ତିନି ତାନ୍ତ୍ରିକ

ସେ ଚିନ୍ତିତ ମନରେ ରାଜପ୍ରାସାଦ ଅଭିମୁଖେ ଚାଲିଲେ । ଜଣେ ଗୁପ୍ତଚର ଦେଇଥିବା ଗୋଟିଏ ଖବର ତାଙ୍କର ହଠାତ୍ ମନେ ପଡିଲା । ଗୁପ୍ତଚର କହିଥିଲା କି ଜୀବଦତ ଓ ଲକ୍ଷଦତର ସାନଭାଇ ପିଙ୍ଗଳ କୁଆଡେ ଜଣେ ବଡ ତାନ୍ତ୍ରିକ । ରାଜା ଯେଉଁ ଯାଦୁଥଳି ହାତ କରି ସବୁଦିନେ ନାନା କିସମର ଲୋଭନୀୟ ଖାଦ୍ୟଦ୍ରବ୍ୟମାନ ସୃଷ୍ଟି କରି ଖାଉଥିଲେ ଓ ମନହେଲେ ମନ୍ତ୍ରୀଙ୍କୁ ତହିଁରୁ ଥାଳିଏ ଅଧେ ଦେଉଥିଲେ, ସେ ଯାଦୁଥଳି କୁଆଡେ ପିଙ୍ଗଳ କୌଣସି ମହାତାନ୍ତ୍ରିକଠାରୁ ହାସଲ କରିଥିଲା ।

ମନ୍ତ୍ରୀ ଯାଇ ରାଜ-ପ୍ରାସାଦ ଭିତରେ ପହଁଚିବା ବେଳକୁ ସେଠି ବି ହୁଲ୍ସ୍ତୁଲ୍ କାଣ୍ଡ । ରାଜା ତାଙ୍କ ରୋଷେଇ ଘରର ସବୁ କର୍ମଚାରୀଙ୍କୁ ଡକାଇ ଧମକ ଦେଉଛନ୍ତି, “କିଏ ମୋ ଯାଦୁଥଳି ଚୋରାଇଛି? ସଙ୍ଗେ ସଙ୍ଗେ ମାନିଯାଅ । ନହେଲେ ସମସ୍ତେ ସବଂଶ ଶୂଳିରେ ଚଢିବ ।”

ମନ୍ତ୍ରୀଙ୍କୁ ଦେଖି ରାଜା ଆହୁରି ଚଢା ଗଳାରେ କହିଲେ, “ମନ୍ତ୍ରୀବର! ଶୂଳି ଅପେକ୍ଷା ଆହୁରି ଅଧିକ କିଛି ଭୟଙ୍କର ମୃତ୍ୟୁଦଣ୍ଡ କଥା କହିଲ! ଏ ସମସ୍ତଙ୍କୁ ବି ସେହି ରୀତିରେ ମାରିଲେ ଯାଇ ମୋ ମନରେ ସନ୍ତୋଷ ଆସିବ ।”

ମନ୍ତ୍ରୀ କହିଲେ “ମହାରାଜ! ମୋର ଧାରଣା ଆମ ଆଗରେ ପ୍ରଚଣ୍ଡ ସମସ୍ୟା ଦେଖା ଦେଇଛି । ଆମେ ଧୀରସ୍ଥିର ଭାବରେ ଉପାୟ ଚିନ୍ତା କରିବା । ଆପଣ ବୋଧହୁଏ ଶୁଣି ନାହାଁନ୍ତି, ରାତିରେ ରାଜକୋଷରୁ ଧନରତ୍ନ ସବୁ ଗାଏବ୍ ହୋଇଛି, କାରାଗାରରୁ ଦୁଇ ବନ୍ଦୀ କୁଆଡେ ପଳାଇଛନ୍ତି ଏବଂ ନଈ କୂଳରେ ଗୋଟିଏ ମହଲ ରାତାରାତି ଗଢି ଉଠିଛି । ସେ ମହଲ ପାଖକୁ ଯାଇ ଆମର ଅଧିକାଂଶ ନଗରରକ୍ଷୀ ବନ୍ଦୀ ହୋଇଛନ୍ତି ।”

ଏସବୁ କଥା ଶୁଣିବା ମାତ୍ରେ ରାଜା ହୁଙ୍କାର ଦେଇ କହିଲେ “ମହଲ? ଆମ ନଗରରକ୍ଷୀମାନେ ବନ୍ଦୀ? ଆରେ, କିଏ ଅଛ, ପ୍ରାସାଦର ପ୍ରଧାନରକ୍ଷୀକୁ ଡାକ । ସିଏ ଯାଇ ସେ ମହଲର ସବୁ ବାସିନ୍ଦାଙ୍କୁ ଯଥାଶୀଘ୍ର ବନ୍ଦୀ କରି ଆଣୁ ।”

ସମସ୍ତେ ତରତର ହୋଇ ପ୍ରଧାନରକ୍ଷୀକୁ ଡାକିବାକୁ ଦୌଡିଲେ । ମନ୍ତ୍ରୀ ହଠାତ୍ ରାଜାଙ୍କୁ ଆଉ କିଛି କହିବାର ସୁଯୋଗ ପାଇଲେ ନାହିଁ ।

ପ୍ରଧାନରକ୍ଷୀ ଆସି ରାଜାଙ୍କୁ ସଲାମ ବଜାଇ ପଚାରିଲା, “ମହାରାଜ! ମହଲର ବାସିନ୍ଦାମାନଙ୍କୁ ଗଧ ପିଠିରେ ବସାଇ ଆଣିବି?”

ରାଜା ହୁକୁମ୍ ଦେଲେ “ନା, ନା, ସେପରି କଲେ ବହୁତ ବିଳମ୍ବ ହେବ । ସେମାନଙ୍କୁ ଘୋଡାରେ ଆଣ ।”

ପ୍ରଧାନରକ୍ଷୀ ଆନନ୍ଦରେ ବାହାରିଗଲା । ଶହେ ସରିକି ସିପାହୀ ଧରି ସେ ନଈ କୂଳରେ ଯାଇ ପହଁଚିଲା ।

ଦୂରରୁ ଦେଖାଗଲା ପର୍ବତ ପ୍ରମାଣ ଭଲ୍ଲୁକକେତୁ ପିଙ୍ଗଳର ଅଟ୍ଟାଳିକାକୁ ପହରା ଦେଉଛି । ସେ ବିରାଟ କୋଠା ଏବଂ ସେ ଅଦ୍ଭୁତ ପ୍ରହରୀକୁ ଦେଖି ପ୍ରଧାନରକ୍ଷୀ ହୁଏତ ଡରିଥାନ୍ତା, କିନ୍ତୁ ସେ ନିଶାଗ୍ରସ୍ତ ଥିଲା ବୋଲି ଅବସ୍ଥାର ଭୟାବହତା ହଠାତ୍ କିଛି ବୁଝିପାରିଲା ନାହିଁ ।

କିନ୍ତୁ ତା’ ସିପାହୀମାନେ ଅଟକିଗଲେ ଓ କହିଲେ, “ଆଜ୍ଞା, ଆମେ ମଣିଷ ହୋଇ ଏ ରାକ୍ଷସକୁ କିପରି ସାମ୍ନା କରିବା?”

“ବୁଦ୍ଧୁମାନେ! ଏଇଟା ରାକ୍ଷସ ନୁହେଁ, ଛଦ୍ମବେଶ ପକାଇ ସେ ଆମକୁ ଯାହା ଖାଲି ଡରାଉଛି!” ଏହା କହି ପ୍ରଧାନରକ୍ଷୀ ଆଗକୁ ମାଡିଗଲେ ।

ଭଲ୍ଲୁକକେତୁ ଆଖି ବନ୍ଦ କରି ନିଶ୍ଚଳ ହୋଇ ବସିଥାଏ । ହଠାତ୍ ପ୍ରଧାନରକ୍ଷୀର ଧାରଣା ହେଲା, ସିଏ ଜୀବନ୍ତ ଜୀବ ନୁହେଁ, ଗୋଟାଏ ପଥର ମୂର୍ତ୍ତି । ସେ କ୍ଷୀପ୍ର ଗତିରେ ଆଗକୁ ମାଡିଗଲା ଏବଂ ଭଲ୍ଲୁକକେତୁ ପାଖରେ ପହଁଚି ହସି ଉଠିଲା । ସଙ୍ଗେ ସଙ୍ଗେ ଭଲ୍ଲୁକକେତୁ ଆଖି ଖୋଲି ଠିଆ ହୋଇ ପଡିଲା । ପ୍ରଧାନରକ୍ଷୀର ହସ ବନ୍ଦ ହୋଇଗଲା । ସେ ବୁଲିପଡି ପଳାଇ ଆସିବାକୁ ଚେଷ୍ଟା କଲା । କିନ୍ତୁ ଆଉ ବେଳ ହେଲା ନାହିଁ । ଭଲ୍ଲୁକକେତୁ ତା’ ଗୋଡ ଦୁଇଟା ଧରିନେଲା । ତାକୁ ଶୂନ୍ୟରେ ବୁଲାଇ ନଈ ଭିତରକୁ ଛାଟି ଦେଲା । ପେଣ୍ଡୁ ଭଳି ଛିଟିକି ଆସି ପ୍ରଧାନରକ୍ଷୀ ନଈ ଗର୍ଭରେ ସିଧା ପଡିଲା ।

ସିପାହୀମାନେ ସେମାନଙ୍କ ନେତା ବଂଚିଲେ କି ନାହିଁ, ବଂଚିଲେ ବି ସନ୍ତରଣ କରି କୂଳକୁ ଆସିପାରୁଛନ୍ତି କି ନାହିଁ, ଏସବୁ ଦେଖିବାକୁ ଅପେକ୍ଷା ନକରି ସଙ୍ଗେ ସଙ୍ଗେ ଛତ୍ରଭଙ୍ଗ ଦେଲେ ।

ସେମାନଙ୍କ ଭିତରୁ କେତେଜଣ ଯାଇ ରାଜାଙ୍କୁ ସବୁ କହିଲେ । ରାଜା ଚିତ୍କାର କରି ସେମାନଙ୍କୁ ଗାଳି ଦେଲେ । “ତମେ ଗୁଡାକ ଏଡେ କାପୁରୁଷ? ଶହେ ସିପାହୀ ଗୋଟାଏ ରାକ୍ଷସକୁବି ମାରି ପାରିଲ ନାହିଁ? ସେତେବେଳେ ତମ ହାତରେ ଅସ୍ତ୍ରଶସ୍ତ୍ର ଥିଲାଟି?”

“ହଜୁର୍! ସେ ଲୋକ ଖାଲି ରାକ୍ଷସ ନୁହେଁ, ରାକ୍ଷସ-ପିଶାଚ ହୋଇଥିବ । କୌଣସି ମଣିଷ ତା’ ସହ ମୋଟେ ପାରିବେ ନାହିଁ ।” ଏହିପରି ଭାବେ ଜଣେ ଦୁଇଜଣ ପ୍ରହରୀ ରାଜାଙ୍କୁ ବୁଝାଇବାକୁ ଅନେକ ଚେଷ୍ଟା କଲେ ।

“ଅବନ୍ତୀ ରାଜାକୁ ଜଣେ ରାକ୍ଷସ-ପିଶାଚ ଆଗରେ ହାର ମାନିବାକୁ ପଡିବ ବୋଲି କହୁଛ? ଲଜ୍ଜା ନାହିଁ? ମନ୍ତ୍ରତନ୍ତ୍ରକୁ କ’ଣ ଜଣେ ରାଜା ଡରିଯିବ? ତାହାହେଲେ ରାଜ୍ୟ ଶାସନ କିପରି ସମ୍ଭବପର ହେବ? ଡାକ ସେନାପତିଙ୍କୁ ଡାକ ।”

ସେତେବେଳକୁ ସେନାପତିଙ୍କ ପାଖରେ ଜରୁରୀ ପରିସ୍ଥିତିର ସମ୍ବାଦ ଯାଇ ପହଁଚି ଯାଇଥାଏ । ସେ ପ୍ରାସାଦ ଆଡେ ଆସୁଥିଲେ । ରାଜା ଡକାଇଛନ୍ତି ଶୁଣି ଛାତି ଫୁଲାଇ ପ୍ରାସାଦ ଭିତରେ ସେ ପଶିଲେ ।

ରାଜା ପଚାରିଲେ “ସେନାପତି! ଅନେକ ଦିନ ହେଲା ଲଢେଇ କରି ନାହିଁ । ଅସ୍ତ୍ରଶସ୍ତ୍ର ସବୁ ଠିକ୍ ଅଛି ତ?”

“ମହାରାଜ! କାଳେ ଅସୀ ଗୁଡିକରେ କଳଙ୍କି ଧରିଯିବ, ସେଥିପାଇଁ ମୁଁ ସବୁଦିନେ ସୈନିକମାନଙ୍କୁ ଘାସ କାଟିବାରେ ଲଗାଇ ଦିଏ ।” ସେନାପତି ନିଜ ବୁଦ୍ଧିମତା ଯୋଗୁଁ ସଗର୍ବେ ହସିଲେ ।

“ବେଶ୍, ବେଶ୍, ବର୍ତ୍ତମାନ ସୈନ୍ୟଦଳ ଧରି ବାହାରିଯାଅ । ନଈକୂଳରେ ଜଣେ ତାନ୍ତ୍ରିକ ଗୋଟାଏ ମହଲ ବନାଇ ଆମର କେତେଜଣ ପ୍ରହରୀଙ୍କୁ ସେଠାରେ ସେ ବନ୍ଦୀ କରିଛି । ଲୋକେ ତା’ ବିଷୟରେ ଆଉ ଅଧିକ କିଛି ଜାଣିବା ପୂର୍ବରୁ ତାକୁ ସବଂଶେ ବନ୍ଦୀ କରି ଆଣ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ