ଧନ୍ୟ ସେ କୃଷକ ପିଲାର ସାହସ

ଏହା ଦେଖି ପଟେଲ୍ ଗୋରାସରକାର ବିରୋଧରେ ସଂଗ୍ରାମ ଆରମ୍ଭ କରିଦେବା ପାଇଁ କୃଷକମାନଙ୍କୁ ଉତ୍ସାହିତ କରାଇଲେ । ପଟେଲ୍ କହିଲେ, “କୃଷକ କାହିଁକି ଡରିବ? ସେ ତ କଠିନ ପରିଶ୍ରମ କରି କ୍ଷେତରେ ଫସଲ ଉପୁଜାଏ । ତେଣୁ ସେଇଥିପାଇଁ ସେ ମାନବ ସମାଜର ଅନ୍ନଦାତା । ସୁତରାଂ ସେ ଅନ୍ୟର ନାତ ଖାଇବ କାହିଁକି? ମୋର ଏତିକି ସଂକଳ୍ପ ଯେ, ମୁଁ ଦୀନହୀନ, ନିର୍ଦ୍ଧନମାନଙ୍କୁ ଉଠାଇ ଠିଆ କରାଇଦେବି । ଯାହାଦ୍ୱାରା କି ସେମାନେ ପୁଣିଥରେ ମୁଣ୍ଡଟେକି ଠିଆ ହୋଇପାରିବେ । ଯଦି ମୁଁ ଏତିକି କାର୍ଯ୍ୟ କରି ମରିଯାଏ ତେବେ ମୋ’ ଜୀବନ ସାର୍ଥକ ହୋଇଗଲା ବୋଲି ମୁଁ ଜାଣିବି । ଯେଉଁ କୃଷକ ବର୍ଷାରେ ଭିଜିଭିଜି, ମାଟି ସାଥିରେ ମାଟି ହୋଇ, ଶୀତ କାକର ସହି ଦଦରା ହଡା ବଳଦଠାରୁ ମଧ୍ୟ କାମ ଆଦାୟ କରିପାରେ, ତା’ର ପୁଣି ଡର କାହାକୁ? ସରକାର ହୁଏତ ବଡ ମହାଜନ ହୋଇପାରନ୍ତି, ହେଲେ କୃଷକ କାହିଁକି ତା’ର ଭଡାଟିଆ ହେବ? ସରକାର କ’ଣ ଏହି ଜମି ବିଲାତରୁ ଆଣିଛନ୍ତି ଯେ, ଜମିରୁ କର ଆଦାୟ କରିବା ପାଇଁ ଦାବି କରିପାରିବେ?”

ପଟେଲଙ୍କ ମୁହଁରୁ ଏଭଳି ଉତ୍ତେଜନାପୂର୍ଣ୍ଣ ବାଣୀ ଶୁଣି ସେଦିନ ବର୍ଦ୍ଦାଳୀର କୃଷକମାନେ ତାତି ଉଠିଲେ । ତା’ପରେ ସେମାନେ ତାଙ୍କର ଜୀବନ ଗଲା ଯାଏଁ ଗୋରାଙ୍କ ସହିତ ଲଢେଇ କରିବାପାଇଁ ଦୃଢପ୍ରତିଜ୍ଞ ହୋଇଗଲେ । ସେହିଦିନରୁ କରବନ୍ଦ ଆନ୍ଦୋଳନ ଘୋଷଣା ହୋଇଗଲା ।

ତା’ପରେ ପଟେଲ ସରକାରଙ୍କ ସହିତ ଲଢିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତି ଚଳାଇଲେ । ସିଏତ ମହାତ୍ମାଗାନ୍ଧିଙ୍କ ଅହିଂସା ବ୍ରତଧାରୀ ସୈନିକ ଥିଲେ, ହିଂସା ଆଚରଣ କରନ୍ତେ ବା କିପରି? ସେଥିପାଇଁ ସେ କୃଷକମାନଙ୍କୁ ବୁଝାଇଲେ, “ଦେଖ ଭାଇମାନେ! ସରକାରଙ୍କ ପାଖରେ କେବଳ ନିର୍ଦ୍ଦୟୀ ଲୋକମାନେ ହିଁ ଅଛନ୍ତି । ତାଙ୍କ ପାଖରେ ବନ୍ଧୁକ, ତୋପ, ଗୁଳିଗୋଳା ସବୁକିଛି ରହିଛି । ସେମାନେ ସଂସାରରେ ସବୁଠାରୁ ବଡ ଅସ୍ତ୍ରଧାରୀ ଶକ୍ତି ଅଟନ୍ତି । ମାତ୍ର ତୁମମାନଙ୍କ ପାଖରେ କେବଳ ତୁମର ହୃଦୟ ହିଁ ଅଛି । ନିଜ ଛାତି ଉପରେ ଏ ପ୍ରକାର ସହିବାର ସାହସ, ଶକ୍ତି ଅଛି ତ, ତେବେ ଆଗକୁ ବଢିବା କଥା ଚିନ୍ତା କର । କାରଣ ସରକାର ନିର୍ଦ୍ଦୟର ସହିତ ଆମ ଉପରେ ଅତ୍ୟାଚାର କରିବାକୁ ଚାହାଁନ୍ତି ଓ ତା’ ସହିତ ଅପମାନ ବି ଦେଇପାରନ୍ତି । ଦେଖ ଭାଇ! ଅପମାନିତ ହୋଇ ବଂଚିବା ଅପେକ୍ଷା ମରିଯିବା ତା’ ଠାରୁ ଅଧିକ ଶୋଭନୀୟ ଅଟେ ।”

ସର୍ଦ୍ଦାର ପଟେଲ ମଧ୍ୟ ଏହି ଆନ୍ଦୋଳନରେ ପୁରୁଷମାନଙ୍କ ସହିତ ସ୍ତ୍ରୀଲୋକଙ୍କୁ ସାମିଲ ହେବାପାଇଁ ଆହ୍ୱାନ ଦେଇ ସଫଳ ହୋଇଥିଲେ । ଏଥିପାଇଁ ସେ କହୁଥିଲେ, ଆମ ଭଉଣୀ, ମାତା, ସ୍ତ୍ରୀମାନେ ଯଦି ଆମ ସାଥୀରେ ନ ରହିବେ ତେବେ ଆମେ ଆଉ ଆଗକୁ ବଢିପାରିବା ନାହିଁ ।

ପୁଣିଥରେ କୃଷକମାନଙ୍କୁ ପ୍ରତ୍ୟେକ ପରିସ୍ଥିତିରେ ନିର୍ଭୟ ରହିବା ପାଇଁ ପଟେଲ୍ ଉପଦେଶ ଛଳରେ କହୁଥିଲେ, “ହୁଏତ ଯେତେ ବିପଦ କି କଷ୍ଟ ଆସୁ ପଛେ ତାକୁ ସହି ଏ ଲଢେଇ ଲଢିବାକୁ ହେବ, ଯେଉଁଥିରେ ସମ୍ମାନ ରକ୍ଷା ହେବ । ସରକାର ଚାହିଁଲେ ଯାହା ବି କରନ୍ତୁ ପଛକେ, ଆମେ ପଇସାଟିଏ ବି ନିଜ ହାତରେ ଉଠାଇ ଦେବା ନାହିଁ । ବାସ୍, କେବଳ ଏତିକି କଥା ହିଁ ମନେ ରଖିବାକୁ ହେବ । ନିଜ ନିଜ ଭିତରେ ଲଢେଇ କରିବା ପାଇଁ ସାହସ ବଢାନ୍ତୁ ଏବଂ ଏକତାକୁ ଦୃଢ କରନ୍ତୁ । କେବଳ କୋଳାହଳରେ କିଛି ବି କାର୍ଯ୍ୟ ନାହିଁ । ଯଦି ସରକାରଙ୍କ ସହିତ ଲଢିବାକୁ ହେବ ତେବେ ପ୍ରତି ଗାଁକୁ ଆଗ ଜାଗ୍ରତ କରାଇବାକୁ ପଡିବ । ଏବେ ତ ଆଉ ମଙ୍ଗଳର ବେଳ ନୁହେଁ, ଯୁଦ୍ଧର ବେଳ । କ’ଣ କେଉଁଠି ଯୁଦ୍ଧ ବେଳେ ବିବାହ ଭଳି ମଙ୍ଗଳ କାର୍ଯ୍ୟ କରାଯାଏ?”

“ଏବେ ତ ଆମକୁ ବୀର ସୈନିକ ଭଳି ଲଢିବାକୁ ହେବ । କାଲିଠାରୁ ଆପଣମାନେ ନିଜ ଘରେ ତାଲା ବନ୍ଦ କରି ଦିନସାରା କ୍ଷେତରେ ବୁଲିବା ଆରମ୍ଭ କରିଦିଅ । ବାଳ, ବୃଦ୍ଧ, ସ୍ତ୍ରୀ ସମସ୍ତେ ଯେଝା କାମ ବୁଝିନିଅନ୍ତୁ । ଧନୀ ଦରିଦ୍ର ସମସ୍ତେ ଏକ ହୋଇ ଏହି ପ୍ରକାର କାମ କରନ୍ତୁ, ଯେପରି ସମସ୍ତେ ଗୋଟିଏ ଶରୀର ଧାରଣ କରିଛନ୍ତି ।”

ପୁନଶ୍ଚ ମୁଁ ଆପଣମାନଙ୍କୁ ଚେତାବନୀ ଦେଉଛି ଯେ, ଏବେ ଗୋଟିଏ କ୍ଷଣ ବି ଆମୋଦ ପ୍ରମୋଦରେ ବସିବାର ବେଳ ନୁହେଁ । ବର୍ତ୍ତମାନ ଆମେ ସମ୍ପୂର୍ଣ୍ଣଭାବେ ମରି ମାଟିରେ ମିଶିଯିବା କିମ୍ବା ପୂରାପୂରି ସୁଖରେ ରହିବା – ଏହାହିଁ ମନରେ ଚିନ୍ତା କରିବାର ବେଳ । ଆମେ ଯଦି ପଡିଯିବା ତେବେ ଦେଶର କ୍ଷତି ହେବ, ମାତ୍ର ଅଡି ବସିଲେ ଦେଶ ଶକ୍ତ ହେବ ।

ବାସ୍ତବରେ ସର୍ଦ୍ଦାର ପଟେଲଙ୍କ ପ୍ରଭାବରେ କୃଷକମାନଙ୍କର ଆନ୍ଦୋଳନ ଏତେ ଶକ୍ତ ହୋଇଗଲା ଯେ, ତା’ ନିକଟରେ ସରକାରଙ୍କ ସମସ୍ତ ଚାଲ, ଦମନଲୀଳା ପ୍ରଭାବହୀନ ହୋଇଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ