ଧର୍ମାନ୍ଧ ବ୍ରାହ୍ମଣ

ଗୁରୁଙ୍କୁ ଦେଖି ସେ ବୋଦାଟି ପ୍ରଥମେ ହସିବାକୁ ଲାଗିଲା ଏବଂ ତା’ପରେ ସେ ଖାଲି କାନ୍ଦିଲା । ଏସବୁ ଦେଖି ଗୁରୁ ଆଉ ସେ ପୁରୋହିତ ଦୁହେଁ ହଠାତ୍ ଚମକି ପଡିଲେ । ଏ ତ ବଡ ଅଦ୍ଭୁତ କଥା ! ଦିନେ କାଳେ ଶୁଣା ନାହିଁ । ଏ ବୋଦାଟା ମଣିଷ ପରି ହସୁଛି, କାନ୍ଦୁଛି ଏବଂ କଥା ବି କହୁଛି ।

ତହୁଁ ଗୁରୁ ସେ ବୋଦାକୁ ପଚାରିଲେ, “ତୁମେ ଏପରି ହସିବାର ଏବଂ କାନ୍ଦିବାର କାରଣ କ’ଣ? ବଳି ପକାଇବା ତ ଆମର ବିଧି । କାହିଁ କେଉଁ ଆବାହମାନକାଳୁ ତ ଏହା ଚଳି ଆସୁଛି । ବହୁତ ଠାକୁରାଣୀ ମନ୍ଦିରରେ, ତ ଯଜ୍ଞ ସ୍ଥାନରେ ହିଁ ବଳି ପଡିଥାଏ । ଏହାର ରହସ୍ୟ କ’ଣ ଆମକୁ ଖୋଲି କରି କହ?”

ବୋଦା କହିଲା, “ହେ ବ୍ରାହ୍ମଣ ! ମୁଁ ମଧ୍ୟ ଠିକ୍ ତୁମ ପରି ପୂର୍ବଜନ୍ମରେ ଜଣେ ନୈଷ୍ଠିକ ବ୍ରାହ୍ମଣ ଥିଲି । ନାନା ବ୍ରତ, ଯଜ୍ଞ, ପୂଜା ଅନୁଷ୍ଠାନରେ ମୋର ଦିନ ସବୁ କଟି ଯାଉଥିଲା । ପ୍ରତିବର୍ଷ ମୁଁ ମୋ ପିତୃଶ୍ରାଦ୍ଧରେ ବୋଦା ବଳି ପକାଉଥିଲି । ସେହି ପାପର ପରିଣାମରେ ମୋତେ ଏ ବୋଦା ଜନ୍ମ ମିଳିଲା । ମୁଁ ଚାରିଶହ ଅନେଶ୍ୱତ ଥର ବୋଦା ହୋଇ ଜନ୍ମ ହୋଇଛି ଏବଂ ପ୍ରତ୍ୟେକ ଥର ଖାଲି ହଣା ହିଁ ଖାଇଛି । ଏହି ଥର ମୋର ଶେଷ ପାଳି । ତୁମେ ମୋତେ ବଳି ଦେଲେ ଯାଇ ମୁଁ ଏ ପଶୁ ଜନ୍ମରୁ ଉଦ୍ଧାର ପାଇବି । ଏଇଥିପାଇଁ ମୁଁ ହସୁଥିଲି । ଯାହାହେଉ, ଆଉ ଥରେ ମୋତେ ତ ପଶୁଜନ୍ମ ଗ୍ରହଣ କରି ପୁଣି ହଣା ଖାଇବାକୁ ପଡିବ ନାହିଁ ନା ।

ବ୍ରାହ୍ମଣ ପଚାରିଲେ, “ଓ ଏଥର ମୁଁ ଯାଇ ଠିକ୍ ବୁଝିଲି ଯେ, ତୁମେ କାହିଁକି ପ୍ରଥମେ ହସିଲ । କିନ୍ତୁ କାନ୍ଦିବାର କାରଣ କ’ଣ?”

ବୋଦା କହିଲା, “ହେ ବ୍ରାହ୍ମଣ, କେବଳ ତୁମରି କଥା ଭାବିକରି ହିଁ ମୁଁ କାନ୍ଦୁଥିଲି । ପାପ ତ ମୁଁ କରିଥିଲି । ସେଥିପାଇଁ ମୁଁ ପାଂଚଶହ ଥର ଜନ୍ମହୋଇ ହଣା ହେବାର କଷ୍ଟ ନିଜ ଅଙ୍ଗେ ନିଭେଇଛି । ଏବେ ତୁମର ବି ସେଇ ପାଳି ନିଶ୍ଚୟ ପଡିବ । ତୁମେ ଯେଉଁ ପାପ କରୁଛ, ଏଥିରୁ ତୁମକୁ ଉଦ୍ଧାର ପାଇବାର ଆଉ କୌଣସି ଉପାୟ ବି ନାହିଁ ।”

ଏସବୁ ଶୁଣି ସେ ବ୍ରାହ୍ମଣ ଏବଂ ପୁରୋହିତ, ଦୁହେଁ ଖାଲି ଭୟରେ ଥରିବାକୁ ଲାଗିଲେ । ତହୁଁ ସେ ଦୁହେଁ ବିଚାର କରି ଠିକ୍ କଲେ, “ବାସ୍ତବିକ୍ ପଶୁହତ୍ୟା ଅତ୍ୟନ୍ତ ନିଷ୍ଠୁର ପ୍ରଥା । ଏହି ପାପର ପରିଣତି ଅତ୍ୟନ୍ତ ଭୟଙ୍କର । ଆଜିଠାରୁ ଶ୍ରାଦ୍ଧରେ କିମ୍ବା କୌଣସି ଠାକୁରାଣୀଙ୍କ ପାଖରେ ପଶୁବଳି ବନ୍ଦ କରାଯିବ ।”

ତାପରେ ସେ ଗୁରୁ ତାଙ୍କ ଶିଷ୍ୟମାନଙ୍କୁ କହିଲେ, “ପିଲାମାନେ, ଏ ବୋଦାର ବନ୍ଧନ ଖୋଲିଦିଅ । ତାକୁ ଭଲ ଭାବରେ ଖାଇବାକୁ ଦେଇ ତାର ମାଲିକ ପାଖରେ ଛାଡି ଦେଇଆସ ।

ବୋଦାଟି ମୁକୁଳି ସାରିଲା ପରେ ବ୍ରାହ୍ମଣଙ୍କୁ ମୁଣ୍ଡ ନୁଆଇଁ  ନମସ୍କାର କଲା, ଓ କହିଲା – “ତୁମେ ମୋତେ ଏହିଥର ବଳି ନପକାଇଲେ ମଧ୍ୟ ମୁଁ କିନ୍ତୁ ନିଶ୍ଚୟ ମୁକ୍ତି ପାଇବି ।”

ସେ ବୋଦାଟି ଏତିକି କହୁ କହୁ ହଠାତ୍ ଏକ ବିଜୁଳି ମାରିଲା ଏବଂ ସେହି ବିଜୁଳିର ଆଘାତରେ ବୋଦାଟି ମରିଯାଇ ପଶୁଜନ୍ମରୁ ଉଦ୍ଧାର ପାଇଲା ।

ସେହିଦିନୁ ସମସ୍ତେ ସାବଧାନ ହେଲେ । ଜୀବ ହତ୍ୟା ମହାପାପ । ଧର୍ମ ନାମରେ ଜୀବହତ୍ୟା କଲେ ମଣିଷ ଯାହା ଖାଲି ନରକରେ ଘାଂଟି ହୋଇ କଷ୍ଟ ପାଇବ ସିନା । ହେଲେ ତାକୁ ଏଥିରୁ କେହି ବି ଉଦ୍ଧାର କରିପାରିବେ ନାହିଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ