ଦସ୍ୟୁ ରାଜକୁମାର

      ଏହାପରେ ସେ କଟୁଆଳ “ଯେ ଆଜ୍ଞା” କହି ସେଠାରୁ ବିଦାୟ ନେଲା । ବସନ୍ତର ଫାସି ହେବା କଥା ଡେଙ୍ଗୁରା ପିଟି ଜନସାଧାରଣଙ୍କୁ ଜଣାଇ ଦିଆଗଲା । ସେଥିପାଇଁ ଫାସି ମଂଚ ବି ପରିସ୍କାର ପରିଚ୍ଛନ୍ନ କରାଗଲା ।

      ସେଦିନ ଉପରଓଳି ସେ ସହର ଉପରେ ଘନ କୁହୁଡି ଘୋଟି ଆସିଥାଏ । ବସନ୍ତକୁ ଫାସି ମଂଚ ଆଡେ ଚଲାଇ ଚଲାଇ ନିଆଗଲା । ଏଣେ ସେ କଟୁଆଳ ମନରେ କିନ୍ତୁ ବିଶେଷ ସୁଖ ନଥାଏ । କାରଣ ସେ ବଢିଆ ନୂଆ ପୋଷାକ ପିନ୍ଧି ଶୋଭାଯାତ୍ରା ଆଗରେ ଯାଉଥାଏ । ଅଥଚ କୁହୁଡି ଯୋଗୁଁ ଲୋକେ ତା’କୁ ଭଲ ଭାବରେ ମୋଟେ ଦେଖିପାରୁ ନଥାନ୍ତି । ବୀରସିଂହ ଓ ବୀରସିଂହ ଦ୍ୱାରା ନିଯୁକ୍ତ ନୂଆ ସେନାପତି କପାଳସିଂହକୁ ଛାଡିଦେଲେ କଟୁଆଳ ଚଢୁଥିବା ଘୋଡା ଭଳି ଚମତ୍କାର ଘୋଡା ଆଉ କାହାରି ବି ନଥିଲା । ବସନ୍ତର ଭାଗ୍ୟ ବା ଲୋକେ ସେ ଫାସି ପାଇବା ଯୋଗୁଁ କେତେଦୂର ଭୟଭୀତ ହେଉଛନ୍ତି, ସେକଥା ପ୍ରତି ତା’ର ବିଶେଷ ଦୃଷ୍ଟି ନଥିଲା । ବରଂ ତାକୁ ଲୋକେ କେତେଦୂର ତାରିଫ୍ କରୁଛନ୍ତି ସିଏ ତ ସେଇଆ ହିଁ ଜାଣିବାକୁ ବ୍ୟଗ୍ର ଥାଏ ।

“ବାଟ ଛାଡ! ହଟିଯାଅ! ସାବଧାନ!” କଟୁଆଳ ମଧ୍ୟେ ମଧ୍ୟେ ଏହିଭଳି ରଡି କରୁଥାଏ । ଲୋକେ ଯେ ସେମାନଙ୍କ ବାଟ ଅବରୋଧ କରୁଥିଲେ, ତାହା ନୁହେଁ । ଖାଲି ନିଜ ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ସେ ଏଭଳି ପାଟି କରୁଥାଏ ।

ଦୁଇଜଣ ସିପାହୀ ବସନ୍ତକୁ ଦୁଇକଡରୁ ଧରି କଟୁଆଳର ଘୋଡା ପଛେ ପଛେ ଚାଲିଥାନ୍ତି । ସେମାନଙ୍କ ପଛରେ ଆହୁରି ଦୁଇଜଣ ସିପାହୀ ମଧ୍ୟ ଚାଲିଥାନ୍ତି । ଏତିକି ସତର୍କତାର ବି କୌଣସି ଆବଶ୍ୟକତା ନଥିଲା । କାହିଁକିନା ବସନ୍ତ ତ ଅବାଧ୍ୟ ହେବାର କୌଣସି ସୂଚନା ହିଁ ନଥିଲା । ତା’ଛଡା ତା’ର ତ ଦୁଇ ହାତ ଶକ୍ତ ଦୌଡିରେ ବନ୍ଧା ହୋଇଥିଲା ।

କିନ୍ତୁ ହଠାତ୍ ଗୋଟାଏ ଅପ୍ରତ୍ୟାଶିତ ଘଟଣା ଘଟିଲା । କଟୁଆଳ ଥରେ “ବାଟ ଛାଡ” ବୋଲି କହିବା ବେଳକୁ କେହି ଜଣେ ତାକୁ ଘୋଡା ଉପରୁ ଭିଡି ଆଣିଲା । ତା’ପରେ ସେ ତଳେ ଚିତ୍ପଟାଙ୍ଗ ହୋଇ ପଡିଲା । କେହି ଜଣେ ବିଜୁଳି ବେଗରେ ଖଣ୍ଡା ବୁଲାଇ ବସନ୍ତର ବନ୍ଧନ କାଟିଦେଲା ।

ସେ ଆକସ୍ମିକ ଆଗନ୍ତୁକ ବସନ୍ତକୁ କହିଲେ “ଆସ । ଚଟାପଟ ମୋ ଘୋଡା ଉପରେ ମୋ ପଛରେ ବସିଯାଅ!” ବସନ୍ତ ବୁଲିପଡି ଅନାଇ ଦେଖିଲା ବେଳକୁ ମୁହଁ ଉପରେ ଲୁଗା ଢାଙ୍କିଥିବା ଜଣେ ଲୋକ କଟୁଆଳର ଘୋଡାକୁ ଅକ୍ତିଆର କରି ନେଇଛନ୍ତି । ସେ ଘୋଡାକୁ ଟିକିଏ ଆଉଁସି ଦେଇ ତା’ ଉପରକୁ ଉଠିଗଲେ । ବସନ୍ତ ପଛେ ପଛେ ଉଠି ପଡିଲା । ଏହାପରେ ସେ ରହସ୍ୟମୟ ଆଗନ୍ତୁକ ଘୋଡା ଛୁଟାଇ ଦେଲେ ।

ସିପାହୀମାନେ ସ୍ତବ୍ଧ ହୋଇ ଚାହିଁଥାନ୍ତି । ଯେତେବେଳେ କଟୁଆଳର ଆର୍ତ୍ତନାଦ ସେମାନଙ୍କ କାନରେ ପଡିଲା, ସେତେବେଳକୁ ଯାଇ ସେମାନେ ବୁଝିଲେ ଯେ କିଛି କରିବା ଉଚିତ୍ । ଏହିପରି ଭାବି ସେମାନେ ତାକୁ ଧରାଧରି କରି ଉଠାଇ ବସାଇଲେ ।

କଟୁଆଳ ପଚାରିଲା “ମୋତେ ମୋ ଘୋଡା ଉପରୁ କିଏ ଘୋଷାରି ଆଣିଲା? ମୋ ଘୋଡା କାହିଁ?”

ଜଣେ ସିପାହୀ ଜଣାଇଲା “ଘୋଡା? ଘୋଡା ତ ନାହିଁ ଆଜ୍ଞା ।”

କଟୁଆଳ ପ୍ରଶ୍ନକଲା “ନାହିଁ?”

ସିପାହୀ ଉତ୍ତର ଦେଲା “ନାହିଁ ଆଜ୍ଞା । ବନ୍ଦୀ ବି ନାହିଁ ଆଜ୍ଞା!”

କଟୁଆଳ ବିକଳ ଭାବରେ କହିଲା “ନାହିଁ ତ? ତା’ହେଲେ ଜାଣ ଯେ ମୁଁ ବି ନାହିଁ ବୋଲି! ମୋର କାଳ ହୋଇଗଲା ।” ତା’ ଦେହରେ ଅସହ୍ୟ ଯନ୍ତ୍ରଣା ଯୋଗୁଁ ସେ ଆଉ ଅଧିକ କିଛି ବି କହିପାରିଲା ନାହିଁ ।

ଏଣେ ସେ ରହସ୍ୟମୟ ଆଗନ୍ତୁକ ଜଣକ ବଣ ଭିତରକୁ ଯାଇ ଘୋଡାରୁ ଓହ୍ଲାଇଲେ । ଆଗରେ ଗୋଟିଏ ଗୁମ୍ଫା । ବସନ୍ତକୁ ସେ ଧରି ଓହ୍ଲାଇ ଆଣିଲେ ।

ବସନ୍ତ କୃତଜ୍ଞ କଣ୍ଠରେ ତାଙ୍କୁ କହିଲା “ଆପଣ ମୋତେ ସେଠାରୁ ନେଇ ଆସି ନଥିଲେ ଏତେବେଳକୁ ମୁଁ ମରି ସାରନ୍ତିଣି ।”

      ସେ ରହସ୍ୟମୟ ଆଗନ୍ତୁକ କହିଲେ “ତାହା ତ ଠିକ୍ । ହେଲେ ତମର ଅପରାଧ କ’ଣ?”

      ତା’ପରେ ବସନ୍ତ କହିଲା, “ମୁଁ ରାଜା ଶାନ୍ତିଦେବଙ୍କର କ’ଣ ହେଲା, ସେତକ ଜାଣିବାକୁ ଚାହିଁଥିଲି । ସେନାପତି ବୀରସିଂହ କିପରି ରାତାରାତି ସିଂହାସନ ପାଇଗଲେ? ମୋ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ସେମାନେ ମୋତେ ବନ୍ଦୀ କଲେ । ଗତ ରାତିରେ କୁଆଡେ ତିନିଜଣ ପ୍ରହରୀଙ୍କୁ କେହି ଜଣେ ହତ୍ୟା କରିଛି । ବୀରସିଂହର ଧାରଣା ତା’ ବିରୁଦ୍ଧରେ ଗୋଟାଏ ଚକ୍ରାନ୍ତ ଚାଲିଛି ଓ ମୁଁ ସେ ଚକ୍ରାନ୍ତ ସହ ସଂଶ୍ଲିଷ୍ଟ । ସେଥିପାଇଁ ସେମାନେ ମୋତେ ବଧ କରି ଅନ୍ୟମାନଙ୍କୁ ଚେତାବନୀ ଦେବାର ସିଦ୍ଧାନ୍ତ ନେଇଥିଲେ ।”

      ଆଗନ୍ତୁକ ପଚାରିଲେ “କିନ୍ତୁ ତମେ ରାଜା ଶାନ୍ତିଦେବଙ୍କ ପାଇଁ କାହିଁକି ଏଡେ ଚିନ୍ତିତ?”

      ତହୁଁ ବସନ୍ତ ଉତ୍ତର ଦେଲା “କାରଣ ଲୋକଙ୍କ ମତରେ ତାଙ୍କଠୁଁ ଉତ୍ତମ ରାଜା କେବେ ବି ରାଜୁତି କରି ନଥିଲେ । ସେ କୁଆଡେ ସମସ୍ତଙ୍କ ପ୍ରତି ସଦୟ ଥିଲେ । ଏସବୁ ପାଇଁ ଲୋକେ ତାଙ୍କୁ ପିତା ବୋଲି ମଧ୍ୟ ଜ୍ଞାନ କରୁଥିଲେ । ବୀରସିଂହ ତ ନିଷ୍ଠୁର ପ୍ରକୃତିର ବ୍ୟକ୍ତି ବୋଲି ସମସ୍ତେ ଜାଣନ୍ତି । ସିଂହାସନ ପାଇବା ମାତ୍ରେ ସେ ଦୁର୍ଦ୍ଦାନ୍ତ ଭଳି ବ୍ୟବହାର କରୁଛି ।”

ବସନ୍ତର କଥା ଶୁଣି ସେ ଆଗନ୍ତୁକ କହିଲେ “ବେଶ୍ । ତାହେଲେ ଆମେ ସେ ଦୁର୍ଦ୍ଦାନ୍ତ ଓ ନିଷ୍ଠୁର ବୀରସିଂହ ବିରୁଦ୍ଧରେ କାମ କରିବା । କିନ୍ତୁ ଜଣେ ଦୁଇଜଣ ବିଶେଷ କିଛି ବି କରିପାରିବେ ନାହିଁ । ତେଣୁ ଆମକୁ ସେ ବୀରସିଂହ ବିରୁଦ୍ଧରେ ଗୋଟାଏ ସଂଗଠନ କରିବାକୁ ହେବ ।”

ବସନ୍ତ ପଚାରିଲା “ସେ ତିନିଜଣ ପ୍ରହରୀଙ୍କୁ କ’ଣ ଆପଣ ହତ୍ୟା କରିଛନ୍ତି?”

“ହଁ । ସେମାନେ ପ୍ରହରୀ ଚାକିରୀରେ ଥାଇ ପାରନ୍ତି, କିନ୍ତୁ ସେତେବେଳେ ସେମାନେ ଘାତକ ଭାବରେ ଜଣେ ନିରୀହ ଲୋକଙ୍କୁ ହତ୍ୟା କରିବାକୁ ଯାଉଥିଲେ । ସେ ଲୋକ ଆଉ କେହି ନୁହେଁ, ସେ ହେଲେ ରାଜା ଶାନ୍ତିଦେବଙ୍କର ବୃଦ୍ଧ ମନ୍ତ୍ରୀ । ସେ ଘାତକମାନଙ୍କୁ ମାରିବା ମୋର ପ୍ରକୃତ ଉଦ୍ଧେଶ୍ୟ ନଥିଲା । ବରଂ ମୋର ମୁଖ୍ୟ ଉଦ୍ଧେଶ୍ୟ ମନ୍ତ୍ରୀଙ୍କୁ ବଂଚାଇବା ଥିଲା । କିନ୍ତୁ ଘାତକମାନଙ୍କୁ ମାରି ନଥିଲେ ମନ୍ତ୍ରୀଙ୍କୁ କଦାପି ମଧ୍ୟ ବଂଚାଇ ହୋଇ ନଥାନ୍ତା । ଅଯଥା ରକ୍ତପାତର ପକ୍ଷପାତୀ ମୁଁ ବି ନୁହେଁ । ବିନା ରକ୍ତପାତରେ ତମକୁ ରକ୍ଷା କରାଯାଇ ପାରିଲା, ଏଥିପାଇଁ ମୁଁ ଆନନ୍ଦିତ । ଆମକୁ ସାହସର ସହ କାମ କରିବାକୁ ହେବ, କିନ୍ତୁ ସାହସ ସହ ସାବଧାନତା ମଧ୍ୟ ଆବଶ୍ୟକ । ଆମେ ଗୋଟାଏ ମହତ୍ ଉଦ୍ଧେଶ୍ୟ ନେଇ କାମ କରୁଛୁ । ଏକଥା ଭୁଲିଗଲେ ତ ଆଉ ଚଳିବ ନାହିଁ । ଶୁଣ । ତମେ ଏବେ ଆଉ କାଳ ବିଳମ୍ବ ନ କରି ଏ ବଣ ପଥରେ ଅମୃତପୁର ଚାଲିଯାଅ । ଅମୃତପୁର ସହରର ପଶ୍ଚିମ ପ୍ରାନ୍ତରେ ଗୋଟିଏ କାଳୀ ମନ୍ଦିର ଅଛି । ଆମେ ସେହିଠାରେ ହିଁ ପରସ୍ପର ଭେଟିବା ।”

ଏହା କହି ସେ ରହସ୍ୟମୟ ବ୍ୟକ୍ତି ଗୁମ୍ଫା ଭିତରୁ କିଛି ଫଳମୂଳଆଣି ବସନ୍ତକୁ ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ