ତୁଷାର ଶୁଭ୍ରା ଓ ସପ୍ତବାମନ

ଶେଷରେ ସେ ରାଣୀ ତୁଷାରଶୁଭ୍ରାର ରୂପକୁ ଆଉ ସହି ପାରିଲା ନାହିଁ । ଦିନେ ସେ ରାଣୀ ଘାତକକୁ ଡାକି କହିଲା ‘ତୁ ତୁଷାରଶୁଭ୍ରାକୁ ବଣକୁ ନେଇ ତାକୁ ମାରି ତାର ତାଜା ରକ୍ତ ଆଉ କଲିଜା ଆଣି ମୋତେ ଦେବୁ ।’ ଘାତକ ରାଣୀର ଆଦେଶରେ ସାତବର୍ଷର ତୁଷାରଶୁଭ୍ରାକୁ ବଣକୁ ନେଇଗଲା । ସେଠାରେ ସେ ଖଣ୍ଡା କାଢି ତୁଷାରଶୁଭ୍ରାକୁ ମାରିବାକୁ ଯିବାବେଳେ ତୁଷାରଶୁଭ୍ରା କହିଲା, ‘ହେ ଘାତକ ମୋତେ ମାରନାହିଁ । ମୁଁ ପ୍ରତିଜ୍ଞା କରି କହୁଛି ମୋତେ ଛାଡିଦେଲେ ମୁଁ ଏଇ ବଣ ଭିତରକୁ ଚାଲିଯିବି ଏବଂ ଆଉ କେବେ ବି ସେ ରାଜନଅରକୁ ଫେରିବି ନାହିଁ ।’

                ଏପରି କଥା ଶୁଣି ସାତବର୍ଷର ଝିଅ ତୁଷାରଶୁଭ୍ରା ଉପରେ ସେ ଘାତକର ଟିକେ ଦୟା ହେଲା ଓ ସେ ତୁଷାରଶୁଭ୍ରାକୁ ଛାଡିଦେଲା । ଘାତକ ଭାବିଲା ବଣର ହିଂସ୍ରଜନ୍ତୁମାନେ ତାକୁ ମାରିଖାଇ ଦେବେ । ଏହା ଭାବି ତୁଷାରଶୁଭ୍ରାର ମୃତ୍ୟୁର ଚିହ୍ନ ସ୍ୱରୂପ ସେ ବଣରୁ ଗୋଟିଏ ଜନ୍ତୁ ମାରି ତାର କଲିଜା ଓ ରକ୍ତ ନେଇ ଘାତକ ସେ ରାଣୀକୁ ଦେଲା । ରାଣୀ ସେ କଲିଜାକୁ ଲୁଣରେ ଶୁଖାଇ ତାକୁ ଖାଇଲା ଏବଂ ତୁଷାର ଶୁଭ୍ରା ଜୀବନରୁ ମରିଯାଇଥିବାରୁ ସେ ଖୁବ୍ ଆନନ୍ଦିତ ହେଲା ।

                ଏଣେ ଏ ତୁଷାରଶୁଭ୍ରାକୁ ବଣରେ ବୁଲିବୁଲି ଖୁବ୍ କ୍ଳାନ୍ତ ଲାଗିଲା ଏବଂ ଅଗନା ଅଗନି ବନସ୍ତର ବଡ ବଡ ଗଛ ସବୁ ଦେଖି ତାକୁ ଖୁବ୍ ଡର ବି ଲାଗିଲା ।

                ସେ ବଣର ବଡ ବଡ ପଥରରେ ଝୁଂଟି ତା ପାଦରୁ ଖାଲି ରକ୍ତ ବହିବାକୁ ଲାଗିଲା । ବଣର ହିଂସ୍ର ଜନ୍ତୁମାନେ ତୁଷାରଶୁଭ୍ରାକୁ ଦେଖୁଥିଲେ ମଧ୍ୟ ତାର ଆଦୌ କିଛି ବି କ୍ଷତି କରୁନଥିଲେ ।

                ସେ ବଣରେ ବୁଲୁବୁଲୁ ସଂଧ୍ୟା ହୋଇ ଆସିଲା ଏବଂ ସଂଧ୍ୟା ସୁଦ୍ଧା ସେ ଏକ ନିଛାଟିଆ ଛୋଟ ଘର ନିକଟରେ ପହଁଚିଲା । ସେ କ୍ଳାନ୍ତ ହୋଇ ପଡିଥିବାରୁ ସେ ବିଶ୍ରାମ ନେବାକୁ ସେ ଛୋଟଘର ଭିତରକୁ ଗଲା । ସେ ଛୋଟିଆ ଘରଟି ଖୁବ୍ ସୁନ୍ଦର ଓ ପରିଷ୍କାର ଥିଲା । ସେ ଘର ମଝିରେ ଗୋଟିଏ ଛୋଟିଆ ଟେବୁଲ୍ ପଡିଥିଲା ଏବଂ ସେ ଟେବୁଲ୍ ଉପରେ ସାତଟି ଥାଳିରେ କଂଟାଚାମୁଚ ସହ ଖାଦ୍ୟ ପଦାର୍ଥ ମାନଥିଲା । ସାତଟି ଗ୍ଲାସରେ ପାନୀୟ ଭର୍ତ୍ତି ହୋଇ ଥୁଆ ହୋଇଥିଲା । ସେ ଘରର କାନ୍ଥ କଡରେ ସାତଟି ସୁନ୍ଦର ଶେଯ ସଜ୍ଜା ହୋଇଥିଲା ।

                ସେହି ସମୟରେ ତୁଷାରଶୁଭ୍ରା ଏତେ ଭୋକିଲା ହୋଇଥିଲା ଯେ ଟେବୁଲ୍ ଉପରେ ଥୁଆ ହୋଇଥିବା ରୁଟି, ଲହୁଣୀ ପ୍ରଭୃତି ଖାଇଲା ଏବଂ ଗ୍ଲାସରେ ଥିବା ପାନୀୟ ତକ ବି ପିଇଲା । ଦିନଯାକ ବୁଲିବୁଲି କ୍ଳାନ୍ତ ହୋଇପଡିଥିବାରୁ ତାକୁ ନିଦ ଲାଗିଲା ଏବଂ ସେ ଶେଯରେ ଶୋଇବାକୁ ଗଲା ମାତ୍ର ଶେଯ ଗୁଡିକ ଛୋଟ ହୋଇଥିବାରୁ ସେଗୁଡିକୁ ଯୋଡିବାକୁ ଚେଷ୍ଟା କଲା । ଶେଷରେ ଥିବା ଶେଯଟି ଲମ୍ବା ହୋଇଥିବାରୁ ସେ ତୁଷାରଶୁଭ୍ରା ଆନନ୍ଦରେ ତା ଉପରେ ଯାଇ ଶୋଇ ପଡିଲା ।

                କ୍ରମଶଃ ରାତି ହୋଇଯିବାରୁ ସେ ଘରର ମାଲିକଥିବା ସାତଟି ବାମନ ସେ ଘରକୁ ଫେରିଲେ । ସେମାନେ ନିକଟରେ ଥିବା ପର୍ବତର ଗୋଟିଏ ଖଣିରେ କାମ କରନ୍ତି । ସେମାନେ ପହଁଚି ସେମାନଙ୍କର ସାତଟି ଦୀପ ଲଗାଇଲେ । ଦୀପର ଆଲୋକରେ ସେମାନେ ଦେଖିବାକୁ ପାଇଲେ ଯେ, ସେମାନଙ୍କ ଘରର ସବୁ ଜିନିଷ ଏପଟ ସେପଟ ହୋଇ ଯାଇଛି । ସେମାନେ ତାଙ୍କ ରଖିଥିବା ଖାଦ୍ୟ ପାନୀୟ ସବୁ କିଏ ଖାଇ ପିଇ ଦେଇଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ସେମାନଙ୍କର ଶେଯ ସବୁ ଏପଟ ସେପଟ ହୋଇଥିବାର ଦେଖି ସେ ଦୀପ ନେଇ ଦେଖନ୍ତି କି ତାଙ୍କ ଶେଯରେ ଗୋଟିଏ ସୁନ୍ଦର ଝିଅଟିଏ ଶୋଇଛି । ସେମାନେ ଏପରି ଗୋଟିଏ ସୁନ୍ଦର ଝିଅକୁ ଦେଖି ଖୁବ୍ ଆଶ୍ଚର୍ଯ୍ୟ ହୋଇଗଲେ ।

                ସେମାନେ ସେ ଝିଅଟିର ସୌନ୍ଦର୍ଯ୍ୟରେ ଏତେ ମୁଗ୍ଧ ହୋଇଗଲେ ଯେ ତାକୁ ଆଉ ନିଦରୁ ଉଠାଇଲେ ନାହିଁ । ସେ ଝିଅଟି ଯେଉଁ ବାମନର ଶେଯରେ ଶୋଇଥିଲା ସେ ବାମନଟି ଅନ୍ୟମାନଙ୍କ ଶେଯରେ ଘଂଟାଏ ଲେଖାଏଁ ଶୋଇ ରାତିଟା କଟେଇ ଦେଲା । ସକାଳୁ ଉଠି ତୁଷାରଶୁଭ୍ରା ଯେମିତି ସାତଟି ବାମନଙ୍କୁ ଶେଯରେ ଦେଖିଛି ସେ ଖୁବ୍ ଭୟଭୀତ ହୋଇ ଉଠିଲା । ମାତ୍ର ସେ ସାତଜଣ ବାମନ ଉଠି ତୁଷାରଶୁଭ୍ରାକୁ ଖୁବ୍ ଭଲ ବ୍ୟବହାର ଦେଖାଇଲେ ଏବଂ ତାର ନାଁ ପ୍ରଭୃତି ପଚାରିଲେ । ସେମାନେ ମଧ୍ୟ ତାର ବଣକୁ ଆସିବାର କାରଣ ପଚାରିଲେ । ତୁଷାର ଶୁଭ୍ରା କହିଲା ‘ମୋର ସାବତମା’ ମୋତେ ମାରି ଦେବାପାଇଁ ଘାତକ ହାତରେ ବଣକୁ ପଠାଇଥିଲା । ଘାତକ ମୋତେ ଦୟାକରି ନମାରି ବଣରେ ଛାଡିଦେଇ ଗଲା ଓ ଦିନସାରା ମୁଁ ବଣରେ ବୁଲିବୁଲି ତୁମର ଏ ଛୋଟ ଘରେ ଆସି ପହଁଚିଲି ।’

                ତୁଷାରଶୁଭ୍ରାଠାରୁ ଏ ସମସ୍ତ କଥା ଶୁଣି ସେ ବାମନମାନେ କହିଲେ ‘ତୁମେ ଯଦି ଆମ ଘରେ ରହି ଆମପାଇଁ ରନ୍ଧାବଢା କରି ଘର କାମ କରି ଦେବ ଆମ ପାଖରେ ତୁମେ ରହିଲେ ଆମର କିଛି ବି ଆପତ୍ତି ନାହିଁ ।’

ତୁଷାରଶୁଭ୍ରା ଅତି ଆନନ୍ଦରେ ସେମାନଙ୍କ କଥାରେ ରାଜି ହୋଇଗଲା । ତୁଷାରଶୁଭ୍ରା ଆନନ୍ଦରେ ସେଠାରେ ରହିଲା । ବାମନମାନେ ପ୍ରତ୍ୟେକ ଦିନ ସକାଳୁ ପର୍ବତରେ ଥିବା ସୁନାଖଣିରୁ ସୁନା ଖୋଳିବାକୁ ଚାଲିଯାନ୍ତି ଏବଂ ସଂଧ୍ୟାବେଳକୁ ଘରକୁ ଫେରିବା ବେଳକୁ ସେମାନଙ୍କ ପାଇଁ ରନ୍ଧା ବଢା କରି ତୁଷାରଶୁଭ୍ରା ରଖିଥାଏ ।

ବାମନମାନେ କାମକୁ ଚାଲିଯିବା ପରେ ତୁଷାର ଶୁଭ୍ରାକୁ ଭାରି ଏକୁଟିଆ ଲାଗେ । ସେ ବାମନମାନେ ତ ତାକୁ ଘରୁ ବାହାରକୁ ଯିବାକୁ ବାରଣ କରିଥାନ୍ତି । ଦିନେ ସେହି ବାମନମାନେ ତାକୁ କହିଲେ ‘ଦେଖ ତୁଷାରଶୁଭ୍ରା ତୁମେ ତ ଏ ଘରେ ଏକୁଟିଆ ରହୁଛ । ତୁମର ସାବତ ମା’ କାଳେ ଲୁଚି କରି ଆସି ତୁମର କିଛି ବି କ୍ଷତି ଘଟାଇପାରେ ତେଣୁ କୌଣସି ଲୋକ ଆସି ଡାକିଲେ ମଧ୍ୟ ତୁମେ ଘର କବାଟ କେବେବି ଖୋଲିବ ନାହିଁ ।

ତେଣେ ତୁଷାରଶୁଭ୍ରାକୁ ଘାତକ ହାତରେ ମରାଇ ଦେଇ ସାରିଥିବାରୁ ରାଣୀ ମନେ ମନେ ନିଜକୁ ସବୁଠାରୁ ସୁନ୍ଦରୀ ବୋଲି ଭାବି ଦିନେ ଦର୍ପଣକୁ ପଚାରିଲା ‘ହେ ଦର୍ପଣ! ଏ ସଂସାରରେ ସବୁଠାରୁ ସୁନ୍ଦରୀ କିଏ?’ ତହୁଁ ସେ ଦର୍ପଣଟି ଉତ୍ତର ଦେଲା ‘ତୁମେ ତ ଏ ସଂସାରରେ ଖୁବ୍ ସୁନ୍ଦରୀ ମାତ୍ର ସାତ ବାମନଙ୍କ ଘରେ ରହୁଥିବା ତୁଷାରଶୁଭ୍ରା ତୁମଠାରୁ ବି ଆହୁରି ସୁନ୍ଦରୀ ।’

ଦର୍ପଣଠାରୁ ଏକଥା ଶୁଣି ସେ ରାଣୀ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇଗଲା କାରଣ ସେ ତ ଠିକ୍ ଜାଣେ ଦର୍ପଣଟି ସର୍ବଦା ସତ କହେ । ତେଣୁ ସେ ଦର୍ପଣର କଥା ଶୁଣି ଜାଣିପାରିଲା ଯେ ଘାତକଟି ତା ସହିତ ପ୍ରତାରଣା କରିଛି । ତୁଷାରଶୁଭ୍ରା ବଂଚିଥିବାରୁ ରାଣୀ ତାକୁ ମାରିବାପାଇଁ ପୁଣି ଉପାୟ ଚିନ୍ତା କଲା ।

ରାଣୀ ନିଜକୁ ଜଣେ ଫେରିବାଲୀ ବେଶରେ ସଜାଇଲା ଯେପରି ତୁଷାରଶୁଭ୍ରା ତାକୁ ଚିହ୍ନି ପାରିବ ନାହିଁ । ତାର ଏଇ ଛଦ୍ମବେଶରେ ଯାଇ ସେ ସାତବାମନଙ୍କ ଛୋଟ ଘର ନିକଟରେ ପହଁଚି କବାଟ ଠକ୍ ଠକ୍ କରି କହିଲା ‘ମୁଁ ଫେରିବାଲୀ । ଭଲ ଲୁଗା, ପୋଷାକ ସବୁ ଆଣିଛି । କିଏ କିଣିବ ଗୋ ଆସ ।’

ଝରକା ଫାଙ୍କରେ ତୁଷାରଶୁଭ୍ରା ଏ ଫେରିବାଲୀକୁ ଦେଖି ପଚାରିଲା ‘ତୁମ ପାଖରେ କ’ଣ ସବୁ ପୋଷାକ ଅଛି?’

ତା’ପରେ ସେ ଫେରିବାଲୀ ଉତ୍ତର ଦେଲା ‘ମୋ ପାଖରେ ରେଶମୀ ଶାଢି, ଜାମା ପ୍ରଭୃତି ଅନେକ ପ୍ରକାର ପୋଷାକ ଅଛି ।’ ଫେରିବାଲୀ ତା ପାଖରେ ଥିବା ସୁନ୍ଦର ପୋଷାକ ସବୁ ଦେଖାଇଲା । ସେ ତୁଷାରଶୁଭ୍ରା ଆଉ ପୋଷାକ ଲୋଭ ସମ୍ଭାଳି ନପାରି କବାଟ ଖୋଲିଦେଲା । ଫେରିବାଲୀ ଘର ଭିତରକୁ ଆସି ତୁଷାରଶୁଭ୍ରାର ରୂପକୁ ଖୁବ୍ ପ୍ରଶଂସା କଲା ଓ ତୁଷାରଶୁଭ୍ରାକୁ ଗୋଟିଏ ସୁନ୍ଦର ପୋଷାକ ପିନ୍ଧାଇ ଦେଇ ତା ବେକରେ ଗୋଟିଏ ଟାଇ ଜୋର୍ରେ ଭିଡି ବାନ୍ଧି ଦେଲା । ତୁଷାର ଶୁଭ୍ରଗଳାରେ ଟାଇ ଜୋର୍ରେ ବାନ୍ଧିଦେବା ଫଳରେ ତାର ଶ୍ୱାସ ରୁଦ୍ଧ ହୋଇଗଲା ଏବଂ ସେ ଟଳିପଡିଲା । ରାଣୀ ଏହା ଦେଖି ତୁଷାର ଶୁଭ୍ରା ମରିଗଲାଣି ଭାବି ସେଠାରୁ ତରବର ହୋଇ ପଳାଇଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ