ଦସ୍ୟୁ ରାଜକୁମାର

“କ’ଣ ହେଲା!” ଏତିକିରେ ରାଗରେ ବୀରସିଂହର ପାଟି ଖନି ବାଜିଲା । ସେ ଗୋଟାପଣେ ଥରି ଥରି କହିଲା, “ମୁଁ ଶଙ୍କର ବର୍ମାଙ୍କୁ ଚୂନା କରିଦେବି । ମୁଁ ସୁକନ୍ୟାକୁ ବି ଚିରି ପକାଇବି । ଜୟନଗରର ସବୁ ଘରଦ୍ୱାର ପାଉଁଶ କରି ଛାଡିବି । ସେଠାକାର ଆବାଳବୃଦ୍ଧବନିତାଙ୍କୁ ମୁଁ ମାରି ପକାଇବି । ଏମିତିକାକି ଗୋରୁଗାଈଙ୍କୁ ବି ଏଥିରୁ ନିସ୍ତାର ମିଳିବ ନାହିଁ ।”

ଦୂତ କହିଲା “ଭାରି ଭଲ ହେବ, ମହାରାଜ!”

ବୀରସିଂହ କେତେ ଢୋକ ପାଣି ପିଇବା ପରେ ଯାଇ ଟିକିଏ ଥଣ୍ଡା ହେଲା । ତା’ପରେ ଜବର୍ସେନ୍ ଓ ଅନ୍ୟ କେତେଜଣ ବିଶ୍ୱସ୍ତ ଅନୁଚରଙ୍କୁ ଡାକି ସେ ଘୋଷଣା କଲା, “ଜୟନଗର ଆକ୍ରମଣ ପାଇଁ ଶୀଘ୍ର ବ୍ୟବସ୍ଥା କର!”

ଜବର୍ସେନ୍ କହିଲା “ଜୟନଗର ଅବିଳମ୍ବେ ଆମ ରାଜ୍ୟର ଅଂଶବିଶେଷ ହୋଇଯିବ । କେହି ପ୍ରତିରୋଧ କରିବାର ଆଶଙ୍କା ନାହିଁ । ଜୟନଗର ଅଧିକାର କରିବା ଫଳରେ ଆମ ସୈନ୍ୟମାନେ ଉତ୍ସାହିତ ହେବେ ।”

ବୀରସିଂହ କହିଲା “ବେଶ୍ । ଅନେକଦିନ ହେଲା ଖାଲି ଦରମା ଛଡା ଆମ ସୈନ୍ୟମାନେ ଆଉ କିଛିବି ପାଇ ନାହାଁନ୍ତି । ସେମାନେ ଜୟନଗର ଭିତରକୁ ମାଡିଯାଇ ଯାହା ପାଇବେ ତାହା ନେଇ ପାରନ୍ତି । ଅବଶ୍ୟ ଧନରତ୍ନ ଆମକୁ ଦେଇଦେବା ଦରକାର । ହେଲା?”

“ହେଲା ମହାରାଜ!”

ଜବର୍ସେନ୍ର ଏଭଳି ଉତ୍ସାହ ଯେ ଅର୍ଥହୀନ, ସେକଥା ସମସ୍ତେ ଭୁଲି ଯାଇଥିଲେ । ଜୟନଗରର ସୈନ୍ୟବାହିନୀ ନଥିବା ଦୃଷ୍ଟିରୁ ଯୁଦ୍ଧ ହେବାର କୌଣସି ସମ୍ଭାବନା ନଥିଲା । ଯୁଦ୍ଧ ନହେଲେ ଜୟ ପରାଜୟର ପ୍ରଶ୍ନ କାହିଁ? ବିଜୟ ନହେଲେ ବା ସୈନ୍ୟମାନେ ଉତ୍ସାହିତ ହେବାର ପ୍ରଶ୍ନ କାହିଁ? ସେମାନେ ଯାହା କରିବାକୁ ଯାଉଥିଲେ, ତାହା ତୁଚ୍ଛା ଲୁଣ୍ଠନ, ଯୁଦ୍ଧ ନୁହେଁ ।

ଉତ୍ତେଜନା ଉପରେ ବୀରସିଂହ ଆଉ ଗୋଟାଏ କଥା ଭୁଲି ଯାଇଥିଲା । ଜୟନଗରର ନିଜର ସୈନ୍ୟଦଳ ସିନା ନଥିଲେ ସାମନ୍ତରାଜା ଶଙ୍କର ବର୍ମା ଅମୃତପୁରର ସାହାଯ୍ୟ ଭିକ୍ଷା କଲେ କ’ଣ ହେବ?

ଉତ୍ତେଜନା ପ୍ରଶମିତ ହେବା ମାତ୍ରେ ବୀରସିଂହ ମନକୁ ସେ ପ୍ରଶ୍ନ ବାରମ୍ବାର ଆନ୍ଦୋଳିତ କଲା ।

ଜବର୍ସେନ୍ ସୈନ୍ୟଦଳ ପ୍ରସ୍ତୁତ କରିବାକୁ ବାହାରି ଯିବା ମାତ୍ରେ ବୀରସିଂହ ତାର ନୂଆ ଉପଦେଷ୍ଟା ଯାଦୁକରକୁ ଡକାଇଲା । ନିଜ ଯୋଜନା ତାକୁ ଅବଗତ କରାଇ ସେ ପଚାରିଲା, “ଯାଦୁକର, ଏମିତି କିଛି ଉପାୟ ଅଛି ଯାହା ଦ୍ୱାରା ଆମ ସୈନ୍ୟଦଳଙ୍କ ସାହସ ବହୁତ ବଢିବ? ସେମାନେ ଯେମିତି ମୋଟେ ପଛଘୁଞ୍ଚା ଦେବେ ନାହିଁ, ମୁଁ ଏକଥା ଚାହେଁ ।”

ଯାଦୁକର ନିଜ ଦାଢୀ ଆଉଁସି କହିଲା, “ମହାରାଜ, ମୁଁ ଗୋଟାଏ ବଢିଆ ଉପାୟ ଜାଣେ । ଘୋଡାମାନଙ୍କ ଦାନାରେ ମୁଁ ଗୋଟାଏ ଦୁର୍ଲଭ ଔଷଧ ମିଶାଇ ଦେବି । ଫଳରେ ସେମାନଙ୍କ ସାହସ ଭୀଷଣ ମାତ୍ରାରେ ବଢିଯିବ । ତା’ପରେ ତ ସେମାନେ ମୋଟେ ପଛଘୁଞ୍ଚା ଦେବେ ନାହିଁ । ଘୋଡା ପଛଘୁଞ୍ଚା ନ ଦେଲେ ଘୋଡ୍ସବାର୍ କିପରି ପଛଘୁଞ୍ଚା ଦେବ?”

“ବାଃ” ଏହା କହି ବୀରସିଂହ ଅତ୍ୟଧିକ ଖୁସି ହୋଇଗଲା ।

ଅଭିଯାନ ପାଇଁ ଯୋଗାଡଯନ୍ତ୍ର ଆରମ୍ଭ ହୋଇଗଲା । ତେବେ ସମସ୍ତେ ପ୍ରସ୍ତୁତ ହୋଇସାରିବା ବେଳକୁ ମଧ୍ୟାହ୍ନ । ବୀରସିଂହ ନିଜେ ସେ ସୈନ୍ୟଦଳର ନେତୃତ୍ୱ ନେଲା । ଜବର୍ସେନ୍ ହେଲା ପ୍ରଧାନ ସହକାରୀ । ସୀମାନ୍ତରେ ପହଁଚିବା ବେଳକୁ ସଂଧ୍ୟା । ଯାଦୁକର କହିଲା, “ମହାରାଜ, ରାତିକ ଏଇଠି ତମ୍ବୁ ପକାଇବା । ଏଇଠି ଘୋଡାଙ୍କ ଦାନାରେ ଯାଦୁ ଔଷଧ ମିଶାଇବା । ସକାଳ ହେବା ବେଳକୁ ଗୋଟାଏ ଗୋଟାଏ ଘୋଡା ପାଞ୍ଚ ପାଞ୍ଚଟା ଘୋଡାଠୁଁ ବଳିୟାନ ହେବେ ।”

ବୀରସିଂହ କହିଲା “ହଁ, ସକାଳେହିଁ ଆକ୍ରମଣ ଆରମ୍ଭ କରିବା । ତା’ହେଲେ କାମ ସୁରୁଖୁରୁରେ ଶେଷ କରିବା ନିମନ୍ତେ ଆମକୁ ପୁରା ଦିନଟିଏ ମିଳିବ ।”

ଘୋଡାଙ୍କ ଦାନା ସହିତ ଯାଦୁକର ଯାହା ମିଶାଇବାର ତାହା ମିଶାଇଲା । ଘୋଡାମାନେ ସେ ଦାନା ଖାଇଲେ । ବୀରସିଂହ ଶେଷଥର ପାଇଁ ଶଙ୍କର ବର୍ମା ପାଖକୁ ଆତ୍ମସମର୍ପଣ କରିବାର ନିର୍ଦେଶ ଦେଇ ଦୂତ ପଠାଇଲା । ଦୂତ ପୁଣି ଚାପୁଡା ଖାଇଲା ଭଳି ମୁହଁ କରି ସେଠାରୁ ଫେରି ଆସିଲା ।

ସକାଳ ହେବା ମାତ୍ରେ ବୀରସିଂହ ତା’ ସୈନ୍ୟଦଳକୁ ନିର୍ଦେଶ ଦେଲା, “ଯାଇ ଶଙ୍କର ବର୍ମାର ପ୍ରାସାଦ ଘେରାଉ କର । ମନେରଖ, ଆମ ଘୋଡାମାନେ ଯାଦୁ ଔଷଧ ଖାଇଛନ୍ତି । ତେଣୁ ବିଜୟ ଆମର ନିଶ୍ଚିତ ।”

ବୀରସିଂହ ଓ ଜବର୍ସେନ୍ ଘୋଡା ଛୁଟାଇ ଦେଲେ । ଘୋଡସବାର ସୈନ୍ୟମାନେ ସେ ଦୁହିଁଙ୍କୁ ଅନୁସରଣ କଲେ ।

କିନ୍ତୁ ଘୋଡାକୁ ଆୟତ କରିବା ଭାରି କାଠିକର ପାଠ ହେଲା । ଏସବୁ ଘଟଣା ଦେଖି ବୀରସିଂହ ତ ପ୍ରଥମେ ଭାରି ଖୁସି ହୋଇଗଲା । ଘୋଡାମାନେ ବହୁତ ବଳଶାଳୀ ହୋଇ ଯାଇଛନ୍ତି ବୋଲି ସେ ଧରିନେଲା । କିନ୍ତୁ ହଠାତ୍ ସବୁ ଘୋଡା ଅସ୍ୱାଭାବିକ ରୀତିରେ ହ୍ରେସାରବ କରିବାର ଶୁଣି ସେ ଚିନ୍ତିତ ହେଲା । ପଛକୁ ବୁଲି ସେ ଦେଖିଲା, ତା’ ସୈନ୍ୟମାନେ ଘୋଡାମାନଙ୍କୁ ଆୟତରେ ରଖିବାକୁ ଚେଷ୍ଟା କରି ନାକେଦମ୍ ହେଉଛନ୍ତି ।

ବୀରସିଂହ ପାଟିକରି କହିଲା “ଆଗକୁ ଚାଲ! ସମୟ ନଷ୍ଟ କରନାହିଁ!” ସେ ଓ ତା’ ସୈନ୍ୟମାନେ କୌଣସି ମତେ ପ୍ରାସାଦ ପାଖରେ ଯାଇ ପହଁଚିଲେ, କିନ୍ତୁ ତା’ପରେ ଆଉ ଘୋଡାମାନଙ୍କୁ କର୍ତୃତ୍ୱରେ ରଖିବା ଅସମ୍ଭବ ହେଲା । ଘୋଡାମାନେ ନିଜ ନିଜ ପଛ ଗୋଡରେ ଠିଆ ହୋଇ ଆରୋହୀମାନଙ୍କୁ ତଳେ ପକାଇ ଦେଲେ । ଯେଉଁମାନେ ନିଜକୁ ଘୋଡାସାଜରୁ ସହଜରେ ମୁକୁଳାଇ ପାରିଲେ ନାହିଁ, ସେମାନେ ସେମିତି ଝୁଲି ରହିଲେ ।

ବୀରସିଂହ ଗଭୀର ଉତ୍କଣ୍ଠାରେ ଜବର୍ସେନ୍କୁ ପ୍ରଶ୍ନ କଲା “ଆରେ, ଇଏ କ’ଣ? ଯାଦୁକର ତାହେଲେ କ’ଣ କଲା?” ଦୁହେଁ ନିଜ ନିଜ ଘୋଡା ସମ୍ଭାଳିବାକୁ ଆପ୍ରାଣ ଚେଷ୍ଟା କରୁଥାନ୍ତି ।

“ଶୁଣ ଦୁଷ୍ଟ ବୀରସିଂହ!”

ଏ ପରିଚିତ କଣ୍ଠସ୍ୱର ବୀରସିଂହକୁ ଅତ୍ୟନ୍ତ ବିସ୍ମିତ କଲା । ସେ ଉପରକୁ ଅନାଇଲା । ଯାଦୁକର ସେତେବେଳେ ପ୍ରାସାଦର ଦ୍ୱାରଦେଶ ଉପରେ ଠିଆ ହୋଇଥିଲା ।

“ତୁ ମୋତେ ଚିହ୍ନି ପାରୁଛୁ, ରେ ମୂଢ?” ଏହା କହି ସେ ଯାଦୁକର ନିଜର ନକଲି ଦାଢୀ ଓ ଟୋପି କାଢି ପକାଇଲା ।

“ତୁ! ଶାନ୍ତିଦେବର ଦୁଷ୍ଟ ମନ୍ତ୍ରୀ! ତୁ ଯାଦୁକର ବେଶରେ ମୋତେ ଠକିଛୁ!”

ବୃଦ୍ଧ ମନ୍ତ୍ରୀ କହିଲେ “ହଁ । ମୁଁ ତୋ ଘୋଡାମାନଙ୍କୁ ଔଷଧ ଦ୍ୱାରା ଅବାଧ୍ୟ ବନାଇ ନିଶ୍ଚୟ ତୋତେ ଠକିଛି । କିନ୍ତୁ ତୋ ବିଶ୍ୱାସଘାତକତା ତୁଳନାରେ ଇଏ କ’ଣ? ତୁ ତୋ ଖାଉନ୍ଦ ରାଜା ଶାନ୍ତିଦେବଙ୍କୁ ପ୍ରତାରିତ କଲୁ । ମୋତେ ବି ମାରିଦେବାକୁ ବସିଥିଲୁ । ମନେପଡୁଛି ତ? ବର୍ତ୍ତମାନ ତୋ ସୈନ୍ୟମାନଙ୍କୁ ଆତ୍ମସମର୍ପଣ କରିବାକୁ କହ । ନହେଲେ ସମସ୍ତେ ମରିବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ