ନନ୍ଦିତା କୁମାରୀ କାହାଣୀ

ପ୍ରତାରକ ଦଳ ଓ ତା ସାଥି ମାନଙ୍କ ଦଳ ଅନନ୍ତା ଶବରର ତୀର ଦେଖି ଖୁବ୍ ଭୟ ପାଇଗଲେ । ତେଣୁ ସେମାନେ କିପରି ସେଠାରୁ ପଳାଇବେ ଏଥିପାଇଁ ଦଉଡିଲେ ସିଧା ବୋଇତ ପାଖକୁ, ସେମାନଙ୍କୁ ବା ଆଉ ପଚାରେ କିଏ? ଝିଅ, ଜ୍ୱାଇଁ, ଉପକାରୀ ବନ୍ଧୁ ଓ ତା’ର ଝିଅକୁ ପାଇ ସୁଚିତ୍ରାର ବାପା ଖାଲି ଆନନ୍ଦରେ ଲୋଟୁଥାଏ । ଠିକ୍ ଏତିକିବେଳେ ହଠାତ୍ ଦେଖାଗଲା ଯେ – ସେହି ପ୍ରତାରକ ମାନଙ୍କ ବୋଇତଟା ତୀର ଛାଡି ପଳାଇ ଯିବାରେ ଲାଗିଛି ।

ସୁଚିତ୍ରା କହିଲା – “ପ୍ରତାରକ ମାନେ ତ ତାଙ୍କ ବାଟେ ପଳାଇ ଗଲେ ଏବେ ପୁଣି ତୁମେ ପ୍ରତିଶୋଧ ନେବ କାହାଠାରୁ?”

କଢଙ୍ଗ କହିଲା – “ଯେମିତି ବି ହେଉ ସେମାନଙ୍କୁ ଧରି ବନ୍ଦୀ କରିବାକୁ ହେବ ଆମକୁ ।”

ଅନନ୍ତା ଥିଲା ଶବର ଜାତିର ରାଜା । କାରଣ, ମାରଣ, ତାରଣ ଇତ୍ୟାଦି ସମସ୍ତ କଥା ତାକୁ ଆସେ । ତେଣୁ ସେ ଶବର ବି କହିଲା – “ଶତ୍ରୁମାନଙ୍କୁ ଛାଡି ଦେଲେ ଆମେ ତୁମ ଅପମାନର ପ୍ରତିଶୋଧ ନେବା କିପରି?”

ଏହି କଥା ଶୁଣି ସେ ମନ୍ମଥ ସମସ୍ତଙ୍କୁ ଧୀର ଭାବରେ କହିଲା – ଆପଣମାନେ ଆଉ ମୋଟେ ଡେରି ନ କରି ଏହି ଉଡନ୍ତା ରଥରେ ଶୀଘ୍ର ଆସି ବସନ୍ତୁ । ଆଗେ ଶତ୍ରୁ ମାନଙ୍କ କଥା ବୁଝା ସରିଲେ ଯାଇ, ତା ପରେ ଅନ୍ୟ ଯୋଉ କଥା । ଏ କଥା ଶୁଣି ସମସ୍ତେ ସେହି ଉଡନ୍ତା ରଥ ଉପରକୁ ଉଠିଲେ ।

ମନ୍ମଥ କହିଲା –

                ଉଡିଚାଲ ରଥ ବେଗେ ସମୁଦ୍ରର ପାଣିକି,

                ବୋଇତ ପରି ଚାଲ ଦେଖା ଆପଣାର ଠାଣିକି ।

ଉଡନ୍ତା ରଥଟି ଫର୍କିନା ଉଡିଯାଇ ସେହି ସମୁଦ୍ର ପାଣିରେ ପଡିଲା ଏବଂ ବୋଇତ ପରି ଚାଲି ଗୋଡାଇଲା ସେହି ପ୍ରତାରକ ମାନଙ୍କ ବୋଇତକୁ।

ତେଣେ ଅନୁଗୁଳ ରାଣୀ ତ ପ୍ରଭୂଙ୍କ ଆଜ୍ଞାରେ ଧ୍ୟାନ ରଖି ଯାହା ଖାଲି ଦିନ ଗଣୁଥାନ୍ତି । ଚଉଦ ବରଷ ପୁରିବାକୁ ଆଉ ମୋଟେ ବାକିଅଛି ମାସେ । ତେଣୁ ସେ ରାଜାଙ୍କୁ କହିଲେ, ପୁଣି ସେହି ଜଙ୍ଗଲକୁ ଯାଇ ପୂଜା କରିବାକୁ । ରାଜା ରାଣୀଙ୍କ ପ୍ରସ୍ତାବରେ ତୁରନ୍ତ ରାଜି ହୋଇ ବାହାରିଲେ ସେହି ଜଙ୍ଗଲକୁ ଯାଇ ପୁଣି ସେମାନେ ପୂଜା କରିବେ । ଏ କଥା ଶୁଣି କେତେ ଲୋକ ମଧ୍ୟ ନିଜ ନିଜ ମୁହଁ ମୋଡିଲେ । ଆଉ କେତେ ଲୋକ କହିଲେ – “ଥରେ ତ ଏତେ ପୂଜା କରି କରି ତୁମେ ଝିଅଟିଏ ପାଇଥିଲ ଯେ, ହେଲେ ଠିକ୍ ସାତଦିନ ପରେ ସେ ମଲା । ପୁଣି ଯିବେ କ’ଣ ସେହି ମଲା ଝିଅକୁ ଆଣିବାକୁ?

ସମସ୍ତେ ଯାହାବି କହନ୍ତି ରାଜା ରାଣୀଙ୍କ ପଛରେ । ହେଲେ ସେମାନଙ୍କ ଆଗରେ କହୁଛି କିଏ? ଇଏ ପରା ରଜାଘର କଥା, କ’ଣ ଖେଳ ନା କୌତୁକ? ଏଣେ ତ ଯିବାର କଥା ସ୍ଥିର ହୋଇଗଲା । ମନ୍ତ୍ରୀ ତ ଏ ସବୁ କାର୍ଯ୍ୟର ଭାର ନେଇଥାନ୍ତି । ସ୍ଥିର ହେଲା ଯେ, କାଲି ଯିବାକୁ ହେବ; ମାତ୍ର ଆଜି ରାତିରେ ସେ ରାଣୀ ଓ ରାଜା ଦିହେଁ ସ୍ୱପ୍ନ ଦେଖିଲେ, ସେମାନେ ତାଙ୍କ ଝିଅ-ଜ୍ୱାଇଁଙ୍କୁ ପାଇବେ ପୁରୀ କ୍ଷେତ୍ରରେ । ହେଲେ ମନେରଖ, ଯେଉଁଦିନ ଠିକ୍ ଚଉଦ ବର୍ଷ ପୂରିବ, ଠିକ୍ ସେଇଦିନ ହିଁ ଚକ୍ରତୀର୍ଥ ବାଲିରେ ତୁମେ ଦେଖା ପାଇବ ନିଜ ଝିଅକୁ । ଜଣେ ସ୍ୱର୍ଗର ରମଣୀ ଆସି ତୁମ ମାନଙ୍କ ମଧ୍ୟରେ ପରିଚୟ କରାଇ ଦେବେ ।

ନିଦ ଭାଙ୍ଗିଲା । ରାଜା କହିଲେ ରାଣୀଙ୍କି । ରାଣୀ କହିଲେ ରାଜାଙ୍କୁ ମନ ଉଡିଲା କି ବୁଡିଲା । କେମିତି ପୂରୀ ଯିବେ, ଝିଅଙ୍କୁ ଦେଖିବେ, ଜୋଇଁବି ମିଳିବ । ଏଭଳି ଭାଗ୍ୟ ଆଉ କାହାର ଅଛି?

ପରଦିନ ସକାଳୁ ସେହି ଜଙ୍ଗଲକୁ ଦିଅଁ ଦର୍ଶନ ପାଇଁ ଯିବାକଥା ବନ୍ଦ ହୋଇ ଲାଗିଗଲେ ପୂରୀ ଯିବା ଯୋଗାଡରେ । ସେକାଳର ବାଟ । ଆଗରୁ ସାବଧାନ ନ ହେଲେ ଠିକ୍ ସମୟକୁ ଯାଇ ଆଉ ସେଠାରେ ମୋଟେ ପହଁଚି ହେବନି । ଯେଉଁମାନେ ପାଦୁକା ମନ୍ତ୍ର ଜାଣନ୍ତି କି ଯାଦୁମନ୍ତ୍ର ଜାଣନ୍ତି ସେମାନଙ୍କ ପାଇଁ ତ ସବୁ ସ୍ଥାନ ପାଖ । କିଛି ନ ଜାଣିଥିବା ଲୋକ ପାଖେ ସବୁ ସ୍ଥାନ କେବଳ ଦୂର । ଏଣୁ ସେ ରାଜା ରାଣୀ ଖୁବ୍ ଆଗରୁ ଯାଇ ପୂରୀରେ ରହିଲେ ।

ଏଣେ ପଟିଆ ରାଜା ତ ଦୀର୍ଘ ତିନି ବର୍ଷ ହେଲା ଦେଶ ବିଦେଶକୁ ଦୂତ ପଠାଇ ତାଙ୍କ ପୁତ୍ର ମନ୍ମଥକୁ ଖୋଜାଉ ଥାଆନ୍ତି । ଦୈବ ଯୋଗକୁ ଦିନେ ରାତିରେ ସେ ପଟିଆ ରାଜା ସ୍ୱପ୍ନ ଦେଖିଲେ ଯେ, ପୂରୀ ଚକ୍ରତୀର୍ଥ ପାଖରେ ଜଗା, ପୁଅ, ବୋହୂ ସବୁ ମିଳିବେ । ସେଥିପାଇଁ ସେ ମଧ୍ୟ ଦଉଡିଲେ ପୂରୀ ।

ଆସ୍ତେ ଆସ୍ତେ ଅନୁକୂଳ ପବନ ବୋହିଲା । ପ୍ରତାରକ ଦଳ ସଙ୍ଗେ ସୁଚିତ୍ରା ଦଳର ଖୁବ୍ ଯୁଦ୍ଧ ଲାଗିଲା ସେହି ସମୁଦ୍ର ଉପରେ । ମାଝିମାନେ ଗୋଟିକ ପରେ ଗୋଟି ଗୋଟି ହୋଇ ଯାଇ ପାଣିକି ଡେଇଁ ପଡିଲେ । ଶେଷରେ ସେ ପ୍ରତାରକ ବୋଇତିଆଳ ଓ ଧନୀ ମହାଜନ ଜଣକ ବନ୍ଦୀ ହେଲେ । ସୁଚିତ୍ରାଙ୍କ ବୋଇତ ବନ୍ଧା ହେଲା ଉଡନ୍ତା ରଥରେ । ଶୀଘ୍ର କିପରି ଉପକୂଳ ପାଇବେ ଏଥିପାଇଁ ସେମାନେ ଖାଲି ଚଂଚଳ ହେଉଥାନ୍ତି ।

ଅନନ୍ତା ଶବର ସେ ଧନୀ ସୌଦାଗରଙ୍କୁ ଡାକି କହିଲା – “ସମୁଦି! ଜଗନ୍ନାଥ ଧାମ ବାଟ ଦେଇ ନଗଲେ ମନଟା କିଛି ଶାନ୍ତି ଲାଗିବନି । ପ୍ରକୃତରେ ସମସ୍ତଙ୍କ ମନଟା ବି ଚାଲିଲା ସେହି ବାଟରେ । ତେଣୁ ଏକ ନିର୍ଦ୍ଦିଷ୍ଟ ଦିନରେ ସୁଚିତ୍ରାଙ୍କ ବୋଇତ ଯାଇ ଲାଗିଲା ସେହି ଚକ୍ରତୀର୍ଥରେ।

ଅନୁଗୁଳ ରାଜା ରାଣୀ ତ ଖାଲି ଘନ ଚାତକ ପରି ଅନାଇ ବସିଥାନ୍ତି । ବୋଇତଟି ସେଠାରେ ପହଁଚିବାର ଅଳ୍ପ ସମୟ ପୂର୍ବରୁ ସେମାନଙ୍କୁ ଦେଖାଦେଲେ ସେହି ଦେବ ନାଗରୀ ଜଣକ ।

ତାଙ୍କର ଚେହେରା, ବର୍ଣ୍ଣ ଓ ଅମାୟିକ ପ୍ରକୃତିର ଆଭାଷ ପାଇ ସେ ଅନୁଗୁଳ ରାଜା ଓ ରାଣୀ ଜାଣି ପାରିଲେ ଯେ ସେ ଜଣେ ଦେବୀ ବୋଲି । ତେଣୁ ଏ ଦମ୍ପତି ସେହି ଦେବୀ ଜଣଙ୍କୁ ପ୍ରଣାମ କରି ପଚାରିଲେ ତୁମେ କିଏ ମା?

ଦେବନାଗରୀ ସଙ୍ଗେ ସଙ୍ଗେ ନିଜର ପରିଚୟ ଦେଇ ସେ ଅନୁଗୁଳ ରାଜାଙ୍କୁ ଆମୂଳଚୂଳ କରି ସମସ୍ତ କଥା କହିଗଲେ । ଏସବୁ କଥା ଶୁଣି ଶୁଣି ରାଣୀଙ୍କ ଆଖିରୁ ଖାଲି ଅଶ୍ରୁ ଗୁଡିକ ଜଳ ପରି ଗଡୁ ଥାଏ । ଠିକ୍ ଏତିକିବେଳେ ସେ ଉଡନ୍ତା ରଥ ଓ ବୋଇତ ଆସି କୂଳରେ ଲାଗିଲା ।

ଦେବୀ ଜଣକ ଏଥର ମନକୁମନ ଗାଇଲେ –

                ବୋଇତ ଲାଗିଲା ଚକ୍ରତୀର୍ଥରେ ଆସିଣ

                କାନ୍ଦୁଛନ୍ତି ବାପା ମାଆ ବିଷାଦେ ବସିଣ ।

ଆସ ଝିଅ ଗୋ,

ତାଙ୍କ ଦୁଃଖ ଅଶ୍ରୁ ପୋଛିଦିଅ ଗୋ । ୧ ।

କୋଇଲି ପାରିଲା ଡିମ୍ବ କୁଆ ଫଟାଇଲା

ନିଜ ଶାବକ ଭାବିଣ ଯତନେ ପାଳିଲା ।

                                ଡେଣା ପାଇ ଯେ,

ଉଡିଗଲା ଗୋତ୍ର ସମଜାଇ ଯେ ।୨ ।

ରାଜକୁମାରୀ ସୁଚିତ୍ରା ସୌଦାଗର ଘରେ

ବଢିଛି ଧରମ ପିତାମାତାଙ୍କ ସ୍ନେହରେ ।

                                ଡାଆଣୀଟି ଯେ,

ଦେଇଥିଲା ତାହାକୁ ଆଣିଟି ଯେ ।୩ ।

ଏହି ଗୀତଟି ଶୁଣି ହଠାତ୍ ଚମକି ଉଠିଲା ସୁଚିତ୍ରାର ଧର୍ମ ବାପ । ଦେବନାଗରୀଙ୍କ ପ୍ରତି ସୌଦାଗରର ମନଟା ବିଦ୍ରୋହ ଘୋଷଣା କଲା ଯେ, ସୁଚିତ୍ରା ହେଉଛି ତାରି ଝିଅ, ହଁ ହଁ ତାରି ଝିଅ । ସେ କୋଉ ରାଜା ଫାଜାକୁ ମୋଟେ ଜାଣେନି । ସେ କିଏ । ସୁଚିତ୍ରାଠିଁ ତାଙ୍କର ଅଧିକାର କ’ଣ?

ସୁଚିତ୍ରା, କଢଙ୍ଗ ଓ ମନ୍ମଥ ସେହି ଚରିଚିତା ଦେବନାଗରୀଙ୍କୁ ଦେଖି ସିଧା ଚାଲି ଆସିଲେ ତାଙ୍କରି ପାଖକୁ । ଅନୁଗୁଳ ରାଣୀ ଓ ସୁଚିତ୍ରା ଏହି ଦିହିଙ୍କ ଚେହେରା ଦେଖିବାକୁ ପୁରାପୁରି ଗୋଟିଏ ପ୍ରକାର । ତେଣୁ ଅନୁଗୁଳ ରାଜା ହଠାତ୍ ସୁଚିତ୍ରାକୁ ଦେଖି ଚମକି ପଡିଲେ । ରାଣୀ ଆଉ ମୋଟେ ଅପେକ୍ଷା ନ କରି “ମୁଁ ମୋ ମାଆକୁ ପାଇଲି ବୋଲି” ଏତିକି କହି ସୁଚିତ୍ରାକୁ କୁଣ୍ଢାଇ ପକାଇବା ଦେଖି ସେହି ସୌଦାଗର ଜଣକ କାନ୍ଦି ଉଠିଲା ଠିକ୍ ପିଲାଙ୍କ ପରି ।

ରାଜା ତ ସେହି ସୌଦାଗର ଜଣଙ୍କୁ ଚିହ୍ନନ୍ତି । କାରଣ ତାଙ୍କ ରାଜ୍ୟରେ ସେ ଗୋଟିଏ ବଡ ପ୍ରଜା । ତେଣୁ ସେହି ସୌଦାଗରକୁ ପାଖକୁ ଡାକି ରାଜା ସାନ୍ତ୍ୱନା ଦେଲେ । କହିଲେ – “ଶୁଣ ସୌଦାଗର! ସୁଚିତ୍ରା ମୋର ଝିଅ ହେଲେ ବି ସେ ତୁମର ବି ଝିଅ ।” ସେ କଥାକୁ ମୁଁ ତ କେବେ ହେଲେ ଅସ୍ୱୀକାର କରିବିନି । ପ୍ରଭୁଙ୍କର ଆଜ୍ଞା, ତାଙ୍କର ମାୟାରେ ସେ ଦୀର୍ଘ ଚଉଦ ବର୍ଷ ତା ମା’ କୋଳରୁ ଅନ୍ତର ହୋଇ ବଢିଲା ତୁମ ପାଖରେ । ତୁମର ଯାହା କିଛି ସନ୍ଦେହ ହେଉଛି, ତାହା ତୁମେ ଏହି ଦେବନାଗରୀଙ୍କ ଠାରୁ ବୁଝି ପାରିବ । ମୁଁ ଏହି ପୂରୀ କ୍ଷେତ୍ରରେ ନିୟମ କରି କହୁଛି – ସୁଚିତ୍ରାକୁ ତୁମ କୋଳରୁ ଛଡାଇ ମୁଁ ତୁମକୁ କେବେହେଲେ ବି ନିରାଶ କରିବିନି ।

ସୌଦାଗର କହିଲା – “ଏହା ଛାମୁଙ୍କ ଧର୍ମ” ।

ଠିକ୍ ଏତିକିବେଳେ ପଟିଆ ରାଜା ବି ସେଠାରେ ଯାଇ ପହଁଚି ଗଲେ । ମନ୍ମଥ ଯାଇ ତାଙ୍କ ପାଦତଳେ ପଡିଲା । ସେ ପଟିଆ ରାଜା ବି ହଠାତ୍ କୋଟି ନିଧି ପାଇଲା ପରି ତାଙ୍କ ପୁଅକୁ ସେ ଉଠାଇ ନେଲେ ନିଜ କୋଳକୁ । କ୍ରମେ କ୍ରମେ ସବୁ କଥା ଜଣା ପଡିଗଲା, ସମସ୍ତେ ବି ଚିହ୍ନା ଚିହ୍ନି ହେଲେ । ଖୁବ୍ ମନ ଆନନ୍ଦରେ ନାଚି ଉଠିଲା ଅନନ୍ତା ଶବର, ସେ ବହୁତ ଖୁସି ହୋଇ କହିଲା – ପ୍ରଭୁ ମୋତେ ଖୁବ୍ ଦେଇଛନ୍ତି । କଢଙ୍ଗ ଭଳିଆ ଝିଅଟିଏ ଜନ୍ମ କରିଥିବାରୁ ସିନା ମୁଁ ଆଜି ଅନାର୍ଯ୍ୟ ହୋଇ ମଧ୍ୟ ଆର୍ଯ୍ୟ ମେଂଟରେ ବସି ପାରିଲି! ଧନ୍ୟ ମୋର ଭାଗ୍ୟ! ଧନ୍ୟ ମୋର ଝିଅ କଢଙ୍ଗ କୁମାରୀ ।

ସମସ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେଲେ । ଆନନ୍ଦ ଉତ୍ସବର ସୀମା ରହିଲାନି । ସେଦିନ ଶ୍ରୀମନ୍ଦିରରୁ ଅବଢା ଆସିଲା । ସର୍କାରୀ ପସରାରେ ଯେତେ ଭୋଗରାଗ ହୁଏ ସବୁ ଆସିଲା । ବ୍ରାହ୍ମଣ, ଅତିଥି ଓ କାଙ୍ଗାଳି ମାନଙ୍କୁ ଦିଆଗଲା ଭୁରିଭୋଜନ । ତା ପରଦିନ ସମସ୍ତେ ପଂଚତୀର୍ଥ ଦର୍ଶନ ଇତ୍ୟାଦି ବଢାଇ ବାହାରିଲେ ନିଜ ନିଜ ଘରକୁ । କିନ୍ତୁ ସେ ଅନନ୍ତା ଶବର ଆଉ ନିଜ ଗ୍ରାମକୁ ନ ଯାଇ ରହିଗଲା ପଟିଆରେ । ଏ କଥାଟି ହେଲା ଏଇଠି ଶେଷ ।

ସୁଚିତ୍ର କଢଙ୍ଗ କୁମାରୀ କାହାଣୀ ଏଇଠି ହୋଇଲା ଶେଷ

ସାରା ପୃଥିବୀରେ ଅଟେ ତୀର୍ଥମୟୀ ରାଣୀ ଏ ଭାରତ ଦେଶ ।

ଆମେ ଭାରତୀୟ ଆମରି ଦେବତା ଅଟନ୍ତି ଶ୍ରୀଜଗବନ୍ଧୁ

କାଳେ କାଳେ ନାମ ବୋଲାଇ ଅଛନ୍ତି ଦୀନଜନଙ୍କର ବନ୍ଧୁ ।

ଏ ଦେଶର ଝିଅ ମହତ ପଣରେ ଆଶ୍ଚର୍ଯ୍ୟ ସାରା ଜଗତ

ସତୀତ୍ୱ ନିମନ୍ତେ ପାଳୁଥିଲେ ପରା ଏମାନେ ଜହର ବ୍ରତ ।

ପତି ମଲେ ସତୀଦାହ ହେଉଥିଲେ କଳଙ୍କ ନକରି ତନୁ

ଏ ଦେଶ ଝିଅଙ୍କ କଥା ତିଳେ କେହି ପାଶୋରି ନଦେବ ମନୁ ।

ଏହି ଦେଶ ଝିଅ ଜାନକୀ ସୁନ୍ଦରୀ ଅନଳ ପରୀକ୍ଷା ଦେଇ

ରଖିଗଲେ କଥା ଏ ଭବ ଭବନେ ଜଗତ କଲ୍ୟାଣ ନେଇ ।

ଏହି ଦେଶ ଝିଅ ସାବିତ୍ରୀ ସୁନ୍ଦରୀ ବଂଚାଇଲେ ମୃତ ପତି

ସ୍ୱାମୀ ଆଜ୍ଞା ମାନି ପାଶାଣୀ ହୋଇଲେ କାନନେ ଅହଲ୍ୟା ସତୀ ।

କହୁଥିଲେ ଗୁଣ ଝିଅମାନଙ୍କର ହେଳେ ନ ପାରିବ ସରି

ଭାରତୀୟ ଝିଅ ଅଟନ୍ତି ଆଦର୍ଶ ମନ ତାଙ୍କ ସ୍ୱର୍ଗ ପରି ।

ତେଣୁ ସେମାନଙ୍କୁ ଦେଇ ଧନ୍ୟବାଦ କାହାଣୀ କରୁଛି ଶେଷ

ଜଗନ୍ନାଥ ଆଜି ହୋଇବେ ମନ୍ଦିରେ ସୁନାର ରାଜନ ବେଶ ।

ଚାଲ ମନ ଯିବା ଆନନ୍ଦେ ଦେଖିବା ଜଣାଇବା ନମସ୍କାର

ଜୟ ଜୟ ନୀଳାଚଳ ଗୋସାଇଁ ହେ ଜୟ ଜଗତଆଧାର ।

କର ଏ ଦେଶର ମଙ୍ଗଳ ଦେଶରେ ହେଉ ସକଳ ଉନ୍ନତି

କାଳେ କାଳେ ଆଉ ଦୀନ ଅଧମର ତୁମ ଶ୍ରୀଚରଣେ ମତି ।

ବିଚିତ୍ରା କୁମାରୀ ଓ ସିପ୍ରା କୁମାରୀ କାହାଣୀ


ଗପ ସାରଣୀ

ତାଲିକାଭୁକ୍ତ ଗପ