ଧୂସର ଦୁର୍ଗ

ଚନ୍ଦ୍ରବର୍ମାଙ୍କ ହାତ ଧରି କାଳକେତୁ ଗଛ ଆଢୁଆଳକୁ ନେଇଗଲା ଓ ତାଙ୍କୁ କହିଲା, “ଚନ୍ଦ୍ରବର୍ମା! ତୁମରି ସହାୟତା କରିବା ନିମନ୍ତେ ହିଁ ମୁଁ ଶଙ୍ଖୁ ପର୍ବତରୁ ସିଧା ଏଠାକୁ ଆସିଛି । କେଇଦିନ ତଳେ କାପାଳିନୀର ଦେହାନ୍ତ ହୋଇଗଲା । ମୃତ୍ୟୁ ପୂର୍ବରୁ ସେ ମୋତେ ତା’ର ଯାଦୁଶକ୍ତି ସମ୍ପନ୍ନ କାଚ ଗୋଲକଟି ଏବଂ ଯାଦୁ ଅସ୍ଥି ଦେଇ ଦେଲା । ସେ ଗୋଲକ ସାହାଯ୍ୟରେ ବର୍ତ୍ତମାନ ଆମେ ଆମ ଶତ୍ରୁ ସର୍ପକେତୁର ସ୍ଥିତି କ’ଣ ତାହା ଜାଣି ପାରିବା ।” ଏହା କହି କାଳକେତୁ ଗଛ ଆଢୁଆଳରୁ ଗୋଲକଟି ବାହାର କଲା ଓ କିଛି ମନ୍ତ୍ର ପଢି ସେଥିରେ ସେ ଅସ୍ଥି ଖଣ୍ଡ ଛୁଆଁଇ ଦେଲା । ସଙ୍ଗେ ସଙ୍ଗେ ସେମାନେ ତହିଁ ଭିତରେ ଦେଖିଲେ ଅପୂର୍ବ ଦୃଶ୍ୟ: ସୂର୍ଯ୍ୟ କିରଣରେ ଧୂସର ଦୁର୍ଗର ପ୍ରାଚୀରମାନ ଉଜ୍ଜ୍ୱଳ ଦିଶୁଛି । ଦୁର୍ଗର ଉତ୍ତର ଦ୍ୱାର ଖୋଲା ରହିଛି । ସେଠାରେ କେତେଜଣ ସୈନିକ ପ୍ରହରା ଦେଉଛନ୍ତି । ଭିତରେ ପରିତ୍ୟକ୍ତ ଇମାରତ୍ ସବୁ ଭିତରୁ ସର୍ପକେତୁର ଅନୁଚରମାନେ ବିପୁଳ ଧନରତ୍ନ ଲୁଣ୍ଠନ କରୁଛନ୍ତି ।

କାଳକେତୁ କହିଲା “ଚନ୍ଦ୍ରବର୍ମା! ଦେଖୁଛ ତ? ଅନେକ ଲୋକଙ୍କର ବିଶ୍ୱାସ ଧୂସର ଦୁର୍ଗ ସମୁଦ୍ର ଗର୍ଭରେ ବିଲୀନ ହୋଇଛି । କିନ୍ତୁ ତାହା ମୋଟେ ସତ୍ୟ ନୁହେଁ । ଅନେକ ଦିନ ତଳେ ଥରେ ସମୁଦ୍ର ମାଡି ଆସିଥିଲା ଓ ସେ ଦୁର୍ଗ ବୁଡି ଯାଇଥିଲା । କିନ୍ତୁ ପରେ ସମୁଦ୍ର ପୁଣି ଘୁଂଚି ଯାଇଛି ।”

ଏହାପରେ ଚନ୍ଦ୍ରବର୍ମା ନୂଆ ଉତ୍ସାହରେ ସୈନିକମାନଙ୍କୁ ନଦୀ ପାର କରାଇବାରେ ପ୍ରବୃତ ହେଲେ । ନଦୀର ଜଳ ଯେଉଁଠାରେ କମ୍, ତାହା କାଳକେତୁକୁ ଜଣାଥିଲା । ସେ ଗୋଟିଏ ଘୋଡାରେ ବସି ଧୀରେ ଧୀରେ ଅଗ୍ରସର ହେଲା । ଲଟାର ଗୋଟିଏ ପାଖ ସେ ଧରି ଥାଏ । ଲଟାଟି ଧରି ତାକୁ ଅନୁସରଣ କରି ସୈନିକମାନେ ନଦୀ ପାରି ହେଲେ । ତା’ପରେ ଏକ ଘଂଟା କାଳ ଚାଲିବା ପରେ ସେମାନେ ଧୂସର ଦୁର୍ଗ ପାଖରେ ଯାଇ ପହଁଚିଲେ ଓ ଉତ୍ତର ଦ୍ୱାର ଆଡେ ଚାଲିଲେ । ଦେଖିବା ବେଳକୁ ଦ୍ୱାର ବନ୍ଦ ରହିଛି ।

ଚନ୍ଦ୍ରବର୍ମା, ସେନାପତି ଧୀରମଲ୍ଲ ଓ ସୁବାହୁ ଯାଇ ସେ ବିଶାଳ କଂସା ଦ୍ୱାରକୁ ପରୀକ୍ଷା କରି ଦେଖିଲେ । ତାକୁ ଖୋଲିବା ତ ଆଉ ଏତେ ସହଜ ନଥିଲା ।

ହଠାତ୍ ଦୁର୍ଗ ପ୍ରାଚୀର ଉପରୁ ସର୍ପକେତୁର କଣ୍ଠସ୍ୱର ଶୁଭିଲା । ତା’ ପାଖରେ ତା’ ଅନୁଚରମାନେ ଠିଆ ହୋଇଥାନ୍ତି । ସର୍ପକେତୁ କହିଲା, “ଚନ୍ଦ୍ରବର୍ମାର ସୈନ୍ୟମାନେ, ଶୁଣ । ମୁଁ ବର୍ତ୍ତମାନ ଅମାପ ଧନର ଅଧିକାରୀ । ତମ ଭିତରୁ ଯିଏ ଚନ୍ଦ୍ରବର୍ମାକୁ ତ୍ୟାଗ କରି ମୋ ସହ ଯୋଗ ଦେବ, ତା’ ପାଇଁ ଦୁର୍ଗ ଦ୍ୱାର ମୁଁ ଖୋଲିଦେବି । ସେ ଆମ ସମ୍ପଦରୁ କିଛି ଅଂଶ ପାଇବ । ମୋ ପାଖରେ କେତେ ଧନ ଅଛି, ତା’ର ପ୍ରମାଣ ତମମାନଙ୍କୁ ଦେଉଛି ।” ଏହା କହି ସେ ଦୁର୍ଗ ପ୍ରାଚୀର ଉପରୁ ସୁନା ଟଙ୍କା ବର୍ଷା କରିବାକୁ ଲାଗିଲା । ସୈନ୍ୟମାନେ ପରସ୍ପର ମରାମରି ହୋଇ ଯିଏ ଯେତେ ପାରିଲା ସେ ଟଙ୍କା ଗୋଟାଇବାକୁ ଲାଗିଲା ।

ସର୍ପକେତୁର ଏ ଚାଲ୍ରେ ଚନ୍ଦ୍ରବର୍ମା ପ୍ରମାଦ ଗଣିଲେ । ସେ ଚୁପ୍ ଚୁପ୍ ସୁବାହୁଙ୍କୁ କହିଲେ, “ସୁବାହୁ! ତୁମେ ବୀରପୁରର ବିଶ୍ୱସ୍ତ ସୈନିକମାନଙ୍କୁ ଧରି ଏପରି ଅଭିନୟ କର, ସତେ ଅବା ତମେ ସର୍ପକେତୁର ବଶୀଭୂତ ହୋଇଯାଇଛ । ଥରେ ସର୍ପକେତୁ ଦୁର୍ଗ ଦ୍ୱାର ଖୋଲିଦେଲେ ତମ ସହ ଆମେ ବି ପଶିଯିବା । ତେଣିକି ଆମ କାମ ବି ସହଜ ହେବ ।”

ସୁବାହୁ ଏ ପରାମର୍ଶ ଗ୍ରହଣ କଲେ । ସେ ବୀରପୁରର ସୈନିକମାନଙ୍କୁ ଏକତ୍ର କରି ଯାହା କହିବାର କହିଲେ । ଚାହୁଁ ଚାହୁଁ ସେ ଦଳର ଅନେକେ ତାଙ୍କୁ ଅନୁସରଣ କରି ସର୍ପକେତୁର ଜୟଧ୍ୱନି କଲେ ।

ତା’ପରେ ସେ ଦଳ ଦୁର୍ଗ ଦ୍ୱାର ଆଡେ ଅଗ୍ରସର ହେଲେ । ସୁବାହୁଙ୍କ ଗୋପନ ପରାମର୍ଶ ଅନୁସାରେ ଆଉ କେତେକ ସୈନିକ ଯେପରି ତାଙ୍କ ଗତିରୋଧ କରିବାକୁ ଚେଷ୍ଟା କରୁଛନ୍ତି, ଠିକ୍ ସେହିପରି ସେମାନେ ଅଭିନୟ କଲେ ।

ସର୍ପକେତୁ ଦୁର୍ଗ ଉପରୁ ସୁବାହୁଙ୍କ ଗତିବିଧି ଠିକ୍ ଭାବରେ ଲକ୍ଷ୍ୟ କରୁଥାଏ । ସୁବାହୁଙ୍କ ଅଭିନୟ ବେଶ୍ କାମ ଦେଲା ବୋଲି ବୁଝି ହେଉଥାଏ ।

ସର୍ପକେତୁ ନିଜ ନାମରେ ଜୟଧ୍ୱନି ଶୁଣି ଓ ଦଳେ ସୈନ୍ୟ ଅନ୍ୟ ଦଳେ ସୈନ୍ୟଙ୍କ ସହ ଧ୍ୱସ୍ତାଧ୍ୱସ୍ତି କରିବାର ଦେଖି ବୁଝିଲା ଯେ ଚନ୍ଦ୍ରବର୍ମାଙ୍କ ବାହିନୀ ଦୁଇଭାଗ ହୋଇଗଲେଣି । ସେ ବିକଟ ଅଟ୍ଟହାସ୍ୟ କରି ନିଜ ଅନୁଗତମାନଙ୍କୁ କହିଲା, “ଦୁର୍ଗ ଦ୍ୱାର ଖୋଲିଦିଅ! ଶତ୍ରୁପକ୍ଷର ଅନେକ ସୈନ୍ୟ ବର୍ତ୍ତମାନ ଆମ ସହ ଯୋଗ ଦେବାକୁ ବାହାରିଲେଣି । ଏବେ ଜାଣ ଆମେ ନିରାପଦ । ଚନ୍ଦ୍ରବର୍ମା ଓ ତା’ ମିତ୍ରମାନଙ୍କୁ ମୋ ତରବାରୀ ଅପେକ୍ଷା କରିଛି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ