ଦୟା, କ୍ଷମା ଓ ସେବା ହିଁ ପ୍ରତ୍ୟେକ ଧର୍ମର ମୂଳତତ୍ତ୍ୱ

ସଂଘମିତ୍ରାଙ୍କର ଶ୍ରୀଲଙ୍କାରେ ବୌଦ୍ଧଧର୍ମ ପ୍ରଚାର ବେଳର ଘଟଣା । ଗୋଟିଏ ଭଲକାମ କରିବାକୁ ଗଲାବେଳେ ନାନା ବାଧା ବିଘ୍ନ ବିପଦ ଆସି ରାସ୍ତା ଅବରୋଧ କରିଥାଏ, ସେକଥା ତ ସଂଘମିତ୍ରାଙ୍କୁ ବେଶ୍ ଭଲରୂପେ ଜଣାଥିଲା । ସୁତରାଂ ସେ ସକଳ ପ୍ରକାର ବାଧାବିଘ୍ନକୁ ଏଡାଇ ବୌଦ୍ଧଧର୍ମ ପ୍ରଚାରରେ ଲାଗିଥାନ୍ତି ।

ବୌଦ୍ଧଧର୍ମର ପ୍ରଚାର ଶ୍ରୀଲଙ୍କାରେ ବିଶେଷ ସଫଳତା ଲାଭ କଲା । ଫଳରେ ଅନ୍ୟ ଧର୍ମର ପ୍ରାଧାନ୍ୟ ଧୀରେ ଧୀରେ କମି ଆସିଲା । ସୁତରାଂ ସେଠାରେ ଥିବା ଅନ୍ୟ ଧର୍ମାବଲମ୍ବୀମାନେ ପ୍ରମାଦ ଗଣିଲେ । ସେମାନଙ୍କ ଧର୍ମ ଏକାବେଳକେ ଲୋପପାଇଯିବାର ସମ୍ଭାବନା ଦୃଷ୍ଟିରୁ ବୌଦ୍ଧଧର୍ମର ମୁଖ୍ୟ ପ୍ରଚାରକ ସଂଘମିତ୍ରାକୁ ଜୀବନରେ ଶେଷ କରିଦେବା ଲାଗି ବିଚାର ବିମର୍ଷ କଲେ । କ୍ରୋଧର କାରଣ ହୋଇ ଶତ୍ରୁ ପାଲଟି ଯାଇଥିବା ସଂଘମିତ୍ରାଙ୍କ କାନକୁ ବି ଏ ଖବରଗଲା । ହେଲେ ସେ ଏହି ଖବରରେ ଆଦୌ ବିଚଳିତ ହେଲେ ନାହିଁ । ବରଂ ବୌଦ୍ଧଧର୍ମର ମୂଳତତ୍ତ୍ୱ ଅହିଂସା ନୀତିକୁ ପାଥେୟ କରି ସେ ଅତି ନିର୍ଭୀକା ଭାବରେ ଧର୍ମପ୍ରଚାର ଜାରିରଖିଲେ ।

ଦିନକର କଥା । ଅମାବାସ୍ୟାର ନିବିଡ ଅନ୍ଧକାର ରାତିରେ ସତେଯେମିତି ସମଗ୍ର ଜଗତ ହଜିଯାଇଥାଏ । ସେହି ଘନ ଅନ୍ଧକାର ଭିତରେ ଜଣେ ଯୁବକ ତା’ ହାତରେ ଶାଣିତ ଛୁରୀଟିଏ ଧରି ସଂଘମିତ୍ରାଙ୍କ ବାସସ୍ଥଳୀ କୁଟୀର ଆଡକୁ ମାଡି ଆସୁଥାଏ । ସେ ଦେଖିଲା କୁଟୀର ସମ୍ମୁଖରେ ଦୀପଟିଏ ଜଳୁଛି ଓ ସଂଘମିତ୍ରା ଗୋଟିଏ ଗାଈ ନିକଟରେ ବସି କ’ଣ କରୁଛନ୍ତି ।

ଏଥର ସଂଘମିତ୍ରାଙ୍କୁ ହତ୍ୟା କରିବ ବୋଲି ସେ ଯୁବକ ହାତରେ ଛୁରୀଟି ଦୃଢ ହୋଇ ଉଠିଲା । ପଶ୍ଚାତରୁ ସଂଘମିତ୍ରାଙ୍କୁ ଛୁରୀ ଭୁଷିଦେବା ଲାଗି ସେ ଉଦ୍ୟତ ହେବା ବେଳକୁ ଏକ ଅଭାବନୀୟ ଦୃଶ୍ୟ ସେଠାରେ ସେ ଦେଖିଲା । ଚାହୁଁଚାହୁଁ ସେ ଯୁବକର ହାତ ଶିଥିଳ ହୋଇଗଲା ଓ ତା’ ହାତରୁ ଛୁରୀଟି ହଠାତ୍ ଖସିପଡିଲା ।

ଯୁବକଟି ଦେଖିଲା ଏକ ଅବିଶ୍ୱାସନୀୟ ଘଟଣା । ରାତିରେ ସେହି ନିର୍ଜନବେଳାରେ କେହି କୁଆଡେ ନଥିଲାବେଳେ ସଂଘମିତ୍ରା ସେବାକର୍ମରେ ନିୟୋଜିତ ଅଛନ୍ତି । ତାଙ୍କର ପିନ୍ଧାବସ୍ତ୍ରକୁ ଚିରି ଗାଈଟିର କ୍ଷତସ୍ଥାନକୁ ପୋଛାପୋଛି କରୁଛନ୍ତି । ସେବା, ମମତା, ପରୋପକାରର ଏପ୍ରକାର ବିରଳ ଦୃଶ୍ୟରେ ହତ୍ୟାକାରୀର ପଥର ହୃଦୟ ସେହିକ୍ଷଣି ତରଳିଗଲା । ତା’ପରେ ସେ ଯୁବକଟି ସଂଘମିତ୍ରାଙ୍କ ପାଦତଳେ ପଡି କ୍ଷମା ମାଗିଲା ।

ତହୁଁ ସଂଘର ଆଶ୍ରିତା ସଂଘମିତ୍ରା ତାଙ୍କର ବିଶାଳ ହୃଦୟରେ ଯୁବକଙ୍କୁ କ୍ଷମା କରିଦେଲେ । ତା’ଠାରୁ ସମସ୍ତ ଘଟଣା ଶୁଣିସାରିଲା ପରେ ସେ କହିଲେ, “ଭାଇ, ପ୍ରତ୍ୟେକ ଧର୍ମର ମୂଳତତ୍ତ୍ୱ ହେଲା ଦୟା, କ୍ଷମା, ସେବା ଓ ଉଦାରତା । ହେଲେ ଏହାକୁ ନ ବୁଝି କେତେକ ଅସାଧୁ ବ୍ୟକ୍ତି ପ୍ରାଚୀନ କାଳରୁ ଆଜିଯାଏଁ ଧର୍ମ ନାମରେ ଘୋର ବିବାଦ, ରକ୍ତପାତ, ସଂଗ୍ରାମ ଘଟାଇଛନ୍ତି । କିନ୍ତୁ ବାସ୍ତବିକ ଏହା ଆଦୌ ଠିକ୍ ନୁହେଁ । ବରଂ ଧର୍ମ ନାମରେ ସମାଜରୁ କୁସଂସ୍କାର ଅନ୍ଧବିଶ୍ୱାସକୁ ଜାରି ନରଖି ଏହାକୁ ହଟାଇ ଦିଆଗଲେ ଧର୍ମର ମହତ୍ତ୍ୱ ପ୍ରତିପାଦନ ହୋଇପାରିବ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ