ଦସ୍ୟୁ ରାଜକୁମାର

ରାଜପୁତ୍ର ସନ୍ଦୀପ ଗଭୀର ମନୋଯୋଗ ସହକାରେ ସନ୍ନ୍ୟାସୀଙ୍କ କଥା ଶୁଣୁଥାନ୍ତି । ଗଛଲତା ପଶୁପକ୍ଷୀଙ୍କୁ ସେ ଅଧିକରୁ ଅଧିକ ଭଲ ପାଇବାକୁ ଶିଖୁଥାନ୍ତି ।

ସନ୍ନ୍ୟାସୀ ଆହୁରି ବି କହୁଥାନ୍ତି, “ପୁଅ! ଆଉ ଗୋଟାଏ କଥା ଲକ୍ଷ୍ୟ କରୁଥିବୁ । ଏ ଗଛମାନେ ଆମକୁ ଏତେ ଦିଅନ୍ତି, ଅଥଚ ସେମାନେ ଆମଠୁଁ କେବେ କିଛିବି ଆଶା କରନ୍ତି ନାହିଁ । ତୁ ଫଳଟିଏ ବା ଫୁଲଟିଏ ତୋଳି ନେ । ବଦଳରେ ଗଛଲତା କିଛି ମାଗିବେ ନାହିଁ । ଦେବାରେ ସେମାନଙ୍କ ଆନନ୍ଦ । ଆମ ଆନନ୍ଦରେ ସେମାନଙ୍କ ଆନନ୍ଦ । ମଣିଷ ଯଦି ପ୍ରକୃତିର ଏହି ଗୁଣ ଆୟତ କରି ପାରନ୍ତା, ତେବେ ସମାଜ ସ୍ୱର୍ଗରେ ପରିଣତ ହୁଅନ୍ତା ।”

ସୂର୍ଯ୍ୟାସ୍ତ ବେଳେ ସନ୍ନ୍ୟାସୀ ରାଜପୁତ୍ରଙ୍କୁ ପାହାଡ ଉପରକୁ ନେଇ ଯାଉଥିଲେ । କ୍ରମେ ନକ୍ଷତ୍ରମାନେ ଫୁଟି ଉଠିଲେ, ସନ୍ନ୍ୟାସୀ ସେମାନଙ୍କ ନାମ ଓ କିମ୍ବଦନ୍ତୀ ବର୍ଣ୍ଣନା କରୁଥିଲେ ।

ଏହିପରି ଭାବରେ ସେ ଶିଶୁ ରାଜପୁତ୍ର ଜନତା ଓ ରାଜଧାନୀର କୋଳାହଳଠୁଁ ବହୁ ଦୂରରେ ଥିବା ନିର୍ଜନ ବଣରେ ବଢୁଥାନ୍ତି । ରାମ, କୃଷ୍ଣ, ନଚିକେତା, ଧ୍ରୁବ – ଏମାନଙ୍କ କାହାଣୀ ଶୁଣି ରାଜପୁତ୍ର ବୁଝିଲେ ଯେ ପ୍ରତ୍ୟେକ ଶିଶୁର ବାପା ମା ଥା’ନ୍ତି । ସେ ଦିନେ ସନ୍ନ୍ୟାସୀଙ୍କୁ ପଚାରିଲେ, “ମୋ ବାପା କିଏ, ମା’ କିଏ?”

ସନ୍ନ୍ୟାସୀ ତାଙ୍କୁ ବୁଝାଇ ଦେଲେ “ଶିଶୁଟିଏ ପାଇଁ ବାପା ମା’ କାହିଁକି ଲୋଡା ହୁଅନ୍ତି? ସେମାନଙ୍କ ଜରିଆରେ ଭଗବାନଙ୍କ ସ୍ନେହ ପ୍ରେମ ତା’ ପାଖକୁ ଝରି ଆସିବ ବୋଲି । କିନ୍ତୁ ତୁ ସାଧାରଣ ଶିଶୁ ନୋହୁଁ । ସିଧାସଳଖ ଭଗବାନଙ୍କ ସ୍ନେହ ପ୍ରେମ ଅନୁଭବ କରିବାର ଶକ୍ତି ତୋଠି ଅଛି ।”

ତାଙ୍କର ଏଭଳି କଥାରେ ସେ ରାଜପୁତ୍ରଙ୍କ ମୁହଁରେ ସମ୍ଭ୍ରମ ଭରା ସ୍ମିତ ହସ ଫୁଟି ଉଠିଲା । ସେ କହିଲେ, “ମୋର ବି ବାପା ମା’ ଅଛନ୍ତି ଓ ଭଗବାନଙ୍କ ସ୍ନେହ ପ୍ରେମ ସେମାନଙ୍କ ଭିତରଦେଇ ମୋ ପାଖରେ ଆସି ପହଁଚୁଛି । ତୁମେ ମୋ ବାପା; ପ୍ରକୃତି ମୋ ମା’ ।”

ଏକଥା ଶୁଣି ସେ ସନ୍ନ୍ୟାସୀ ହସିଲେ ଓ କହିଲେ, “ବାପା! ତୁ ଜ୍ଞାନୀ । ମୁଁ ଆଶୀର୍ବାଦ କରୁଛି – ତୁ ଯେପରି ସବୁ ପରିସ୍ଥିତିରେ ଭଗବାନଙ୍କ ସ୍ନେହାଶୀଷର ସ୍ପର୍ଶ ଅନୁଭବ କରିବାକୁ ସକ୍ଷମ ହେଉ!”

“କପାଳଚାନ୍ଦ!” ବୀରସିଂହ ବିକଟ କଣ୍ଠରେ ତା’ ସେନାପତିକୁ ଡାକିଲା ଓ କହିଲା, “ମୁଁ ଇଏ କ’ଣ ସବୁ ଶୁଣୁଛି? ଆମ ସିପାହୀ ସାନ୍ତ୍ରୀମାନଙ୍କୁ ହଇରାଣ ହରକତ କରୁଛନ୍ତି – ଆମ ଲୋକଙ୍କଠୁଁ ଜିନିଷପତ୍ର ଛଡେଇନେବାକୁ ସେମାନେ କିଏ, ଏଡେ ସାହସ ସେମାନଙ୍କର କୋଉଠୁ ଆସିଲା?”

ବୀରସିଂହ ଦରବାରରେ ବସି ରାଗରେ ଥରୁଥାଏ । ତା’ ସିପାହୀମାନେ କୃଷକମାନଙ୍କଠୁଁ ଧାନ ଜବଦ କରି ବୋହି ନେଲାବେଳେ ବାରମ୍ବାର ବିଦ୍ରୋହୀ ଯୁବକମାନେ ସେମାନଙ୍କ ଉପରକୁ ଝାମ୍ପଦେଇ ଧାନତକ ତାଙ୍କଠାରୁ ଛଡାଇନେଇ ଗାଁ ଲୋକଙ୍କ ଭିତରେ ବାଂଟିଦେବାର ସମ୍ବାଦ ମିଳୁଥାଏ ।

ବୀରସିଂହ ତା’ କଣ୍ଠସ୍ୱର ଚଢାକରି ଧମକ ଦେଲା “ଆମେ ସେ ବିଦ୍ରୋହୀମାନଙ୍କୁ କାବୁ କରିବା ଉଚିତ୍ । ସେମାନଙ୍କୁ କଠୋର ଦଣ୍ଡ ଦେବା ଉଚିତ୍ । ଯିଏ ସେମାନଙ୍କୁ ସାହାଯ୍ୟ କରିବ, ସେମାନଙ୍କୁ ମଧ୍ୟ ଖତମ୍ କରିଦେବା ଦରକାର । କିନ୍ତୁ ସେଥିରେ ଅନ୍ୟଥା କାହିଁକି ହେଉଛି?”

କିନ୍ତୁ କପାଳଚାନ୍ଦ କିଛି ଉତ୍ତର ଦେବା ପୂର୍ବରୁ ଝରକା ଭିତରଦେଇ ସାଇଁକିନା ତୀରଟିଏ କାହୁଁ ଆସି କାନ୍ଥ ଦେହରେ ବାଜି ତଳେ ପଡିଲା । ସେହି ତୀରର ମୂନ ତୀକ୍ଷ୍ନ ନଥିଲା । ସେଥିରେ ଖଣ୍ଡିଏ କନା ଗୁଡା ହୋଇଥିଲା । ସେଭଳି ତୀର କାହାକୁ ମଧ୍ୟ ଆଘାତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ । ସାଧାରଣତଃ ସେଥି ଯୋଗେ କିଛି ବାର୍ତ୍ତା ଆସିଥାଏ ।

ଏସବୁ ଘଟଣା ଦେଖି ବୀରସିଂହ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଠିଆ ହୋଇ ପଡିଲା । ତାଙ୍କ ସହିତ ପାତ୍ର ମିତ୍ର ସମସ୍ତେ ଠିଆ ହୋଇ ପଡିଲେ । କପାଳଚାନ୍ଦ ତୀରଟି ଉଠାଇ ଆଣିବାକୁ ଯାଉଥିଲା ।

ବୀରସିଂହ ଧମକ ଦେଲା “ବୁଦ୍ଧୁ ଭଳି କାମ କରନାହିଁ!”

ଏକଥା ଶୁଣି କପାଳଚାନ୍ଦ ହଠାତ୍ ସ୍ତବ୍ଧ ହୋଇ ରହିଗଲା । ଯେତେହେଲେ ସେ ସେନାପତି । ପୁରା ଦରବାର ଭିତରେ ତାକୁ ବୁଦ୍ଧୁ ବୋଲି କୁହାହେଲା । ଏହା ତାକୁ କିପରି ବା ସୁଖକର ଲାଗନ୍ତା?

ବୀରସିଂହ ହାତ ଦେଖାଇ ନିର୍ଦେଶ ଦେଲା “ତୀର କିଏ ମାରିଛି, ଆଗେ ଦୌଡିଯାଇ ସେକଥା ଦେଖ! ନଅରର ଏତେ ପାଖକୁ ଆସି ଝରକା ଲକ୍ଷ୍ୟ କରି ତୀର ମାରିପାରିବା କିଛି କମ୍ ସାହସ ଓ ଔଦ୍ଧତ୍ୟର କଥା ନୁହେଁ । ତାକୁ ଯଦି ଆମ ଦୁର୍ଗରକ୍ଷୀମାନେ ଧରିଥିବେ ତ ଭଲ କଥା । ନହେଲେ ସଙ୍ଗେ ସଙ୍ଗେ ତାକୁ ଧରିବାର ଚେଷ୍ଟା କର । ଦୌଡ! ଦୌଡ!!”


ଗପ ସାରଣୀ

ତାଲିକାଭୁକ୍ତ ଗପ