ଧୂସର ଦୁର୍ଗ

କିନ୍ତୁ କାପାଳିନୀର ମନୋଭାବ ଦେଖି ଓ ତା’କଥା ଶୁଣି ତାଙ୍କ ମନ ଅତ୍ୟନ୍ତ ଖରାପ ହୋଇଗଲା । ଏସବୁ ଦେଖି କାପାଳିନୀ ଦୀର୍ଘନିଃଶ୍ୱାସ ଛାଡି କହିଲା, “ଚନ୍ଦ୍ରବର୍ମା! ମୋତେ ଦୁର୍ଭାଗ୍ୟ ଗ୍ରାସ କରିଛି ବୋଲି କହିବାକୁ ହେବ । ଆମେ ଯେ ଏତେ କଷ୍ଟ କରି, ନିଜ ଜୀବନକୁ ପାଣି ଛଡାଇ ଏ ଦୂର ଅଂଚଳକୁ ଆସିଲେ, ତା’ର ଆଉ କୌଣସି ମୁଲ୍ୟ ନାହିଁ । ପ୍ରଥମେ ଆମେ ଯେପରି ଅସହାୟ ଅବସ୍ଥାରେ ରହିଥିଲୁ, ବର୍ତ୍ତମାନ ପୁଣି ସେହି ଅବସ୍ଥାକୁ ଫେରିଗଲୁ । ବୋଧହୁଏ ହତାଶା, ପରିଶ୍ରମ ଓ ଦୁଃଖହିଁ ଆମ କପାଳରେ ଲେଖା ଥିଲା ।”

କାପାଳିନୀର ଏ ଦାଋଣ ମନଦୁଃଖର କାରଣ ଠଉରାଇବା ନିମନ୍ତେ ଚନ୍ଦ୍ରବର୍ମା ଚେଷ୍ଟା କଲେ ଓ ସେ ସରୋବର ଆଡେ ଦୃଷ୍ଟିପାତ କଲେ । ସେ ସରୋବର ନିଶ୍ଚୟ କୌଣସି ନଦୀ ସହ ସଂଯୁକ୍ତ ଥିଲା । କାରଣ ନଦୀରେ ଜୁଆର ଆସିଥିବାରୁ ସରୋବର ଉଚ୍ଛୁଳି ଉଠୁଥିବାର ଜଣା ପଡୁଥିଲା ।

                ଚନ୍ଦ୍ରବର୍ମା ପଚାରିଲେ, “କାପାଳିନୀ! ଏ ମନ୍ତ୍ର-ଗୃହ ସଙ୍ଗେ ସଙ୍ଗେ ତହିଁ ଭିତରେ ଥିବା ଯାଦୁ ଶଂଖ ମଧ୍ୟ ଜଳ ଗର୍ଭରେ ଲୀନ ହେଲା । ତମ ହତାଶାର କାରଣ କ’ଣ ଏଇଆ?”

                ତହୁଁ ସେ କାପାଳିନୀ ତା’ର ଭଙ୍ଗଭଙ୍ଗା କଣ୍ଠରେ କହିଲା, “ହଁ, ତମ ଅନୁମାନ ସତ୍ୟ । ଶଂଖୁର ମନ୍ତ୍ର-ଗୃହ ଭିତରେ ଯେ ଖାଲି ସେ ଅପୂର୍ବ ଶକ୍ତିଶାଳୀ ଶଂଖଟି ଥିଲା, ତାହା ନୁହେଁ । ଆହୁରି ଅନେକ ଯାଦୁ ସାମଗ୍ରୀ ବି ରହିଥିଲା । ସେ ସବୁ ଗଲା । ମୋର ଅବଶ୍ୟ କେବଳ ସେ ଶଂଖଟି ପ୍ରତି ବିଶେଷ ଆକର୍ଷଣ ଥିଲା । ତେବେ ଅନ୍ୟାନ୍ୟ ସାମଗ୍ରୀ ଦ୍ୱାରା ତମର ସହାୟତା କରିବି ବୋଲି ଭାବୁଥିଲି । ସେସବୁ ଶକ୍ତିଶାଳୀ ବସ୍ତୁ ପାଇଥିଲେ ଶତ୍ରୁକୁ ପରାଜିତ କରି ରାଜ୍ୟ ଫେରି ପାଇବା ତମ ପକ୍ଷରେ ବହୁତ ସହଜ ହୋଇଥାନ୍ତା । କିନ୍ତୁ ସବୁ ସରୋବର ତଳେ ହଜିଗଲା । ତମ ଅବସ୍ଥା ବି ପୂର୍ବବତ୍ ରହିଲା ।”

                ହାତ ପାଆନ୍ତାକୁ ଆସି ସେସବୁ ଅପୂର୍ବ ଶକ୍ତିଶାଳୀ ବସ୍ତୁମାନ ଯେପରି ଖସି ଚାଲିଗଲେ, ସେକଥା ଚିନ୍ତା କରି ଚନ୍ଦ୍ରବର୍ମା କିଛି ସମୟ ପାଇଁ ଭୀଷଣ ହତାଶ ଅନୁଭବ କଲେ । ତା’ପରେ ଦମ୍ଭ ସଂଚୟ କରି ସେ କହିଲେ, “କାପାଳିନୀ! ଆଉ ସେସବୁ କଥା ଚିନ୍ତା କରି କିଛି ବି ଲାଭ ନାହିଁ । ତେବେ ସେ ଦୁଷ୍ଟ ତାନ୍ତ୍ରିକ ଶଂଖୁ ଯେ ଚିରଦିନ ପାଇଁ ଜଳ ଗର୍ଭରେ ପଡି ଇହଲୋକରୁ ଯାଇଛି, ଏହା କ’ଣ କିଛି କମ୍ ସନ୍ତୋଷର କଥା?”

                ଏହା ଶୁଣି କାପାଳିନୀ ଆଉ କିଛି ବି କହିଲା ନାହିଁ । ଚନ୍ଦ୍ରବର୍ମା ତା’ଆଡେ ଅନାଇ ତା’ ଦୁଃଖର ଗଭୀରତା ଅନୁଭବ କଲେ ଓ କହିଲେ, “କାପାଳିନୀ! ସେ ଯାଦୁ ଶଂଖଟି ଆୟତ କରିଥିଲେ ତୁମେ ପୁନଃଯୌବନ ଓ ଦୀର୍ଘ ଜୀବନ ପାଇଥାନ୍ତ । ଆଚ୍ଛା, ଅନ୍ୟ କୌଣସି ଉପାୟରେ ତାହା ପାଇବା କ’ଣ ସମ୍ଭବ ନୁହେଁ?”

                କାପାଳିନୀ ଉତ୍ତର ଦେଲା, “ନା, ଚନ୍ଦ୍ରବର୍ମା! ସେଭଳି ଶକ୍ତି ଅନ୍ୟ କୌଣସି ଚିଜର ନାହିଁ । ମୁଁ ଯେତେବର୍ଷ ବଂଚିଲିଣି, କୌଣସି ଜୀବିତ ମଣିଷ ସେତେ ଦୀର୍ଘଦିନ ବଂଚିନାହିଁ । ପୁଣି ଥରେ ନୂଆ କରି ମୁଁ ଜୀବନ ଆରମ୍ଭ କରିବି, ସେ ଆଶା ମୋର ବି ଆଉ ନାହିଁ । ବର୍ତ୍ତମାନ କେବଳ ମୃତ୍ୟୁହିଁ ମୋ ପାଇଁ ଶ୍ରେୟ । ଏଭଳି ଅବସ୍ଥାରେ ବେଶିଦିନ ବଂଚିରହି ମୋର ବା ଆଉ କେଉଁ ସୁଖ? ମୋର ଚିନ୍ତା ଯାହା ଖାଲି ତମ ପାଇଁ । ତମେ ବହୁ କଷ୍ଟ କରି ମୋର ସାହାଯ୍ୟ କରିଛ । ମୋ କଥାରେ ତମେ ଥରେ ମଧ୍ୟ କେବେ ସନ୍ଦେହ ବା ଦ୍ୱିଧା ପ୍ରକାଶ କରି ନାହଁ । ତୁମପରି ମଣିଷ ତ ସହଜରେ ଦେଖା ଯା’ନ୍ତି ନାହିଁ । କିନ୍ତୁ ମୁଁ ତମ ପାଇଁ କିଛି ବି କରିପାରିଲି ନାହିଁ । ମୋର ତ ଏହାହିଁ ସବୁଠୁ ବଡ ଦୁଃଖ ।” ସେତେବେଳେ ତା’ ମୁହଁରେ ବିଷାଦର କାଳିମା ସ୍ପଷ୍ଟ ଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ