ଦେବକନ୍ୟା

                ରାତିର ଶେଷ ଆଡକୁ, ଏକ ସୁଲଳିତ ସଂଗୀତର ସ୍ୱରରେ ତାର ନିଦ ଭାଙ୍ଗିଗଲା । ଆଖି ଖୋଲି ସେ ଚାହିଁଲା । ସେ ଯାହା ଦେଖିଲା, ତାହା ପ୍ରଥମେ ତାକୁ ସ୍ୱପ୍ନ ବୋଲି ମନେ ହେଲା । କିନ୍ତୁ ସେ ଇତସ୍ତତଃ ଅନାଇ, ନିଜ ଦେହକୁ ଚିମୁଟି, ବୁଝିଲା ଯେ ବାସ୍ତବିକ ତା’ ନିଦ ଭାଙ୍ଗିଗଲାଣି ଓ ସେ ସ୍ୱପ୍ନ ଦେଖୁନାହିଁ । ଅଦୂରର ଗଛଲତା ଗହନରୁ କେତୋଟି ପକ୍ଷୀ ମଧ୍ୟ ସେତେବେଳକୁ କୂଜନ ଆରମ୍ଭ କଲେଣି । ଚନ୍ଦ୍ର ପଶ୍ଚିମ ଦିଗନ୍ତକୁ ଢଳି ଗଲାଣି । ନକ୍ଷତ୍ରମାନେ ମଳିନ ହୋଇ ଆସୁଛନ୍ତି ।

                ଯେଉଁ ଦୃଶ୍ୟ ତାକୁ ବିସ୍ମିତ କରିଥିଲା, ଚନ୍ଦ୍ରକାନ୍ତ ପୁଣି ସେ ଦୃଶ୍ୟ ଆଡେ ଅନାଇଲା । ପ୍ରଥମେ ଟିକିଏ ଡର ଲାଗିଲେ ବି ବିସ୍ମୟ ଓ ଆନନ୍ଦର ପ୍ରଭାବରେ ତାହା କଟିଗଲା । ଦେଖିଲା ଜଣେ ଅପୂର୍ବ ସୁନ୍ଦର ସ୍ତ୍ରୀ ଲୋକ, ସୁନ୍ଦର ବସନ ଭୂଷଣ ପରିଶୋଭିତା ହୋଇ, ତା’ ଆଡକୁ ଧୀରେ ଧୀରେ ଚାଲି ଆସୁଛନ୍ତି । ସେ ଭାବିଲା ଏ ନିଶ୍ଚୟ ଜଣେ ଦେବକନ୍ୟା । ସେ ସ୍ତ୍ରୀ ନିକଟତର ହେବାରୁ ଚନ୍ଦ୍ରକାନ୍ତ ସାହସ କରି କହିଲା, “ତୁମେ ବଡ ସୌଭାଗ୍ୟବତୀ ହୋଇଥିବ ନିଶ୍ଚୟ, ନହେଲେ ଏତେ ରାତିରେ ଏକେଲା ଏତେ ସୁନ୍ଦର ଶାଢୀ ଓ ଅଳଙ୍କାର ପିନ୍ଧି ଗୀତ ଗାଇ ଗାଇ ମନ ଖୁସିରେ କେବେବି ବୁଲନ୍ତନାହିଁ । ମଣିଷ ଜୀବନରେ କେତେ ଦୁଃଖକଷ୍ଟ ସେ କଥା ବୋଧହୁଏ ତୁମେ ଅନୁମାନ ମଧ୍ୟ କରିପାରିବ ନାହିଁ, ମନେହୁଏ ତୁମେ ଦେବକନ୍ୟା । ନହେଲେ ଏତେ ଆନନ୍ଦରେ ଓ ନିର୍ଭୟରେ ଏଠାରେ ଘୁରି ବୁଲୁଛ କିପରି?”

                ଏହା ଶୁଣି ସେ ଦେବକନ୍ୟା ହଠାତ୍ ଚମକି ପଡି ରହିଗଲେ । ତା’ପରେ ସେ ଚନ୍ଦ୍ରକାନ୍ତକୁ ଦେଖିଲେ । ତାଙ୍କ ଦୃଷ୍ଟିରେ ଚନ୍ଦ୍ରକାନ୍ତ ମୁଗ୍ଧ ହେଲା ।

                ଦେବକନ୍ୟା ଚନ୍ଦ୍ରକାନ୍ତକୁ ଚାହିଁ ଅଳ୍ପ ହସି କହିଲେ, “ମନେ ହେଉଛି ତମ ବୟସ ଏପର୍ଯ୍ୟନ୍ତ କୋଡିଏ ବର୍ଷ ମଧ୍ୟ ଟପିନାହିଁ । ଏତେ କମ୍ ବୟସରେ ଏତେ ନିରାଶ? ଆଶ୍ଚର୍ଯ୍ୟ କଥା । ଆତ୍ମଶକ୍ତି ଉପରେ ବିଶ୍ୱାସ ରଖି ଦୃଢ ସଂକଳ୍ପ ସହିତ ପରିଶ୍ରମ କରିଲେ କେହି କେବେ ନିରାଶ ହୋଇ ପାରିବ ନାହିଁ । ଛାଡ ସେକଥା; ଏବେ କୁହ ତୁମେ କି ପ୍ରକାର ବିପଦରେ ପଡିଛ? ଆଉ ମୁଁ ତୁମକୁ କି ପ୍ରକାରର ସହାୟତା କରିପାରିବି?”

                ଚନ୍ଦ୍ରକାନ୍ତ ଦେବକନ୍ୟାଙ୍କୁ ତା’ର ପୋଡା ଭାଗ୍ୟର ଦୁଃଖପୂର୍ଣ୍ଣ କାହାଣୀ ଶୁଣାଇଲା । ସବୁ ଶୁଣି ଦେବକନ୍ୟା କହିଲେ, “ତୁମର ମୂର୍ଖତା ଉପରେ ମୋର ବହୁତ ଦୟା ଆସୁଛି । ଏହି ଜମି ତୁମର ତ? ତେବେ ତୁମେ ଖୁବ୍ ପରିଶ୍ରମ କରି ଫସଲ ଲଗାଅ । ଫଳ ଫଳିଲେ ତୁମର ଏ ଦୁଃଖ ଆପେ ଘୁଂଚିଯିବ ।”

                ତହୁଁ ଚନ୍ଦ୍ରକାନ୍ତ କହିଲା, “କିନ୍ତୁ ଏ ଜମି ତ ପୋଡାଭୂଇଁ । ଯେତେ ପରିଶ୍ରମ କରି ମଞ୍ଜି ପୋତିଲେ ମଧ୍ୟ ଗଜା ହୁଏନାହିଁ ।”

                ତା’କଥାରେ ଦେବକନ୍ୟା ମାଟି ଉପରେ ଦୃଷ୍ଟି ନିବଦ୍ଧ କଲେ । ତା’ପରେ ସେ ସ୍ୱହସ୍ତରେ ଅଳ୍ପ ମାଟି ଉଠାଇ ନେଇ ତାହା ନିରୀକ୍ଷଣ କଲେ ଏବଂ ପୁଣି ତଳେ ପକାଇ ଦେଇ ଏଥର ଚନ୍ଦ୍ରକାନ୍ତ ଆଡେ ଅନାଇଲେ ।

ଦେବକନ୍ୟା କହିଲେ, “ତୁମେ ଠିକ୍ କହୁଛ । ହେଲେ ମୁଁ ତୁମକୁ ଏକ ବର ଦେଉଛି ଯଦ୍ୱାରା ତୁମେ ଯେଉଁ ମଞ୍ଜି ହାତରେ ପୋତିବ ତାହା ନିଶ୍ଚୟ ଅଙ୍କୁରିତ ହେବ । ଫୁଲଗଛ ସବୁ ବଡ ହୋଇଗଲେ ମୁଁ ସବୁଦିନେ ଏଠାକୁ ଆସି ଠାକୁର ପୂଜା ପାଇଁ ଫୁଲ ନେଇଯିବି । ହେଲେ ତୁମେ ମୋତେ ସେଥିପାଇଁ କେବେ ବି ମନା କରିବ ନାହିଁ ।”

ସବୁ ଶୁଣି ଚନ୍ଦ୍ରକାନ୍ତ କୃତଜ୍ଞ ଭାବରେ କରଯୋଡି କରି ଦେବକନ୍ୟାଙ୍କୁ ପ୍ରଣତି ଜଣାଇଲା । ସେ ମୁଣ୍ଡ ତୋଳିବା ବେଳକୁ ଦେବକନ୍ୟା ଆଉ ସେଠାରେ ନାହାଁନ୍ତି । ଅଦୃଶ୍ୟ ହୋଇ ଗଲେଣି । ଏହାପରେ ସେ ଚନ୍ଦ୍ରକାନ୍ତ ନିଜ ଘରକୁ ଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ