ତ୍ୟାଗ ଓ ଭୋଗ

ମଣିକଣ୍ଠ ପ୍ରଶ୍ନ କଲେ, “କ’ଣ ତାହା?”

“ଆପଣଙ୍କ ବାହୁବଳ, ପରାକ୍ରମ ଓ ଅମିତ ସାହସ ନିକଟରେ, ମୋର ଇଚ୍ଛା ଦୁରୂହ ନୁହେଁ । ଆମ ଆଖପାଖ ସମସ୍ତ ପଡୋଶୀ ରାଜ୍ୟ ଉପରେ ବିଜୟ ପ୍ରାପ୍ତ କରି ଆପଣ ଚକ୍ରବର୍ତ୍ତୀ ହୁଅନ୍ତୁ । ଏହା ହିଁ ମୋର ଅଭିଳାଷ । ତେବେ ଯାଇ ମୁଁ ମହାରାଣୀ ବୋଲାଇ ସମସ୍ତଙ୍କର ଆଦରଣୀୟା ହୋଇ ପାରିବି ।”

ମଣିକଣ୍ଠଙ୍କୁ ଏହି ପ୍ରସ୍ତାବ ଅତି ଗର୍ବିତ ମନେହେଲା । ସେ ତତ୍କ୍ଷଣାତ୍ ପ୍ରତିକ୍ରିୟା ପ୍ରକାଶ କରି କହିଲେ, “କ୍ଷମା କରିବେ ରାଜକୁମାରୀ, ମୁଁ ତୁମକୁ ବିବାହ କରିବାକୁ ଇଚ୍ଛୁକ ନୁହେଁ ।” ତା’ପରେ ମଣିକଣ୍ଠ ସଙ୍ଗେ ସଙ୍ଗେ ସେ ସ୍ଥାନ ପରିତ୍ୟାଗ କଲେ ।

ବେତାଳ ରାଜା ବିକ୍ରମାର୍କଙ୍କୁ ଏହି କାହାଣୀଟି ଶୁଣାଇବା ପରେ ପ୍ରଶ୍ନ କଲା, “ରାଜନ୍, ଶେଷ ମୁହୂର୍ତ୍ତରେ ମଣିକଣ୍ଠଙ୍କ ଆଚରଣ କିଛି ବିଚିତ୍ର ମନେହେଉନାହିଁ କି? ଉଦ୍ୟାନରେ ସଖୀମାନଙ୍କ ବିଚରଣ କରୁଥିବା ରାଜକୁମାରୀ ମୃଣାଳିନୀଙ୍କ ସୌନ୍ଦର୍ଯ୍ୟରେ ବିମୋହିତ ହୋଇ, ଗନ୍ଧର୍ବ ମଣିକଣ୍ଠ ତତ୍କ୍ଷଣାତ୍ ବିବାହ ଅଭିଳାଷ ବ୍ୟକ୍ତ କରିଥିଲେ । ଏଥିପାଇଁ ସେ ଗନ୍ଧର୍ବ ରାଜକୁମାରୀଙ୍କ ନିଃସ୍ୱାର୍ଥ ଭଲପାଇବାକୁ ମଧ୍ୟ ପ୍ରତ୍ୟାଖ୍ୟାନ କଲେ । ଶାପଗ୍ରସ୍ତ ହୋଇ ନିଜର ମନ୍ତ୍ରଶକ୍ତି ହରାଇ ବସିଲେ । କିନ୍ତୁ ଏତେ ସବୁ ପରେ ଶେଷ ମୁହୂର୍ତ୍ତରେ, ବିବାହ ପାଇଁ ନାସ୍ତି କରିବା ଓ ରାଜକୁମାରୀଙ୍କ ପ୍ରତିକ୍ରିୟା ଶୁଣିବା ପାଇଁ ଅପେକ୍ଷା ନ କରି ସେ ସ୍ଥାନ ପରିତ୍ୟାଗ କରିବା, କଣ ଶଠତା । ପ୍ରତାରଣା ନୁହେଁ? ମୋର ଏହି ସନ୍ଦେହର ସମାଧାନ ଜାଣି ମଧ୍ୟ ତୁମେ ନିରୁତ୍ତର ରହିଲେ ତୁମର ଶିର ଶତଧା ବିଦୀର୍ଣ୍ଣ ହେବ ।”

ବିକ୍ରମାର୍କ ଅବିଳମ୍ବେ କହିଲେ, “ରାଜକୁମାରୀ ମୃଣାଳିନୀଙ୍କ ପାଇଁ ମଣିକଣ୍ଠ ଅନେକ ତ୍ୟାଗ ସ୍ୱୀକାର କଲେ । ତାଙ୍କୁ ବିବାହ କରିବା ପାଇଁ ସେ ତାଙ୍କ ଜୀବନ ରକ୍ଷା କରିଥିବା ଗନ୍ଧର୍ବ ରାଜକୁମାରୀ କାନ୍ତିମୟୀଙ୍କୁ ମଧ୍ୟ ପ୍ରତ୍ୟାଖ୍ୟାନ କଲେ । କିନ୍ତୁ ମୃଣାଳିନୀ ଖୁବ୍ ଉଚ୍ଚାଭିଳାଷିଣୀ ଥିଲେ । ଯାହାର ମାନବତା ପ୍ରତି କୌଣସି ଶ୍ରଦ୍ଧା ନ ଥାଏ, ଖାଲି ନିଜ ସ୍ୱାର୍ଥ – ସାଧନ ପାଇଁ ଆତ୍ମକୈନ୍ଦ୍ରିକ ଜୀବନ ବଂଚୁଥାଏ, କେବଳ ସେହିଁ ଏପରି ରକ୍ତପାତ ବିନିମୟରେ ମହାରାଣୀ ହେବାର ସ୍ୱପ୍ନ ଦେଖିପାରେ । ମଣିକଣ୍ଠ ଏହା ବୁଝିବାରେ ଆଦୌ ବିଳମ୍ବ କରି ନାହାଁନ୍ତି । କାନ୍ତିମୟୀଙ୍କ ତ୍ୟାଗ ସମ୍ମୁଖରେ ମୃଣାଳିନୀଙ୍କ ଭୋଗ ଲାଳସା ଯେ କେତେ ଘୃଣ୍ୟ, ତାହା ଅନୁଭବ କରି ସେ ବିବାହକୁ ଏଡାଇ ଦେଲେ । ତେଣୁ ତାଙ୍କର ଏହି ନିର୍ଣ୍ଣୟ ପ୍ରକୃତରେ ବିବେକୀର କାର୍ଯ୍ୟ, ପ୍ରତାରଣା ନୁହେଁ ।”

ଏହିପରି ରାଜାଙ୍କର ମୌନତା ଭଗ୍ନ କରିବାରେ ସଫଳ ହୋଇ ଶବ ସହ ଶବସ୍ଥିତ ସେ ବେତାଳ ମଧ୍ୟ ତାଙ୍କ କାନ୍ଧରୁ ଖସି ପୁନର୍ବାର ସେ ବୃକ୍ଷ ଡାଳରେ ଯାଇ ଝୁଲିପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ