ତିନି ତାନ୍ତ୍ରିକ

“ଏ ଦୁହେଁ କୌଣସି ମଣିଷର କ୍ଷତି କରିପାରିବେ ନାହିଁ । ତା’ଛଡା ଦୁହେଁ ଏପର୍ଯ୍ୟନ୍ତ ମୋ ମନ୍ତ୍ରର ପ୍ରଭାବରେ ରହିଛନ୍ତି । ତେଣୁ ଭୟ କରିବାର କୌଣସି କାରଣ ନାହିଁ ।” ପଦ୍ମପାଦ କିଛି ସମୟ ପର୍ଯ୍ୟନ୍ତ ବଣ ଭିତରକୁ ପଶିଯାଉଥିବା ସେ ଦୁଇ ପଶୁଙ୍କୁ ଅନାଇ ରହି ତା’ପରେ କହିଲେ, “ପିଙ୍ଗଳ, ଆମେ ଆମ ଲକ୍ଷ୍ୟ ହାସଲ ଦିଗରେ ଯେତିକି ଅଧିକ ଅଗ୍ରସର ହେଉଥିବା, ଆମକୁ ସେତିକି ଅଧିକ ସତର୍କ ରହିବାକୁ ପଡିବ । ଆମ କାର୍ଯ୍ୟ ବିଫଳ କରିବା ସଙ୍ଗେ ସଙ୍ଗେ ଆମକୁ ପ୍ରାଣରୁ ମାରିଦେବା ନିମନ୍ତେ ଆମର ଶତ୍ରୁମାନେ ଟାକି ରହିଛନ୍ତି । ଏ ପର୍ଯ୍ୟନ୍ତ ସବୁ କାମ ଅତି ସହଜରେ ହୋଇଛି ସିନା, କିନ୍ତୁ ଭବିଷ୍ୟତ ବହୁ ଜଟିଳ ପରୀକ୍ଷାର ସମୟ । ସାହସ ଓ ସତର୍କତା – ଏ ଦୁଇ ବନ୍ଧୁହିଁ ମନ୍ଦିରରେ ପହଁଚିବା ଦିଗରେ ଆମର  ସହାୟତା କରିପାରିବେ । ଯଦି ଭୟର ସାମାନ୍ୟ ଆଭାସ ଆମ ଭିତରେ ଦେଖାଦେବ, ତେବେ ଆମର ମୃତ୍ୟୁ ନିଶ୍ଚିତ । କିନ୍ତୁ ଆମେ ଯଦି ନିର୍ଭୟରେ ଆମ କାର୍ଯ୍ୟରେ ଅଗ୍ରସର ହେବା, ତେବେ ଶତ୍ରୁ ଯେତେ ଚତୁର ହେଉ ନା କାହିଁକି, ସେ ଆମର କୌଣସି ବି କ୍ଷତି କରିପାରିବ ନାହିଁ । ଚାଲ, ଅତି ସାବଧାନ ହୋଇ ଆମେ ଆମ ଅଭିଯାନର ନୂତନ ପର୍ଯ୍ୟାୟ ଆରମ୍ଭ କରିବା ।”

ଦୁହେଁ କେଇ ପାଦ ଆଗକୁ ଯିବା ପରେ ପଦ୍ମପାଦ ପଚାରିଲେ, “ଆଚ୍ଛା, ଭଙ୍ଗା ମନ୍ଦିରର ଶିଖର ଦେଶ ତମେ ଦେଖି ପାରୁଛଟି?”

ପିଙ୍ଗଳ ମୁଣ୍ଡ ହଲାଇ କହିଲା, “ହଁ ।”

ପଦ୍ମପାଦ କହିଲେ “ଭଲ କଥା । ସେ ମନ୍ଦିର ଭିତରେ ଥିବା ମହାମାୟଙ୍କ ସମାଧିରେ ତମକୁ ଏକା ଯାଇ ପହଁଚିବାକୁ ପଡିବ । ସେଥିପାଇଁ ତମକୁ ଛଅଗୋଟି ଦ୍ୱାର ଅତିକ୍ରମ କରିବାକୁ ହେବ । ପ୍ରତି ଦ୍ୱାରକୁ ଗୋଟାଏ ଗୋଟାଏ ଭୀଷଣ ରାକ୍ଷସ ଜଗିଛନ୍ତି । ସେମାନେ ତମକୁ ମାରି ଦେବାକୁ ଚେଷ୍ଟା କରିବେ । ତମର ନିର୍ଭୟତାହିଁ ତମର ଏକମାତ୍ର ରକ୍ଷାକବଚ ହେବ । ଥରେ ଯଦି ତମେ ଡରିଯିବ, ତେବେ ଆମର ଲକ୍ଷ୍ୟ ତ ବ୍ୟର୍ଥ ହେବ, ସଙ୍ଗେ ସଙ୍ଗେ ଆମର ପ୍ରାଣ ବି ଯିବ ।”

ପିଙ୍ଗଳଙ୍କ ଦୃଷ୍ଟି ମନ୍ଦିରର ଶିଖର ଦେଶରେ ନିବଦ୍ଧ ଥିଲା । କିନ୍ତୁ ସେ ଗଭୀର ମନଯୋଗ ସହକାରେ ପଦ୍ମପାଦଙ୍କ କଥା ଶୁଣୁଥିଲେ ।

ପଦ୍ମପାଦ ପୁଣି କହିଲେ, “ପିଙ୍ଗଳ! ଆମେ ଯାଇ ମନ୍ଦିର ପାଖରେ ପହଁଚିବା ମାତ୍ରେ ତମକୁ ଛାଡି ମୁଁ ଅଲଗା ହୋଇଯିବି । ତମେ ଯଦି ମନ୍ଦିରର ପ୍ରଥମ ଦ୍ୱାରଟି ଖୋଲିଦେବ, ତେବେ ବାକି ଦ୍ୱାର ସବୁ ଖୋଲିବା ସହଜ ହୋଇଯିବ । ତମେ ମହାମାୟଙ୍କ ସମାଧି ପାଖରେ ପହଁଚିଯିବ ।”

ପଦ୍ମପାଦ ଓ ପିଙ୍ଗଳ ଯାଇ ମନ୍ଦିର ପାଖରେ ପହଁଚିଲେ ।

ମନ୍ଦିରର ପ୍ରଥମ ଦ୍ୱାର ଆଡେ ଅନାଇ ପିଙ୍ଗଳ ସ୍ତବ୍ଧ ହୋଇ ଠିଆ ହେଲା । ସେ ଦ୍ୱାର ଭୟଙ୍କର ଦିଶୁଥିଲା । କବାଟ ଉପରେ ଭୟଙ୍କର ମୂର୍ତ୍ତି ଖୋଦାଇ ହୋଇଥିଲା । କବାଟ ଦେହରେ ଗୁଡାଇ ହୋଇ ଗୋଟାଏ ବିଶାଳ ନାଗ ରହିଥିଲା ।

ପଦ୍ମପାଦ ସେ ସାପ ଆଡେ ପିଙ୍ଗଳର ଦୃଷ୍ଟି ଆକର୍ଷଣ କରି କହିଲେ, “ପିଙ୍ଗଳ, ତମେ ଭୟ ନକରି ଏ ସାପକୁ ଦୁଇଥର ଛୁଇଁଦିଅ । ଦ୍ୱାର ସେପଟରୁ କୌଣସି ଭୟଙ୍କର ଆକୃତି ତମକୁ କିଛି ପ୍ରଶ୍ନ ପଚାରିବ । ନିର୍ଭୟରେ ତମେ ତା’ର ଉତ୍ତର ଦେବ! ତୁମେ ତୁମ ପରିଚୟ ଦେବା ମାତ୍ରେ ଦ୍ୱାର ଖୋଲିଯିବ ।”

ପଦ୍ମପାଦ ଏତିକି କହି ନୀରବ ରହିଲେ ।

ପିଙ୍ଗଳ ଉତ୍ସୁକ ହୋଇ ପଚାରିଲେ “ତାପରେ ମୋତେ କ’ଣ କରିବାକୁ ପଡିବ?”

ପଦ୍ମପାଦ କହିଲେ “ପିଙ୍ଗଳ! ତା’ପରେ କ’ଣ ହେବ, ସେକଥା ଯଦି ମୁଁ କହିବି, ତେବେ ମୋ ମନ୍ତ୍ରଶକ୍ତି ପୁରାପୁରି ନଷ୍ଟ ହୋଇଯିବ । ତମେ ନିଜେ ନିଜ ବୁଦ୍ଧି ଦ୍ୱାରା ପରିଚାଳିତ ହୋଇ ଯାହା କରିବାର କରିବ । ଖାଲି ସେଇ ଗୋଟାଏ କଥା ମନେ ରଖ: କଦାପି ଭୟଭୀତ ହେବ ନାହିଁ । ମହାମାୟର ସମାଧି ପାଖରେ ଯାଇ କ’ଣ କରିବାକୁ ହେବ, ସେକଥା ଅବଶ୍ୟ ତମେ ଜାଣ ।”

ପିଙ୍ଗଳ ଦମ୍ଭପୂର୍ଣ୍ଣ କଣ୍ଠରେ କହିଲା, “ପଦ୍ମପାଦ! କୌଣସି ଭୟଙ୍କର ଚେହେରା ଦେଖି ଡରିଯିବା ମଣିଷ ମୁଁ ନୁହେଁ । କିନ୍ତୁ ଛଳ କପଟ କରୁଥିବା ଶକ୍ତି ଆଉ କେହି ଏଠାରେ ନାହଁନ୍ତି ତ?”

ପିଙ୍ଗଳକୁ ଉତ୍ସାହ ଦେଇ ପଦ୍ମପାଦ କହିଲା “ଛଳ କପଟ ବିନା ମଧ୍ୟ ଆମର ଅନିଷ୍ଟ କଲାଭଳି ଶକ୍ତି ତ ବହୁତ ଅଛନ୍ତି । ତେବେ ଯାହା କହିଲି, ସାହସହିଁ ଏକମାତ୍ର ଭରସା । ଯଦି ଥରେ ତୁମେ ମହାମାୟଙ୍କ ସମାଧି ପାଖରୁ ଆମ ଇପ୍ସିତ ବସ୍ତୁ ନେଇ ଆସି ପାରିବ, ତେବେ ପୃଥିବୀରେ ତମେ ସବୁଠାରୁ ବଳି ଧନୀ ଓ କ୍ଷମତାବାନ୍ ହୋଇ ପାରିବ । ତୁମର ଯାହା ଇଚ୍ଛା, ତାହା କରିପାରିବ । ତୁମର ସବୁ କାମନା ପୂର୍ଣ୍ଣ ହୋଇଯିବ । ଦୁନିଆକୁ ତୁମେ ତୁମ ହାତମୁଠାରେ ରଖିପାରିବ । ଆଜି ସେହି ଅପୂର୍ବ ସୁଯୋଗ ଆମ ପାଖକୁ ଆସିଛି ।”

“ମୁଁ ସମସ୍ତ ବାଧାବିଘ୍ନ ଆଗରେ ଅବିଚଳିତ ରହିବାକୁ ପ୍ରସ୍ତୁତ ।” ପିଙ୍ଗଳ ଦୃପ୍ତ କଣ୍ଠରେ ଏହା କହି ମନ୍ଦିରର ଦ୍ୱାର ଆଡେ ଅଗ୍ରସର ହେଲା ।

ପଦ୍ମପାଦ ପଛକୁ ହଟି ଆସିଲେ ।

ପିଙ୍ଗଳ ଦ୍ୱାର ପାଖରେ ପହଁଚି ସେ ଭୀଷଣ ସାପକୁ ଦୁଇଥର ଛୁଇଁଦେଲା । ସେଯାଏଁ ଫଣା ତୋଳି ଗର୍ଜନ କରୁଥିବା ସେ ସାପ ସଙ୍ଗେ ସଙ୍ଗେ ଚୁପ୍ ହୋଇଗଲା ଓ ଫଣା ପ୍ରତ୍ୟାହାର କଲା । କିନ୍ତୁ ସଙ୍ଗେ ସଙ୍ଗେ କବାଟ ସେପାଖରୁ କର୍କଶ କଣ୍ଠରେ କାହାରି ପ୍ରଶ୍ନ ଶୁଭିଲା: “ମହାମାୟଙ୍କ ସମାଧିର ପ୍ରଥମ ଦ୍ୱାର ପର୍ଯ୍ୟନ୍ତ ଆସିଯିବା ଏ ଲୋକଟି କିଏ? ଏହାର ପରିଣତି କେଡେ ଭୟାବହ ସେକଥା ଜଣା ଅଛି?”

ପିଙ୍ଗଳ ବିନା ସଙ୍କୋଚରେ ଉତ୍ତର ଦେଲା, “ମୋ ନାମ ପିଙ୍ଗଳ । ଘର ମୋର ଅବନ୍ତୀ ନଗରୀରେ । ପଦ୍ମପାଦ ହେଲେ ମୋ ଗୁରୁ ।”

“ତମ ଗୁରୁ କିଏ ସେଥିରେ କିଛି ଯାଏ ଆସେ ନାହିଁ । ତମେ ଯଦି ଅବନ୍ତୀ ନଗରୀର ପିଙ୍ଗଳ, ତେବେ ତମ ପାଇଁ ଦ୍ୱାର ଖୋଲି ଦେଉଛି ।” ଏ ସ୍ୱର ଶୁଭିବା ସଙ୍ଗେ ସଙ୍ଗେ ଦ୍ୱାର ଖୋଲିଗଲା । ଭିତରୁ ଚକ୍ଚକ୍ କରୁଥିବା ତରବାରୀ ହାତରେ ଧରି ଜଣେ କଳା ମଣିଷ ଠିଆ ହୋଇଥିବାର ଦେଖାଗଲା ।

ପିଙ୍ଗଳ ଦ୍ୱାର ଅତିକ୍ରମ କଲା । ସେ ଉଦ୍ୟତ ତରବାରୀ ତଳକୁ ଆସିଯିବା ମାତ୍ରେ ସେ ଭୀଷଣାକାର ବ୍ୟକ୍ତି କହିଲା, “ଯଦି ପ୍ରକୃତରେ ତମେ ସେହି ଅବନ୍ତୀ ନଗରୀର ପିଙ୍ଗଳ, ତେବେ ତମେ ମୁଣ୍ଡ ବଢାଇ ଦିଅ । ଏକା ଚୋଟରେ ତମ ମୁଣ୍ଡ ଗଣ୍ଡି ସବୁ ମୁଁ ଅଲଗା ଅଲଗା କରିଦିଏ ।”

ପ୍ରାଣ ଗଲେ ବି ପଛଘୁଂଚା ଦେବା ଠିକ୍ ହେବ ନାହିଁ ବୋଲି ବିଚାର କରି ପିଙ୍ଗଳ ନିଜ ମୁଣ୍ଡ ବଢାଇ ଦେଲେ । ତତ୍କ୍ଷଣାତ୍ ସେ ଲୋକ ହାତରୁ ତରବାରୀ ଖସି ପଡିଲା । କଟା ଗଛ ଭଳି ନିଜେ ଲୋକଟି ମଧ୍ୟ ତଳେ କଚାଡି ହୋଇ ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ