ଦୁଇ ଡାକୁ

ଗୋପାଳ ଓ ଚନ୍ଦ୍ରଭାନୁ ଦୁଇ ମିତ୍ର ଥିଲେ । ସେ ଦୁହେଁ ଗରିବ ଘରର ପିଲା । ଚାଷବାସ କଲେ ଚଳନ୍ତା, କିନ୍ତୁ ସେମାନେ ଅଳ୍ପ ପାଠ ପଢି ପକାଇଥିଲେ ବୋଲି ଗାଁ ଲୋକଙ୍କ ଆଗରେ କ୍ଷେତବାଡିରେ କାମ କରିବାକୁ ଅସମ୍ମାନଜନକ ମଣୁ ଥିଲେ!

                ଗୋପାଳ ଦିନେ କହିଲା “ଚାଲ, ସହରକୁ ଯିବା ।”

                ତା’କଥା ଶୁଣି ଚନ୍ଦ୍ରଭାନୁ କହିଲା “ମୁଁ ବି ସେଇଆ ଭାବୁଥିଲି । ସହରରେ ଆମ ଭଳି ଯୁବକଙ୍କୁ ସହଜରେ କାମଧନ୍ଦା ମିଳିଯିବ ।”

                ଦୁହେଁ ଯାଇ ସହରରେ ପହଁଚି ପ୍ରଥମେ ବଡ ବଡ ଅନୁଷ୍ଠାନ ପ୍ରତିଷ୍ଠାନରେ ଯାଇ ଚାକିରୀ ଖୋଜିଲେ । କ୍ରମେ ହତାଶ ହୋଇ ପାନ ଦୋକାନରେ ଚାକିରୀ ଖୋଜିବା ଯାଏଁ ସେମାନେ ଆସିଲେ । କିନ୍ତୁ କିଛି ବି ଲାଭ ହେଲା ନାହିଁ । ଏଣେ ଆଜି ଏ ମନ୍ଦିରରେ ତ କାଲି ସେ ମନ୍ଦିରରେ ମାଗଣା ପ୍ରସାଦ ଖାଇ ଖାଇ କେତେଦିନ ବା ଚଳି ହେବ?

                ଗୋପାଳ କହିଲା “ଆମକୁ ମର୍ଯ୍ୟାଦା ଦେବାଭଳି ବୁଦ୍ଧି ଏ ସହରର ଲୋକଙ୍କର ନାହିଁ!”

                ଚନ୍ଦ୍ରଭାନୁ ତା’ସହ ଏକମତ ହୋଇ କହିଲା “ଠିକ୍ କଥା ।”

                ଗୋପାଳ କହିଲା “ଚାଲ, ଚୋରି କରିବା!”

                ଚନ୍ଦ୍ରଭାନୁ କହିଲା “ମୁଁ ବି ସେଇଆ ଭାବୁଥିଲି । ଆମ ଭଳି ବୁଦ୍ଧିମାନ ପିଲାଏଁ ସହଜରେ ସେ କାମରେ ପାରଙ୍ଗମ ହୋଇଯିବା କଥା ।”

                ଏଥିଉତାରେ ସେମାନେ ସେ ସହରର ଗୋଟାଏ ଗଳି ରାସ୍ତା ବାଛି ସେଇଠି ଥିବା ଲୋକଙ୍କ ଉପରେ ଆଖି ରଖିଲେ । ଗଳିର ଗୋଟାଏ କୋଣରେ ଜଣେ ଅଳଙ୍କାର ବ୍ୟବସାୟୀ ରହୁଥାନ୍ତି । ସେମାନେ ଝରକା ଦେଇ ଲକ୍ଷ୍ୟ କରି ଦେଖିଲେ, ସେ ଥରେ ଆସି ତାଙ୍କର ଗୋଟାଏ ଲୁହା ସିନ୍ଧୁକ ଖୋଲି କିଛି ଅଳଙ୍କାର ବାହାର କରି ସିନ୍ଧୁକରେ ତାଲା ପକାଇ ପୁଣି ଘରେ ଚାବି ଦେଇ ବଡ ରାସ୍ତାରେ ଥିବା ତାଙ୍କ ଦୋକାନକୁ ଗଲେ ।

                ଗୋପାଳ କହିଲା “ବୁଝିଲୁ? ସେ ସିନ୍ଧୁକରେ ବହୁତ ଅଳଙ୍କାର ଅଛି । ସେତକ ଧରି ଆମେ ଏ ସହର ଛାଡି ଅନ୍ୟ ସହରକୁ ଚାଲିଯିବା । ତେଣିକି ଆଉ ଚିନ୍ତା କ’ଣ?”


ଗପ ସାରଣୀ

ତାଲିକାଭୁକ୍ତ ଗପ