ଦସ୍ୟୁ ରାଜକୁମାର

ହଠାତ୍ ଆସି ବୀରସିଂହ ଆଗରେ ପଡିଲା ତୀରଟିଏ–ଯେଉଁ ଧରଣର ତୀର ଦିନେ ତା’ ଦରବାର ଭିତରେ ଯାଇ ପଡିଥିଲା । ସେ ତୀର ଦେହରେ ବନ୍ଧା ହୋଇଥିଲା କୌଣସି ଏକ ବାର୍ତ୍ତା । ଜଣେ ଦେହରକ୍ଷୀ ତାହା ଉଠାଇ ଆଣି ବୀରସିଂହକୁ ଦେଲା । ତା’ପରେ ତାକୁ ସେ ପଢିଲା । ସେଥିରେ ଲେଖାଥିଲା: “ବୀରସିଂହ, ଏ ତୀର ଏ ବାର୍ତ୍ତା ବହନ ନ କରି ତମ ମୃତ୍ୟୁ ବହନ କରି ତମକୁ ଭେଟି ପାରିଥାନ୍ତା । ଆମେ ତମ ମୁଣ୍ଡ ଚ୍ଛେଦ କରିପାରିଥାନ୍ତୁ । କିନ୍ତୁ ଆମେ ସେଭଳି ଭୀରୁ ଭାବରେ କାହାକୁ ହତ୍ୟା କରୁନା । ତମେ ଭାଲୁକୁ ଏହି ମୁହୂର୍ତ୍ତରେ ମୁକ୍ତି ଦିଅ ଓ ଏ ବଣ ଛାଡି ଚାଲିଯାଅ ।”

ଏଭଳି ଏକ ବାର୍ତ୍ତା ପଢି ବୀରସିଂହ ହଠାତ୍ ରାଗରେ ଥରିଗଲା  । ସେହିକ୍ଷଣି ସେ ପାଟିକରି କହିଲା “ଧର ଏ ତୀରନ୍ଦାଜକୁ । ସେ ଏହି ଆଖପାଖରେ କେଉଁଠି ଥିବ ।”ତା’ ଦେହରକ୍ଷୀମାନେ ତଥା ସୈନିକମାନେ ଏଣେ ତେଣେ ଦୌଡିଲେ ।

କିନ୍ତୁ ବୀରସିଂହ ଶଙ୍କି ଯାଇଥାଏ । ସତରେ, ଯଦି ଶତ୍ରୁପକ୍ଷ ତା’ ମୁଣ୍ଡକୁ ଲକ୍ଷ୍ୟକରି ତୀର ମାରିଥାନ୍ତେ, ତେବେ?

ସେ ତା’ ଦେହରକ୍ଷୀମାନଙ୍କୁ ଡାକି କହିଲା, “ଆମେ ଏ ଭାଲୁ ଆଉ ଭାଲୁର ଜେଜେବାପା ଭଳି ଦିଶୁଥିବା ଏ ସାଧୁଙ୍କୁ ଧରି ଚାଲିଯିବା । କିନ୍ତୁ ଆମ ସୈନିକମାନେ ବଣରେ ଖୋଜା ଖୋଜି କରି ଦୁଷ୍ଟ ତୀରନ୍ଦାଜ୍କୁ ଧରିବା ପାଇଁ ଯାଆନ୍ତୁ!”

ସେ ଏତକ କହିସାରିବା ବେଳକୁ ବଣ ଭିତରୁ ତା’ ନିଜ ସୈନିକମାନଙ୍କ ଆର୍ତନାଦ ଶୁଭିଲା । ସେମାନେ ପ୍ରାଣମୁର୍ଚ୍ଛା ଦୌଡି ବଣରୁ ବାହାରି ପଳାଇ ଆସୁଥିଲେ ।

ଜଣେ ସୈନିକ ବୀରସିଂହକୁ ଚେତାବନୀ ଦେଇ କହିଲା “ମଣିମା! ପଳାଇ ଯାଆନ୍ତୁ । ଶହ ଶହ ଜୀବଜନ୍ତୁ ଆମକୁ ଗୋଡାଇ ଆସୁଛନ୍ତି!”

ଚାହୁଁ ଚାହୁଁ ବାତାବରଣ ବାଘ, ହେଟା ଓ ହାତୀଙ୍କ ସମେତ ଅନେକ ଜୀବଙ୍କ ରଡିରେ ସେ ସ୍ଥାନଟି କମ୍ପିମାନ ହେଲା । ଠିକ୍ ଏହି ସମୟରେ ମାଙ୍କଡଟିଏ ଗଛଡାଳରୁ ଝୁଲି ଆସି ବୀରସିଂହର ମୁକୁଟ ଉଠାଇ ନେଇ ପଳାଇଲା । ଜବର୍ସେନ୍ର ପଗଡି ଗୋଟିଏ ପ୍ରକାଣ୍ଡ ଡାମରାକାଉ ଆସି ଝାମ୍ପି ତଳେ ପକାଇଦେଲା ।

ଏସବୁ ଦେଖି ବୀରସିଂହ କହିଲା “ପଳାଇଯିବା!” । କିନ୍ତୁ ଗଛରେ ବନ୍ଧା ହୋଇଥିବା ତା’ର ଓ ଜବର୍ସେନ୍ର ଘୋଡା ଦୌଡି ଛିଣ୍ଡାଇ ପଳାଇଲେ । ସନ୍ନ୍ୟାସୀ ଓ ଭାଲୁକୀକୁ ଛାଡିଦେଇ ବୀରସିଂହ ଓ ତା’ ଲୋକେ ବଣରୁ ଦୌଡି ଦୌଡି ପଦାକୁ ଆସିଲେ । ପଶୁମାନଙ୍କ ଆକ୍ରମଣରେ ବହୁ ସୈନ୍ୟ ଆହତ ହୋଇ ପଡି ଉଠି ଦୌଡୁଥାନ୍ତି । ତାଙ୍କ ଜୀବନରେ ସେମାନେ କେବେ ବି ସେତେ ପ୍ରବଳ ଗତିରେ ଦୌଡି ନଥିଲେ । ଯିଏ ତଳେ ପଡିଯାଉଥାଏ, ତାକୁ ଭାଲୁମାନେ ପେଣ୍ଡୁ ଭଳି ଖାଲି ଗଡାଉଥାନ୍ତି ।

ବୀରସିଂହ ଠିକ୍ ପ୍ରାନ୍ତର ଭିତରକୁ ବାହାରି ଆସିଛି, ଗୋଟାଏ ବାଘ ଆସି ତାକୁ ତଳେ ପକାଇ ଦେଲା । ସେ ମୂର୍ଚ୍ଛା ଗଲା ।

ଖଣ୍ଡିଏ ଉଚ୍ଚ ଶିଳା ଉପରେ ଠିଆ ହୋଇ ତରୁଣଟିଏ  ନିର୍ଦ୍ଧେଶ ଦେଲା “ହେଲା ହେଲା ବନ୍ଧୁଗଣ! ଏଥର ସେମାନଙ୍କୁ ଛାଡି ବଣକୁ ଫେରିଆସ!” । ପଶୁମାନେ ଆଉ ଥରେ ଥରେ ହୁଙ୍କାର ଦେଇ ତା’ପରେ ବଣକୁ ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ