ତିନୋଟି ପ୍ରଶ୍ନ

କିଛି ସମୟ କଥାବାର୍ତ୍ତା କରିବା ପରେ ରାଜା ସେଠାରୁ ବାହାରି ଚାଲିଗଲେ । ତା’ପରେ ସେ ସିଧା ବଡ ରାଣୀ ବାସନ୍ତୀ ଦେବୀଙ୍କ ପ୍ରକୋଷ୍ଠରେ ଯାଇ ପହଁଚିଲେ ।

ରାଜାଙ୍କ ମୁହଁକୁ ଚାହିଁଦେଇ ବଡ ରାଣୀ ବାସନ୍ତୀ ଦେବୀ ଜାଣିଗଲେ ଯେ କିଛି ଗୋଟାଏ ସମସ୍ୟା ନିଶ୍ଚୟ ଦେଖାଦେଇଛି । ସାଧାରଣ ଭାବରେ କିଛି ସମୟ କଥାବାର୍ତ୍ତା କରିବା ପରେ ସେ ବଡ ରାଣୀ ବାସନ୍ତୀ ଦେବୀ ରାଜାଙ୍କୁ ପଚାରିଲେ, “ମହାରାଜ, ଆଜି ଆପଣ ଏତେ ଚିନ୍ତିତ କାହିଁକି ଦେଖାଯାଉଛନ୍ତି? ଆପଣଙ୍କର କ’ଣ ହୋଇଛି କି?”

ବଡ ରାଣୀ ବାସନ୍ତୀ ଦେବୀଙ୍କ କଥାଶୁଣି ରାଜା କହିଲେ “ଜଣେ ରାଜା ପାଇଁ କ’ଣ ଚିନ୍ତାର ଅଭାବ ଥାଏ? ସାରା ରାଜ୍ୟର ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ ତ ମୁଁ ହିଁ କରିବି ନା? ଜଣେ ରାଜାର ଦାୟିତ୍ୱ ଯେ କେତେ ସେକଥା ତମେ ମୋଠାରୁ ବେଶି ଭଲ ଭାବରେ ହୃଦୟଙ୍ଗମ କରିପାର ବୋଲି ମୋର କିଛି ସମସ୍ୟା ହେଲେ ମୁଁ କେବଳ ତୁମରି ପାଖକୁ ହିଁ ଦୌଡି ଆସେ । ତେବେ ଆଜି ମୋର ରାଜ୍ୟ ସମସ୍ୟା ବ୍ୟତୀତ ରାଗିଣୀ ତିନୋଟି ପ୍ରଶ୍ନ ପଚାରିଛନ୍ତି । ମୋତେ ଉତ୍ତର ଦେବାକୁ ହେବ ତେବେ ମୁଁ ସେ ପ୍ରଶ୍ନ ଗୁଡିକର କି ଉତ୍ତର ଦେବି ଭାବି ଭାବି ତା’ର କୂଳକିନାରା ବି ପାଉନାହିଁ । ତମେ ଚେଷ୍ଟାକରି ମୋତେ ଏତିକି ସାହାଯ୍ୟ କର ।”

ବାସନ୍ତୀ ଦେବୀ କୌତୁହଳୀ ହୋଇ ପଚାରିଲେ “ସେସବୁ ପ୍ରଶ୍ନ କ’ଣ?” ଏହାପରେ ରାଜା ସେ ପ୍ରଶ୍ନଗୁଡିକ କହିବାରୁ ବଡ ରାଣୀ ହସିଲେ ଓ କହିଲେ, “ଏସବୁ ତ କୋଉ ଜଟିଳ ପ୍ରଶ୍ନ ନୁହେଁ ।”

ରାଜା ଆଶ୍ଚର୍ଯ୍ୟ ହୋଇ ବଡ ରାଣୀଙ୍କୁ ପଚାରିଲେ, “ସତେ? ତେବେ ତୁମକୁ ଏସବୁର ଯଥାର୍ଥ ଉତ୍ତର ଜଣା ଅଛି?”

ବଡ ରାଣୀ କହିଲେ “ଅଛି ବୋଲି ତ ଭାବୁଛି ।”

ରାଜା ଏଥର ତାଙ୍କ ପ୍ରତି ଆଗ୍ରହ ପ୍ରକାଶ ପୂର୍ବକ ପଚାରିଲେ “କହିଲ ଦେଖି, ଶୁଣିବା ।”

ରାଜାଙ୍କ ଅନୁରୋଧକ୍ରମେ ସେ ବଡ ରାଣୀ କହିଲେ “ପ୍ରଥମ ପ୍ରଶ୍ନର ଉତ୍ତର ହେଲା, ଜଣେ ପୁରୁଷ ଯେତେ ଜ୍ଞାନୀ ଓ ଗୁଣୀ ହେଉ ନା କାହିଁକି, ଯେତେବେଳେ ତା’ ପୁଅ କୌଣସି ଅପରାଧ କରିବାର ସେ ଶୁଣେ, ସେତେବେଳେ ତା’ର ପ୍ରଥମ ପ୍ରତିକ୍ରିୟା ହେବ ପୁଅ ସପକ୍ଷରେ ସଫେଇ ଦେବା । ସେ କହିବ ଯେ ତା’ ପୁଅ କେବେ ବି ଏମିତି କାମ କରିପାରେ ନା । ତା’ ଆଗରେ ଯେତେ ତଥ୍ୟ ରଖାଗଲେ ମଧ୍ୟ ସେ ତଥ୍ୟକୁ ସେ ଅସ୍ୱୀକାର କରିବ ।”

ରାଜା ପଚାରିଲେ, “ଜଣେ ସମ୍ଭ୍ରାନ୍ତ ନାରୀ କେତେବେଳେ ସବୁଠାରୁ ଅଧିକ ଅପମାନ ବୋଧ କରେ?”

ବଡ ରାଣୀ କହିଲେ “ଯେତେବେଳେ ସେ ତା’ କନ୍ୟା ବିପଥଗାମୀ ହେବାର ପ୍ରମାଣ ପାଏ ।”

ରାଜା ପଚାରିଲେ “ଜଣେ ମହତ୍ ନାରୀ କେଉଁଥିରେ ସବୁଠାରୁ ବେଶି ଦୁଃଖ ପାଏ?”

ବଡ ରାଣୀ କହିଲେ “ଯେତେବେଳେ ସର୍ବ ସମକ୍ଷରେ ତାକୁ ତା’ ସ୍ୱାମୀର ନିନ୍ଦା ଶୁଣିବାକୁ ହୁଏ । ସେହି ଦୁଃଖରେ ପରା ସତୀ ଦେହତ୍ୟାଗ କରିଥିଲେ ।”

ଏହାପରେ ସେ ରାଜା ଅତ୍ୟନ୍ତ ଖୁସି ହୋଇ ସାନ ରାଣୀଙ୍କ ପ୍ରକୋଷ୍ଠରେ ଯାଇ ପହଁଚିଗଲେ ଓ ତାଙ୍କୁ କହିଲେ, “ତମେ ମନେ ମନେ ଭାବିଥିଲ ନା ଏପରି କଠିନ ପ୍ରଶ୍ନ କରିଛ ଯେ ଯାହାର ଉତ୍ତର ମୁଁ କେବେବି ଦେଇପାରିବି ନାହିଁ! ସେତେବେଳେ ମୁଁ ଅନ୍ୟମନସ୍କ ଥିଲି । ବର୍ତ୍ତମାନ ଆଉ ଥରେ ପଚାରିଲ!”

ସାନ ରାଣୀ ତାଙ୍କ ପ୍ରଶ୍ନ ଗୁଡିକର ପୁନାରାବୃତ୍ତି କଲେ । ରାଜା ସଙ୍ଗେ ସଙ୍ଗେ ଉତ୍ତର ଦେଇଗଲେ । ସବୁ ଉତ୍ତର ଶୁଣି ସାନ ରାଣୀ କହିଲେ, “ସାବାସ୍ । ପ୍ରତି ଉତ୍ତର ଯଥାର୍ଥ!”

ରାଜା ଖୁସି ହୋଇଯିବା ବେଳକୁ ସାନ ରାଣୀ କହିଲେ, “ମୁଁ କ’ଣ ଆଉ ମିଛୁଟାରେ ଅପାଙ୍କୁ ଏତେ ଶ୍ରଦ୍ଧା ଭକ୍ତି କରିଥାଏ?”

ଏକଥା ଶୁଣି ରାଜାଙ୍କ ମୁହଁର ଖୁସି ହଠାତ୍ ଲିଭିଗଲା । ସେ ପଚାରିଲେ, “ମାନେ? ପ୍ରଶ୍ନର ଉତ୍ତର ଦେଲି ମୁଁ । ଅଥଚ ତମେ ବାସନ୍ତୀର ଗୁଣଗାନ କରିବାର କାରଣ କ’ଣ?”

ଏହା ଶୁଣି ସେ ସାନ ରାଣୀ ହସି ହସି କହିଲେ, “ମହାରାଜ! ମୁଁ ଯେଉଁ ତିନୋଟି ପ୍ରଶ୍ନ ପଚାରିଥିଲି, ତାହା କେବଳ ଏକ ନାରୀ ଛଡା ଆଉ କେହିବି ସେସବୁ ପ୍ରଶ୍ନର ଉତ୍ତର ଦେଇ ପାରିବେ ନାହିଁ । ମା ପୁଅକୁ ତା’ ବାପାଠୁଁ ବେଶି ସ୍ନେହ କଲେ ବି ସେ ପୁଅର ଦୁର୍ଗଣ ସୁଗୁଣ ସବୁ ମା ହିଁ ଦେଖେ । କିନ୍ତୁ ବାପା ନିଜର ଅହଂ ଯୋଗୁଂ – ଅର୍ଥାତ୍ ‘ମୋ’ ପୁଅ କେବେ ଖରାପ ହୋଇ ପାରେନା – ଏହି ଦୃଷ୍ଟିରୁ ପୁଅର ଦୁର୍ଗୁଣ ପ୍ରତି ଅନ୍ଧ ରହେ । ପରିବର୍ତ୍ତେ ଦୁଇଟି ପ୍ରଶ୍ନର ଉତ୍ତର ନାରୀ ଛଡା ଆଉ କାହିଁକି କେହି ଦେଇପାରିବ ନାହିଁ, ତାହା କହିବା ବାହୁଲ୍ୟ । କାରଣ ତାହା ନାରୀର ଅନୁଭୂତି ଭିତରୁ ହିଁ ଜାତ ।”

ରାଜା ଆଉ ଏଥର କୌଣସି ପ୍ରକାରେ ସତ୍ୟ ଗୋପନ କରିପାରିଲେ ନାହିଁ । ଶେଷରେ ସେ ସ୍ୱୀକାର କଲେ ଯେ ବାସ୍ତବିକ ବାସନ୍ତୀ ଦେବୀହିଁ ତାଙ୍କୁ ସେ ପ୍ରଶ୍ନ ଗୁଡିକର ସଠିକ୍ ଉତ୍ତର କହି ଦେଇଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ