ଦିବ୍ୟଗୁଣ

ବଲ୍ଲଭ ଥିଲା ଘୁସ୍ଖୋର୍ । ଘୁସ୍ ନେଉ ନେଉ ଥରେ ସେ ଧରା ପଡିଲା । ତାକୁ ରାଜା ସେବାସଦନକୁ ପଠାଇଦେଲେ ଯେଉଁଠି ଦୀର୍ଘକାଳ ପୀଡିତ ଶାରୀରିକ ଅସୁସ୍ଥ ବ୍ୟକ୍ତି ଓ ମାନସିକ ଅସୁସ୍ଥ ବ୍ୟକ୍ତି ରହୁଥିଲେ । ସେପରି ରୋଗୀମାନଙ୍କ ସେବା କରିବାକୁ ଅପରାଧୀମାନଙ୍କୁ ପଠାହୁଏ । ସେମାନଙ୍କର ସେଇଟାହିଁ ଦଣ୍ଡ ।

                ଦିନେ ସେହି ସେବାସଦନକୁ ଜଣେ ମହାତ୍ମା ଆସିଲେ । ସେଠାକାର ସମସ୍ତ ରୋଗୀଙ୍କୁ କୁଶଳ ପ୍ରଶ୍ନ କଲେ । ସେ ସେଠାରେ ପ୍ରାୟ ସପ୍ତାହେକାଳ ରହିଲେ ଓ ରୋଗୀମାନଙ୍କର ସେବା ମଧ୍ୟ କଲେ ।

                ଦିନେ ବଲ୍ଲଭ ତାଙ୍କୁ ପଚାରିଲା, “ସ୍ୱାମୀ ଆପଣ ଜଣେ ମହାତ୍ମା; କିନ୍ତୁ ଏ ରୋଗୀମାନଙ୍କର ସେବା କାହିଁକି କରୁଛନ୍ତି? ସେଥିପାଇଁ ଆପଣଙ୍କୁ କ’ଣ ଲଜ୍ଜା ହେଉନାହିଁ?”

ବଲ୍ଲଭଙ୍କ ଏଭଳି କଥା ଶୁଣି ସାଧୁ କହିଲେ, “ମଣିଷର ସେବା କରିବାରେ ଲଜ୍ଜା କ’ଣ ପୁଅ? ଏଥିରେ ତ ଗର୍ବ କରିବାର କଥା ।”

ତା’ପରେ ବଲ୍ଲଭ ସେ ସାଧୁଙ୍କୁ ନିଜର ସବୁ କଥା କହିଲା । ଶେଷରେ କହିଲା, “ଆଜି ପର୍ଯ୍ୟନ୍ତ ମୁଁ ଏଠାରେ କାମ କରିବାଟାକୁ ଲଜ୍ଜାର କଥା ବୋଲି ଭାବୁଥିଲି । ମାତ୍ର ଏଣିକି ମୁଁ ଆପଣଙ୍କ କଥା ମାନିବି ।”

ତା’ କଥା ଶୁଣି ସେ ସାଧୁ ଦୃଢ କଣ୍ଠରେ କହିଲେ, “କୌଣସି କାମକୁ ମଝିରେ ଛାଡିଦେବା ଆଦୌ ଉଚିତ୍ ନୁହେଁ । ସେଥିପାଇଁ ତୁମେ ଲଜ୍ଜା ଅନୁଭବ କରିବା ମୋଟେ ଉଚିତ୍ ନୁହେଁ ।” ଏତିକି କହି ସାଧୁ ସେଠାରୁ ଚାଲିଗଲେ ।

ସାଧୁ ରୋଗୀ ସେବା ନିଜ ଇଚ୍ଛାରୁ କଲେ; କିନ୍ତୁ ବଲ୍ଲଭ ଦଣ୍ଡ ଭାବରେ କଲା । ତେଣୁ ଯେ କେହି ଯେକୌଣସି କାମ କଲେ ମଧ୍ୟ ତା’ର ପଶ୍ଚାତରେ କି ମନୋଭାବ ଅଛି ତାହାହିଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ବୁଝିପାରିଲା ନାହିଁ ଯେ ସାଧୁଙ୍କ ସହ ନିଜର ତୁଳନା କରିବା ଏକ ମୂର୍ଖାମୀ । ସେହି ଦିନଠାରୁ ବଲ୍ଲଭ ନିଜର ଖରାପ ଗୁଣକୁ ଛାଡିବା ପାଇଁ ଶପଥ ନେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ