ଧୂଳିଆବାବା

ଆଗ ଆଗ ମହନ୍ତ ମହାରାଜଙ୍କ ମହିମା କଥା ତ ଦେଶ ଲୋକଙ୍କୁ ଜଣା । ପୁଣି ସେ ସବୁକଥା ଭୁର୍ଜପତ୍ରରେ ଦେବନାଗର ଅକ୍ଷରରେ ରକ୍ତଚନ୍ଦନରେ ଲେଖା ହୋଇ ଦେଉଙ୍କ ସିଂହାସନ ତଳେ ଅଛି । ଏ ଧୂଳିଆବାବା ସେସବୁ ପଢିଆସି ବିଶ୍ୱାସୀ ଭକ୍ତମାନଙ୍କ ପାଖରେ ଗୋପନରେ କହନ୍ତି । ତଥାପି ମଧ୍ୟ କେହି କେହି ଅବିଶ୍ୱାସୀ ଭକ୍ତ ଲୋକଙ୍କ ପାଖରେ ସେସବୁ ପ୍ରକାଶ କରି ପକାଏ ।

ଧୂଳିଆବାବା ସବୁଦିନେ ଚେଲାମାନଙ୍କ ଆଗରେ କହନ୍ତି, ଏହି ପୁରୀରେ ଯେଉଁ ଜଗନ୍ନାଥ ଦେଉଳ ଦେଖୁଛ, ତାହା ତିଆରି ହେଲା ବାଦ ତା’ର ପ୍ରତିଷ୍ଠାକୁ ଅଯୋଧ୍ୟାରୁ ହଜାରେ ଆଠ ମୂରତି ସାଧୁ-ମହନ୍ତ ଭୋଜି ଖାଇବାକୁ ଆସିଥିଲେ । ଏ ବି ସେମାନଙ୍କ ମଧ୍ୟରେ ଆସିଥିଲେ । କେବଳ ଚେଲାମାନଙ୍କ ଭକ୍ତି ଏଡି ନ ପାରି ସେ ଏଠାରେ ରହିଯାଇଛନ୍ତି – ଆଉ ଏ ମିଛୁଆ ଦେଶଟା ତାଙ୍କୁ ଭଲ ଲାଗୁ ନାହିଁ । ଅଯୋଧ୍ୟା ହନୁମାନ ଗାଦିକୁ ଫେରିଯିବେ । ଏପରି କଥା ଶୁଣି ପ୍ରସାଦସେବାକାରୀ ଚେଲାମାନେ ମହନ୍ତଙ୍କ ଗୋଡତଳେ ପଡି ଖାଲି ଗଡନ୍ତି । ସେମାନଙ୍କ ଉପରେ କୃପା କରି ଧୂଳିଆବାବା ଏହିଠାରେ ରହିଯାଇଛନ୍ତି । ଏପରି ଘଟଣା ଶହକୁ ଶହ ଥର ହୋଇଗଲାଣି ।

ସେ ମହନ୍ତଙ୍କର ଧନଦୌଲତ ଅମାପ । ଗାଈ, ମଇଁଷି ପଲକୁ ପଲ । ଧାନ ଟଙ୍କାର ସୀମା ନାହିଁ । ଆୟ ଢେର୍ । ଆୟ ମଧ୍ୟରୁ ଗୋଟିଏ ବିଶେଷ ଆୟ ଏହି, ଦେଶ ମଧ୍ୟରେ ମାଲିମକଦ୍ଦମା ଉପସ୍ଥିତ ହେଲେ ମୁଦେଇ-ମୁଦାଲା ଦୁଇ ପକ୍ଷ ପ୍ରଭୁଙ୍କ ପାଖରେ ମନାସି ଯାନ୍ତି, ମାମଲା ଡିଗ୍ରୀ ହେଲେ କିଏ କେତେ ଟଙ୍କା ଦେବେ । ପାଞ୍ଜିଆ ସେସବୁ ଲେଖି ରଖେ । ଯାହାର ମାମଲା ଡିଗ୍ରୀ ହୁଏ ଜଣେ ସାଧୁଙ୍କୁ ପଠାଇ ତା’ଠାରୁ ଟଙ୍କା ଅସୁଲ କରାଯାଏ ।

ରାମସାଉ ଶାମସାଉ ଦୁଇ ଭାଇ । ଭାଇଭାଗ ବଂଟୁଆରା ପାଇଁ କଟକ ଅଦାଲତରେ ମକଦ୍ଦମା ଦାଏର ହେଲା । ରାମସାଉ ପ୍ରଭୁଙ୍କଠାରେ ମନାସିଗଲା, ମାମଲା ଡିଗ୍ରୀ ହେଲେ କେତେ ଟଙ୍କା ଦେବ, ତେଣୁ ପାଞ୍ଜିଆ ପାଖରେ ସେ ଲେଖିଦେଇଗଲା । ମାତ୍ର ଶାମସାଉ ସେଠାକୁ କଦାପି ଆସେ ନାହିଁ । ବୁଝୁ-ବୁଝୁ, ଶାମା କିଆଁ ଅଇଲା ନାହିଁ । ଜଣେ ଚେଲା ବୁଝିଆସି ଜଣାଇଲା, “ପ୍ରଭୁ! କଣ କହିବି – କହିବାକୁ ମୋତେ ଡର ମାଡୁଛି – ଆଜ୍ଞା, ସେ ଶାମାର ଏଡେ ବହପ, ପାଂଚଜଣଙ୍କ ଆଗରେ ସେ ସାଫ୍ ଫିଟେଇ କହିଲା, ଏ ଘୋର କଳିକାଳରେ ମହନ୍ତଙ୍କ କରାମତ କାହିଁ ଯେ ମୁଁ ମନାସିବାକୁ ଯିବି?” ମହନ୍ତ ତ ସେତେବେଳେ ଗଞ୍ଜେଇ ଭିଡୁଥିଲେ । ଏକଥା ଶୁଣି ସେ ଅତ୍ୟନ୍ତ ରାଗରେ ଓ ଖୁବ୍ ବଳରେ ଚିଲମଟା ଭିଡି ନେଲେ – ଫଳରେ ଦପ୍କରି ତାହା ଜଳିଉଠିଲା । ମହନ୍ତ ଅଳ୍ପ ଅଳ୍ପ ଭକ୍ ଭକ୍ କରି ପାଟିରୁ ଧୂଆଁ ଛାଡୁଥାନ୍ତି । ତା’ପରେ ସେ ଚିପି ଚିପି କରି କଥାଟା କହିଲେ, “ଦେଖ ଚେଲାମାନେ, ଆମେ ହୁକୁମ୍ କରିବୁଁ, ଏହି ଚିଲମ ନିଆଁ କଥା କହିବ ।” ଏକଥା ଶୁଣି ଚେଲାମାନଙ୍କର ତ ଆନନ୍ଦର ଆଉ ସୀମା ନାହିଁ । ସେମାନଙ୍କର ଦୃଢବିଶ୍ୱାସ, ମହନ୍ତଙ୍କ ଆଜ୍ଞା କଦାଚିତ୍ ମେଂଟଣ ହେବାର ନୁହେଁ । ସେହିଦିନ ମଧ୍ୟରେ ଦେଶଯାକ ହାଟ ହୋଇଗଲା, “ଧୂଳିଆବାବାଙ୍କୁ ପ୍ରଭୁଙ୍କର ସ୍ୱପ୍ନ ହୋଇଛି, ସେ ସିଦ୍ଧପୁରୁଷ ହୋଇଗଲେଣି, ଏଥର ତାଙ୍କ ଗଞ୍ଜେଇ ଚିଲମ କଥା କହିବ ।” ଥୋକେ ଚେଲା ପ୍ରକାଶ କଲେ “ନାହିଁ ନାହିଁ – ଚିଲମ ନୁହେଁ, ଚିଲମ ନିଆଁ କଥା କହୁଛନ୍ତି – ଦଶଜଣଙ୍କୁ ଆଜ୍ଞା ହେଲା, ସେ ନିଜେ ବି ଶୁଣିଆସିଲା ।” ଆଉ ସେ ଯାଏ କାହିଁ? ତହିଁ ଆର ଦିନ ସକାଳୁ ସଞ୍ଜଯାଏଁ ସେଠାକୁ ଶହକୁ ଶହ ଲୋକ ଧାଇଁଛନ୍ତି । କାହାକୁ ବେମାରି ଛାଡୁ ନାହିଁ, କାହାର ବଳଦ ହଜିଛି ମିଳୁ ନାହିଁ, କାହାର ମାମଲା ଦାଏର ଅଛି ଡିଗ୍ରୀ ହେଉ । ଢେର୍ ଢେର୍ ତିରିଲା ପା’ପୂଜା ପଠାଇଛନ୍ତି, ସେମାନଙ୍କର ପୁଅ ହେଉ ନାହିଁ, ଚିଲମ ପ୍ରଭୁ ବର ଦିଅନ୍ତୁ । ଲୋକେ ପାଦପୂଜା ଟଙ୍କା ଅଧୁଲି ସୁକୀ ମହନ୍ତଙ୍କ ପାଦତଳେ ଦେଇ ଅଧ୍ୟା ପଡିଛନ୍ତି ।

ମହନ୍ତ ମହାରାଜା ଆଜ୍ଞା କଲେ, “ଉଠ ଉଠ ବାବାମାନେ! ଆଜି ଆମେ କିଛି ବି କହିବୁ ନାହିଁ । ଏହି ଯେ ଆମ୍ଭ ଗଞ୍ଜେଇ ଚିଲମରେ ଅଗ୍ନି ଦେଖୁଛ, ସେଥିରେ ଧୁନି ଥାପନା ହେବ । ସେହି ଧୁନିରେ ଅଗ୍ନିଦେବତା ବିଜେ କରିବେ; ତା’ପରେ ସମସ୍ତଙ୍କ ଗୁହାରି ଶୁଣି ସେ ବର ଦେବେ । ଆସନ୍ତା ଅଗିରାପୂନେଇଁ ଦିନ ଅଗ୍ନିଦେବତା ସ୍ୱର୍ଗରୁ ବିଜେ ହୋଇ ପୃଥିବୀରେ ଭ୍ରମଣ କରିବେ । ଆମ୍ଭକୁ ସେ ସ୍ୱପ୍ନରେ ଆଜ୍ଞା କରିଛନ୍ତି, ଆମ୍ଭେ ଧୁନି ଥାପି ତାଙ୍କୁ ବିଜେ କରାଇ ରଖିବୁ । ଯାହାର ଯାହା ଗୁହାରି ଥିବ, ପୂଜା ଦେଇ ତାଙ୍କୁ ଜଣାଇଲେ ତତ୍କ୍ଷଣାତ୍ ସେହି ବର ତାକୁ ମିଳିଯିବ ।” ଏହିପରି ଭାବେ ସେ ମହନ୍ତ ପୂଜାର ବିଧାନ ସମସ୍ତଙ୍କୁ ଶୁଣାଇ ଦେଲେ । ଧୁନିରେ ଶଏ ଆଠ ଆହୁତି ଦିଆଯିବ; ସେଥିସକାଶେ ଖଣ୍ଡିଏ ନବବସ୍ତ୍ର, ପାଂଚ ପା’ ଘିଅ, ପଂଚୁବର୍ଣ୍ଣି ଭୋଗ, ପଂଚୁବର୍ଣ୍ଣି ପୁଷ୍ପ, ଗାଦି ପୂଜା ଦକ୍ଷିଣା ଯାହାର ଯାହା ଶକ୍ୟ; କିନ୍ତୁ ତାହା ପାଂଚ ସୁକାରୁ ଆଦୌ ଊଣା ନୁହେଁ ।


ଗପ ସାରଣୀ

ତାଲିକାଭୁକ୍ତ ଗପ