ତିନୋଟି ଉପଦେଶ

ଶ୍ରୀଧର ଭାବିଲେ, ଆଚ୍ଛା, ଏ ଉପଦେଶକୁ କାମରେ ଲଗାଯାଉ । ପରଦିନ କୌଣସି ମୂଲ୍ୟବାନ ଜିନିଷ କିଣିବା ପାଇଁ ତାଙ୍କର ତ ସହରକୁ ଯିବାର ଥିଲା । ସେ କାହାକୁ ନିଜ ଉଦ୍ଧେଶ୍ୟ ବା ଗନ୍ତବ୍ୟ ସ୍ଥାନ ବିଷୟ ନକହି ଗୋଟିଏ ଶଗଡ ଭଡା କରି ବାହାରିଗଲେ । ଦୁଇ ପହର ବେଳକୁ ଗାଡି ଅଟକାଇ ସେ ରାସ୍ତାଠୁଁ ଅଳ୍ପ କିଛି ଦୂରରେ ଥିବା ଗୋଟିଏ କୂଅ ପାଖରେ ଯାଇ ସାଥିରେ ଥିବା ଖାଦ୍ୟ ଖାଇଲେ ଓ ପୁଣି ଯାଇ ଗାଡିରେ ବସିଲେ । ଅଳ୍ପ ଦୂର ଯିବା ପରେ ସେ ଦେଖିଲେ, ଟଙ୍କା ଥଳିଟି ଗାଡିରେ ଆଉ ନାହିଁ । ସେ ପୁଣି ସେ କୂଅ ପାଖକୁ ଯାଇ ଦେଖିବା ବେଳକୁ ଥଳିଟି ସେଠାରେ ଅଛି । ସେ ବୁଝିଲେ, ବାସ୍ତବିକ୍ ସେ ଯଦି ରାସ୍ତା କଡରେ ବସି ଖିଆପିଆ କରିଥାନ୍ତେ ଓ ଥଳିଟି ଛାଡିଥାନ୍ତେ, ତେବେ କୌଣସି ବାଟୋଇ ଆଖିରେ  ତାହା ନିଶ୍ଚୟ ପଡିଥାନ୍ତା ଓ ସେ ଆଉ ତାକୁ କେବେବି ପାଇ ନଥାନ୍ତେ । ଆଚାର୍ଯ୍ୟଙ୍କ ତିନୋଟି ଉପଦେଶରୁ ଗୋଟିକର ମୂଲ୍ୟ ସେ ବୁଝିଲେ ।

ଏହା ଭିତରେ ଆଉ ଗୋଟିଏ ଘଟଣା ଘଟିଥାଏ । ସେ ପ୍ରଥମଥର କୂଅ ପାଖକୁ ଗଲାବେଳେ ଗୋଟିଏ ଅଜଣା ଫଳ ମାଡି ପକାଇଥିଲେ । ତାଙ୍କ ଗୋଡରେ ବହୁଦିନରୁ ଗୋଟିଏ ବଥ ଉଠିଥାଏ । ସେ ଦେଖିଲେ, ଫଳଟି ଫାଟିଯାଇ ବଥରେ ଲାଗିବା ଦ୍ୱାରା ଅଧଘଂଟାକ ଭିତରେ ବଥ ଫାଟି ଶୁଖି ଗଲାଣି । ସେ ଆଖପାଖକୁ ଅନାଇ ଯେଉଁ ଗଛରେ ସେ ଫଳ ଫଳିଛି, ତାହା ଲକ୍ଷ୍ୟ କଲେ । ଫେରିବା ବେଳକୁ ସେଥିରୁ ଦୁଇଚାରିଟା ନେଇଯିବେ ବୋଲି ଭାବିଲେ ।

କିନ୍ତୁ ସହରରୁ ଫେରିବା ବେଳକୁ ତାଙ୍କୁ ଆଉ ଗୋଟିଏ କାମ ଯୋଗୁଁ ଗୋଟିଏ ଭିନ୍ନ ରାସ୍ତାରେ ଆସିବାକୁ ହେଲା । ଗାଁରେ ପହଁଚି ସେ ଶୁଣିଲେ, ଜମିଦାରଙ୍କ ପିଠିରେ ଗୋଟିଏ ପୃଷ୍ଠ ବ୍ରଣ ଉଠି ତାଙ୍କୁ ବଡ କଷ୍ଟ ହେଉଛି । ବ୍ରଣଟି ଫାଟୁନାହିଁ କି ବସୁନାହିଁ । ଜମିଦାର ବଡ ଜନପ୍ରିୟ ଲୋକ ଥିଲେ । ତାଙ୍କୁ ସେ ଅଜଣା ଫଳ ଦ୍ୱାରା ଭଲ କରିଦେବା ପାଇଁ ଶ୍ରୀଧର ଦାସ୍ ଠିକ୍ କଲେ ଓ ସ୍ତ୍ରୀଙ୍କୁ କହିଲେ ଶୁଣୁଛ, “କାଲି ସକାଳେ ମୋତେ ପୁଣି ବାହାରକୁ ଯିବାକୁ ହେବ ।”

ସ୍ତ୍ରୀ କାହିଁକି ବୋଲି ପଚାରିବାରୁ ସେ ସବୁକଥା କହିଦେଲେ ।

ଉପରଓଳି ସେ ଜମିଦାରଙ୍କୁ ଦେଖିବାକୁ ବାହାରିଛନ୍ତି, ଦେଖିଲେ ତାଙ୍କ ପଡୋଶୀ ଓ ବନ୍ଧୁ ଜୟୀ ପ୍ରଧାନ ବି ଜମିଦାରଙ୍କ ଘରଆଡେ ଯାଉଛନ୍ତି । ଜୟୀ ପ୍ରଧାନ କହିଲେ କି ସେ ଜମିଦାରଙ୍କ ବ୍ରଣ ଭଲ କରିଦେବାର ସୂତ୍ର ଜାଣନ୍ତି । ଶ୍ରୀଧର ତାହା ଅସମ୍ଭବ ବୋଲି କହିବାରୁ ସେ ଦୁଇଜଣଙ୍କ ଭିତରେ ବାଜି ମରାମରି ହେଲା । ଯଦି ଦୁଇଦିନ ଭିତରେ ଜୟୀ ପ୍ରଧାନ ଜମିଦାରଙ୍କ ବ୍ରଣ ଭଲ କରିଦେବେ, ତେବେ ସେ ଶ୍ରୀଧରଙ୍କ ଘରକୁ ଆସି ଯେଉଁ ଚିଜ ପ୍ରଥମେ ଛୁଇଁବେ, ସେ ଚିଜଟି ସମୁଦାୟ ତାଙ୍କର ହୋଇଯିବ – ଏଇଆ ହେଲା ସର୍ତ୍ତ ।

ପରଦିନ ସକାଳେ ଶ୍ରୀଧର ଗାଡି ଚଢି ସେ କୂଅ ପାଖକୁ ଯାଇ ଫଳ ଆଣି ଘରକୁ ଫେରିଲେ । ଧୀରେ ସୁସ୍ଥେ ଉପରଓଳି ଜମିଦାରଙ୍କ ଘରକୁ ଯାଇ ସେ ଦେଖିଲେ, ସେଦିନ ସକାଳେ ଜୟୀ ପ୍ରଧାନ କୌଣସି ଫଳ କାଟି ସେ ବ୍ରଣ ଉପରେ ପ୍ରୟୋଗ କରିବା ଫଳରେ ପାଞ୍ଚ ମିନିଟ୍ ଭିତରେ ତାହା ଫାଟିଗଲା ଓ ଘଂଟାକ ଭିତରେ ସେହି ଜାଗାଟି ମଧ୍ୟ ଶୁଖିଗଲା! ଏଥିରେ ଶ୍ରୀଧରଙ୍କ ବିସ୍ମୟର ସୀମା ଆଉ ରହିଲା ନାହିଁ । ସେ ଘରକୁ ଆସି ସ୍ତ୍ରୀଙ୍କୁ ଟିକିଏ ଜେରା କରି ବୁଝିଲେ, ଭଦ୍ର ମହିଳାଟି ଖରାବେଳେ ଗପସପ ଭିତରେ ଜୟୀ ପ୍ରଧାନଙ୍କ ସ୍ତ୍ରୀଙ୍କୁ ସେ ଅଦ୍ଭୁତ ଫଳ କଥା କହି ଦେଇଥିଲେ । ଜୟୀ ପ୍ରଧାନ ସେହି ରାତିରେ ଯାଇ ଫଳ ସଂଗ୍ରହ କରି ଆଣିଥିଲେ ।

ଶ୍ରୀଧର ଏଥର ମହା ସମସ୍ୟାରେ ପଡିଲେ । ବର୍ତ୍ତମାନ ଜୟୀ ପ୍ରଧାନ ତାଙ୍କ ଘରକୁ ଆସି ଯାହା ଛୁଇଁବେ, ତାହା ତାଙ୍କର ହୋଇଯିବ । ଉପାୟ କ’ଣ? ଶ୍ରୀଧର ପୁଣି ଆଚାର୍ଯ୍ୟଙ୍କ ପାଖକୁ ଦୌଡିଲେ । ଆଚାର୍ଯ୍ୟ ପୂଜା କକ୍ଷକୁ ଯାଇ ଖଣ୍ଡିଏ କାଗଜରେ କିଛି ଲେଖି ଆଣି ତାଙ୍କୁ ଦେଲେ ଓ କହିଲେ, “ଏହି ଅନୁସାରେ କାମ କର । ସକାଳେ ମୁଁ ଯାଇ ତମ ଘରେ ପହଁଚିବି ।”

ସେହି କାଗଜରେ ଲେଖାଥିଲା, “ତମର ସବୁ ମୂଲ୍ୟବାନ ଜିନିଷ, ଟଙ୍କା ପଇସା, ସୁନା ରୂପା ଗୋଟିଏ ବାକ୍ସରେ ରଖି ସେ ବାକ୍ସଟିକୁ କୌଣସି ଏକ ଉଚ୍ଚ ସ୍ଥାନରେ ରଖ ଓ ପାଖରେ ଗୋଟିଏ ସିଢି ରଖ ।”

ପରଦିନ ସକାଳେ ଜୟୀ ପ୍ରଧାନ ଆସି ସେଠାରେ ପହଁଚିଗଲେ । ସର୍ତ୍ତ ଅନୁସାରେ ସେ ଯାହା ମନ ତାହା ଛୁଇଁଲେ । ସେ ଘର ଭିତରକୁ ଯାଇ ଏଣେ ତେଣେ ଅନାଇ ବାକ୍ସଟି କାନ୍ଥ ଉପରେ, ଛାତ ତଳେ ଖଣ୍ଡିଏ ପଟା ଉପରେ ଥିବାର ଦେଖିଲେ । ସେତେବେଳକୁ କଥାଟି ପ୍ରଚାର ହୋଇ ଯାଇଥାଏ । ଗାଁ ଲୋକେ ଆସି ଦେଖୁଥାନ୍ତି । ଆଚାର୍ଯ୍ୟ ବି ସେଠାକୁ ଆସି ଯାଇଥିଲେ ।

ଜୟୀ ପ୍ରଧାନ ବାକ୍ସ ପାଖକୁ ଯିବା ନିମନ୍ତେ ତରତର ହୋଇ ସିଢିଟି ଟେକି ଆଣିଲେ । ଆଚାର୍ଯ୍ୟ ସଙ୍ଗେ ସଙ୍ଗେ କହିଲେ, “ବାସ୍! ଆଉ କଷ୍ଟ କରିବା କିଛିବି ଦରକାର ନାହିଁ । ସମୁଦାୟ ସିଢିଟି ତମର!”

ଲୋକେ ହସିଲେ । ଜୟୀ ପ୍ରଧାନ ଜିଭ କାମୁଡି ଠିଆ ହୋଇ ରହିଲେ । ତାଙ୍କର ଆଉ କିଛି ହେଲେବି କହିବାର ନଥିଲା । ସେ ହସି ପକାଇଲେ ଓ କହିଲେ, “ମାନୁଛି । ମୁଁ ପ୍ରଥମେ ସିଢି ଛୁଇଁଲି । ଛାଡ । ସିଢି ଶ୍ରୀଧର ପାଖରେହିଁ ଥାଉ ।”

ସେଠାରୁ ସମସ୍ତେ ଚାଲିଯିବା ପରେ ଶ୍ରୀଧର ଏଥର ଆଚାର୍ଯ୍ୟଙ୍କର ତିନୋଟି ଯାକ ଉପଦେଶର ମୂଲ୍ୟ ଠିକ୍ ବୁଝିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ