ଧର୍ମବତୀ କଥା

       ଛେଳି ପାଳକଟି ମହାରାଜଙ୍କ ଆଦେଶମାନି ବାଘ ଛୁଆଟିକୁ ନେଇ ଛେଳିଙ୍କ ଗହଣରେ ରଖିଲା । ବାଘଛୁଆ ଛେଳି ଛୁଆଙ୍କ ସହିତ ମା’ଛେଳିଠାରୁ ଦୁଧ ପିଇଲା । ଛେଳିମାନଙ୍କ ସହିତ ପଡିଆରେ ଘାସ ଚରିଲା । ଡାଳପତ୍ର ଖାଇବାରେ ଲାଗିଲା । ଏମିତି କିଛିକାଳ ବିତିଯିବା ପରେ ମହାରାଜ ଦିନେ ପାରିଷଦବର୍ଗଙ୍କୁ ନେଇ ସେଇ ପଡିଆକୁ ଗଲେ ଯେଉଁଠି ବାଘଛୁଆଟି ଛେଳିଙ୍କ ସହିତ ଆରାମରେ ଚରୁଥିଲା । ମହାରାଜଙ୍କ ସୈନିକମାନେ ଗୋଟିଏ ପିଞ୍ଜରାବଦ୍ଧ ମହାବଳ ବାଘକୁ ଆଣି ସେଠାରେ ଛାଡି ଦେଲେ ।

       ବାଘ ଖୁବ୍ ଜୋର୍ରେ ଗର୍ଜନ କଲା । ଛେଳିମାନେ ଛାନିଆରେ ପ୍ରାଣ ବଂଚାଇବା ପାଇଁ ଦୌଡିଲେ । ବାଘ ଛୁଆଟି ମଧ୍ୟ ସେମାନଙ୍କ ସହିତ ଦୌଡିଲା । ଏହା ଦେଖି ସମସ୍ତେ ହସିଲେ ଏବଂ ଆଶ୍ଚର୍ଯ୍ୟ ହେଲେ ।

       ମହାରାଜ କହିଲେ, “ଦେଖିଲତ ! ବାଘଛୁଆ ଆଉ ଛେଳି ଛୁଆଙ୍କର ସାମଞ୍ଜସ୍ୟ? ଯୋଗ୍ୟ ବାପର ପୁଅ ସେ ପର୍ଯ୍ୟନ୍ତ ଯୋଗ୍ୟ ବିବେଚିତ ହୁଏ ନାହିଁ ଯେ ପର୍ଯ୍ୟନ୍ତ ତା’ର ଉପଯୁକ୍ତ ପାଳନ ପୋଷଣ ହୋଇ ନ ପାରେ । ପରିବେଶ ଅନୁସାରେ ପ୍ରାଣୀର ଆଚରଣ, ଚରିତ୍ର ବଦଳିଥାଏ । ବାଘଛୁଆଟି ଛେଳିଙ୍କ ସହିତ ରହି ନିଜକୁ ଛେଳି ମନେ କରୁଛି । ସେ ଯେ ନିଜେ ଗୋଟିଏ ବାଘ ଏବଂ ଛେଳିକୁ ମାରି ଖାଇବା ତା’ର ଧର୍ମ ଏକଥା ସେ ଭୁଲି ଯାଇଛି । ଛେଳିଙ୍କ ସହ ଘାସ ଚରୁଛି ।

       ତା’ପରେ ମହାରାଜ ବାଘଛୁଆଟିକୁ ଜଙ୍ଗଲରେ ନେଇ ଛାଡି ଦେବାକୁ କହିଲେ ଏବଂ ତା’ ଉପରେ ନଜର ରଖିବାକୁ ନିର୍ଧେସ ଦେଲେ । ସୈନିକମାନେ ବାଘଛୁଆଟିକୁ ନେଇ ଜଙ୍ଗଲରେ ଛାଡି ଦେଲେ ଏବଂ ତା’ର ଗତିବିଧି ଉପରେ ଦୃଷ୍ଟି ରଖିଲେ । କିଛିଦିନ ମଧ୍ୟରେ ବାଘଛୁଆଟି ଶିକାର କରି ଶିଖିଗଲା । ଠେକୁଆ ମାରି ଖାଇଲା । ହରିଣଛୁଆଙ୍କୁ ଗୋଡେଇଲା । ଛେଳି ବାଛୁରୀଙ୍କୁ ମଧ୍ୟ ଦେଖିବାମାତ୍ରେ ସେମାନଙ୍କ ଉପରକୁ ଝାମ୍ପ ମାରିବାକୁ ଉଦ୍ୟତ ହେଲା । ସୈନିକମାନେ ଏକଥା ମହାରାଜଙ୍କୁ କହିଲେ ।

       ମହାରାଜ ପୁଣିଥରେ ପାରିଷଦ ବର୍ଗଙ୍କୁ ନେଇ ଜଙ୍ଗଲକୁ ଗଲେ । ପୂର୍ବପରି ମହାବଳ ବାଘଙ୍କୁ ଅଣାଇ ପିଞ୍ଜରା ଖୋଲା କରାଇଲେ । ବାଘ ଗର୍ଜନ କରିବା ମାତ୍ରେ ବାଘଛୁଆଟି ଆଉ ଦୌଡା ଦୌଡି ନକରି ନିଜ ସ୍ଥାନରେ ଠିଆ ହୋଇ ଲାଞ୍ଜପିଟି ଅନୁରୂପ ଗର୍ଜନ କରିବାକୁ ଲାଗିଲା ।

       ମହାରାଜ ସମସ୍ତଙ୍କୁ ଲକ୍ଷ୍ୟ କରି କହିଲେ, “ଦେଖିଲ ତ? ଯୋଉ ବାଘଛୁଆ ଆଗରୁ ପ୍ରାଣ ବିକଳରେ ଦୌଡୁଥିଲା ସେଇ କିପରି ଏବେ ଗର୍ଜନ କରି ନିଜ ସ୍ଥାନରେ ଠିଆ ହୋଇ ରହିଲା? ଏବେ ସେ ଆଉ ଘାସ ଚରିବ ନାହିଁ । ମାଂସ ଖାଇବ । ଅନୁକୂଳ ପରିବେଶ ପାଇଲେ ଜଣଙ୍କର ସହଜାତ ପ୍ରବୃତି ବିକଶିତ ହୋଇଥାଏ । ଏହା ତାର ପ୍ରମାଣ । ଛେଳିଛୁଆଙ୍କ ଠାରୁ ଅଲଗାକରି ବାଘ ଛୁଆକୁ ଜଙ୍ଗଲରେ ଛଡାଯାଇଥିଲା । ତାକୁ ଘୋର ଜଙ୍ଗଲରେ ଘାସ ବଦଳରେ ଶିକାର କରି ମାଂସ ଖାଇବାକୁ କିଏ ଶିଖାଇଲା? ବାଘ ପରି ଗର୍ଜନ କରିବା କଥା କିଏ ଶିଖାଇଲା? ଏହା ତାର ଜନ୍ମଜାତ ପ୍ରବୃତି । ତାରି ଭିତରେ ଥିଲା । ଉପଯୁକ୍ତ ବାତାବରଣ ପାଇବାରୁ ସେ ତାର ପ୍ରବୃତି ଅନୁସାରେ ନିଜକୁ ପ୍ରସ୍ତୁତ କରିନେଇ ପାରିଲା ।

       ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଲା ଯେ ଉଚ୍ଚ ଏବଂ ସଂମ୍ବ୍ରାନ୍ତ କୁଳରେ ଜନ୍ମିତ ମଣିଷ ଭିତରେ ତା’ର ସହଜାତ ବଂଶାନୁଗତ ଗୁଣ ରହିଥାଏ । ଖରାପ ବାତାବରଣ ମଧ୍ୟରେ ରହିଲେ ସେ ନିଜର ସହଜାତ ପ୍ରବୃତିରୁ ଓହରି ଯାଇଥାଏ । ସୁସ୍ଥ, ପ୍ରକୃତ ପରିବେଶ ପାଇଲେ ତାର ବଂଶଗତ ଗୁଣ, ଆଚରଣ ବିକଶିତ ହୋଇପାରେ । ତେବେ ବ୍ୟକ୍ତିର ଆଦର ସମ୍ମାନ ତାର କର୍ମ ଅନୁସାରେ ହୋଇଥାଏ । ଭଲକର୍ମ କଲେ ସେଇ ଅନୁସାରେ ନାମ, ଯଶ, ସମ୍ମାନ ମିଳେ । ଉଚ୍ଚକୁଳରେ ଜାତହୋଇ ଯଦି ଜଣେ ନୀଚ୍ଚକର୍ମ କରେ ତେବେ ସେ କେବେ ସମ୍ମାନର ଅଧିକାରୀ ହୋଇ ପାରେ ନାହିଁ । ଠିକ୍ ଯେମିତି ଛେଳିଙ୍କ ସହିତ ରହିଥିବା ବାଘ ନିଜର ପ୍ରବୃତି ଭୁଲି ଯାଇଥିଲା ।

       ଜଣେ ଦରବାରୀ ଯୁକ୍ତି କଲେ, “ଆପଣ ରାଜକୁଳରେ ଜନ୍ମିତ । ଏଣୁ ରାଜା ହୋଇ ପାରିଲେ । କୌଣସି ମଣିଷ ସାତଜନ୍ମ ଧରି କେତେ ଭଲକାମ କଲେ ମଧ୍ୟ ରାଜକୁଳରେ ଜନ୍ମ ନ ହୋଇ ସେ କ’ଣ ରାଜା ହୋଇ ପାରିବ?”

       ମହାରାଜ ଏକଥା ଶୁଣି କେବଳ ହସିଦେଇ ନୀରବ ରହିଲେ । ପରଦିନ ଜଣେ ନାବିକ ଆସି ଦରବାରରେ ପହଁଚିଲା ଏବଂ ହାତରେ ଧରିଥିବା ଗୋଟିଏ ଲାଲ୍ ରଙ୍ଗର ଫୁଲ ମହାରାଜଙ୍କୁ ଭେଟି ଦେଇ କହିଲା, “ମଣିମା! ଏହା ଏକ ଅଦ୍ଭୂତ ଫୁଲ । ଆଗରୁ ମୁଁ ଏମିତି ଫୁଲ କେବେ ଦେଖି ନଥିଲି । ଦେଖୁ ନାହାନ୍ତି ଏହା କେମିତି ଲାଲ୍ ପ୍ରବାଳ ରତ୍ନ ପରି ଚମକୁଛି?”

       ସତକୁ- ସତ ନାବିକ ଯେଉଁ ଫୁଲଟି ଆଣି ମହାରାଜାଙ୍କୁ ଦେଲା ତାହାକୁ ଦେଖି ଦରବାରରେ ସମସ୍ତେ ତାଜୁବ ହୋଇଗଲେ । ସାଧାରଣ ଲାଲ୍ ରଙ୍ଗର ଫୁଲ ଅପେକ୍ଷା ତାହା ଥିଲା ସଂପୂର୍ଣ୍ଣ ଭିନ୍ନ ।

       ମହାରାଜ ପଚାରିଲେ, “ତମେ ଏ ଫୁଲ କୋଉଠୁ ପାଇଲ?” ନାବିକଟି କହିଲା, “ଆଜ୍ଞା! ଏହା ନଦୀରେ ଭାସି ଆସୁଥିବା ସମୟରେ ଦେଖି ମୁଁ ନେଇ ଆସିଛି । ଯେହେତୁ ମୁଁ ଏମିତି ଫୁଲ ଆଗରୁ କେବେ ଦେଖି ନଥିଲି ।”

       ମହାରାଜ ନାବିକକୁ ଉପଯୁକ୍ତ ପୁରସ୍କାର ଦେଲେ ଏବଂ ମନ୍ତ୍ରୀଙ୍କୁ କହିଲେ, “ମହାମନ୍ତ୍ରୀ! ତମେ ୟାଙ୍କ ସହିତ ଯାଇ ଅନୁସନ୍ଧାନ କରିଦେଖ ଏମିତି ବିଚକ୍ଷଣ ପୁଷ୍ପ କେଉଁଠୁ ଆସୁଛି? କେଉଁ ଉଦ୍ୟାନରେ ଏହା ଫୁଟୁଛି । କେମିତିକା ଏହାର ଗଛ?”

       ମହାରାଜାଙ୍କ ଆଦେଶ ଅନୁସାରେ ମହାମନ୍ତ୍ରୀ ନାବିକ ସହିତ ଲାଲ୍ ରଙ୍ଗର ଫୁଲର ଅନୁସନ୍ଧାନ ପାଇଁ ସଙ୍ଗେ ସଙ୍ଗେ ବାହାରିଗଲେ । ନାବିକ ନିଜ ନୌକାରେ ମନ୍ତ୍ରୀଙ୍କୁ ବସାଇ ନଦୀର ପ୍ରତିକୂଳ ସ୍ରୋତରେ ନୌକା ବାହି ଫୁଲ ଭାସି ଆସୁଥିବା ଦିଗରେ ଅଗ୍ରସର ହେଲା । ଯାଉ ଯାଉ ମହାମନ୍ତ୍ରୀ ମଧ୍ୟ କେତୋଟି ଅବିକଳ ଲାଲ୍ ଫୁଲ ଭାସି ଆସୁଥିବାର ଦେଖିଲେ । ଗୋଟିଏ ଦୁଇଟି ଆଣି ପାଖରେ ରଖିଲେ ।

       ଆଗକୁ ନଦୀପଥ ସଂକୀର୍ଣ୍ଣ! ଦୁଇ ପାଖରେ ସୁଉଚ୍ଚ ପାହାଡଶ୍ରେଣୀ । ନୌକାରେ ଆଉ ଅଗ୍ରସର ହେବା ସମ୍ଭବ ନୁହେଁ । ମହାମନ୍ତ୍ରୀ କୂଳରେ ନୌକା ରଖାଇ ନାବିକ ସହିତ ପାହାଡି ରାସ୍ତାରେ ଅଗ୍ରସର ହେଲେ । କିଛିଦୂର ଯିବାପରେ ମହାମନ୍ତ୍ରୀ ଦେଖିଲେ ଏକ ଅଦ୍ଭୂତ ଦୃଶ୍ୟ । ଗୋଟିଏ ବଡ ଗଛ ଡାଳରେ ଜଣେ ଯୋଗୀ ଓଲଟା ଭାବରେ ଝୁଲି ରହି ଅଖଣ୍ଡ ତପସ୍ୟା କରୁଥିଲେ । ତାଙ୍କର ହାତ, ପାଦ, ଲୁହା ଶିକୁଳୀରେ ବନ୍ଧା ଯାଇଥିଲା । କିଛି ଦୂରରେ କୋଡିଏ ଜଣ ଯୋଗୀ ତପସ୍ୟାରତ ଥିଲେ । ଶିକୁଳୀ ବନ୍ଧା ସ୍ଥାନରୁ ରକ୍ତ ବିନ୍ଦୁ ବିନ୍ଦୁ ହୋଇ ଝରି ନଦୀରେ ପଡୁଥିଲା । ସେଇ ରକ୍ତବିନ୍ଦୁ ସବୁ ଲାଲ୍ ଫୁଲରେ ପରିଣତ ହେଉଥିଲା ।

       ମହାମନ୍ତ୍ରୀ ଫେରିଆସି ମହାରାଜଙ୍କୁ ସବିଶେଷ ବିବରଣୀ ଦେବା ପରେ ମହାରାଜ କହିଲେ, “ଶିକୁଳୀରେ ବନ୍ଧାହୋଇ ଝୁଲୁଥିବା ସେଇ ଯୋଗୀ ଜଣକ ଥିଲି ମୁଁ । କିଛି ଦୂରରେ ତପସ୍ୟା କରୁଥିବା ଯୋଗୀମାନେ ଥିଲ ତୁମେ ସବୁ କୋଡିଏ ଜଣ ଦରବାରୀ । ରାଜାଙ୍କ ପୁତ୍ର ହେବାର କିଛି ଆବଶ୍ୟକତା ନାହିଁ । କର୍ମ ଅନୁସାରେ ସବୁ ସମ୍ଭବ ହୋଇପାରେ। ମୋର ପୂର୍ବଜନ୍ମର କର୍ମନିଷ୍ଠା ପାଇଁ ମୁଁ ରାଜା ଏବଂ ତୁମେମାନେ ମୋର ଦରବାରୀ ହୋଇପାରିଛ ।”

       ରାଜାଙ୍କ କଥା ଶୁଣି ସମସ୍ତେ ସନ୍ତୁଷ୍ଟ ହେଲେ । ଏସବୁ ଶୁଣାଇ ପୁତ୍ତଳିକା କହିଲା, “ଆପଣ କେବେ ଏମିତି କର୍ମ କରିଛନ୍ତି, ଭୋଜରାଜ? ତେବେ ଆସନ୍ତୁ, ସିଂହାସନ ଆରୋହଣ କରନ୍ତୁ ।”

       ଭୋଜରାଜ ଆତ୍ମ ସମୀକ୍ଷା ପାଇଁ ନିଜ ଉଆସ ଅଭିମୁଖେ ଯାତ୍ରା କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ