ଦୁଷ୍ଟା ଦାସୀ

                ଏଣେ ତା’ସାନ ଭଉଣୀ ପାଟିକରି ଅନେକ କାନ୍ଦିଲା । ମାତ୍ର ଚାକରାଣୀ ତାକୁ ଧମକାଇ ଦେଲା । ଆଉ କହିଲା ଯଦି ସେ ପାଟିକରେ ବା କାହାକୁ ଏ ଘଟଣା ବାବଦରେ କିଛିବି କହେ, ତେବେ ତା ପ୍ରାଣ ଆଉ ରହିବ ନାହିଁ । ତେଣୁ ଜୀବନ ଭୟରେ ସାନ ଚୁପ୍ ରହିଲା ଓ ଚାକରାଣୀ କଥା ମାନିଲା ।

ଚାକରାଣୀ ନଈରେ ପଶି ଘଷି ମାଜି ହୋଇ ଗାଧୋଇଲା । ତାପରେ ସେ ଆକିମ୍ର ସବୁ ଅଳଙ୍କାର ଓ ନୁଆ ଲୁଗାପଟା ପିନ୍ଧିଲା । ନିଜେ କନିଆ ସାଜି ସାନ ଭଉଣୀ ମୁଣ୍ଡରେ ବୋଝ ଲଦି ବେଶ୍ ଆରାମ୍ରେ ସେ ଚାକରାଣୀ ଚାଲିଲା । କିଛିବାଟ ଯିବାପରେ ସେମାନେ ଯାଇ ବର ଗାଁରେ ପହଁଚିଗଲେ । ସେଠାରେ ତ ଆକିମ୍ର ବର ଅପେକ୍ଷା କରି ରହିଥାଏ । ସ୍ତ୍ରୀକୁ ଦେଖି ତା ମନରେ ବଡ ଦୁଃଖ ହେଲା । କାରଣ ସେ ତ ଶୁଣିଥିଲା ଯେ, ତା’ ସ୍ତ୍ରୀ ଖୁବ୍ ସୁନ୍ଦରୀ ଓ ଗୁଣବତୀ ମଧ୍ୟ । ମାତ୍ର ଏବେ ସେ ଆଖିରେ ଦେଖିଲା ତା ସ୍ତ୍ରୀ ଆଦୌ ସୁନ୍ଦରୀ ନୁହେଁ । ଲୋକଟି ବଡ ଉଦାର ଓ ଦୟାଳୁ । ତେଣୁ କିଛି ବି ନ କହି ସେ ଲୋକଟି ତା ସ୍ତ୍ରୀକୁ ଘରକୁ ଡାକିନେଲା । ଚାକରାଣୀ ସେ ଘରର ଯାବତୀୟ କାମ ଏ ଛୋଟ ଝିଅଟି ହାତରେ କରାଇ ନିଜେ ମାଲିକାଣୀ ହେଲା ।

ପ୍ରତିଦିନ ପାଣି ଆଣିବା ପାଇଁ ସାନ ଭଉଣୀ ତ ସେ ନଈକୁଳକୁ ଯାଏ । ହେଲେ ସେ ପିଲାଟା ମାଠିଆ ଭର୍ତ୍ତି କରି ପାଣି ମୋଟେ ଆଣିପାରେନା । ତେଣୁ ସାଆନ୍ତାଣୀ ବନିଥିବା ସେ ଚାକରାଣୀ ଏ ସାନଭଉଣୀକୁ ଖୁବ୍ ମାଡ ଦିଏ । ଦିନେ ସେ ସାନ ଭଉଣୀ ଆଉ ସମ୍ଭାଳି ନ ପାରି ନଈ କୂଳରେ ଆକିମ୍ ନାଁ ଧରି ଖୁବ୍ ବିକଳ ହୋଇ କାନ୍ଦିଲା । ସେଇଠୁ କ’ଣ ହେଲାନା ଏକ ଅଦ୍ଭୁତ ଘଟଣା ଘଟିଲା । ପାଣି ଭିତରୁ ସେ ଆକିମ୍ ଧୀରେ ମୁଣ୍ଡ ଉଠାଇ ବାହାରିଲା ଓ ସେ ତା’ସାନ ଭଉଣୀ ଆଡକୁ ଚାହିଁ ଟିକେ ହସିଲା । ଆକିମ୍କୁ ଦେଖି ତା’ ସାନଭଉଣୀ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହେଲା । କାରଣ ଆକିମ୍ ବଂଚିଛି ବୋଲି ସେ ତ ମୋଟେ ଆଶା ବି କରି ନ ଥିଲା । ତା’ପରେ ସେ ଆକିମ୍ ପାଟିକରି କହିଲା, ଜଳ ଦେବତା ତାକୁ ବଂଚାଇ ଗୋଟିଏ ଜଳପରୀ କରି ଦେଇଛନ୍ତି ।

ତେଣୁ ତା’ର ଗୋଡ ଦୁଇଟି ବଦଳି ମାଛ ଲାଞ୍ଜ ହୋଇଯାଇଛି । ଏହା କହି ସେ ଆକିମ୍ ନଈ ଭିତରୁ ବାହାରି ଘାସ ଉପରେ ଗୁରୁଣ୍ଡି ତା’ ସାନ ଭଉଣୀ ପାଖକୁ ଆସିଲା । ତହୁଁ ସେ ଦୁଇ ଭଉଣୀ କୁଣ୍ଢାକୁଣ୍ଢି ହୋଇ କେତେ କାନ୍ଦିଲେ । ଚାକରାଣୀ ସେଠାରେ କିପରି ଆରାମ୍ରେ ଅଛି ଓ ତାକୁ ଚାକରାଣୀ ପରି ଖଟାଉଛି ସେ ଦୁଃଖ ସାନ ତା ବଡଭଉଣୀ ଆଗରେ ଗୋଟିଗୋଟି କରି କହିଲା । ହେଲେ ଏବେ ପୁଣି ସେ ଆକିମ୍ର ଆଉ ଉପାୟ କ’ଣ? ସେ ତ ଗୋଟିଏ ଜଳପରୀ ହୋଇଯାଇଛି । ତଥାପି ବି ସେ ଦୁଇଭଉଣୀ ଠିକ୍ କଲେ, ସେମାନେ ଜଳଦେବତାଙ୍କୁ ଗୁହାରି କରିବେ । କାଳେ ଜଳଦେବତା ଶୁଣିଲେ ସେମାନଙ୍କ ଦୁଃଖ ଘୁଂଚିପାରେ । ଆକିମ୍ ସେ ପାଣି ମାଠିଆ ସାନଭଉଣୀ ମୁଣ୍ଡକୁ ଉଠାଇ ଦେଲା । ସବୁଦିନ ଆସିବ ବୋଲି କହି ପିଲାଟି ତା’ଭଉଣୀ ଠାରୁ ବିଦାୟ ନେଲା ।

ବଡ ଭଉଣୀକୁ ଦେଖିବାପରେ ସାନ ମନରେ ଟିକେ ଶାନ୍ତି ଆସିଲା । ତେଣୁ ସେ ପ୍ରତ୍ୟେକ ଦିନ ନଈ କୂଳରେ ନିଜ ଭଉଣୀକୁ ଦେଖାକରେ । ସେଠାରେ ସେ ଦୁଇ ଭଉଣୀ ଅନେକ ଦୁଃଖ ସୁଖ ହୁଅନ୍ତି । ସେ ଚାକରାଣୀକୁ ଘରୁ ତଡି କିପରି ଏ ଦୁହେଁ ଆନନ୍ଦରେ ରହିବେ ସେ ଉପାୟ ବି ଚିନ୍ତାକରନ୍ତି । ଦିନେ ସେ ଚାକରାଣୀ ଏ ସାନକୁ ବହୁତ ମାଡ ଦେଲା । ମାଡଖାଇ ଝିଅଟି ଖାଲି ବିକଳ ହୋଇ କାନ୍ଦୁଥାଏ । ଆକିମ୍ର ସ୍ୱାମୀ ତା ଘରକୁ ଫେରି ଦେଖିଲା, ଛୋଟ ଝିଅଟି ମାଡଖାଇ ଖୁବ୍ କାନ୍ଦୁଛି । ଏହିପରି ଘଟଣା ତ ସେ ପୂର୍ବରୁ ଅନେକଥର ଦେଖିଛି । ତାଛଡା ସେ ବି ଜାଣେ ଯେ, ତା ସ୍ତ୍ରୀ ଯେପରି ଅସୁନ୍ଦରୀ ସେହିପରି ନିଷ୍ଠୁରା ମଧ୍ୟ । ତା ହୃଦୟରେ ଦୟାମାୟା ବୋଲି କିଛିବି ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ