ନନ୍ଦିତା କୁମାରୀ କାହାଣୀ

ସୁଚିତ୍ରା ସେ ଶବର ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲା – ମୋ ପରି ଗୋଟାଏ ହତଭାଗିନୀ ପକ୍ଷରେ ବଂଚିବା ଓ ମରିବା ଦୁଇଟି କଥାଯାକ ସମାନ । କ’ଣ ପାଇଁ ଆଉ କେଉଁ ଆଶା ରଖି ମୁଁ ଚେଷ୍ଟା କରିବି ନିରାପଦ ରହିବାକୁ ।

ଶବର କହିଲା – ସେ କଥା ତୁ ମୋଟେ କହନା ଝିଅ! ମୋ ନାଁ ହେଉଛି ଅନନ୍ତ ଶବର । ପର ଦୁଃଖ ଦେଖିଲେ ମୁଁ ତ ଯମାରୁ ସହି ପାରେନି । ମୋ ଜୀବନ ଯାଉ ପଛକେ ମୁଁ ଚେଷ୍ଟା କରେ ଦୁଃଖ ପଡିଥିବା ସେ ଲୋକକୁ କିଛି ନା କିଛି କାମ ଦେଖାଇବାକୁ । ପ୍ରଭୁ ଯେତେବେଳେ ତୋ ସଙ୍ଗେ ମୋର ଭେଟ କରାଇଛନ୍ତି, ଆଉ ମୁଁ ଯେତେବେଳେ କାନ ଡେରି ତୋର ସମସ୍ତ ଦୁଃଖ କଥା ଗୁଡିକ ଶୁଣିଛି ସେତେବେଳେ ମୁଁ କ’ଣ ଆଉ ତୁନିପଡି ହୋଇ ରହିବି? କେଭେ ନୁହେଁ, କେଭେ ନୁହେଁ ଝିଅ! ମୁଁ ଆଜି ତୋ ପାଖରେ ନିୟମ କରି କହୁଛି, ମୁଁ ତୋ ବାପକୁ ନିଶ୍ଚୟ ଖୋଜି ବାହାର କରିବି । ଯଦି ତୋ ବାପ ସେ ବାଲିଚଡାରେ ମରି ପଡିଥିବ, ତେବେବି ମୁଁ ତୋ ବାପର ହାଡରୁ ଖଣ୍ଡେ ଆଣି ତୋତେ ନିଶ୍ଚୟ ଦେଖାଇବି । ତୁ କେବଳ ଏଠାରେ ନିଶ୍ଚିନ୍ତ ହୋଇ ରହ । ତୁ ଆଗ ମୋ’ ସାଙ୍ଗରେ ମୋ’ ଘରକୁ ଚାଲ । ମୋର ବି ତୋରିଭଳିଆ ଆଉ ଗୋଟିଏ ଝିଅ ଅଛି, ତା’ର ନାଁ କଢଙ୍ଗ । ତୁ ତା’ରି ସଙ୍ଗରେ ଖେଳିବୁ । ଦୁହେଁ ମିଶି ପାଖ ବଣରୁ ଫଳମୂଳ ଆଣି ଖାଇବ । ମୋ’ର ଭାତ ବି ଅଛି! ମୁଁ ତଇଳା କାଟେ, ପୋଡ ଚାଷ କରେ । ମୋର ଧାନ ଅଛି, ମାଣ୍ଡିଆ ଅଛି, ମକ୍କା, ଗହମ, ବାଜରା ବି ଖୁବ୍ ଅଛି । ଯେତେ ଖାଉଚ ଖାଅ, ମନଇଚ୍ଛା ଖେଳାବୁଲା କରି ନିଜ ମନକୁ ଫୁର୍ତି କର । ମୁଁ ଦିନେନା ଦିନୋ ନିଶ୍ଚୟ ଯିବି ତୋ ବାପକୁ ଖୋଜିବା ପାଇଁ ।

ସେହି ଶବରର ଏ ଅଭୟ ବାଣୀ ଓ ସ୍ନେହପୂର୍ଣ୍ଣ କଥାଗୁଡିକ ସୁଚିତ୍ରାକୁ ଯେପରି ଖୁବ୍ ଆନନ୍ଦ ଲାଗିଲା । ତେଣୁ ସେ ଏ ପ୍ରସ୍ତାବରେ ରାଜିହୋଇ ଅନନ୍ତ ଶବର ସହିତ ତୁରନ୍ତ ତା’ ଘରକୁ ଗଲା । କଢଙ୍ଗ ଓ ସୁଚିତ୍ରା ଦୁହେଁ ଅତି ଘନିଷ୍ଠ ସାଙ୍ଗ ହୋଇ ପଡିଲେ । ସେତେବେଳେତ ଆମ୍ବ ବଉଳର ମାସ ଚାଲିଥାଏ । ସେମାନେ ଦୁହେଁ ବଉଳ ଖାଇ ସଙ୍ଗାତ ବସିଲେ । କଢଙ୍ଗ ବିଚାରିଲା ମିଠା ମିଠା କଥା କହି ସୁଚିତ୍ରା ମନରେ ଖୁବ୍ ଆନନ୍ଦ ଦେବାକୁ, କିନ୍ତ କଢଙ୍ଗ କୌଣସିମତେ ଏହି କାମଟି କରି ପାରିଲାନି ।

ସେ ସୁଚିତ୍ରା ସବୁବେଳେ ଖାଲି ବସି ବସି କାନ୍ଦେ । ଘର କଥା, ବାପା କଥା ଓ ବିଦେଶ ଆସି ଦୁଃଖ କଷ୍ଟ କଥା ସେ ଖାଲି ବାରମ୍ବାର ମନେ ପକାଏ । ଏଣେ କଢଙ୍ଗ ସୁଚିତ୍ରାକୁ ସାନ୍ତ୍ୱନା ଦେଇ କହେ – ଆଗୋ ବଉଳ! ତୁମେ ସବୁବେଳେ ଏଭଳି କାନ୍ଦୁଛ କାହିଁକି? ପ୍ରଥମେ ତୁମେ ତୁମ ମନକୁ ଦମ୍ଭ କର । ଦୁଃଖଟା ଆସିଛି ବୋଲି କ’ଣ ସବୁଦିନେ ଏମିତି ରହିବ?

ସୁଚିତ୍ରା କହେ – “ଧୀରେ ଧୀରେ ସବୁ ପାଶୋରି ହୋଇଯିବ ବଉଳ । ତୁମ ସ୍ନେହ ଶ୍ରଦ୍ଧା ସବୁ ମୋତେ ଭୁଲାଇ ଦେବ ଯେ ।” ଏହିପରି ଅନେକ କଥାବାର୍ତ୍ତା ପଡେ । କ୍ରମେ କ୍ରମେ ସେ ଦୁହିଁଙ୍କ ମନଟା ବି ମିଶି ଆସିଲା । ଦିହେଁ ଦିହିଙ୍କି ଖୁବ୍ ବିଶ୍ୱାସ କଲେ । ସେମାନଙ୍କ ମନ ମେଳ ହୋଇ ଆସିବା ଦେଖି, ଦିନେ ଅନନ୍ତା ଏ ଦୁଇ ଜଣ ଝିଅଙ୍କୁ ନିଜ ପାଖରେ ବସାଇ ସେମାନଙ୍କୁ କହିଲା – ଦିହେଁ ଏମିତି ଚଳୁଥାଅ । କାଲିଠୁ ମୁଁ ଯାଉଛି ସୁଚିତ୍ରା ବାପକୁ ଖୋଜିବା ପାଇଁ ।

କଢଙ୍ଗ କହିଲା – “ତୁମେ ଯା, ମୁଁ ମୋ ବଉଳକୁ ଖୁବ୍ ହିପାଜତ କରି ରଖିବି । ଯେମିତିକି ତା’ର କିଛି ବି ଅସୁବିଧା ହେବନି । ଏତିକି କଥା ଶୁଣି ଅନନ୍ତା ସେଠାରୁ ଚାଲି ଗଲା । ବଉଳ ଦିହେଁ ଦୁଃଖରେ କାଳ କଟାଉଥାନ୍ତି । ବେଳ ହେଲେ କଢଙ୍ଗ ଯାଏ ସେ ମହୁଲୀ ଦେବୀଙ୍କୁ ପୂଜା କରିବାକୁ । ବେଶି ଡେରି ପର୍ଯ୍ୟନ୍ତ ସେ କେବେବି ସେଠାରେ ରହେନି । କଢଙ୍ଗ ସକାଳେ ଖୁବ୍ ଶୀଘ୍ର ଲେଉଟି ଆସେ । ନିତିଦିନ ସେ କଢଙ୍ଗର ଏହିପରି ଯିବା ଆସିବା କରିବା ଦେଖି ଦିନେ ସୁଚିତ୍ରା ତାକୁ ପଚାରିଲା – “ବଉଳ! ସବୁଦିନେ ତୁମେ କୁଆଡେ ଯାଉଛ, ମୋତେ ବି ଟିକିଏ ସେଠାକୁ ତୁମ ସାଙ୍ଗରେ ନିଅ ।

ଏ କଥା ଶୁଣି ତହିଁ ଆରଦିନ କଢଙ୍ଗ ଗଲାବେଳେ ସୁଚିତ୍ରାକୁ ତା ସଙ୍ଗରେ ନେଇଗଲା । କେତେ ବଣ, ପାହାଡ, ନାଳ ସବୁ ଅତିକ୍ରମ କରି ସାରିବା ପରେ ସେମାନେ ଯାଇ ପହଁଚିଲେ ସେହି ଡାଳଖାଇ ମନ୍ଦିରରେ । କଢଙ୍ଗ ଯାଇ ଶୀଘ୍ର ଶୀଘ୍ର ଠାକୁରାଣୀଙ୍କୁ ଗାଧୋଇ ପାଧୋଇ ଦେଇ ତାଙ୍କୁ ଫୁଲପତ୍ରୀ ଚଢେଇଲା । ତା’ପରେ ସେ କଢଙ୍ଗ ଗଲା ଆଉ ଗୋଟିଏ ଗୁମ୍ଫା ପାଖକୁ ।

ସେ ଆର ଗୁମ୍ଫାରେ ବସିଥାଏ ଗୋଟିଏ ପଥର ପ୍ରତିମା – ତାହା ଦେଖିବାକୁ ଥିଲା ଖୁବ୍ ସୁନ୍ଦର । ତା ବେଶ ପରିପାଟୀରୁ ଜଣା ପଡୁ ଥାଏ ଯେମିତିକି ତାହା ଗୋଟିଏ ରାଜପୁତ୍ରର ମୂର୍ତ୍ତି । ସୁଚିତ୍ରା ଯାଇ ସେହି ପ୍ରତିମାକୁ ଦେଖିବା ମାତ୍ରେ ତା’ର ମନରେ କାହିଁକି କେଜାଣି ଟିକେ ସନ୍ଦେହ ଆସିଲା । ତେଣୁ ସେ ନୀରବ ଦର୍ଶନ କରିବା ପରି ସେହି ପ୍ରତିମାକୁ ଦଣ୍ଡେ ଖଣ୍ଡେ ଅନାଇ ରହିଲା ।

କଢଙ୍ଗ ସେ ମୂର୍ତ୍ତିଟିକୁ ଧୁଆ ପୋଛା କରି ସାରି ସୁଚିତ୍ରାକୁ କହିଲା – “ଏଥର ଯିବା ଚାଲ ବଉଳ?”

ସୁଚିତ୍ରା ମଧ୍ୟ ସମ୍ମତି ପ୍ରକାଶ ପୂର୍ବକ କହିଲା – “ହଉ ଚାଲ, ମାତ୍ର ଏ ଦେବୀ, ଏ ମୂର୍ତ୍ତି ଓ ଏ ପର୍ବତ ସମ୍ବନ୍ଧେ ତୁମେ କ’ଣ ଜାଣିଛ, ସେ କଥା ଟିକିଏ ମୋତେ ଶୁଣାଅ ।

କଢଙ୍ଗ କହିଲା – “ତୁମକୁ ଶୁଣାଇବି ଯେ, କିନ୍ତୁ ଆଜି ନୁହେଁ କାଲି ।

ଏପରି କଥା ଶୁଣି ସୁଚିତ୍ରା ବି ଆଉ କଢଙ୍ଗକୁ ବଳାଇଲାନି । ଦିହେଁଯାକ ସାଙ୍ଗ ହୋଇ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କଲେ । ପୁଣି ତା ପରଦିନ ସମୟ ହେଲାରୁ ଦିହେଁ ସାଙ୍ଗ ହୋଇ ଗଲେ ସେହି ଡାଳଖାଇ ପର୍ବତକୁ । କଢଙ୍ଗ ତା ପୂଜାଉଜା ସାରି ଯେତେବେଳେ ସେ ପଥର ମୂର୍ତ୍ତି ପାଖରେ ଯାଇ ପହଁଚିଲା, ସେତେବେଳେ ସେ ଦେଖିଲା ଯେ ମୂର୍ତ୍ତିର ଦୁଇ ଆଖିରୁ ଖାଲି ଛୁଟିଛି ଅଶ୍ରୁର ଝରଣା । କଢଙ୍ଗ ଏହା ଦେଖି ତୁରନ୍ତ ନିଜ ହାତ ବଢାଇ ଲୁଗା କାନିରେ ଲୁହ ତକ ପୋଛିଦେଲା ସେହି ମୂର୍ତ୍ତିର ଆଖିରୁ ।

ହଠାତ୍ ଦେଖାଗଲା ଏକ ବଡ ଆଶ୍ଚର୍ଯ୍ୟ କଥା । ଦେଖୁ ଦେଖୁ ସେହି ପଥର ମୂର୍ତ୍ତିର ହାତ ଯୋଡିକ ଠିକ୍ ମଣିଷ ହାତ ପରି ଲମ୍ବି ଆସିଲା କଢଙ୍ଗ ପାଖକୁ ।

ସୁଚିତ୍ରା ଏଣେ କେବଳ ଅଶ୍ଚର୍ଯ୍ୟକାଠ ହୋଇ ସେହି ଦୃଶ୍ୟକୁ ଅନାଇଥାଏ । କଢଙ୍ଗର ହାତକୁ ଖୁବ୍ ଜୋର୍ରେ ଭିଡି ଧରିଲା ସେହି ପଥର ହାତ ।

ତେଣୁ କଢଙ୍ଗ ସେଠାରେ ଖୁବ୍ ଜୋର୍ରେ ଚିତ୍କାର କରି ଉଠିଲା । କଢଙ୍ଗ ସୁଚିତ୍ରାକୁ କହିଲା – “ବଉଳ! ମୋତେ ରକ୍ଷାକର । ନିଜ ଉପକାରୀ ସଖୀଟିର ଏପରି ଦୁର୍ଦ୍ଦଶା ଦେଖି ସୁଚିତ୍ରା ଆଉ ଥୟ ହୋଇ ନପାରି ଗଲା ସେ ପଥର ମୂର୍ତ୍ତିର ହାତରୁ କଢଙ୍ଗର ହାତଟାକୁ ଛଡାଇ ଆଣିବାକୁ ।

କିନ୍ତୁ ଏ କ’ଣ? ଏ ତ ବଡ ଆଶ୍ଚର୍ଯ୍ୟ କଥା । ସୁଚିତ୍ରା ହାତର ପରଶ ପାଇଲା ମାତ୍ରେ ସେହି ମୂର୍ତ୍ତିଟି କେବଳ ଥରିବାକୁ ଲାଗିଲା ଠିକ୍ ଭୂମିକମ୍ପ ପରି । ତା’ପରେ ସେ ମୂର୍ତ୍ତିଟି ବି ଆସ୍ତେ ଆସ୍ତେ ପାଲଟିଗଲା ମଣିଷ । ସେହି ମଣିଷର ପୁଣି ଯୁବା ବୟସ । ସେହି ମଣିଷର ଦେହ ଓ ମନରେ ପୁଣି ଅପୂର୍ବ ଦୀପ୍ତି । ଆଖିରେ ତାର ପୁଣି ଶତ ରମଣୀର ଆକର୍ଷଣ ଛଟା । ତାର ମୁହଁଟି ଦେଖିବାକୁ ନିଖୁଣ ଚନ୍ଦ୍ରପରି ଗୋଲ୍ ଏବଂ ପ୍ରଭାପୂର୍ଣ୍ଣ । ସେହି ମୂର୍ତ୍ତିଟିର ଜୀବନଶକ୍ତି ଆସିବା ମାତ୍ରେ ସେ କଢଙ୍ଗକୁ କହିଲା – ଆଜିଠାରୁ ତୁ ମୋର ଧର୍ମର ଭଉଣୀ । ଆଜକୁ ଦୀର୍ଘ ତିନି ବର୍ଷ ହେଲା ତୁ ମୋର ଯେତେ ସେବା ସୁଶ୍ରୁଷା କରିଛୁ, ସେ ସବୁ କଥା ତ ମୁଁ ଜାଣିଛି । ତୋରି ଦୟାରୁ ତ ମୁଁ ଆଜି ଏକ ନୂଆ ଜୀବନ ପାଇଲି । ଏଥିପାଇଁ ତୋ ନିକଟରେ ତ ମୁଁ ଚିର ଋଣୀ । ଦିବ୍ୟ ଦୃଷ୍ଟି ବଳରେ ତୋର ସକଳ ରହସ୍ୟ ଜାଣି ପାରିଛି ମୁଁ । ତୁ ଶବର କନ୍ୟାଟିଏ । ହେଲେ ମୋର ଭଉଣୀ ତ । ମୁଁ ତୋତେ ଯେ କୌଣସି ରାଜପୁତ୍ର ସଙ୍ଗେ ନିଶ୍ଚୟ ବିଭା କରାଇବି ।

ଏବେ କଢଙ୍ଗ ସେ ମଣିଷକୁ ପଚାରିଲା – “ତୁମେ କିଏ?”

ମଣିଷଟି କହିଲା – “ମୁଁ ପଟିଆ ଗଡର ଏକମାତ୍ର ରାଜକୁମାର ।”

ପୁଣି କଢଙ୍ଗ ପଚାରିଲା – “ତେବେ ତୁମେ ପଥର ହୋଇଯାଇଥିଲ କାହିଁକି?”

ମଣିଷ କହିଲା – “ସେ ବହୁତ କଥା । ଦିନେ ମୁଁ ମୋ ବନ୍ଧୁ ମାନଙ୍କୁ ଘେନି ଆସିଥିଲି ବନ ଭ୍ରମଣକୁ । ସେହି ସମୟରେ ଗୋଟିଏ ବାହୁଟିଆ ମୋତେ ଦେଖାଦେଲା । ମୁଁ ତାକୁ ଶିକାର କରିବି ବୋଲି ତା ପଛେ ପଛେ ଗୋଡାଇବାରୁ ସେ ମଧ୍ୟ ସେଠାରୁ ପଳାଇ ଆସିବାକୁ ଆରମ୍ଭ କଲା । ମୁଁ ବି ତା’ର ପଛ ଜମା ଛାଡିଲିନି । ତା ପଛରେ ମୁଁ ବି ସେମିତି ଗୋଡାଇଥାଏ । ସେ ଟିକେ ଦେଖା ଦେଇ ଲୁଚି ଯାଉଥାଏ, ପୁଣି ଦେଖା ଦେଉଥାଏ । ଦିନ ରାତି ଏହିପରି ଚାଲେ ଠିକ୍ ଯାଦୁବିଦ୍ୟା ଭଳି । ସେ ବାହୁଟିଆଟା ଖୁବ୍ ମାୟା କଲା । କିନ୍ତୁ ଏ କଥାଟା ମୁଁ ମୋଟେ ବୁଝିପାରିଲିନି । ତେଣେ ମୋ ମନରେ ତ ଜିଦ୍ ବଢିଗଲା ସେ ବାହୁଟିଆକୁ ଶିକାର କରିବା ପାଇଁ । ତେଣୁ ଯାହା ପଛେ ହେଇଯାଉନା କାହିଁକି ଆଗ ପଛ କିଛି ବିଚାର ନ କରି ମୁଁ ତାକୁ ଗୋଡାଇଲି । ବନ୍ଧୁମାନେ ମୋର କେଉଁଠି ରହିଲେ ଓ କ’ଣ କଲେ ସେ କଥା ବି ମୁଁ ସଠିକ୍ ଭାବେ ଆଉ ଜାଣି ପାରିଲିନି । କେବଳ ବଦ୍ଧ ପାଗଳ ପରି ମୁଁ ଗୋଡାଇ ଚାଲିଲି ସେହି ବାହୁଟିଆ ପଛରେ । ସେ ମାୟାବି ଅନ୍ଧାର ରାତିରେ ମଧ୍ୟ ମୋତେ ଦେଖା ହେବାକୁ ଛାଡି ନଥିଲା । ଦିନ ଦିନ ଧରି କେତେ ଦିନ ଓ ରାତି ରାତି ଧରି କେତେ ରାତି ଯେ ମୁଁ ତା ପଛରେ ଯାଇଛି ସେ କଥା ମୁଁ ଆଜି ବି ଠିକ୍ କରି କହି ପାରିବିନି ।

କଢଙ୍ଗ ପଚାରିଲା – ତା’ପରେ?

ମଣିଷ କହିଲା – ତା’ପରେ ହଠାତ୍ ଦିନେ ସେହି ବାହୁଟିଆଟି ଆସି ପଶିଗଲା ଏହି ଗୁମ୍ଫା ଭିତରେ । ମୁଁ ବି ସେହି ବାହୁଟିଆଟିକୁ ଶିକାର କରିବା ଉଦ୍ଧେଶ୍ୟରେ ତା ପଛେ ପଛେ ଏହି ଗୁମ୍ଫା ମଧ୍ୟକୁ ପଶି ଆସିଲି । ହଠାତ୍ ଦେଖିଲି, ସେହି ଗୁମ୍ଫା ମଧ୍ୟରେ ବାହୁଟିଆ ନାହିଁ । ବରଂ ସେଠାରେ ଠିଆ ହୋଇଛି ଗୋଟିଏ ଦେବକନ୍ୟା । ସେହି ଦେବକନ୍ୟାର ଆଣ୍ଠୁ ପାଖରୁ ପାଦ ଯାଏଁ ପୁରାପୁରି ପଥର ପାଲଟି ଯାଇଛି । ତା’ର ଆଖି ଯୋଡିକରୁ ଛୁଟିଛି ଶୁଅ ପରି ଅଶ୍ରୁର ବେଗବତୀ ଝରଣା । ମୁଁ ଯାଇ ସେ ଦେବକନ୍ୟାକୁ ପଚାରିଲି – “ବାହୁଟିଆଟି କୁଆଡେ ଗଲା?”

ସେ ଦେବକନ୍ୟା କହିଲା – ମୋତେ ଏ ଦୁଃଖରୁ ଉଦ୍ଧାର କଲେ ହିଁ ମୁଁ ତୁମକୁ ସେହି ବାହୁଟିଆଟିର କଥା କହିବି ।

ତହୁଁ ସେ ରାଜକୁମାର ପଚାରିଲା – ତୁମର ଉଦ୍ଧାର ହେବାର ବାଟ?

ଦେବକନ୍ୟାଟି ରାଜକୁମାରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଲା – ମୋ ଅଂଟା ପାଖରେ ଗୋଟିଏ ଛୋଟ ସାପ ଅଛି, ତାକୁ ବାହାର କରିଦେଲେ ଯାଇ ମୁଁ ସମ୍ପୂର୍ଣ୍ଣ ରୂପେ ଆରୋଗ୍ୟ ହୋଇଯିବି ।

ପର ଦୁଃଖରେ ସେ ରାଜ କୁମାରଙ୍କର ଅନ୍ତରଟା ହଠାତ୍ ବିଚଳିତ ହୋଇ ଉଠିଲା । ତେଣୁ ସେ ରାଜକୁମାର ଜଣକ ଭଲମନ୍ଦ କିଛି ବିଚାର ନକରି ଦେବକନ୍ୟାର ଅଂଟାରୁ ସାପଟାକୁ ଟାଣି ଆଣିଲା । ରମଣୀଟି ଉଦ୍ଧାର ହୋଇଗଲା ପରେ ସାପଟା ସେହି ରାଜକୁମାରଙ୍କୁ କାମୁଡି ଦେଇ ସଙ୍ଗେ ସଙ୍ଗେ ଉଡିଗଲା ଚଢେଇ ପରି । ଠିକ୍ ସେତିକିବେଳେ ସେ ନାରୀ ରୂପି ଦେବକନ୍ୟା କହିଲା – “ରାଜକୁମାର! ମୋ’ ଯୋଗେ ତୁମେ ଆଜଠୁ ଦୀର୍ଘ ତିନୋଟି ବର୍ଷ ପର୍ଯ୍ୟନ୍ତ ଏଠାରେ ପଥର ହୋଇ ରହିଯିବ । ଏଥିପାଇଁ ଅବଶ୍ୟ ଦୁଃଖିତ ମୁଁ । ହେଲେ ମୋର କିଛି ଉପାୟ ନାହିଁ । ନିୟତି ଯାହା ଭାଗ୍ୟରେ ଯାହା ଲେଖିଛି, ସେ ତ ତା ନିଶ୍ଚୟ ଭୋଗ କରିବ ।

କଢଙ୍ଗ ପଚାରିଲା – ତା’ପରେ?

ମଣିଷଟି କହିଲା – ସେହି ରମଣୀଟି ଯାଉ ଯାଉ ମୋତେ କେବଳ ଏତିକି କହିଗଲା ଯେ, ଆଜଠୁ ଠିକ୍ ତିନିବର୍ଷ ପରେ ଏଠାକୁ ଆସିବ ଗୋଟିଏ ରାଜ କୁମାରୀ । ତା’ରି ପରଶ ପାଇଲେ ଯାଇ ତୁମେ ପୁଣି ନିଜ ରୂପ ପାଇ ପାରିବ । ସେହି ସମୟରେ ମୁଁ ମଧ୍ୟ ତୁମକୁ ସାକ୍ଷାତ ଦେବି । କିଛି ବି ଚିନ୍ତା କରନା । ଏତିକି କହି ସେହି ରମଣୀଟି ଉଡିଗଲା ପରେ ମୋର ଚେତା ବୁଡିଗଲା ।

ସେହି ମଣିଷର କଥା ଗୁଡିକ ସୁଚିତ୍ରା ଓ କଢଙ୍ଗକୁ ଲାଗୁଥାଏ ଠିକ୍ ସ୍ୱପ୍ନ ପରି । ହେଲେ “ତିନି ବର୍ଷ ପରେ ଏଠାକୁ ଆସିବ ଗୋଟିଏ ରାଜକୁମାରୀ”, ଏହି କଥା ପଦକ ଦିହିଁଙ୍କ କାନରେ ପଶିଥାଏ ବିଜୁଳି ପରି । ତେଣୁ କଢଙ୍ଗ ସଙ୍ଗେ ସଙ୍ଗେ ପଚାରିଲା ସୁଚିତ୍ରାକୁ – “ବଉଳ ! ତୁମେ କ’ଣ ଜଣେ ରାଜ କୁମାରୀ?”

ସୁଚିତ୍ରା କହିଲା – “ନା ନା ମୁଁ ତ ଜଣେ ସୌଦାଗରର କନ୍ୟା ।”

ଏହି କଥା ଶୁଣି ସେ ପଟିଆ ଯୁବରାଜ କେବଳ ହସିଲା ଏବଂ କହିଲା – “ତୁମ ଜନ୍ମ ରହସ୍ୟ ତୁମେ ଏ ପର୍ଯ୍ୟନ୍ତ ଠିକ୍ସେ ଜାଣି ପାରି ନାହଁ ଜେମା । ତେଣୁ ତୁମେ ଅନ୍ଧାରରେ ଅଛ । ପ୍ରକୃତରେ ତୁମେ ଜଣେ ରାଜ କୁମାରୀ । ତୁମ ମସ୍ତକ ଭିତରେ ଅଛି ଗୋଟିଏ ଅଦ୍ଭୁତ କବଚ । ଯାହା ଯୋଗେ ସହସ୍ର ସହସ୍ର ବିପଦ ବି ଆଜି ପର୍ଯ୍ୟନ୍ତ ତୁମର କିଛି କ୍ଷତି କରି ପାରନି । ଆଉ ଦଣ୍ଡେ ଅପେକ୍ଷା କର, ସବୁ କଥା ପରିଷ୍କାର ହୋଇଯିବ ।


ଗପ ସାରଣୀ

ତାଲିକାଭୁକ୍ତ ଗପ