ଧର୍ମନନ୍ଦନଙ୍କ କାହାଣୀ

                “ମୁଁ ତ ପ୍ରଥମରୁ କହିଛି, ମୋର ବିବାହ ମୋର ଇଚ୍ଛାଧୀନ ନୁହେଁ । ମୋର ପିତାମାତାଙ୍କ ସହିତ ଆପଣ କଥାବାର୍ତ୍ତା କରିବା ଉଚିତ୍ ହେବ ।” ଏତିକି କହି ଲତା ସେଠାରୁ ଚାଲିଗଲା ।

                ଧର୍ମନନ୍ଦନ ଲତାର ପିତାମାତାଙ୍କ ସହିତ ଦେଖାକରି ତାଙ୍କ ଆଗରେ ସେ ନିଜର ମନ କଥା ପ୍ରକାଶ କଲେ । ପିତାମାତା ଧର୍ମନନ୍ଦନଙ୍କ ଜାତି, ବଂଶ, ଧନ ଇତ୍ୟାଦି ବିଷୟରେ ପ୍ରଶ୍ନ କଲେ । ସେ ମିଛ କହିବାକୁ ଚାହୁଁ ନଥିଲେ, କିନ୍ତୁ ସତ୍ୟକୁ ଆଂଶିକ ଲୁଚାଇଲେ । ଲତାର ପିତାମାତା ଏହି ପ୍ରସ୍ତାବରେ ହଠାତ୍ ରାଜି ହୋଇ ପାରିଲେ ନାହିଁ ।

                ପରଦିନ ମନ୍ଦିର ଯିବାବେଳେ ଲତାକୁ ଦେଖାକରି ଧର୍ମନନ୍ଦନ କହିଲେ, “ତୁମେ ଯଦି ମୋ ପ୍ରସ୍ତାବରେ ସମ୍ମତ, ତେବେ ତୁମ ଘରର ଅନୁମତି ନ ଆଣି ମଧ୍ୟ ଆମେ ବିବାହ କରି ପାରିବା ।”

                ଲତା କହିଲା, “ମୁଁ ସେପରି କରି ପାରିବି ନାହିଁ । ଯଦି ମୋର ଭାଗ୍ୟ ଭଲଥାଏ ତେବେ ହୁଏତ କୌଣସି ରାକ୍ଷସ, ସେହି ଲୋକକୁ ଖାଇଯିବ, ତେବେ ଯାଇ ମୁଁ ତା’ ହାତରୁ ମୁକ୍ତ ହୋଇପାରିବି ।”

                ଲତାର ଏହି ଉତ୍ତରରେ ଧର୍ମନନ୍ଦନ ହଠାତ୍ ଚମକି ପଡିଲେ । ସେ ଏହି ନଗରକୁ ଆସିବାର ତ ପ୍ରାୟ ଏକ ମାସ ହୋଇଗଲାଣି । ଦିନେ ରାତିରେ ସେ ସେହି ଲୋକକୁ ଖାଇଗଲେ । ମନ ମଧ୍ୟରେ ସନ୍ତୋଷ ହେଲା ଯେ ଲତାକୁ ମୁକ୍ତି ଦେବାପାଇଁ ସେ ଏପରି କରିଛନ୍ତି ।

                ଏଥର ଲତାର ବିବାହ ସମସ୍ୟା କିଛିଦିନ ପାଇଁ ବନ୍ଦ ହେଲା । ଇତିମଧ୍ୟରେ ପ୍ରାୟ ମାସଟିଏ ବିତି ଗଲା । ଧର୍ମନନ୍ଦନଙ୍କର ମନୁଷ୍ୟଙ୍କ ପ୍ରତି ମମତା କ୍ରମଶଃ ବଢିବାରେ ଲାଗିଲା । କାହାକୁ ଖାଇବାକୁ ତାଙ୍କର ଆଦୌ ଇଚ୍ଛା ହେଉ ନଥାଏ । କିନ୍ତୁ ବୈଦ୍ୟ ତ ମଣିଷ ଖାଇବାକୁ କହିଥାନ୍ତି । ଦିନେ ସେ ଜଣେ ସନ୍ନ୍ୟାସୀଙ୍କୁ ଖାଇବାକୁ ବସିଲେ; ଭାବିଲେ ତାଙ୍କର ତ ଆଉ ଏ ଦୁନିଆରେ କେହି ବି ନାହିଁ, ତେଣୁ ତାଙ୍କ ଲାଗି କିଏ ବା ଦୁଃଖ କରିବ?

                କିନ୍ତୁ ସନ୍ନ୍ୟାସୀ ରାକ୍ଷସରାଜାଙ୍କୁ କହିଲେ, “ପୁତ୍ର ଧର୍ମନନ୍ଦନ, ତୁମେ ଜଣେ ଭଲ ସ୍ୱଭାବର ରାକ୍ଷସ; ମୋତେ ତୁମେ ଖାଇବାଟା ଅତ୍ୟନ୍ତ ଅସୁନ୍ଦର କଥା ହେବ । ପାପ ତ ନିଶ୍ଚୟ ହେବ । ମଣିଷମାନଙ୍କୁ ମୁଁ ନାନା ପ୍ରକାର ଧର୍ମ ଉପଦେଶ ଦେଇ ସେମାନଙ୍କୁ ପୁଣ୍ୟ ମାର୍ଗରେ ନେଉଛି । ସେମାନଙ୍କର ବହୁ ସମସ୍ୟାର ସମାଧାନ ବି କରୁଛି । ମୋତେ ଖାଇଲେ ତୁମେ ମଣିଷ ସମାଜକୁ କ୍ଷତିଗ୍ରସ୍ତ କରିବ ।”

                ସନ୍ନ୍ୟାସୀ ତାଙ୍କ ନାମଧରି ଶ୍ରଦ୍ଧାରେ ଡାକିବାରୁ, ଧର୍ମନନ୍ଦନଙ୍କର ସେ ସନ୍ନ୍ୟାସୀଙ୍କ ପ୍ରତି ବଡ ମମତା ଆସିଲା । ସେ ସନ୍ନ୍ୟାସୀଙ୍କୁ ଲତା ବିଷୟରେ କହିଲେ ଓ ସମାଧାନର ଉପାୟ ପଚାରିଲେ । ସନ୍ନ୍ୟାସୀ କହିଲେ, “ଲତାର ଦୂର ସଂପର୍କରେ ଜଣେ ମାମୁଁ ଅଛନ୍ତି, ତାଙ୍କ ନାମ ନିର୍ବାକ, ତାଙ୍କ ସ୍ତ୍ରୀର ନାମ କାତ୍ୟାୟିନୀ । ତାଙ୍କର କିଛି ପିଲାପିଲି ନାହିଁ, ମୁଁ ତାଙ୍କୁ କହିଛି, କୌଣସି ଯୁବକକୁ ଧରମପୁଅ ରୂପେ ରଖ । ସେମାନେ ଭଲ ପିଲାଟିଏ ଚାହାଁନ୍ତି; ମାତ୍ର ଏପର୍ଯ୍ୟନ୍ତ ସେମାନେ ଏ ବିଷୟରେ କିଛି ବି ଠିକ୍ କରି ନାହାଁନ୍ତି ।”

ସନ୍ନ୍ୟାସୀ ପୁଣି କହିଲେ, “ଆହୁରି ଶୁଣ” “ଏହି ନଗ୍ରରେ ବକ୍ରବୁଦ୍ଧି ନାମକ ଜଣେ କୋଟିପତି ଅଛି । ସେ ଜଣେ ନିହାତି କଦର୍ଯ୍ୟ ଓ ଶଠ ସ୍ୱଭାବର ଲୋକ । କିନ୍ତୁ ସାଧାରଣ ଲୋକ ତା’ ସହିତ ଶତ୍ରୁତା କରିବାକୁ ଭୟ କରନ୍ତି । ତୁମେ ତ ଶକ୍ତିଶାଳୀ ଓ ମାୟାବୀ । ତୁମେ ଗୋଟିଏ ଦୋକାନ ଖୋଲ; ଗରିବମାନଙ୍କୁ ଉଚିତ୍ ମୂଲ୍ୟରେ ଜିନିଷ ଦେଲେ; ସେମାନେ ଖୁବ୍ ଆନନ୍ଦିତ ହୋଇ ତୁମର ପ୍ରଶଂସା କରିବେ । ତେବେ ଯାଇ ନିର୍ବାକ ତୁମକୁ ତାଙ୍କର ଧର୍ମପୁଅ କରି ନେବ ।”

ସନ୍ନ୍ୟାସୀଙ୍କ ପ୍ରସ୍ତାବ ଅନୁସାରେ ଜଣେ ସୁସ୍ଥ ଲୋକକୁ ସେ ଖାଇଦେଲେ ଓ ତା’ରି ଦୋକାନର ଜିନିଷ ପତ୍ର ନେଇ ଭଲ ଜାଗାରେ ଦୋକାନଟିଏ ବସାଇଲେ । ଗରିବ ଲୋକଙ୍କୁ ଠିକ୍ ଦାମରେ ଜିନିଷ ଦେବାରୁ ସାରା ନଗରରେ ତାଙ୍କର ପ୍ରଶଂସା ବ୍ୟାପିଗଲା । ଏକଥା ଶୁଣି ବକ୍ରବୁଦ୍ଧି ତାଙ୍କ ପ୍ରତି ଭାରି ଈର୍ଷାକଲା । ମାତ୍ର ଦେଖିଲା ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି । ତେଣୁ ସେ ଗୁପ୍ତରେ ଗଜବଳ ନାମକ ଏକ ପହିଲ୍ମାନକୁ ଡାକି ଧର୍ମନନ୍ଦନକୁ ଜୀବନରୁ ମାରିଦେବାକୁ କହିଲା । ତାକୁ ଧର୍ମନନ୍ଦନ ସେହି ମାସରେ ନିଜ ଆହାର ବନାଇଲେ । ପୁଣି ଆସନ୍ତା ମାସ କଥା ଦେଖାଯିବ ।

ଇତିମଧ୍ୟରେ ନିର୍ବାକ ତାଙ୍କ ପାଖକୁ ଆସି କହିଲେ, “ତୁମ ବିଷୟରେ ମୁଁ ବହୁତ କିଛି ଶୁଣିଛି । ମନେ ହୁଏ ତୁମର ନିଜର ବୋଲି ଆଉ କେହି ବି ନାହିଁ । ତୁମ ପରି ଏକ ଉଦାର ଯୁବକକୁ ପୁତ୍ର ରୂପେ ପାଇଲେ ମୁଁ ଅତ୍ୟନ୍ତ ଧନ୍ୟ ହେବି । ଏଥିରେ ତୁମର ମତ କ’ଣ?” ତାଙ୍କଠୁଁ ଏଭଳି କଥା ଶୁଣି ଧର୍ମନନ୍ଦନ ବହୁତ ଖୁସି ହୋଇ ତାଙ୍କ କଥାକୁ ସ୍ୱୀକାର କଲେ ।

ଶାସ୍ତ୍ର ଅନୁସାରେ ନିର୍ବାକ ତାଙ୍କୁ ପୁତ୍ରରୂପେ ଗ୍ରହଣ କଲେ । ଇତିମଧ୍ୟରେ ଧର୍ମନନ୍ଦନଙ୍କ ଭାବନା କି ପରବର୍ତ୍ତୀ ମାସରେ କିଏ ତାଙ୍କ ରାକ୍ଷସପ୍ରବୃତ୍ତିର ଶିକାର ହେବ । ଠିକ୍ ସେତିକିବେଳେ କ୍ରୋଧରେ ଅନ୍ଧ ହୋଇ ବକ୍ରବୁଦ୍ଧି ଆସି ସେଠାରେ ପହଁଚି କହିଲା, “ଦଶଟି ହାତୀର ବଳ ଥିବା ଗଜବଳକୁ ମୁଁ ତୋ’ଠାକୁ ପଠାଇଥିଲି, ମାତ୍ର ତା’ର କିଛି ବି ପତା ମିଳୁନାହିଁ । ନଗରର ପ୍ରସିଦ୍ଧ ତାନ୍ତ୍ରିକକୁ ପଚାରିବାରୁ ସେ କହିଲେ, କୌଣସି ରାକ୍ଷସ ଗୁପ୍ତଭାବରେ ତତେ ସାହାଯ୍ୟ କରୁଛି । ସେ ତାଙ୍କ ମନ୍ତ୍ର ଦ୍ୱାରା ଏହି ସତ୍ୟ ଜାଣିସାରିଛନ୍ତି । ଏବେ କହ ସେ କେଉଁଠି? ନିମିଷକ ମଧ୍ୟରେ ତାକୁ ମାରି ମୁଁ ପୋତି ପକାଇବି ।”

ଧର୍ମନନ୍ଦନ ତା’ କଥା ଶୁଣି ହସି ହସି କହିଲେ, “ତୁମର ନାମ ଯେପରି, କର୍ମ ମଧ୍ୟ ଠିକ୍ ସେହିପରି । ରାକ୍ଷସ ଏଠାରେ କାହିଁକି ରହିବ? ସେ ସିନା ତା’ର ନିଜ ରାଜ୍ୟରେ ରହିବ ।” ତା’ପରେ ସେ ରାକ୍ଷସରାଜ୍ୟ ବିଷୟରେ ମଧ୍ୟ କହିଲେ ।

ଏସବୁ କଥା ଶୁଣି ବକ୍ରବୁଦ୍ଧି ବହୁତ ଖୁସି ହୋଇ କହିଲା, “ଭାଗ୍ୟବାନ୍ ବ୍ୟକ୍ତିହିଁ ଏପରି ସ୍ଥାନରେ ରହିପାରେ । ଥରେ ମୋତେ ସେଠାକୁ ପଠାଅ ନା?”

ଧର୍ମନନ୍ଦନ କହିଲା “ପଠାଇ ଦେଇ ପାରେ । କିନ୍ତୁ ତଦ୍ୱାରା ମୋର ବି ତ ମଧ୍ୟ କିଛି ଲାଭ ହେବା ଉଚିତ୍ ନା ନାହିଁ? ତୁମର ସମସ୍ତ ସମ୍ପତ୍ତି ମୋ ନାମରେ କରିଦିଅ । ମୁଁ ତୁମକୁ ଅତ୍ୟନ୍ତ ଶକ୍ତିଶାଳୀ କରି ଦେଇ ରାକ୍ଷସ ରାଜ୍ୟକୁ ପଠାଇ ଦେଇ ପାରିବି ।”

ତାଙ୍କ କଥା ଶୁଣିବା ମାତ୍ରେହିଁ ବକ୍ରବୁଦ୍ଧି ଭାବିଲା, “ଯଦି ମୁଁ ରାକ୍ଷସଶକ୍ତି ପାଇପାରିବି ତେବେ ସଙ୍ଗେ ସଙ୍ଗେ ମୋ ସମ୍ପତ୍ତି ତା’ଠାରୁ ମୁଁ ଛଡାଇ ନେବି । ଏପରିକି ମୁଁ ନିଜେ ରାଜା ମଧ୍ୟ ହୋଇପାରିବି । ମୋପକ୍ଷେ ଆଉ କୌଣସି କାର୍ଯ୍ୟ ମଧ୍ୟ ଅସାଧ୍ୟ ହୋଇ ରହିବ ନାହିଁ ।”ତେଣୁ ଏହିପରି କେତେକଥା ଭାବି ଲୋଭରେ ପଡି ବକ୍ରବୁଦ୍ଧି ନିଜର ସମସ୍ତ ଧନ ସମ୍ପତ୍ତିକୁ ଧର୍ମନନ୍ଦନକୁ ଦେଇଦେଲା ।

ଧର୍ମନନ୍ଦନ ବକ୍ରବୁଦ୍ଧିକୁ ନିଜର ମୁଦି ପିନ୍ଧାଇଦେଲେ ଓ ତତ୍କ୍ଷଣାତ୍ ସେ କୁଆଡେ ଉଭେଇ ଗଲା । ତା’ପରେ ଧର୍ମନନ୍ଦନ ସନ୍ନ୍ୟାସୀଙ୍କ ସହିତ ଦେଖା କରି ତାଙ୍କୁ କହିଲେ, “ମହାଶୟ, ଆପଣ ତ ସବୁକିଛି ଜାଣନ୍ତି । ଯିଏ ରାକ୍ଷସରାଜ୍ୟରେ ଥରେ ପ୍ରବେଶ କରେ ସେ ରାକ୍ଷସ ହୋଇଯାଏ, ତା’ର ମନୁଷ୍ୟ ସ୍ୱଭାବ ସମ୍ପୂର୍ଣ୍ଣ ରୂପେ ବଦଳି ଯାଏ । ତା’ପରେ ବାହାରକୁ ଆସିବାକୁ ପ୍ରାୟ ସେ ଆଉ ଇଚ୍ଛା କରେ ନାହିଁ । କିନ୍ତୁ ମୁଁ ଏକ ଭିନ୍ନ ସ୍ୱଭାବର ଥିଲି । ରାକ୍ଷସ ରାଜ୍ୟର ରାଜା ହୋଇ ମଧ୍ୟ ମୁଁ ମଣିଷ ସ୍ୱଭାବର ଥିଲି । ଏବେ ତ ମୁଁ ମଣିଷ ହୋଇଗଲିଣି । ରାକ୍ଷସଶକ୍ତିର ପରିସମାପ୍ତି ଘଟିବ । ମୁଁ ଏବେ ମୋ ଦୋକାନଟି ଚଳାଇ ଗରିବ ଲୋକମାନଙ୍କର ସେବା କରିପାରିବି । ଲତାକୁ ବିବାହ କରି ମଣିଷ ସମାଜ ସହିତ ମୁଁ ମଣିଷ ହୋଇ ରହି ପାରିବି ।”

ସନ୍ନ୍ୟାସୀ ଧର୍ମନନ୍ଦନଙ୍କୁ ଆଶୀର୍ବାଦ ଦେଲେ । ନିର୍ବାକ ତାଙ୍କୁ ଧର୍ମପୁତ୍ର ଭାବରେ ସ୍ୱୀକାର କରି ଲତା ସହ ତାକୁ ବିବାହ ଦେଲେ । ଏହାପରେ ସେ ସମଗ୍ର ପରିବାର ଶାନ୍ତି ଓ ସୁଖରେ କାଳ କାଟିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ