ନାଇଟ୍ ଇଗଲ

ଠିକ୍ ଏହି ସମୟରେ ହଠାତ୍ ସେ ଝରକା ଦେଇ ମୁଗ୍ଧକର ସଂଗୀତର ସୁର ଭାସି ଆସିଲା । ପ୍ରକୃତ ନାଇଟ୍ ଇଗଲଟି ତାର ସମ୍ରାଟଙ୍କ କଥା ଶୁଣି ଫେରି ଆସି ଗୋଟିଏ ଗଛ ଡାଳରେ ବସି ସମ୍ରାଟଙ୍କୁ ଶୁଣାଇବା ପାଇଁ ଗୀତ ଗାଇଲା । ସେ ଯେମିତି ତାର ଗୀତ ଗାଇଛି ସମ୍ରାଟଙ୍କ ଦେହରେ ଦ୍ରୁତ ରକ୍ତ ସଂଚାଳନ ହୋଇ ସତେ ଯେମିତି ତାଙ୍କ ଜୀବନ ଫେରି ଆସିଲା ।

ସେସବୁ ଶୁଣି ସମ୍ରାଟ କହିଲେ ‘ଧନ୍ୟ ଧନ୍ୟ ରେ ତୁ ସ୍ୱର୍ଗୀୟ ଆନନ୍ଦ ପ୍ରଦାନକାରୀ ପକ୍ଷୀ । ମୁଁ ଜାଣେ ମୋ ଯୋଗୁଂ ତୁ ମୋ ରାଜ୍ୟରୁ ନିର୍ବାସିତ ହୋଇଥିଲୁ ମାତ୍ର ତୁ ମୋ ଜୀବନ ଫେରାଇ ଆଣିଛୁ । କହ ମୁଁ ତୋତେ କି ଉପହାର ଦେବି?’

ଏହା ଶୁଣି ସେ ନାଇଟ୍ ଇଗଲ କହିଲା ‘ମୁଁ ତ ମୋ ଉପହାର ବହୁପୂର୍ବରୁ ପାଇ ସାରିଛି । ମୁଁ ଯେତେବେଳେ ପ୍ରଥମେ ଗାଇଥିଲି ସେତେବେଳେ ଆପଣଙ୍କ ଆଖିରେ ଲୋତକ ଆସିଥିଲା ତାହା ମୁଁ ଏ ପର୍ଯ୍ୟନ୍ତ ଭୁଲି ନାହିଁ । ଏହାତ ଗାୟିକା ପାଇଁ ମୂଲ୍ୟବାନ ରତ୍ନ । ଏବେ ଆପଣ ବିଶ୍ରାମ କରନ୍ତୁ ଓ ସୁସ୍ଥ ହୋଇ ଉଠନ୍ତୁ । ମୁଁ ଆପଣଙ୍କ ପାଇଁ ମନ ମତାଣିଆ ଗୀତଟିଏ ଗାଇବି ।’

ନାଇଟ୍ ଇଗଲ ଯେମିତି ଗୀତ ଗାଇଲା ସମ୍ରାଟ ନୀରବରେ ଗଭୀର ନିଦ୍ରାରେ ଶୋଇପଡିଲେ । ପ୍ରଭାତରୁ ଝରକା ଦେଇ ସୂର୍ଯ୍ୟ କିରଣ ପଡିଲା ବେଳକୁ ସେ ସମ୍ରାଟ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଉଠିଲେ । ତାଙ୍କୁ ମୃତ ଭାବି ଜଣେ ହେଲେ କେହି ପରିଚାରକ ସମ୍ରାଟଙ୍କ ପାଖକୁ ଆସିଲେ ନାହିଁ । ମାତ୍ର ନାଇଟ୍ ଇଗଲ ସେମିତି ଗୀତଗାଇ ଚାଲିଥାଏ ।

ସମ୍ରାଟ କହିଲେ ‘ହେ ନାଇଟ୍ ଇଗଲ ତୁମେ ସବୁବେଳେ ମୋ ପାଖରେ ରହିବ ଏବଂ ତୁମର ଯେତେବେଳେ ଇଚ୍ଛା ହେବ ତୁମେ ଗାଇବ । ମୁଁ ସେ କୃତ୍ରିମ ପକ୍ଷୀଟିକୁ ଟିକ୍ ଟିକ୍ କରି ଭାଙ୍ଗି ଦେବି ।’

ନାଇଟ୍ ଇଗଲ କହିଲା ‘ନା, ଆପଣ ତାହା କରନ୍ତୁ ନାହିଁ । ସେ ଯାହା ପାରିଲା ତାହା କହିଲା । ଆପଣ ତାକୁ ଯେମିତି ରଖିଥିଲେ ସେମିତି ରଖନ୍ତୁ । ମୁଁ ତ ଆଉ ଏ ରାଜ ପ୍ରାସାଦରେ ବସାବାନ୍ଧି ରହି ପାରିବି ନାହିଁ ମାତ୍ର ମୁଁ ଯେତେବେଳେ ଚାହିଁବି ଏଠାକୁ ଆସିବି । ସଂଧ୍ୟାରେ ଏଇ ଝରକା ବାହାରେ ଥିବା ଗଛ ଡାଳରେ ବସି ଗୀତ ଗାଇବି ଓ ଆପଣଙ୍କୁ ଖୁସି କରିବି । ମୁଁ ସୁଖଦୁଃଖର ଗୀତ ଗାଇବି ଏବଂ ଯେଉଁ ଭଲ ଗୁଣ ଆପଣଙ୍କ ମଧ୍ୟରେ ଲୁଚି ରହିଛି ତାହା ଜାଣିବି । ଏଇ କ୍ଷୁଦ୍ରପକ୍ଷୀଟି ଆପଣଙ୍କ ରାଜସଭାଠାରୁ ଦୂରରେ ଥିବା ଗରିବ କେଉଟର କୁଡିଆଠାରୁ କୃଷକର କୁଡିଆ ପର୍ଯ୍ୟନ୍ତ ଉଡିବୁଲେ । ମୁଁ ଆପଣଙ୍କ ରାଜ ମୁକୁଟ ଅପେକ୍ଷା ହୃଦୟକୁ ଭଲ ପାଏ କାରଣ ହୃଦୟ ଖୁବ୍ ସୁନ୍ଦର ଓ ପବିତ୍ର ।’ ପକ୍ଷୀଟି କହିଲା ‘ବର୍ତ୍ତମାନ ମୁଁ ଆପଣଙ୍କ ପାଇଁ ଗାଇବି ମାତ୍ର ଆପଣ ଗୋଟିଏ ପ୍ରତିଜ୍ଞା କରିବେ ।’ ତା’ପରେ ସେ ସମ୍ରାଟ ସୁନ୍ଦର ରାଜ ପୋଷାକ ପିନ୍ଧି ସୁବର୍ଣ୍ଣଖଣ୍ଡାକୁ ଅଂଟାରେ ଭିଡି ଠିଆ ହୋଇ କହିଲେ ‘କ’ଣ ସେ ପ୍ରତିଜ୍ଞା ।’

ତହୁଁ ସେ ନାଇଟ୍ ଇଗଲ କହିଲା ‘ଆପଣଙ୍କ ନିକଟରେ ମୋର ଏତିକି ଭିକ୍ଷା ଯେ ଆପଣ କାହାକୁ କହିବେ ନାହିଁ ଆପଣଙ୍କର ଗୋଟିଏ କ୍ଷୁଦ୍ରପକ୍ଷୀଥିଲା ଯେ ଆପଣଙ୍କୁ କଥା କହିଛି । ସବୁଠାରୁ ଭଲହେବ ଆପଣ ତାକୁ ଜାଣି ନାହାଁନ୍ତି ବୋଲି କହିବେ ।’ ଏହା କହି ନାଇଟ୍ ଇଗଲଟି ଉଡିଗଲା ।

ଯେତେବେଳେ ପରିଚାରକଗଣ ମୃତ ସମ୍ରାଟଙ୍କ ଶବ ସତ୍କାର କରିବା ପାଇଁ ସମ୍ରାଟଙ୍କ ଶୟନ କକ୍ଷରେ ପହଁଚିଲେ ସେତେବେଳେ ସମ୍ରାଟ କହି ଉଠିଲେ ‘ସୁ ପ୍ରଭାତ’ ।


ଗପ ସାରଣୀ

ତାଲିକାଭୁକ୍ତ ଗପ