ତିଳୋତମା ବିବାହ

         ଭାନୁମତୀ ରାଣୀମାନଙ୍କ ମଧ୍ୟରେ ଏପରି ଭାବନା କରି ନୀରବ ହେଲେ । ସଖୀମାନେ ତିଳୋତମା ପାଖରେ ମିଳି କହିଲେ ଜେମା, ତୁମ୍ଭର ବହୁତ ତପସ୍ୟା ଥିଲା । ଅତି ସୁନ୍ଦର ବର ପାଇଛ । ବିବାହ କର୍ମ ଆରମ୍ଭ ହେଲା । ତିଳୋତମା ବେଦିରେ ବସିଲେ । ପୁରୋହିତମାନେ ମନ୍ତ୍ରପାଠ କଲେ । ଭୋଜରାଜ ବର କରରେ କନ୍ୟା ସମର୍ପି ଦେଲେ । ହସ୍ତଗଣ୍ଠି ପଂଚୁଗ୍ରାସି ସମାପ୍ତ ହେଲା । ନାରୀମାନେ ବରକନ୍ୟାକୁ ଅନ୍ତଃପୁରକୁ ନେଲେ । ଆଗପଛ ହୋଇ ଜଣକପରେ ଜଣେ ବନ୍ଦାଣ କଲେ । ସର୍ବଶେଷରେ ଭାନୁମତୀ ପ୍ରବେଶି ବରକୋଳିପତ୍ର ଓ ଅରୁଆ ଚାଉଳ ବନ୍ଦାପନା କଲେ । ବର ଗଳାରେ ନିଜେ ଗୁନ୍ଥିଥିବା ହାର ପିନ୍ଧାଇ ଦେଲେ । ବର ମୁଖକୁ ସେ ଚାହିଁ ପାରିଲେ ନାହିଁ । ରାଜା ବିକ୍ରମାଦିତ୍ୟ ମନ ମଧ୍ୟରେ ଭାବନ୍ତି ରେ ଶୁକ ତୁ ଧନ୍ୟ! ତୋ ଯୋଗୁଁ କନ୍ୟାଏ ପ୍ରାପ୍ତ ହେଲା । ତିଳୋତମା ମନରେ ଭାରି ଆନନ୍ଦ । ସ୍ୱାମୀଙ୍କ ବଦନ ଦେଖିବାପାଇଁ ବ୍ୟସ୍ତ । ବନ୍ଦାପନା ଶେଷ କରି ବରକନ୍ୟାଙ୍କୁ ବନ୍ଦାପନା କଲେ । ବନ୍ଧୁ ବାନ୍ଧବମାନେ ଭୋଜନ କଲେ । ରାତ୍ରୀ ହୁଅନ୍ତେ କନ୍ୟାକୁ ବେଶ କରାଇ ମଧୁଶଯ୍ୟା ଗୃହରେ ଛାଡିଲେ । ପଲଙ୍କରେ ରାଜା ବିକ୍ରମାଦିତ୍ୟ ବସିଛନ୍ତି । ସଖୀମାନେ କବାଟ ପକାଇ ପରିହାସ କରି ଚାଲି ଆସିଲେ ।

         ରାଜଜେମା ତିଳୋତମା ବକ୍ର ବଦନରେ ପତି ଦେବତାକୁ ଚାହିଁ ଉଭାହେଲେ । ବିକ୍ରମାଦିତ୍ୟ ପଲଙ୍କରୁ ଓହ୍ଲାଇ ତିଳୋତମାକୁ ପଲଙ୍କକୁ ନେଇଗଲେ । ଶଯ୍ୟାରେ ଶୁଆଇ ବିବସନା କରାଇ କାମତାଦି ପୂରଣ କଲେ । ରତି ଶେଷରେ ବିକ୍ରମାଦିତ୍ୟ କହିଲେ ରେ ପ୍ରାଣପ୍ରିୟା, ମୁଁ ତୋତେ ବିବାହ କଲି ସତ୍ୟ ହେଲେ ମୁଁ ତୋର ସ୍ୱାମୀ ନୁହଁ । ଭୁରିମଲ୍ଲ ରାଜପୁତ୍ର ତୁମ୍ଭରି ବର । ବିବାହ ଉତ୍ସବ ଦେଖିବାକୁ ଆସିଥିଲି । ଦଇବାତ୍ ସେ ରାଜା ହାବୁଡେ ପଡିଲି । ବର ବେଶରେ ଆସିବାପାଇଁ ବାଧ୍ୟ କଲା । ତା’ର ପୁଅଟା କୁଜାଟା, ପିଠିରେ ତିନିଗୋଟି କୁଜ ଅଛି । ମୁଁ ଯାହା କହୁଛି ପ୍ରିୟେ ତାହା ସତ୍ୟ । ଭୁରିମଲ୍ଲ ପୁତ୍ର ବର୍ତ୍ତମାନ ଆସିବ । ମୁଁ ଯାଉଛି, ମୋ କଥା ମନେ ରଖିଥିବ । ରାଜାଙ୍କର ଏକଥା ଶୁଣି ଶୁଣି କ୍ରନ୍ଦନ କରି ତିଳୋତମା କହିଲା ତୁମ୍ଭେ ଚାଲିଗଲେ ମୁଁ ନିଶ୍ଚୟ ପ୍ରାଣ ତ୍ୟାଗ କରିବି । ମୋ ପିତା ତୁମ୍ଭ ହସ୍ତରେ ମୋତେ ଦେଲେ ତୁମ୍ଭେ ମୋତେ ଛାଡିକରି ଯାଅନା । ବିକ୍ରମାଦିତ୍ୟ କହିଲେ ହେ ପ୍ରିୟା, ଯେ ଯାହାର ସେ ତାହାର । ତୁମ୍ଭେ ମନଦୁଃଖ ନକରି ମୋର ନାମାଙ୍କିତ ମୁଦ୍ରିକାଟି ରଖ । କୁଜା ଆସିଲେ ତାକୁ ଘରେ ପୂରାଇ ଦେବ ନାହିଁ । ଏପରି କହିଣ ବିକ୍ରମାଦିତ୍ୟ ଚାଲିଗଲେ । ଏପରି କହିଣ ବୃକ୍ଷ ଡାଳରେ ଲୁଚି ବସିଗଲେ । ଠିକ୍ ଏତିକିବେଳରେ ଭୁରିମଲ୍ଲ ପୁତ୍ର ମଧୁଶଯ୍ୟା ଗୃହକୁ ପଶିବାକୁ ଉଦ୍ୟତ କରନ୍ତେ ତିଳୋତମା ତାକୁ ଧକ୍କାମାରି ଦୁଆରକୁ ପକାଇ ଦେଲା । ତଳେ ପଡି କୁଜା ଘୋର ଚିତ୍କାର କଲା । ତା’ ବାପାଙ୍କୁ ଡାକି କହିଲା ବାପା ମୋତେ ମାଡମାରି ତିଳୋତମା ଧକ୍କା ଦେଇ ପକାଇ ଦେଲା । କୁଜା କ୍ରନ୍ଦନ ଦେଖି ସମସ୍ତ ଲୋକେ ଦଉଡି ଆସିଲେ । କଥା କ’ଣ ପଚାରିବାରୁ କୁଜା କହିଲା ଗାଳିମାଡ ଦେଇ ମୋତେ ରାଜକନ୍ୟା ପେଲିଦେଲା । ସେ ଏଡେ ରାକ୍ଷସୀ । ମୋ ପିତା ନଜାଣି ମୋତେ ଏହାକୁ ବିଭା କରାଇଲେ ।

         ଉପସ୍ଥିତ ଥିବା ଲୋକମାନେ ତିଳୋତମାକୁ କହିଲେ ହସ୍ତଧରି ଯାହାକୁ ବିଭା ହେଲୁ ତାକୁ ମାଇଲୁ କିପରି? ତୋତେ ଟିକେ ଲାଜ ଲାଗିଲା ନାହିଁ । ତିଳୋତମା କହିଲା ତୁମ୍ଭେମାନେ ସମସ୍ତେ ମୋର ସ୍ୱାମୀଙ୍କୁ ଦେଖିଛ । ସେ କେଡେ ସୁନ୍ଦର ପୁରୁଷ । ଏ କୁଜା କିପରି ମୋର ସ୍ୱାମୀ । ଭୁରିମଲ୍ଲ କହିଲେ ହେ ରାଜନ ତୁମ୍ଭ କନ୍ୟାର ମନ୍ଦ ଆଚରଣ ଦେଖ । ମୋର ସୁନ୍ଦର ପୁଅକୁ ମାରି କୁଜା କରିଦେଲା । ଭୋଜରାଜ କହିଲେ ହେ ରାଜନ! ମୋ ଝିଅ ଯାହା କହୁଛି ତାହା ଶୁଣିଲାବେଳୁ ମୋ ମନରେ ସନ୍ଦେହ ଜନ୍ମୁଛି । ଅନେକ ଦେଶରୁ ଅନେକ ରାଜା ମହାରାଜା ଆସିଛନ୍ତି । ସମସ୍ତେ ବିଚାର କରନ୍ତୁ । ଏପରି କଥା ଶୁଣି ସମସ୍ତେ ବସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ