ଦୁଇ ଡାକୁ

                ଗୋପାଳ ତ ନକଲ ଚାବିକାଠି ଦ୍ୱାରା ତାଲା ଖୋଲିବା ବିଦ୍ୟାଟି ବହୁ ଆଗରୁ ଶିଖିଥାଏ । ରାତିରେ, ଅଳଙ୍କାର ବେପାରୀ ଆସିବା ପୂର୍ବରୁ, ଗୋପାଳ ତାଲା ଖୋଲିଦେଲା । ଚନ୍ଦ୍ରଭାନୁ ଭିତରେ ପଶିଯିବା ପରେ ସେ ପୁଣି ତାଲା ବାହାରପଟୁ ବନ୍ଦ କରିଦେଲା । ଉଭୟଙ୍କ ଭିତରେ ସ୍ଥିର ହୋଇଥିଲା, ଗୋପାଳ ବାହାରେ ଜଗି ରହିଥିବ । ବେପାରୀ ଆସି ନିଦରେ ଶୋଇଗଲେ ଚନ୍ଦ୍ରଭାନୁ ତାଙ୍କ ଶେଯ ତଳୁ ଚାବିକାଠି ବାହାର କରିନେଇ ସିନ୍ଧୁକ ଖୋଲି ଅଳଙ୍କାରତକ ବାହାର କରିନେବ ଓ ପଛପଟ ଦ୍ୱାର ଦେଇ ରାସ୍ତାକୁ ବାହାରି ଆସିବ । ଗୋପାଳ ତାକୁ ସେଠି ଅପେକ୍ଷା କରିଥିବ ।

                ଚନ୍ଦ୍ରଭାନୁ ସେ ବେପାରୀର ଶୋଇବା ଘର ଭିତରେ ଥିବା ଗୋଟାଏ ଭାଡି ଉପରେ ଚଢି ବସିଲା । ଅନେକ ରାତିରେ ବେପାରୀ ଆସିଲେ ଓ ଲଣ୍ଠନ ଆଲୁଅରେ ଅନେକ ସମୟ ଧରି ଖାତାପତ୍ର ସବୁ ଦେଖିଲେ । ଠିକ୍ ମଝିରାତି ବେଳକୁ ସେ ଶୋଇଲେ ।

                ଏଣେ ଏ ଗୋପାଳ ସୁଯୋଗର ଅପେକ୍ଷା ରହିଥାଏ । ହଠାତ୍ କବାଟରେ କିଏ ମୃଦୁ ମୃଦୁ ଆଘାତ କଲା । ବେପାରୀ ଉଠି ପଡି ପଚାରିଲେ, “କିଏ?”

                କେହି ଜଣେ କହିଲା “ମୁଁ ଆପଣଙ୍କ ଶ୍ୱଶୁରଙ୍କ ଗାଁରୁ ଆସିଛି । ଆପଣଙ୍କ ସ୍ତ୍ରୀ କିଛି ଜରୁରୀ ଖବର ପଠାଇଛନ୍ତି । କବାଟ ଖୋଲନ୍ତୁ ।”

                ଏହାପରେ ସେ ବେପାରୀ ଜଣକ ଉଠି ପଡି କବାଟ ଖୋଲିଦେବା ମାତ୍ରେ ଜଣେ ଲୋକ ଭିତରକୁ ପଶି ଆସି ଛୁରୀ ଦେଖାଇ କହିଲା, “ତମ ସିନ୍ଧୁକ ଖୋଲି ସେଥିରେ ଯାହା ଯାହା ମୂଲ୍ୟବାନ ଜିନିଷ ଅଛି ସେସବୁକୁ ଖଣ୍ଡିଏ ଲୁଗାରେ ବାନ୍ଧି ମୋତେ ଦେଇଦିଅ । ନହେଲେ ତମେ ମରିବ ।”

                ତହୁଁ ସେ ବେପାରୀ ଦୃପ୍ତ କଣ୍ଠରେ କହିଲେ “ମୁଁ ଦେବି ନାହିଁ ।”

                “ତା’ହେଲେ ତମେ ଏବେ ନିଜ ଇଷ୍ଟଦେବଙ୍କୁ ସ୍ମରଣ କର!” ଏହା କହି ସେ ଡାକୁ ତା’ ଛୁରୀ ଉଂଚାଇଲା । ତତ୍କ୍ଷଣାତ୍ ଭାଡି ଉପରୁ ଚନ୍ଦ୍ରଭାନୁ ତଳକୁ ଡେଇଁପଡି ସେ ଡାକୁ ହାତରେ ଏପରି ଏକ ଆଘାତ ଦେଲା ଯେ ସେ ଚିତ୍କାର କରି ଛୁରୀ ତଳେ ପକାଇଦେଲା । ବେପାରୀ ଓ ଚନ୍ଦ୍ରଭାନୁ ଦୁହେଁ ମିଶି ସେ ଡାକୁକୁ ବାନ୍ଧି ପକାଇଲେ । ଠିକ୍ ସେହି ସମୟରେ ସେହି ବାଟଦେଇ ନଗରୀ-ରକ୍ଷକ ପ୍ରହରୀମାନେ ଯାଉଥିଲେ । ସେମାନେ ଆସି ସେଠାରେ ପହଁଚିଗଲେ ଓ ଡାକୁକୁ ଧରି ନେଇଗଲେ ।

                ସେମାନେ ସେଠାରୁ ଚାଲିଯିବା ପରେ ସେ ବେପାରୀ ଜଣକ ଚନ୍ଦ୍ରଭାନୁ ଆଡେ କଟମଟ କରି ଅନାଇ ପଚାରିଲେ, “ତମେ କିଏ? ମୋ ଭାଡି ଉପରେ ବସି ତମେ ସେଠାରେ କ’ଣ କରୁଥିଲ?”

                ଏହାପରେ ସେ ଚନ୍ଦ୍ରଭାନୁ ତାଙ୍କ ଗୋଡ ତଳେ ପଡିଯାଇ ସବୁ କଥା କହିଗଲା ।

ବେପାରୀ ତା’ର ସବୁକଥା ଶୁଣି କହିଲେ, “ମୁଁ ବୁଝୁଛି, ତମେ ସ୍ୱଭାବରେ ଡାକୁ ନୁହଁ । ଡାକୁ ହୋଇଥିଲେ, ତମେ ସେ ଅସଲ ଡାକୁ ମୋତେ ମାରି ପକାଇବାଯାଏଁ ଅପେକ୍ଷା କରିଥାନ୍ତ ଓ ତା’ପରେ ହୁଏତ ତାକୁ ମାରିଥାନ୍ତ ନହେଲେ ତାକୁ ଡରାଇ ତାଠୁ ଅଧା ଜିନିଷ ହାତେଇ ନେଇଥାନ୍ତ ।”

ଚନ୍ଦ୍ରଭାନୁ କହିଲା “ହଁ, ଆଜ୍ଞା, ଯେତେବେଳେ ସେ ଆପଣଙ୍କୁ ନିରସ୍ତ୍ର ଦେଖି ମାରି ପକାଇବାକୁ ବସିଲା, ସେତେବେଳେ ମୁଁ ଆଉ ଥୟ ଧରି ପାରିଲି ନାହିଁ!”

ସେ ବେପାରୀଜଣକ ବିବେକୀ ଓ ଦୟାଳୁ ଥିଲେ । ସେ ଉଭୟ ଚନ୍ଦ୍ରଭାନୁ ଓ ଗୋପାଳକୁ ତାଙ୍କ ଦୋକାନରେ ଚାକିରୀ ଦେଲେ । ଦୁଇ ବନ୍ଧୁ ବିଶ୍ୱସ୍ତ ଭାବରେ କାମ କରି କ୍ରମେ ତାଙ୍କ ବ୍ୟବସାୟରେ ଅଂଶୀଦାର ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ