ଧୂସର ଦୁର୍ଗ

ସର୍ପକେତୁର ଆଦେଶ ପାଇ ତା’ ଅନୁଚରମାନେ ଦୁର୍ଗ ଦ୍ୱାର ଖୋଳିଦେଲେ । ସୁବାହୁ ଓ ତାଙ୍କ ସୈନ୍ୟମାନେ ଭିତରେ ପ୍ରବେଶ କରି ସଙ୍ଗେ ସଙ୍ଗେ ସର୍ପକେତୁର ସୈନ୍ୟଙ୍କୁ ଆକ୍ରମଣ କଲେ । ସୁବାହୁଙ୍କ ପଛେ ପଛେ ଚନ୍ଦ୍ରବର୍ମା ଓ ଧୀରମଲ୍ଲ ମଧ୍ୟ ଭିତରକୁ ପଶି ଯାଇଥାନ୍ତି । ସେମାନେ ପ୍ରଚଣ୍ଡ ଉତ୍ସାହରେ ନିଜ ସୈନ୍ୟମାନଙ୍କୁ ପରିଚାଳନା କରୁଥାନ୍ତି । ସର୍ପକେତୁର ସୈନ୍ୟମାନେ ବିକ୍ଷୀପ୍ତ ହୋଇ ପଡିଲେ ।

ନିଜ ଚାଲ୍ ବିଫଳ ହେବାର ଦେଖି ସର୍ପକେତୁ ପ୍ରାଚୀର ଉପରେ ତା’ ସହ ଠିଆ ହୋଇଥିବା ସୈନିକମାନଙ୍କୁ ପଥର ବର୍ଷା କରିବାକୁ ହୁକୁମ୍ ଦେଲା । ଚନ୍ଦ୍ରବର୍ମା ଉତ୍ତେଜିତ ହୋଇ ସୁବାହୁଙ୍କୁ କହିଲେ, “ସୁବାହୁ! ଆଉ ବିଳମ୍ଭ କଲେ ଚଳିବ ନାହିଁ । ଯେ କୌଣସି ମତେ ପ୍ରାଚୀର ଉପରକୁ ଉଠିଯାଇ ହୁଏତ ସର୍ପକେତୁକୁ ଜୀବନ୍ତ ଧରି ପକାଅ, ନହେଲେ ତା’କୁ ଖତମ୍ କର ।”

ତା’ପରେ ସୁବାହୁ ନିଜ ସହ କେତେଜଣ ବିଶ୍ୱସ୍ତ ଅନୁଚରଙ୍କୁ ଧରି ସର୍ପକେତୁକୁ ଦେଖାଯାଉ ନଥିବା ଗୋଟିଏ ସରୁ କୋଣ ଦେଇ ପ୍ରାଚୀର ଉପରକୁ ବହୁ କଷ୍ଟରେ ଉଠିଗଲେ ।

ସୁବାହୁଙ୍କୁ ସସୈନ୍ୟ ପ୍ରାଚୀର ଉପରେ ପହଁଚିଯିବାର ଦେଖି ସର୍ପକେତୁ ନିଜ ଜୀବନ ବିପନ୍ନ ବୁଝି ଭୟଙ୍କର ଭାବରେ ରଡି ଛାଡିଲା ଓ ପ୍ରତି ଆକ୍ରମଣ ପାଇଁ ପ୍ରସ୍ତୁତ ହେଲା । ସେ ରାକ୍ଷସ ଭଳି ପରାକ୍ରମରେ ପାଖରେ ଯାହାକୁ ପାଇଲା ତାକୁ ମାରି ପକାଇବାକୁ ଲାଗିଲା । ତା’ର ସେ ଭୀଷଣ ରୂପ ଦେଖି ଚନ୍ଦ୍ରବର୍ମାଙ୍କ ସୈନିକମାନେ ବହୁତ ଡରିଗଲେ ।

ସେତିକିବେଳେ କାଳକେତୁ ଚନ୍ଦ୍ରବର୍ମାଙ୍କୁ କହିଲା, “ଚନ୍ଦ୍ରବର୍ମା! ସର୍ପକେତୁକୁ ସାମନା କଲାଭଳି ଯୋଦ୍ଧା ମୁଁ ଅଛି । ସେ ମୋତେ ଦେଖିଲେ ତଳକୁ ଖସି ପଡିବ । ଯଦି ତାକୁ ଜୀବନ୍ତ ପାଇବାକୁ ଚାହଁ; ତେବେ ପ୍ରସ୍ତୁତ ହୋଇ ରୁହ । ସେ ତଳେ ପଥର ଚଟାଣରେ ପଡି ପ୍ରାଣ ହରାଇବା ପୂର୍ବରୁ ତାକୁ ଧରି ପକାଇବାକୁ ହେବ ।

ଏହା କହି କାଳକେତୁ ମାତ୍ର ଗୋଟିଏ ଡିଆଁ ରେ ପ୍ରାଚୀର ଉପରକୁ କୁଦି ପଡିଲା । ସର୍ପକେତୁ ଚମକି ପଡି ତା’କୁ ଆକ୍ରମଣ କରିବାକୁ ଉଦ୍ୟତ ହେବା ମାତ୍ରେ କାଳକେତୁ କହିଲା, “ସର୍ପକେତୁ! ତମେ ବର୍ତ୍ତମାନ କାହାକୁ ଦେଖୁଛ ବୁଝୁଛ? ମୁଁ କାଳକେତୁ । ତିନି ଫଣା ବିଶିଷ୍ଟ ମହାକାଳ ସର୍ପ ।”

ପର ମୁହୂର୍ତ୍ତରେ କାଳକେତୁ ଭୀଷଣ ସର୍ପରେ ପରିଣତ ହୋଇ କରାଳ ତିନି ଫଣା ଉଠାଇ ସର୍ପକେତୁ ଆଡେ ଧାବିତ ହେଲା ।

ଏସବୁ ଘଟଣା ଦେଖି ସେ ସର୍ପକେତୁର ଦେହ ଯେପରି ଜଡ ପାଲଟି ଗଲା । ତା’ ହାତରୁ ତରବାରୀ ଖସି ପଡିଲା । ସେ ପଛକୁ ହଟି ଯିବା ଅବସ୍ଥାରେ ପ୍ରାଚୀର ଉପରୁ ତଳକୁ ଖସି ପଡିଲା । ଚନ୍ଦ୍ରବର୍ମାଙ୍କ ଅନୁଚରମାନେ ତାକୁ ଧରି ପକାଇବାକୁ ଚେଷ୍ଟା କଲେ, କିନ୍ତୁ ସେ ତଳେ ପଡିଗଲା ଓ ତା’ ପ୍ରାଣବାୟୁ ନିର୍ଗତ ହୋଇଗଲା ।

ସର୍ପକେତୁର ସୈନ୍ୟମାନେ ଅସ୍ତ୍ର ତ୍ୟାଗ କରି ଚନ୍ଦ୍ରବର୍ମାଙ୍କ ଶରଣ ନେଲେ ।

ଚନ୍ଦ୍ରବର୍ମା ସେଦିନ ରାତିରେ ଉତ୍ସବ ପାଇଁ ନିର୍ଦ୍ଧେଶ ଦେଲେ । ଆନନ୍ଦ କୋଳାହଳରେ ସୈନ୍ୟମାନେ ମାତି ରହିଲେ ।

ସକାଳେ ଧୂସର ଦୁର୍ଗରେ ପୁଞ୍ଜିଭୁତ ଅମାପ ଧନସମ୍ପଦ ଧରି ଚନ୍ଦ୍ରବର୍ମା ରୁଦ୍ରପୁର ଅଭିମୁଖେ ଚାଲିଲେ । କାଳକେତୁ ସେହି ଦୁର୍ଗକୁ ନିଜ ଆବାସ ରୂପେ ପାଇବାକୁ ଇଚ୍ଛା ପ୍ରକାଶ କଲା ଓ ଚନ୍ଦ୍ରବର୍ମା ସେଥିରେ ସମ୍ମତ ହେଲେ ।

ଚନ୍ଦ୍ରବର୍ମାଙ୍କ ସହ ଧୀରମଲ୍ଲ ସୁବାହୁ ଓ ଦେବଳ ବୀରପୁର ଅଭିମୁଖେ ଚାଲିଲେ । ସେଠାରେ ପହଁଚି ସେମାନେ ଶୁଣିବାକୁ ପାଇଲେ ଯେ, ରାଜା ଶିବସିଂହ ଚନ୍ଦ୍ରବର୍ମାଙ୍କ ଅସଲ ପରିଚୟ ଜାଣି ପାରି ଭୟରେ ରାଜ୍ୟ ଛାଡି ବଣକୁ ପଳାଇଛନ୍ତି । ସିଂହାସନ ଖାଲି ପଡିଛି । ଚନ୍ଦ୍ରବର୍ମା ଭାବିଚିନ୍ତି ବୀର ଯୁବକ ଦେବଳକୁ ସେଠାକାର ସିଂହାସନରେ ବସାଇଲେ । ଦେବଳର ରାଜ୍ୟାଭିଷେକ ପରେ ଚନ୍ଦ୍ରବର୍ମା ସସୈନ୍ୟ ମହିଷ୍ମତୀ ନଗରୀ ଆଡେ ଚାଲିଲେ । ସେ ନଗରୀଠାରୁ ବେଶ୍ କିଛି ଦୂରରେ ଅଛନ୍ତି, ନଗରୀର ଲୋକେ ଦୁଷ୍ଟ ସର୍ପକେତୁର ନିଧନ ଓ ଚନ୍ଦ୍ରବର୍ମାଙ୍କ ବିଜୟ ସମ୍ବାଦ ପାଇଗଲେ । ମୁଖ୍ୟ ନାଗରିକମାନେ ଗୀତ ବାଦ୍ୟ ସହ ଅଗ୍ରସର ହୋଇ ଚନ୍ଦ୍ରବର୍ମାଙ୍କୁ ସ୍ୱାଗତ କଲେ ଓ ମହିଷ୍ମତୀର ଶୂନ୍ୟ ସିଂହାସନ ଆରୋହଣ କରିବାକୁ ନିବେଦନ କଲେ ।

କିନ୍ତୁ ଚନ୍ଦ୍ରବର୍ମା ସେ ପ୍ରସ୍ତାବରେ ଆଦୌ ସମ୍ମତ ହେଲେ ନାହିଁ । ସେ କହିଲେ, ମହିଷ୍ମତୀର ସିଂହାସନ ନ୍ୟାୟତଃ ମହାରାଜ ଯଶୋବର୍ଦ୍ଧନଙ୍କ ପୁତ୍ର ତପୋବର୍ଦ୍ଧନଙ୍କ ପ୍ରାପ୍ୟ ।

ମହିଷ୍ମତୀ ନଗରୀଠୁଁ କିଛି ଦୂରରେ ବଣ ଭିତରେ କୁଡିଆ ବନାଇ ତପୋବର୍ଦ୍ଧନ ସେଠାରେ ତପସ୍ୱୀ ଭଳି ଜୀବନ ଯାପନ କରୁଥିଲେ । ଚନ୍ଦ୍ରବର୍ମା ବିଶିଷ୍ଟ ନାଗରିକମାନଙ୍କ ସହ ଉକ୍ତ ବଣ ଭିତରକୁ ଯାଇ ତାଙ୍କୁ ଭେଟିଲେ ଓ ମହିଷ୍ମତୀର ସିଂହାସନ ଆରୋହଣ କରିବାକୁ ତାଙ୍କୁ ବିନୀତ ଅନୁରୋଧ କଲେ ।

କିନ୍ତୁ ତପୋବର୍ଦ୍ଧନ ସେଥିରେ ସମ୍ମତ ହେଲେ ନାହିଁ । ସେ କହିଲେ, “ମୋ ପକ୍ଷରେ ରାଜ୍ୟ ଶାସନରେ ମନୋନିବେଶ ଆଉ ସମ୍ଭବପର ନୁହେଁ । ମୁଁ ସନ୍ନ୍ୟାସ ନେଇଛି । ମୁଁ ମୋ ଅବଶିଷ୍ଟ ଜୀବନ ତପସ୍ୱୀ ଭାବରେହିଁ ଏହି ବଣ ଭିତରେ କଟାଇବି । ତମେ ଦୁଷ୍ଟ ଶକ୍ତିର ଦମନ ନିମନ୍ତେ ବହୁତ କଷ୍ଟ କରିଛ । ବହୁତ ସାହସର ପରିଚୟ ଦେଇଛ । ଖାଲି ବୀରପୁର ନୁହେଁ; ସାରା ମହିଷ୍ମତୀର ପ୍ରଜାଏଁ ବି ତମକୁ ରାଜା ରୂପେ ପାଇ ଆନନ୍ଦିତ ହେବେ । ତମେ ସୁଶାସକ ରୂପେ ଯଶ ଅର୍ଜନ କର, ମୁଁ ତୁମକୁ ଏହି ଶୁଭେଚ୍ଛା ଜଣାଉଛି ।”

ତପୋବର୍ଦ୍ଧନ ନିଜେ ଆସି ଚନ୍ଦ୍ରବର୍ମାଙ୍କ ଶୀରରେ ମୁକୁଟ ପିନ୍ଧାଇ ଦେଲେ । ପ୍ରଜାବର୍ଗ ଆନନ୍ଦରେ ଏ ବ୍ୟବସ୍ଥାକୁ ସ୍ୱୀକାର କରିନେଲେ । ଚନ୍ଦ୍ରବର୍ମା ଓ ତପୋବର୍ଦ୍ଧନଙ୍କ ଜୟନାଦରେ ଚତୁର୍ଦ୍ଦିଗ କମ୍ପି ଉଠିଲା ।

ଚନ୍ଦ୍ରବର୍ମା ସିଂହାସନରେ ବସିବା ଉତାରୁ ନିଜର ବିଶ୍ୱସ୍ତ ଧୀରମଲ୍ଲଙ୍କୁ ପ୍ରଧାନ ସେନାପତି ଓ ସୁବାହୁଙ୍କୁ ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଲେ । ବହୁ ବର୍ଷ ପର୍ଯ୍ୟନ୍ତ ଚନ୍ଦ୍ରବର୍ମା ଜଣେ ସୁଶାସକ ରୂପେ ରାଜ୍ୟ ଶାସନ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ