ଦସ୍ୟୁ ରାଜକୁମାର

କପାଳଚାନ୍ଦ ତତ୍କ୍ଷଣାତ୍ ଦରବାରରୁ ବାହାରିଗଲା । ଆଉ କେତେଜଣ ରାଜକର୍ମଚାରୀ ମଧ୍ୟ ତାକୁ ଅନୁସରଣ କଲେ ।

ବୀରସିଂହ କହିଲା “ବର୍ତ୍ତମାନ ଦେଖାଯାଉ – ତୀର କି ସନ୍ଦେଶ ଆଣିଛି ।”

ରାଜାଦେଶ ପାଳନ କରିବାକୁ ଯାଇ ଜଣେ ଅମାତ୍ୟ ତୀରଟି ଉଠାଇ ଆଣି, କନା ଖଣ୍ଡିକ ଖୋଲି ତହିଁ ଭିତରେ ଥିବା ଭୁର୍ଜପତ୍ର ବାହାର କଲେ । ବୀରସିଂହ ତାହା ନେଇ ପଢିଲା । ସେଥିରେ ଲେଖାଥିଲା:

“ବୀରସିଂହ! ଆମେ ତମ ସିପାହୀମାନଙ୍କୁ ମୋଟେ ହଇରାଣ ହରକତ କରୁନାହୁଁ କି ସେମାନଙ୍କଠୁଁ କିଛି ଜିନିଷପତ୍ର ମଧ୍ୟ ଛଡାଇ ନେଉନାହିଁ । ସତ୍ୟ ହେଲା, ତମ ସିପାହୀମାନେ ନିରୀହ ଓ ନିଃସହାୟ କୃଷକମାନଙ୍କଠୁଁ ସେମାନଙ୍କ କଷ୍ଟାର୍ଜିତ ଧାନ ଚାଉଳ ଛଡାଇ ନେଉଛନ୍ତି । ଚନ୍ଦ୍ରହାଟକୁ ଧାନ ଚାଉଳ ରପ୍ତାନି କରି ସେଠାରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରିବା ତମର ଉଦ୍ଧେଶ୍ୟ । କିନ୍ତୁ ଜନସାଧାରଣ ଅସ୍ତ୍ରଶସ୍ତ୍ର ଖାଇ ବଂଚନ୍ତି ନାହିଁ; ଧାନ ଚାଉଳ ଉପରେ ସେମାନଙ୍କ ଜୀବନ ନିର୍ଭର କରେ । ତେଣୁ ଆମ୍ଭେମାନେ ବାଧ୍ୟ ହୋଇ ତମ ସିପାହୀମାନେ ଲୁଣ୍ଠନ କରିନେଇଥିବା ଧାନ ଚାଉଳ ସେମାନଙ୍କଠାରୁ ଛଡାଇ ଆଣୁଛୁ । ନହେଲେ ଏ ରାଜ୍ୟରେ ଦୁର୍ଭିକ୍ଷ ପଡିବ ।”

ଏହା ଶୁଣି ସମସ୍ତେ ଚୁପ୍ଚାପ୍ ବସି ରହିଲେ । ବୀରସିଂହ ଦରବାର କକ୍ଷର ମୂଖ୍ୟ ପ୍ରବେଶ ପଥ ଉପରେ ଦୃଷ୍ଟି ନିବଦ୍ଧ କରି ବସିଥାଏ । ତୀର କ୍ଷେପଣ କରିଥିବା ଦୁଷ୍ଟକୁ ଧରି କପାଳଚାନ୍ଦ ଫେରି ଆସିବ, ସମସ୍ତେ ଏହି ଆଶା କରୁଥାନ୍ତି । କିନ୍ତୁ କପାଳଚାନ୍ଦର ଦେଖା ନଥାଏ । ବୀରସିଂହର ମୁହଁ ରାକ୍ଷସ ଭଳି ବିକଟ ହୋଇ ଆସୁଥାଏ । ସେ କହିଲା, “ଏଠି, ଦରବାର ଭିତରେ, ନିଶ୍ଚୟ ଶତ୍ରୁ ପକ୍ଷର କୌଣସି ଗୁପ୍ତଚର ଥିଲା । ବିଦ୍ରୋହୀମାନେ ଆମ ସିପାହୀମାନଙ୍କୁ ହଇରାଣ କରୁଥିବା ବିଷୟ ଆମେ ଆଲୋଚନା କରୁଥିବାର ଶୁଣି ସେ ବାହାରି ଯାଇ ନିଜେ ଏ ଚିଠି ଲେଖି ତୀର ଦ୍ୱାରା ପଠାଇଛି କିମ୍ବା ଆଉ କାହାକୁ କହିବା ଦ୍ୱାରା ସେ ଏ କାମ କରିଛି । ଏହା ବାସ୍ତବିକ ଆଶ୍ଚର୍ଯ୍ୟର କଥା ବରଂ ଭୀଷଣ ସାଂଘାତିକ କଥା । ସେ ଦୁଷ୍ଟକୁ ଘୋଷାଡି ଆଣ! ନା, ଘୋଷାଡି ନଆଣି ମାରି ପକାଅ! ନା, ନା, ରୁହ, ମାରିପକାଅ ନାହିଁ । ପ୍ରଥମେ ତାଠୁଁ ଶତ୍ରୁ ପକ୍ଷ ସମ୍ପର୍କରେ ସବୁ କଥା ବାହାର କରିନିଅ ।”

ଦରବାର ଭିତରେ ବୁଦ୍ଧି ବିବେକ ଥିବା ଲୋକ କମ୍ ଥିଲେ । ଯେଉଁ କେତେଜଣ ଥିଲେ, ସେମାନେ ବୁଝିଲେ, ବୀରସିଂହ ବାତୁଳ ଭଳି ଗପୁଛି । ଘୋଷାଡି ଆଣିବା, ମାରି ପକାଇବା, କଥା ବାହାର କରିବା, ଏସବୁ ତ ପର କଥା । ପ୍ରଥମେ ସେ ତୀରନ୍ଦାଜର ସନ୍ଧାନ ମିଳିବା ଉଚିତ୍ ।

ଦେଖାଗଲା, କପାଳଚାନ୍ଦ ଓ ତାକୁ ଅନୁସରଣ କରିଥିବା କର୍ମଚାରୀମାନେ ଫେରି ଆସୁଛନ୍ତି ।

ବୀରସିଂହ ଅଧୈର୍ଯ୍ୟ ଭାବରେ ପ୍ରଶ୍ନ କଲା “କାହିଁ ସେ ଦୁଷ୍ଟ ତୀରନ୍ଦାଜ? ତାକୁ କ’ଣ ମାରି ପକାଇଲ?”

କପାଳଚାନ୍ଦ ନିଜ କପାଳରୁ ସ୍ୱେଦ ପୋଛି ଜଣାଇଲା “ନା ଆଜ୍ଞା, ଦୁଷ୍ଟ କୁଆଡେ ପଳାଇଗଲା । ସେ ତୀର ମାରିବା ବେଳେ ଜଣେ ଦୁର୍ଗ ରକ୍ଷୀ ତାକୁ ଦେଖିପକାଇ ତା’ ଆଡେ ଦୌଡିଲା । କିନ୍ତୁ ଲୋକଟି ତୀର ମାରି ଘୋଡା ଚଢି ଚମ୍ପଟ ଦେଲା ।” ଅବଶ୍ୟ ଏକଥା କହିବାବେଳେ ସେ ଭୟରେ ଥରୁଥାଏ ।

“ଚମ୍ପଟ ଦେଲା? କିପରି? ଆମ ରକ୍ଷୀମାନଙ୍କର କ’ଣ ଘୋଡା ନଥିଲେ?” ଏଭଳି କଥା କହିବା ବେଳେ ବୀରସିଂହର କଣ୍ଠ ଭୀଷଣ କର୍କଶ ହୋଇ ଉଠୁଥିଲା ।

                କପାଳଚାନ୍ଦ ଜଣାଇଲା “ହଜୁର୍! ରକ୍ଷୀଟି ଘୋଡାଶାଳକୁ ଯାଇ ଘୋଡା ବାହାର କରି ଲୋକଟିର ଅନୁଧାବନ କରିବାକୁ ଗଲା ଯେ, ମାତ୍ର ସେତେବେଳକୁ ସେ ଲୋକଟି କୁଆଡେ ଅଦୃଶ୍ୟ ହୋଇ ଯାଇଥିଲା ।”

                ବୀରସିଂହ ବିଦ୍ରୁପ କରି ପୁଣି କହିଲା “ଅଦୃଶ୍ୟ ହୋଇଗଲା? ସେ କ’ଣ ଭୂତ?”

                ବୀରସିଂହ ଆଦେଶ ଦେଲା “ସେ ରକ୍ଷୀକୁ ପ୍ରାଣଦଣ୍ଡ ଦିଅ । ହଁ, ରୁହ, ରୁହ, ସେ ଘୋଡାଟିକୁ ମଧ୍ୟ ପ୍ରାଣଦଣ୍ଡ ଦିଅ!”

                ଏକଥା ଶୁଣି ଉପସ୍ଥିତ ଅମାତ୍ୟ ଓ କର୍ମଚାରୀମାନେ ପରସ୍ପର ପରସ୍ପରକୁ ଅନାଇଲେ । ସେମାନେ ଭାବିଲେ ବୀରସିଂହର ମୁଣ୍ଡ ଠିକ୍ ଅଛି ତ? କେହି କେହି ସନ୍ଦେହ କଲେ – ବୋଧେ ଠିକ୍ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ