ଦୁଇ ଦୃଷ୍ଟି

                ଶ୍ୟାମଲାଲ୍ ଚପା କଣ୍ଠରେ କହିଲେ “ଆରେ ଭାଇ କରୁଣାକର! ତମ କର୍ମଚାରୀ ସୁଧୀର କିପରି ପିଲା ଟିକେ କହିବଟି! କାହିଁକିନା ମୋର ଜଣେ ଚିହ୍ନା ଲୋକ ତାକୁ ତା’ ଝିଅ ଦେବାକୁ ଚାହେଁ ସେ ମୋତେ ତା’ ବିଷୟରେ ପଚାରୁଛି ।”

                “ସୁଧୀର କଥା ପଚାରୁଛ? ସେ ଅତି ଭଲ ପିଲା । ଯେପରି ବିଶ୍ୱାସୀ, ଠିକ୍ ସେହିପରି ସେ କର୍ତ୍ତବ୍ୟନିଷ୍ଠ ମଧ୍ୟ । ତମେ କନ୍ୟାପିତାକୁ କହିଦେଇପାର, ସୁଧୀର ବିଷୟରେ ତାଙ୍କର କୌଣସି ଦ୍ୱିଧା ରଖିବା ଦରକାର ନାହିଁ ।”

                କରୁଣାକରଙ୍କ କଥା ଶୁଣି ଶ୍ୟାମଲାଲ୍ ହସିଲେ ଓ କହିଲେ, “ମୁଁ ଦେଖୁଛି ସୁଧୀର ସମ୍ପର୍କରେ ତମର ଧାରଣା ବହୁତ ଉଚ୍ଚ!” କରୁଣାକର ଅଳ୍ପ ବିରକ୍ତ ହୋଇ କହିଲେ “ଉଚ୍ଚ ନ ହେବାର କାରଣ କ’ଣ? ସେ ତ ଅତ୍ୟନ୍ତ ଭଲ ପିଲା । ଭଲ କଥା କହିବି ନାହିଁ?”

                “ସୁଧୀର ହେଲେ ତମ ସମ୍ପର୍କରେ ସେମିତି ଉଚ୍ଚ ଧାରଣା ପୋଷଣ କରନ୍ତା!”

                କରୁଣାକର ରୋକ୍ଠୋକ୍ ପ୍ରଶ୍ନ କଲେ “ତମେ କ’ଣ କହିବାକୁ ଚାହୁଛ?”

                “ଭାଇ, ମୋଟେ ବିରକ୍ତ ହୁଅ ନାହିଁ । ତା’ ବାହାଘର ବିଷୟରେ ମୁଁ ଯାହା କହିଲି, ତାହା ତୁଚ୍ଛା ମିଛ । ସେ ମୋତେ ଆଜି ଭେଟି କହିଲା କି ତମେ ବଡ କଡା ଖାଉନ୍ଦ! ତାକୁ ମୁଁ ଯଦି ଦଶ ପନ୍ଦର ଟଙ୍କା ଆଉ ଅଧିକା ଦରମା ଦେବି ତେବେ ସେ ତମ ଚାକିରୀ ଛାଡି ମୋ ପାଖରେ ଚାକିରୀ ନେବ । ଦେଖିବା ବେଳକୁ ତମେ ତା’ ଗୁଣରେ ମୁଗ୍ଧ!”

                ଶ୍ୟାମଲାଲ୍ ପରାମର୍ଶ ଦେଲେ “ସେ ମୋ ସମ୍ପର୍କରେ କ’ଣ ଧାରଣା ପୋଷଣ କରେ, ତାକୁ ନେଇ କ’ଣ ମୁଁ ତା’ ବିଷୟରେ ମୋ ଧାରଣା ବଦଳାଇବି? ସେ ଯୋଗ୍ୟ କର୍ମଚାରୀ । ତମେ ତାକୁ ଦଶ ପନ୍ଦର କାହିଁକି କୋଡିଏ ପଚିଶ ଅଧିକ ଦେଇ ଚାକିରୀରେ ରଖିଲେ ବି ପସ୍ତେଇବ ନାହିଁ । ମୁଁ ତା’ ଦରମା ଆଗାମୀ ମାସରୁ ବଢାଇବାକୁ ଯାଉଥିଲି । କିନ୍ତୁ ସେ ଯେତେବେଳେ ପରିବର୍ତ୍ତନ ଚାହୁଁଛି, ମୁଁ ତାକୁ ରହିବାକୁ କହିବି ନାହିଁ । ତମେ ତାକୁ ରଖି ନିଅ ।”

                “ହଉ, ଦେଖିବା ।” ଏତିକି କହି ଶ୍ୟାମଲାଲ୍ ସେଠାରୁ ଚାଲିଗଲେ ।

                ପରେ ପରେ ସୁଧୀର ପଛପଟ ଗୋଦାମ ଭିତରୁ ବାହାରି ଆସି କରୁଣାକରଙ୍କ ପାଦ ପାଖରେ ଲୋଟିଗଲା । ସେ ଦୈବାତ୍ ଶ୍ୟାମଲାଲ୍ ଓ କରୁଣାକରଙ୍କ କଥାବାର୍ତ୍ତା ସବୁ ଶୁଣିପାରିଥିଲା ।

                ସୁଧୀର କାନ୍ଦି କାନ୍ଦି କହିଲା “ମୋତେ କ୍ଷମା କରନ୍ତୁ । ସାମାନ୍ୟ ଦଶ ପନ୍ଦର ଟଙ୍କା ଅଧିକା ପାଇବା ଲୋଭରେ ମୁଁ ଆପଣଙ୍କ ସମ୍ପର୍କରେ ଶ୍ୟାମଲାଲ୍ଙ୍କ ପାଖରେ ମିଛ କହିଛି । ଏଣୁ ମୋ ଅପରାଧ ଅତି ଗୁରୁତର ।”

                କରୁଣାକର ସୁଧୀରକୁ ଉଠାଇଲେ ଓ କହିଲେ, “ଏତେ ବ୍ୟସ୍ତ ହେବା ଦରକାର ନାହିଁ । ଏମିତି ତ କେତେ କଥା ପାଟିରୁ ବାହାରିଯାଏ । ତୁ ଯାଇ ଶ୍ୟାମଲାଲ୍ ପାଖରେ କାମ କର । ସେ ଖୁବ୍ ଭଲ ଲୋକ ।” ସୁଧୀର ନିଜ କୋହ ଚାପି କହିଲା “ଆଜ୍ଞା, ଆପଣଙ୍କ ଭଳି ସତ୍ ଓ ମହତ୍ ଖାଉନ୍ଦ ମୁଁ ଆଉ କାହୁଁ ପାଇବି? ମୁଁ ଆଉ ସେଭଳି ମୂର୍ଖତା କରିବି ନାହିଁ । ମୋତେ ତଡି ଦିଅନ୍ତୁ ନାହିଁ ।”

                ସୁଧୀର କରୁଣାକରଙ୍କ ପାଖରେହିଁ ରହିଲା । କେଇ ବର୍ଷ ଭିତରେ କରୁଣାକର ତା’ ନିଷ୍ଠାପରତାରେ ଏତେ ଖୁସି ହେଲେ ଯେ ତାଙ୍କ ବ୍ୟବସାୟରେ ସେ ତାକୁ ଅଂଶୀଦାର କରିଦେଲେ । ଏହିପରି ଭାବେ ସୁଧୀର ବହୁତ ଉନ୍ନତି କଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ