ଦାସତ୍ତ୍ଵର ଶୃଙ୍ଖଳ

ଶ୍ରୀକର କହିଲା “ଆମ ଗ୍ରାମର ଅଧିକାରୀ ବୀରସିଂହଙ୍କ ଲୋଭ, ସ୍ୱାର୍ଥପରତା ଇତ୍ୟାଦି ବିଷୟରେ ତ ସମସ୍ତେ ଜାଣନ୍ତି । ପ୍ରଥମେ ବୀରସିଂହ ମୋତେ କାମ ଦେଇଥିଲେ ଭ୍ରଷ୍ଟାଚାରୀ, ସମାଜ ବିରୋଧି ଲୋକଙ୍କୁ ଧରି ଦେବାକୁ । କେତେଜଣଙ୍କୁ ମୁଁ ଧରିଲି । କିନ୍ତୁ ସବୁଥର ସେ ସେମାନଙ୍କର ସହାୟତା କରି ମୋର ଦୋଷ ଦେଖନ୍ତି ଓ ସେମାନଙ୍କୁ ଛାଡି ଦିଅନ୍ତି । ତା’ପରେ ସେମାନେ ମୋତେ ହସି ଉଡାନ୍ତି ଓ କ୍ରମେ ନାନା ଖରାପ୍ ଘଟଣା ସବୁ ବୃଦ୍ଧିପାଇ ଚାଲିଛି । ମୁଁ କିଛି କହିବାକୁ ଚେଷ୍ଟା କରିବାରୁ ସେ ମୋର ଚାକିରୀଟି ଛଡାଇ ନେଲେ ।”

ରାଜା ପଚାରିଲେ “ତୁମକୁ ତୁମ ଚାକିରୀ ପୁଣି ଦେବି କି?”

ଶ୍ରୀକର କହିଲା “ନାହିଁ ପ୍ରଭୁ । ଛୋଟମୋଟ ବ୍ୟବସାୟଟିଏ କରି ବା କେତେକ ଛାତ୍ରଙ୍କୁ ପଢାଇ ମୋର ଗୁଜୁରାଣ ମେଂଟିଯିବ । ମୁଁ ରାଜଧାନୀରେ ଖୁବ୍ ଶାନ୍ତିରେ ରହି ପାରିବି । ପ୍ରଜାବତ୍ସଳ ବୋଲି ଆପଣଙ୍କର ଏକ ସୁନାମ ଅଛି । ତେଣୁ ଆପଣ ନିଜେ ଥରେ ଯାଇ ଦେଖନ୍ତୁ ତାଙ୍କର ଶାସନ କିପରି ଓ ଆପଣଙ୍କ ସୁନାମ ଉପରେ କିପରି ଲାଭ ଉଠା ଯାଇପାରେ ।”

ରାଜା ନିଜେ ଯାଇ ସବୁ ଦେଖିବେ ବୋଲି ଶ୍ରୀକରକୁ ସେ କଥା ଦେଲେ । ଶ୍ରୀକର ଯିବା ପରେ ପରଦିନହିଁ ସେ ରାଜା ନିଜେ ବୀରସିଂହଙ୍କ ଅଂଚଳ ପରିଦର୍ଶନ କରିବାକୁ ଗଲେ । ବୀରସିଂହ ବହୁତ ସୁନ୍ଦର ଭାବରେ ରାଜାଙ୍କର ଆଦର ସତ୍କାର କରିବାକୁ ଲାଗିଲେ । ରାଜା କହିଲେ “ବୀରସିଂହ, ମୁଁ ଏଥିପାଇଁ ଆସିନାହିଁ । ରାଜ୍ୟରେ ଘୋଷଣା କରିଦିଅ ମୁଁ ଏଠାରେ କିଛିଦିନ ରହିବି ଓ ଲୋକମାନଙ୍କର ଦୁଃଖ-ସୁଖ ଦେଖିବି ସେମାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ରଖି ମୁଁ ଦେଖିବାକୁ ଓ ଜାଣିବାକୁ ଚାହେଁ ଯେ ଏଠିକା ଶାସନ କିପରି ଚାଲିଛି । ସେମାନେ ନିର୍ଭୟରେ ଯେପରି ମୋ ପାଖକୁ ଆସିବେ ଓ ବିନା ଦ୍ୱିଧାରେ ମୋତେ ସବୁକଥା କହିବେ ତାହାର ବ୍ୟବସ୍ଥା କର ।”

ସେହିପରି ଘୋଷଣା କରାହେଲା । ଅନେକ ଲୋକ ରାଜାଙ୍କୁ ଦେଖା କରିବାକୁ ଆସିଲେ । ଜଣେ ଚାଷୀ ରାଜାଙ୍କୁ କହିଲା, “ମଣିମା, ମୁଁ ସବୁ ବର୍ଷ ମୋ ଜମିପାଇଁ କର ଦେଉଛି । କିନ୍ତୁ ତା’ଛଡା ବୀରସିଂହ କୋଡିଏ ବସ୍ତା ଧାନ ପ୍ରତିବର୍ଷ ମୋଠାରୁ ଅଧିକ ନେଉଛି । ଏହିପରି ଦଶବର୍ଷ ହେଲାଣି । ସେହି ଦୁଇଶହ ବସ୍ତା ଧାନ ମୋତେ ଫେରାଇ ଦେବାପାଇଁ ମୋ ଉପରେ ଆପଣ ଟିକେ ଦୟା କରନ୍ତୁ ।”

ଆଉ ଜଣେ ବ୍ୟକ୍ତି କହିଲେ, “ମୋ ଝିଅ ବାହାଘରରେ ମୁଁ କିଛି ଯୌତୁକ ଦେଉଥିଲି । ବୀରସିଂହ କହିଲେ ଯୌତୁକ ଦେବା ଅପରାଧରେ ମୁଁ ବନ୍ଦୀଶାଳାରେ ରହିବି । ଏଣେ ମୁଁ ମୋ ଝିଅକୁ ବିନା ଯୌତୁକରେ ବାହା କରି ପାରୁନାହିଁ । ପୁଣି ବୀରସିଂହର ଦାବୀ କିଛି ଧନ ଦେଲେ ସବୁକିଛି ଠିକ୍ ହୋଇଯିବ, ତାହା ମଧ୍ୟ ମୁଁ କରିପାରୁ ନାହିଁ । ଏସବୁ ଭଲକରି ବୁଝି କିଛି ନିୟମକାନୁନ୍ କରିଦିଅନ୍ତୁ ।

ବଡ ବଡ ଧନୀ ବ୍ୟବସାୟୀମାନେ ବୀରସିଂହଙ୍କୁ ଲାଂଚ ଦେଇ ତାଙ୍କୁ ଖୁସି କରି ରଖିଛନ୍ତି । କଳାକାରମାନେ ମଧ୍ୟ ନାଚଗୀତ କରି ତାଙ୍କ ମନ ଖୁସି କରୁଛନ୍ତି । କିନ୍ତୁ ଆମେ ସାଧାରଣ ପ୍ରଜାମାନେ ସବୁଆଡରୁ କଷ୍ଟ ସହିବା ଯାହା ଖାଲି ସାର ହେଉଛି ।”

ଏସବୁ କଥା ଶୁଣି ରାଜାଙ୍କ ମଥା ହଠାତ୍ ଘୁରିଗଲା । ସେ କର୍ମଚାରୀମାନଙ୍କୁ ଡାକି ସେମାନଙ୍କୁ ସବୁ କଥା ପଚାରିଲେ ଓ କହିଲେ, “ପ୍ରଜାଙ୍କ ଟଙ୍କା ଉପରେ ତମେମାନେ ବୀରସିଂହ ସହିତ ଏକମତ ହେବା ଆଦୌ ଉଚିତ୍ ନୁହେଁ । ପ୍ରଜାଙ୍କର ଦୁଃଖକଷ୍ଟ ବିଷୟ ତୁମେମାନେ ବହୁ ଆଗରୁ ମୋତେ କହିବା ଉଚିତ୍ ଥିଲା ।”

କର୍ମଚାରୀମାନେ କହିଲେ, “ମହାରାଜ, ଆପଣ ତ ବୀରସିଂହଙ୍କୁ ଅଧିକାର ଓ ସ୍ୱାଧନତା ଦେଇଛନ୍ତି । ତେଣୁ ଆମେ ଯାହା କହିଲେ ସେ ଆମକଥା କାହିଁକି ବା ଶୁଣିବେ । ଆମର ମଧ୍ୟ ସେଥିପାଇଁ ଯଥେଷ୍ଟ ସାହସ ନଥିଲା । କିନ୍ତୁ ଶ୍ରୀକର ନାମକ ରାଜକର୍ମଚାରୀ ଯେଉଁ ମୁହୂର୍ତ୍ତରେ କିଛି ଅଭିଯୋଗ କଲା ତାକୁ ତ ବୀରସିଂହ କାର୍ଯ୍ୟରୁ ବାହାର କରିଦେଲେ ।”

ରାଜା ବୀରସିଂହଙ୍କୁ ଡାକି ତାଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଲେ, “ଯେତେବେଳେ ସମସ୍ତ ପ୍ରଜା ମୋ ବିରୁଦ୍ଧରେ କହୁଛନ୍ତି ତେବେ ମୋର ଆଉ କ’ଣ ବା କହିବାର ଅଛି? ମୋତେ ଏକ ବର୍ଷ ସମୟ ଦିଅନ୍ତୁ ମୁଁ ସବୁକିଛି ଠିକ୍ଠାକ୍ କରିଦେବି । କିନ୍ତୁ ଅନ୍ୟମାନେ ରାଜାଙ୍କୁ କହିଲେ, “ଏପରି କଲେ ବୀରସିଂହ ଲୋକଙ୍କ ଉପରେ ପ୍ରତିଶୋଧ ନେବେ ଓ ଅଳ୍ପ ସମୟ ମଧ୍ୟରେ ବହୁତ ଧନ ସବୁ ପ୍ରଜାଙ୍କଠାରୁ ନାନା ଉପାୟରେ ଲୁଟି ନେବେ ।” ତଥାପି ରାଜା ତାଙ୍କୁ ବର୍ଷେ ସମୟ ଦେଇ ରାଜଧାନୀକୁ ଲେଉଟିଗଲେ ।

ସେ ବର୍ଷ ନିଜକୁ ସୁଧାରିବା ଦୂରେ ଥାଉ ବରଂ ସେ ଅଧିକରୁ ଅଧିକ ଅନ୍ୟାୟ ଓ ଧନ ଆତ୍ମସାତ କରିବାରେ ଲାଗିଲେ । ଏହିପରି ଭାବେ ଲୋକମାନଙ୍କ ଉପରେ ସେ ତାଙ୍କର ପ୍ରତିଶୋଧ ନେଲେ । ବହୁତ ଅତ୍ୟାଚାର ହେବାରୁ ପ୍ରଜାମାନେ କେତେକ ଲୋକଙ୍କୁ ସେମାନଙ୍କର ନେତା ଭାବରେ ରାଜାଙ୍କ ପାଖକୁ ପଠାଇଲେ । ସେମାନେ ଯାଇ ରାଜାଙ୍କୁ କହିଲେ, “ଆମର ଜଣେ ଭଲ ଅଧିକାରୀ ଦରକାର । ଆପଣ ବୀରସିଂହଙ୍କୁ ତାଙ୍କର ଅନ୍ୟାୟ ଅତ୍ୟାଚାର ଯୋଗୁଁ କଠୋରରୁ କଠୋର ଦଣ୍ଡ ଦେବା ଦରକାର ।”


ଗପ ସାରଣୀ

ତାଲିକାଭୁକ୍ତ ଗପ