ଦସ୍ୟୁରାଜକୁମାର

ଶଙ୍କର ବର୍ମା ଆନନ୍ଦ ଓ ବିସ୍ମୟ ଚାପି ରଖି ପଚାରିଲେ, “ତୁମେ – ତୁମେ ଆଉ ସେ ରାଜକୁମାର ସନ୍ଦୀପ ନୁହଁ ତ?”

“ଏ ଅଧୀନକୁ ଚିହ୍ନିବାରେ ଆପଣଙ୍କର ଭୁଲ୍ ହୋଇନାହିଁ ।” ସନ୍ଦୀପ ଏତିକି କହିବା ମାତ୍ରେ ଶଙ୍କର ବର୍ମା ତାଙ୍କୁ କୁଣ୍ଢାଇ ପକାଇଲେ । ଆଶ୍ଚର୍ଯ୍ୟ ହୋଇ ଅନାଇ ରହିଥାନ୍ତି ରାଜକୁମାରୀ ସୁକନ୍ୟା ।

ଶଙ୍କର ବର୍ମା ପ୍ରଶ୍ନ କଲେ, “ତୁମକୁ ଦେଖିବା ପାଇଁ ମୁଁ କେତେ ଉତ୍ସାହ ଓ ଆଗ୍ରହରେ ଅପେକ୍ଷା କରି ରହିଥିଲି, ରାଜକୁମାର! ଭଗବାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଆଜି ମୋ ଇଚ୍ଛା ପୂର୍ଣ୍ଣ ହେଲା । କିନ୍ତୁ ଏ ପ୍ରତିମା ଏଠାକୁ ଆସିଲା କିପରି?”

ତହୁଁ ସନ୍ଦୀପ କହିଲେ, “ଆଣିବାର ସୁଯୋଗ ମୋତେହିଁ ମିଳିଲା, ମହାଶୟ!”

ଶଙ୍କର ପୁଣି ବର୍ମା ପ୍ରଶ୍ନ କଲେ, “କିନ୍ତୁ କିପରି?”

ରାଜକୁମାର ଗପିଗଲେ  ନଈର ଗୋଟିଏ ତୀରରୁ ସେ କିପରି କ୍ଷୀପ୍ର ଭାବରେ ଝୁଲିଯିବା ଅବସରରେ ପ୍ରତିମାଟି ଉଠାଇ ନେଲେ, ତା’ପରେ ଘୋଡା ଛୁଟାଇ କିପରି ଜୟନଗର ଚାଲି ଆସିଲେ ।

ଶଙ୍କର ବର୍ମା ତାଙ୍କ ବିସ୍ମୟର ହେତୁ ସ୍ପଷ୍ଟ କରିଦେଲେ, “କିନ୍ତୁ ଏଡେ ଓଜନିଆ ପ୍ରତିମା ତୁମେ ମାତ୍ର ଗୋଟାଏ ହାତରେ ବହନ କରି ନେଇ ଆସିପାରିଲ କିପରି?”

ତାଙ୍କ କଥା ଶୁଣି ରାଜକୁମାର ଅଳ୍ପ ସମୟ ନୀରବ ରହି କହିଲେ, “ମହାଶୟ, ମୁଁ ନିଜେ ବି ସେଥିରେ କମ୍ ବିସ୍ମିତ ନୁହେଁ । ବର୍ତ୍ତମାନ ମୁଁ ବୁଝୁଛି – କେଡେ କାଠିକର କାମଟିଏ ମୁଁ ତୁଲାଇ ପାରିଲି । ଆଉ ଥରେ ହୁଏତ ମୁଁ ସେଭଳି କାମ କରିପାରିବି ନାହିଁ । ମନେହୁଏ, କିଛି ସମୟ ନିମନ୍ତେ ମୋ ବାହୁ ଯୁଗଳରେ କୌଣସି ଅପୂର୍ବ ଶକ୍ତିର ସଂଚାର ହୋଇଥିଲା । ସେ ଶକ୍ତି କେଉଁଠାରୁ ଆସିଲା, ସେକଥା ମଧ୍ୟ ମୁଁ ଜାଣେନା ।”

ସୁକନ୍ୟା କହିଲେ, “କନକଦୁର୍ଗାହିଁ ସେ ଶକ୍ତିର ଉତ୍ସ । ସେ ପ୍ରତ୍ୟାବର୍ତ୍ତନ କରିବାକୁ ଇଚ୍ଛା କଲେ ଓ ତାଙ୍କ ଇଚ୍ଛା ଫଳବତୀ ହେଲା ।”

ରାଜକୁମାର ସନ୍ଦୀପ ସୁକନ୍ୟାଙ୍କ ଆଡେ କୌତୁହଳୀ ହୋଇ ଅନାଇବାର ଲକ୍ଷ୍ୟ କଲେ ଶଙ୍କର ବର୍ମା; ସେ ଉଭୟଙ୍କୁ ଚାହିଁ କହିଲେ, “ରାଜକୁମାର, ଏଇଟି ମୋର କନ୍ୟା, ସୁକନ୍ୟା । ଜଣେ ମହାନ୍ ରାଜକୁମାରଙ୍କ ପ୍ରତି କିଭଳି ଆଚରଣ କରିବାକୁ ହୁଏ, ସେକଥା ସେ ଆଜିଯାଏଁ ମଧ୍ୟ ଶିଖିନାହିଁ ।”

ଏକଥା ଶୁଣି ସନ୍ଦୀପ ସ୍ମିତ ହସ ହସି ମନ୍ତବ୍ୟ ଦେଲେ, “କିନ୍ତୁ ସେ ସତ କଥା କହି ଜାଣନ୍ତି ।”

ଶଙ୍କର ବର୍ମା କହିଲେ, “ସୁକନ୍ୟା! ଆମ ଅତିଥିଙ୍କୁ ସ୍ୱାଗତ କରି ନେଇଯାଅ ତାଙ୍କ ବିଶ୍ରାମର ବ୍ୟବସ୍ଥା କରିବା ଆମର କର୍ତ୍ତବ୍ୟଟି?”

ରାଜକୁମାର କହିଲେ, “ମହାଶୟ, ମୁଁ ନିଶ୍ଚୟ ପ୍ରାସାଦ ଭିତରକୁ ଯିବି, କିନ୍ତୁ ଅଳ୍ପ ସମୟ ସକାଶେ । ମୋ ଅନୁଚରମାନେ ଆଗ୍ରହ ଓ ଉତ୍କଣ୍ଠାରେ ମୋର ପ୍ରତୀକ୍ଷା କରୁଥିବେ । ଆଉ ଗୋଟିଏ ବିଷୟ ଆପଣଙ୍କୁ ସ୍ମରଣ କରାଇଦେବା ମୋର କର୍ତ୍ତବ୍ୟ । ବୀରସିଂହର ଆଖି ପୁନର୍ବାର ଆପଣଙ୍କ ଉପରେ ଆସି ପଡିପାରେ । ମୁଁ ଓ ମୋର ବନ୍ଧୁମାନେ ଆପଣଙ୍କର ତଥା ଆପଣଙ୍କ ରାଜ୍ୟର ସୁରକ୍ଷା ପାଇଁ ସବୁମତେ ପ୍ରୟାସ କରିବୁ, କିନ୍ତୁ ଆପଣଙ୍କୁ ବି ହୁସିଆର ରହିବାକୁ ପଡିବ ।” ଏହାପରେ ସେମାନେ ପ୍ରାସାଦ ଭିତରକୁ ଆସିଲେ । ରାଜକୁମାର ଓ ଶଙ୍କର ବର୍ମା ମୁହାଁମୁହିଁ ବସିଲେ । ସୁକନ୍ୟା ରାଜକୁମାରଙ୍କ ପାଇଁ କିଛି ଖାଦ୍ୟ ଆଣିବାକୁ ବାହାରିଗଲେ ।

ଶଙ୍କର ବର୍ମା କହିଲେ, “ରାଜକୁମାର, ମୋର ସୁରକ୍ଷା ଅପେକ୍ଷା ତୁମର ସୁରକ୍ଷା ହିଁ ମୋର ଚିନ୍ତାର ବିଷୟ । ଯେ ପର୍ଯ୍ୟନ୍ତ ଅତ୍ୟାଚାରୀ ବୀରସିଂହ ସିଂହାସନ ମାଡି ବସିଥିବ, ସେ ଯାଏଁ ତୁମ ଜୀବନ ନିରାପଦ ନୁହେଁ । ସେ ନୃଶଂସର ଶାସନ ଯେପରି ଶେଷ ହେବ, ସେହି ଦିଗରେ ଚେଷ୍ଟା କରିବା ବର୍ତ୍ତମାନ ଆମର ପ୍ରଥମ କର୍ତ୍ତବ୍ୟ ।”

ସବୁ ଶୁଣି ରାଜକୁମାର କହିଲେ, “ମହାଶୟ, ତାକୁ ମାରି ଦେବାପାଇଁ ଆମେ ବହୁଥର ସୁଯୋଗ ପାଇଛୁ । କିନ୍ତୁ ସେପରି ହତ୍ୟା କରିବା ଆମର ଇଚ୍ଛା ନୁହେଁ । ପ୍ରତ୍ୟକ୍ଷ ଯୁଦ୍ଧରେ ତାକୁ ହରାଇବା ହିଁ ଆମର ଉଦ୍ଧେଶ୍ୟ । ସେ ସିନା ବିଶ୍ୱାସଘାତକତା କରି ମୋ ପିତାଙ୍କ ପ୍ରାଣନାଶ କଲା । କିନ୍ତୁ ସେ ନିଜେ ମୃତ୍ୟୁ ବେଳେ ନଭାବୁ ଯେ ତାକୁ କେହି ତା’ ଅଜାଣତରେ ମାରି ଦେଉଛି । ସେ ଯୁଦ୍ଧ କରି, ସବୁ ଶକ୍ତି ନିଃଶେଷ କରି, ମରୁ । ଯୁଦ୍ଧରେ ଯଦି ଆମର ପରାଜୟ ହୁଏ, ତେବେ ଆମେ ଆମ ଭାଗ୍ୟ ଆଦରି ନେବୁ ।”

ସୁକନ୍ୟା ଖାଦ୍ୟ ଧରି ଆସି ପଛରେ ଠିଆ ହୋଇ ମୁଗ୍ଧ ହୋଇ ସନ୍ଦୀପଙ୍କ କଥା ଶୁଣୁଥିଲେ । ଶଙ୍କର ବର୍ମା ମଧ୍ୟ କିଛି କମ୍ ମୁଗ୍ଧ ହୋଇ ନଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ