରୀଙ୍କର ବିବାହ ବଡ ଆଡମ୍ବର ସହକାରେ ଆୟୋଜିତ ହେଲା । ସାରାରାଜ୍ୟ ଆନନ୍ଦ ଉତ୍ସବରେ ସମୟ କଟାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ