ଦର୍ପଣବାଲା ରୂପମ୍

ସାଧୁ ଅଳ୍ପ କିଛି ଭାବିବା ପରେ ରୂପମ୍ଙ୍କୁ ଗୋଟିଏ “ମାୟା ଦର୍ପଣ” ଦେଇ କହିଲେ, “ତୁମ ଘରର ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠରେ ଏଇଟି ରଖିବ । ଏଥିରେ କୁରୂପ ଥିବା ଲୋକର ରୂପ ସୁନ୍ଦର ଦିଶିବ । ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ରୂପକୁ ଅଧିକ ସୁନ୍ଦର ଭାବରେ ଦେଖିଲେ ଅତ୍ୟନ୍ତ ପ୍ରସନ୍ନ ହୋଇ ତୁମର ପ୍ରଶଂସା କରିବେ । କ୍ରମେ ତୁମର ଯଶ ବ୍ୟାପିଯିବ ।” ଏତିକି କହି ସାଧୁ ସେଠାରୁ ଚାଲିଗଲେ ।

ସେହିଦିନଠାରୁ ଅତିଥିଙ୍କ ସଂଖ୍ୟା ଜୋର୍ରେ ବଢିବାରେ ଲାଗିଲା । ସମସ୍ତେ ନିଜ ନିଜର ସୁନ୍ଦର ଚେହେରା ଦେଖି ବାହାରେ ସେ ବିଷୟରେ ଖୁବ୍ ଆଲୋଚନା କଲେ । କିଛିଦିନ ମଧ୍ୟରେ ସମସ୍ତେ ରୂପମ୍କୁ ନାମ ଦେଲେ, “ଦର୍ପଣବାଲା ରୂପମ୍ ।”

ଗ୍ରାମର ଜମିଦାର ଏହି ମାୟାଦର୍ପଣ ବିଷୟରେ ଶୁଣି ଦିନେ ରୂପମ୍ଙ୍କୁ ନିମନ୍ତ୍ରଣ କରି କହିଲେ ଯେ ସେ ଯେପରି ଦର୍ପଣଟିକୁ ଧରି ଆସନ୍ତି । ରୂପମ୍ ସେହି ଦର୍ପଣଟି ଧରି ଜମିଦାରଙ୍କ ପାଖରେ ପହଁଚିଲେ ।

                ସେହି ଦର୍ପଣରେ ନିଜ ଚେହେରା ଦେଖି ଜମିଦାର କହିଲେ, “ଏଥିରେ ତ ମୋ ଚେହେରା ଅସୁନ୍ଦର ଦିଶୁଛି? ଏପରି କାହିଁକି ହେଲା?”

                ତା’ପରେ ଜମିଦାରଙ୍କର ସମସ୍ତ କର୍ମଚାରୀ ସେଥିରେ ନିଜ ନିଜର ମୁହଁ ଦେଖିଲେ ଓ ସେହି ଏକହିଁ ମତ ଦେଲେ ।

                ଜମିଦାର ରାଗିଯାଇ କହିଲେ, “ଭୁଲ୍ କଥା ପ୍ରଚାର କରି ଯଶ ଅର୍ଜ୍ଜନ କରିବାକୁ ଚାହୁଁଛ?” ତା’ପରେ ଦର୍ପଣକୁ ସେ ଭୂଇଁ ଉପରେ କଚାଡି ଦେଲେ । ଆଶ୍ଚର୍ଯ୍ୟର କଥା ଦର୍ପଣ ମଧ୍ୟ ଭାଙ୍ଗିଲା ନାହିଁ । ରୂପମ୍ ମନ ଦୁଃଖରେ ଦର୍ପଣଟିକୁ ଧରି ନିଜ ଘରକୁ ଲେଉଟି ଆସିଲେ ।

                ଏସବୁ କଥା ଶୁଣି ରୂପମ୍ଙ୍କର କେତେକ ବନ୍ଧୁ ତାଙ୍କ ଘରକୁ ଆସି ଦର୍ପଣରେ ମୁହଁ ଦେଖିଲେ । କିନ୍ତୁ ପୂର୍ବପରି ତାହା ଆହୁରି ଅଧିକ ସୁନ୍ଦର ପ୍ରତିବିମ୍ବ ଦେଖାଇଲା । ଜମିଦାର ଏକଥା ଶୁଣିଲେ । କଥା କ’ଣ ହେଲା କି ଦର୍ପଣଟି ରୂପମ୍ଙ୍କ ଘରଠାରୁ ଭିନ୍ନ ସ୍ଥାନକୁ ନେଲେ ଚେହେରା ଖରାପ ଦେଖାଯାଏ । କେବଳ ରୂପମଙ୍କ ଘରେହିଁ ସୁନ୍ଦର ଦେଖାଯାଏ । ପ୍ରତ୍ୟେକ ମଣିଷ ଚେହେରାରେ କିଛିଟା ଭଲ ଓ କିଛିଟା ମନ୍ଦ ଥାଏ । ଦର୍ପଣରେ ଭଲ ଅଂଶ ଗୁଡିକ ବେଶି ଦେଖାଯାଏ, ମନ୍ଦ ଅଂଶ ଗୁଡିକ ଆଦୌ ଦେଖାଯାଏ ନାହିଁ । ଏକଥା ଶୁଣି ଜମିଦାର ରୂପମ୍ଙ୍କ ଘରକୁ ଆସିଲେ; ଦେଖିଲେ ଦର୍ପଣରେ ତାଙ୍କର ପ୍ରତିବିମ୍ବ ଅତ୍ୟନ୍ତ ସୁନ୍ଦର; ସେ ଚିତ୍ରକାରକୁ ତତ୍କ୍ଷଣାତ୍ ଡକାଇ ଦର୍ପଣରେ ଦିଶୁଥିବା ମୁହଁର ଚିତ୍ର କରାଇ ନେଲେ । ନିଜେ ଖୁବ୍ ଖୁସି ହୋଇ ରୂପମ୍ଙ୍କୁ କିଛି ଧନ ମଧ୍ୟ ଦେଲେ ।

ରୂପମ୍ ପୂର୍ବପରି ଅତିଥିଚର୍ଚ୍ଚା କରୁଥା’ନ୍ତି । କିନ୍ତୁ ଲୋକସଂଖ୍ୟା ଏତେ ବଢିଲେ ଯେ ଅତିଥିଙ୍କୁ ଭଲ ଭାବରେ ଚର୍ଚ୍ଚା କରିବା ଆଉ ତାଙ୍କ ଶକ୍ତି ମଧ୍ୟରେ ରହିଲା ନାହିଁ । ଅତିଥିଚର୍ଚ୍ଚା ନକଲେ ମଧ୍ୟ ମାୟାଦର୍ପଣ ଯୋଗୁଁ ଲୋକମାନେ ଆସୁଥା’ନ୍ତି ।

ଥରେ ସେ ଭାବିଲେ ତାଙ୍କ ବିଷୟରେ ଲୋକେ କ’ଣ ସବୁ କହୁଛନ୍ତି ତାହା ଜାଣିବା କଥା । ତେଣୁ ସେ ତାଙ୍କ ଘରର ଦାୟିତ୍ୱ ପତ୍ନୀଙ୍କ ଉପରେ ଛାଡିଦେଇ ନିଜେ ରାଜଧାନୀ ଅଭିମୁଖେ ଚାଲିଲେ ।

ରାଜଧାନୀରେ ପହଁଚିବା ପରେ କେହି ତାଙ୍କୁ ପଚାରିଲେ, “ଆଚ୍ଛା ତମେ ଧବଳପୁରରୁ ଆସିଛ ତ? ଭାଇ ମୋତେ ଟିକିଏ ସେ ଦର୍ପଣବାଲା ରୂପମ୍ଙ୍କ ବିଷୟରେ କିଛି କୁହତ? ତୁମେ ତ ନିଶ୍ଚୟ ତାଙ୍କୁ ଜାଣିଥିବ?”

ଏକଥା ଶୁଣି ରୂପମ୍ ଖୁସି ହେଲେ । ନିଜର ପରିଚୟ ନ ଦେଇ ସେ କହିଲେ, “ଧବଳପୁର ନାମ ସହିତ ରୂପମ୍ଙ୍କ ନାମ ଏତେ ମାତ୍ରାରେ ଜଡିତ ଯେ ମୁଁ ବା କିପରି ତାଙ୍କୁ ନ ଜାଣିବି?”

ରୂପମ୍ଙ୍କ ବିଷୟରେ ଅଧିକ ଜାଣିବାକୁ ସେହି ବ୍ୟକ୍ତିଟି ରୂପମ୍ଙ୍କୁ ନିଜ ଘରକୁ ନିମନ୍ତ୍ରଣ କଲେ; ରୂପମ୍ ସେଠାରେ ପହଁଚି ଦେଖିଲେ ତାଙ୍କ ଘରେ ଦୟାରାମଙ୍କ ଚିତ୍ର ଅଛି, ସେ ଆଶ୍ଚର୍ଯ୍ୟ ହେବାର ଅଭିନୟ କରି ପଚାରିଲେ, “ଏ ବ୍ୟକ୍ତି ଜଣକ କିଏ? ଏହାଙ୍କ ଚିତ୍ର କିପରି ଆପଣଙ୍କ ଘରେ?”

ଉକ୍ତ ବ୍ୟକ୍ତି କହିଲେ, “ଆଶ୍ଚର୍ଯ୍ୟ କଥା ତୁମେ ଏହାଙ୍କୁ ଜାଣନାହିଁ? ଏହି ମହାପୁରୁଷ ତ ତୁମରି ଗ୍ରାମର ଲୋକ? ଦର୍ପଣବାଲା ରୂପମ୍ଙ୍କ ଘର ପାଖରେ ଏହାଙ୍କ ଘର । ଅତିଥିସତ୍କାର ଶବ୍ଦ ସହ ଏହାଙ୍କ ନାମ ବେଶ୍ ଜଡିତ । ଏହାଙ୍କ ଆତିଥ୍ୟ କଥା ଶୁଣି ଦିନେ ରାଜା ଏହାଙ୍କୁ ଦରବାରକୁ ଡାକି ସମ୍ମାନିତ କରିଥିଲେ । ରାଜା ତାଙ୍କୁ ତାଙ୍କର ଅତିଥିସତ୍କାର ପାଇଁ ପୁରସ୍କାର ଦେଇଛନ୍ତି ଓ କିଛି ଧନ ମଧ୍ୟ ଦେଇଛନ୍ତି, ଯଦ୍ୱାରା ଅତିଥିସତ୍କାର କରିବାରେ ତାଙ୍କୁ ଯଥେଷ୍ଟ ସୁବିଧା ହେବ । ଲୋକେ ତାଙ୍କୁ କୁହନ୍ତି “ଅତିଥିପରାୟଣ ଦୟାରାମ” । ତାଙ୍କର ଚିତ୍ରପଟ ବହୁ ଲୋକଙ୍କ ଘରେ ତୁମେ ଦେଖିବାକୁପାଇବ ।”

ଏତକ ଶୁଣି ସେ ନିରାଶ ହୋଇ ପୁଣି ନିଜ ଗ୍ରାମକୁ ଫେରିଲେ, ରାସ୍ତାରେ ପୂର୍ବୋକ୍ତ ସାଧୁଙ୍କ ସହିତ ତାଙ୍କର ଦେଖା ହେଲା । ସାଧୁ କହିଲେ, “କ’ଣ ହେଲା? ଲୋକେ ତୁମକୁ ଦର୍ପଣବାଲା ରୂପମ୍ ବୋଲି କହୁଛନ୍ତି, ପୁଣି ଏ ଉଦାସ କାହିଁକି?”

ରୂପମ୍ କହିଲେ “ସାଧୁଜୀ, ମୁଁ ଆପଣଙ୍କୁ ମୋ ବ୍ୟଥା ବିଷୟ କହି ପାରୁନାହିଁ । ମୁଁ ମୋ ନିଜ ବିଷୟରେ ଶୁଣିବାକୁ ରାଜଧାନୀ ଆସିଲି । ଦୟାରାମ ଯେଉଁ ଯଶ ଓ ସମ୍ମାନ ପାଇଛନ୍ତି ମୁଁ ତାହା ପାଇପାରିଲି ନାହିଁ । ସବୁକିଛି ଦେଖି, ଜାଣି ମୋ ମନ ବଡ କଷ୍ଟ ହେଲା । ଏବେ ଆପଣଙ୍କ ଦର୍ପଣ ଆପଣ ଫେରାଇ ନିଅନ୍ତୁ ।”

ତା’ପରେ ରୂପମ୍ ସେହି ଦର୍ପଣଟିକୁ ସାଧୁଙ୍କୁ ଫେରାଇ ଦେଲେ ।

ଏହି କଥାଟି ଶୁଣାଇବା ପରେ ବେତାଳ କହିଲା, “ରାଜନ୍, ଦର୍ପଣବାଲା ରୂପମ୍ଙ୍କ କଥା ତୁମକୁ ଟିକେ ଆଶ୍ଚର୍ଯ୍ୟ ଲାଗୁ ନାହିଁ? ସାରା ଦେଶରେ ତାଙ୍କ ନାମ ସମସ୍ତେ ଜାଣିଲେ, ହେଲେ ତାଙ୍କ ମନରେ ଏତେ ଅସୁନ୍ତୁଷ୍ଟ କଣ ପାଇଁ? ସେ ସାଧୁଙ୍କୁ ତାଙ୍କ ମାୟାଦର୍ପଣଟିକୁ ଫେରାଇଲେ କାହିଁକି? ଏସବୁ ପ୍ରଶ୍ନର ଉତ୍ତର ଜାଣି ତମେ ଯଦି ନୀରବ ରହିବ, ତେବେ ତମ ଶିର ସ୍କନ୍ଧଚ୍ୟୁତ ହେବ ।”

ଏକଥା ଶୁଣି ରାଜା ବିକ୍ରମ ତୁରନ୍ତ ଉତ୍ତର ଦେବାକୁ ଯାଇ କହିଲେ, “ରୂପମ୍ ରାଜଧାନୀସ୍ଥ ସେହି ବ୍ୟକ୍ତିଙ୍କ ପାଖରୁ ଏହି ତଥ୍ୟ ବିଷୟରେ ଜାଣିଲେ ଯେ ତାଙ୍କ ଘରକୁ ଆସୁଥିବା ଲୋକମାନେ ଦର୍ପଣ ପାଇଁ ତାଙ୍କ ଘରକୁ ଆସୁଛନ୍ତି ମାତ୍ର ତାଙ୍କ ପାଇଁ ନୁହେଁ । ତେଣୁ ଏଥିରୁ ତାଙ୍କୁ ଯେଉଁ ଯଶ ମିଳିଲା ତାହା ଦର୍ପଣର, ତାଙ୍କର ନୁହେଁ । ତାଛଡା ସେ ଦର୍ପଣଟି ମଧ୍ୟ ପୁଣି ଅନ୍ୟଜଣକ ଦୟାରୁ ମିଳିଛି । ଅତିଥିପରାୟଣ ଦୟାରାମଙ୍କ କଥା ଭିନ୍ନ । ତାଙ୍କର ଯଶକୀର୍ତ୍ତି ତାଙ୍କ ନିଜ କର୍ମର ଫଳ । ଏହି କଥା ଜାଣିବା ପରେ ସେ ବୁଝିଲେ କି ସେ କେବେବି ମଧ୍ୟ ଦୟାରାମଙ୍କ ପରି କୀର୍ତ୍ତି ଅର୍ଜ୍ଜନ କରିପାରିବେ ନାହିଁ । କେବଳ ସେଇଥିଯୋଗୁଁ ସେ ଅସନ୍ତୁଷ୍ଟ ହୋଇ ସେହି ମାୟାଦର୍ପଣକୁ ସାଧୁଙ୍କୁ ଫେରାଇ ଦେଲେ ।” ଏତିକି କହି ବିକ୍ରମ ନୀରବ ରହିଲେ ।

ରାଜାଙ୍କର ମୌନଭଙ୍ଗ ହୁଅନ୍ତେ ଶବ ସହିତ ବେତାଳ ପୁଣି ଯାଇ ପୂର୍ବୋକ୍ତ ଗଛରେ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ