ଦୃଷ୍ଟିକୋଣ

ରାଜା ମନ୍ତ୍ରୀଙ୍କୁ କହିଲେ, “କବି ଦୟାଶର୍ମାଙ୍କ ସ୍ମୃତି ପ୍ରତି ଶ୍ରଦ୍ଧା ଦେଖାଇ ଆମେ ଏ ଯୁବକକୁ କୌଣସି ନା କୌଣସି କାର୍ଯ୍ୟରେ ନିଯୁକ୍ତ କରିବା ଆବଶ୍ୟକ ।”

ମନ୍ତ୍ରୀ ସେହି ଯୁବକକୁ କହିଲେ, “ଦେଖ ଯୁବକ, ତମ ପିତାମହ ବଡ କବି ହୋଇଥାଇ ପାରନ୍ତି । କିନ୍ତୁ ବାପା ଗୋସିବାପାଙ୍କ ନାମ ବିକି କେହି ଲାଭ ଉଠାଇବାର ପକ୍ଷପାତୀ ଆମେ ନୋହୁଁ । ଆମ ଘୋଡାଶାଳର ଜଣେ ସହିସର ମୃତ୍ୟୁ ହେବା ଫଳରେ ସେ ପଦଟି ଖାଲି ପଡିଛି । ତମେ ସେଥିରେ ଯୋଗ ଦେବାକୁ ପ୍ରସ୍ତୁତ?”

ଯୁବକ କହିଲେ “ମନ୍ତ୍ରୀ ମହୋଦୟ! ମୁଁ ମୋ ବାପା ଜେଜେବାପାଙ୍କ ନାମ ବିକି ଲାଭ ଉଠାଇବାକୁ ଏଠାକୁ ଆସି ନାହିଁ । ପରିଚୟ ହିସାବରେ ସେମାନଙ୍କ ନାମ କହିଛି । ମୁଁ ନିଜେ କବି । ଆପଣ ଚାହିଁଲେ ମୋର କବିତ୍ୱର ପରୀକ୍ଷା ନେଇ ପାରନ୍ତି । ତେବେ ଯଦି କବି ହିସାବରେ ମୋର ଉପାର୍ଜନ କରିବା ସମ୍ଭବ ନୁହେଁ, ମୁଁ ଘୋଡା ସହିସ ହେବାକୁ ପ୍ରସ୍ତୁତ ।”

ମନ୍ତ୍ରୀ ହଠାତ୍ ଉତ୍ତେଜିତ ଭାବରେ କହିଲେ, “ମହାରାଜ, ଏ ଯୁବକର ମତଲବ୍ ଭଲ ନୁହେଁ । ନିଜେ ଶିକ୍ଷୀତ ହୋଇଥିବା ସତ୍ତ୍ୱେ ଓ ବିଦ୍ୱାନ ପରିବାରର ସନ୍ତାନ ହେବା ସତ୍ତ୍ୱେ ସେ ଘୋଡା ସହିସ ଭାବରେ କାମ କରିବାକୁ ପ୍ରସ୍ତୁତ । ଏହା ପଛରେ ନିଶ୍ଚୟ କୌଣସି ରହସ୍ୟ ଅଛି ।”

ରାଜା ଓ ଯୁବକ ବିସ୍ମିତ ଭାବରେ ସେ ମନ୍ତ୍ରୀଙ୍କ ଆଡେ ଅନାଇଲେ । ରାଜା ପଚାରିଲେ, “କ’ଣ ସେ ରହସ୍ୟ?”

ମନ୍ତ୍ରୀ କହିଲେ “ଏ ଯୁବକ ଆମ ରାଜ୍ୟର ବଦ୍ନାମ କରିବାକୁ ଚାହେଁ । ଇଏ ଘୋଡା ସହିସ ହେଲେ ଲୋକେ କହିବେ, ଯଶୋଦାପୁର ରାଜ୍ୟରେ ଜଣେ କବିର କୌଣସି ପ୍ରକାର ମର୍ଯ୍ୟାଦା ନାହିଁ । କବିକୁ ଘୋଡା ସହିସ ଭାବରେ ଚଳିବାକୁ ହୁଏ!”

ଯୁବକ ରାଜାଙ୍କ ଆଡକୁ ଅନାଇ କହିଲେ, “ମହାରାଜ! ଘୋଡା ସହିସ ହେବାର ପ୍ରସ୍ତାବ ମୁଁ ଦେଇନାହିଁ, ମନ୍ତ୍ରୀ ମହୋଦୟ ନିଜେ ତାହା ଦେଇଛନ୍ତି । ମୁଁ ଯଥାର୍ଥ କବି ଭାବରେ ରାଜାଶ୍ରୟ ଚାହିଁଥିଲି । କିନ୍ତୁ ମୋ ବିଦ୍ୟା ଓ ବିବେକ ମୋତେ ଏତିକି ଶିକ୍ଷା ଦେଇଛି ଯେ କୌଣସି ନ୍ୟାୟସଙ୍ଗତ କାମ କେବେବି ନୀଚ ନୁହେଁ । ସେ ଯାହାହେଉ, ମନ୍ତ୍ରୀଙ୍କ ଦୃଷ୍ଟିକୋଣ ଓ ମୋ ଦୃଷ୍ଟିକୋଣ ଭିତରେ ଫରକ୍ ରହିଛି । ଅନୁମତି ମିଳିଲେ ମୁଁ ସେ ଫରକ୍ କ’ଣ କହିବି ।”

ରାଜା ନିର୍ଦ୍ଧେଶ ଦେଲେ “କୁହ ।”

ଯୁବକ କହିଲେ “ମନ୍ତ୍ରୀ ଭାବୁଛନ୍ତି ଲୋକେ କହିବେ ଏ ରାଜ୍ୟରେ କବିର କୌଣସି ଆଦର ନାହିଁ ବୋଲି କବିକୁ ଘୋଡା ସହିସ ହେବାକୁ ପଡିଛି । ମୁଁ ଭାବୁଛି ଲୋକେ କହିବେ ଯଶୋଦାପୁର ରାଜାଙ୍କ ଘୋଡା ସହିସ ବି କବି! ସେ ରାଜ୍ୟରେ କାବ୍ୟ କବିତାର ଆଦର ଏତେ ଅଧିକ!”

ରାଜା ହସି ପକାଇଲେ । ମନ୍ତ୍ରୀ ମଧ୍ୟ ହସିଲେ । ବୃଦ୍ଧ ମନ୍ତ୍ରୀ ଯୁବକର ପିଠି ଥାପୁଡାଇ କହିଲେ, “ତମକୁ ପରୀକ୍ଷା କରୁଥିଲି, ବାପା! ତମେ ସେଥିରେ ଉତୀର୍ଣ୍ଣ ହେଲ ।”

ତା’ପରେ ମନ୍ତ୍ରୀ ରାଜାଙ୍କୁ କହିଲେ, “ଏ ଯୁବକ ଯେତିକି ନମ୍ର ସେତିକି ବୁଦ୍ଧିମାନ । ସେ କବି ହିସାବରେ ରହନ୍ତୁ ବା ଅମାତ୍ୟ ହିସାବରେ ରହନ୍ତୁ, ସେ ଦରବାରରେ ରହି ଆପଣଙ୍କୁ ପରାମର୍ଶ ଦେବାକୁ ଯୋଗ୍ୟ ।”

ରାଜା ସେହି ଯୁବକଙ୍କୁ ରାଜକବି ଭାବରେ ନିଯୁକ୍ତି ଦେଲେ । ସେ କବି ଭାବରେ ବେଶ୍ ଖ୍ୟାତି ଲାଭ କରିବା ସଙ୍ଗେ ସଙ୍ଗେ ପରେ ସେହିଁ ରାଜାଙ୍କ ମନ୍ତ୍ରୀ ହେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ