ନିକୁମ୍ଭଙ୍କ ଗର୍ବଚୂର୍ଣ୍ଣ

ନିକୁମ୍ଭ ନାମକ ଜଣେ ପଣ୍ଡିତ ଅନେକ ଦେଶ ଭ୍ରମଣ କରି ସେଠାକାର ପଣ୍ଡିତମାନଙ୍କୁ ନିଜ ପାଣ୍ଡିତ୍ୟ ବଳରେ ହରାଉଥିଲେ । ସେ ପ୍ରତ୍ୟେକ ଦେଶର ରାଜଧାନୀରେ ପହଁଚି ସେଠାକାର ରାଜାଙ୍କୁ ଦେଖା କରି କହୁଥିଲେ କି ସେ ଜଣେ ପଣ୍ଡିତ ଓ ସେ ସେହି ଦେଶର ପଣ୍ଡିତମାନଙ୍କ ସହିତ ତର୍କ କରିବାକୁ ଚାହାଁନ୍ତି । ରାଜା ପଣ୍ଡିତ ସଭା ଡାକନ୍ତି । ନିକୁମ୍ଭ ବାଜିରଖି ନାନା ତର୍କ ବିତର୍କ କରି ପଣ୍ଡିତମାନଙ୍କୁ ହରାଇ ଦିଅନ୍ତି ଓ କିଛି ପୁରସ୍କାର ରାଜାଙ୍କଠାରୁ ନେଇ ପୁଣି ଅନ୍ୟ ଦେଶକୁ ଯାଆନ୍ତି । ତେଣୁ କ୍ରମେ ତାଙ୍କ ମନରେ ଗର୍ବ ବଢି ଚାଲିଲା ଓ ଶେଷରେ ସେ ଭାବିଲେ ତାଙ୍କୁ ହରାଇବା ଭଳି ପଣ୍ଡିତ ଆଉ ଏ ପୃଥିବୀରେ କେହି ବି ନାହାଁନ୍ତି ।

ଏହିପରି ପର୍ଯ୍ୟଟନ କରୁ କରୁ ସେ ମୌସୁମୀର ରାଜଧାନୀ ମଳୟାବତୀ ନଗରୀରେ ଯାଇ ପହଁଚିଲେ । ସେଠିକାର ରାଜା ସର୍ବୋତ୍ତମଙ୍କ ସହିତ ତାଙ୍କର ଦେଖା ହେଲା ଓ କଥାବାର୍ତ୍ତା ବି ହେଲା । ତା’ପରେ ରାଜା ତାଙ୍କ ଦରବାରୀ ପଣ୍ଡିତମାନଙ୍କୁ ଖବର ଦେଲେ ଓ ଏକ ପଣ୍ଡିତ ସଭା ଡକାଗଲା । ଦରବାରର ପଣ୍ଡିତମାନେ ଯେତେ କ୍ଳିଷ୍ଟ ସମସ୍ୟା ଦିଅନ୍ତି ନିକୁମ୍ଭ ଅକ୍ଳେଶରେ ସେସବୁ ସମାଧାନ କରି ଦିଅନ୍ତି । ସେମାନେ ପ୍ରଶ୍ନ ପଚାରିବାକୁ ଆରମ୍ଭ କରିବା ମାତ୍ରେ ପ୍ରତ୍ୟୁତ୍ପନ୍ନମତି ନିକୁମ୍ଭ ଉତ୍ତର ଦେଇଦିଅନ୍ତି । ତା’ପରେ ସେମାନେ ଚୁପ୍ ରହିଲେ । ନିକୁମ୍ଭ ଯେଉଁ ପ୍ରଶ୍ନ ସବୁ ପଚାରିଲେ ସେମାନେ କୌଣସି ଉତ୍ତର ଦେଇ ପାରିଲେ ନାହିଁ । ସମସ୍ତେ ଜାଣିଥିଲେ ଯେ ରାଜା ସର୍ବୋତ୍ତମଙ୍କ ଦରବାରର ପଣ୍ଡିତମାନେ ସୁଖ୍ୟାତି ସଂପନ୍ନ, ତାଙ୍କୁ ଯିଏ ହରାଇ ଦେଉଛି ସେ ନିଶ୍ଚୟ ଅଦ୍ୱିତୀୟ ପଣ୍ଡିତ ହୋଇଥିବେ । ଏସବୁ ଶୁଣି ନିକୁମ୍ଭଙ୍କ ଗର୍ବ ଆହୁରି ବଢିଗଲା ।

ସେଦିନ ସେ ଦରବାରର ପଣ୍ଡିତମାନେ ହାରିଗଲେ । ତା’ପରେ ନିକୁମ୍ଭ ନିଜ ଆସନରୁ ଉଠି ରାଜାଙ୍କୁ କହିଲେ, “ମହାରାଜ, ମୁଁ ପଚାରିଥିବା ପ୍ରଶ୍ନ ଗୁଡିକର ଉତ୍ତର ଦେଇ ନ ପାରି ଆପଣଙ୍କ ଦରବାରର ବିଖ୍ୟାତ ପଣ୍ଡିତମାନେ କିପରି ହାରିଗଲେ ଆପଣ ତ ତାହା ନିଜେ ଦେଖିଲେ, ଏବେ ମୋର ଗୋଟିଏ ଅନୁରୋଧ ଅଛି । ମୁଁ ଜିତିବାରୁ ଆପଣ ମୋତେ ଯେଉଁ ପୁରସ୍କାର ଦେବେ ଓ ମୋର ସତ୍କାର କରିବେ ସେ ସବୁ କିଛି ମୋର ଦରକାର ନାହିଁ । କାହିଁକିନା ସେସବୁ ତ ମୁଁ ପ୍ରାୟ ସବୁ ଦେଶରେ ପାଇ ପାଇ ଆସିଛି । କେବଳ ଗୋଟିଏ ମାତ୍ର ଅନୁରୋଧ, ମୋର ପୁରସ୍କାର ହେଉଛି ଆପଣଙ୍କ ପଣ୍ଡିତମାନେ ହାରି ଯିବାର ଚିହ୍ନ ସ୍ୱରୂପ ମୋର ଚରଣସ୍ପର୍ଶ କରିବେ ।”

ନିକୁମ୍ଭଙ୍କର ଏପରି ଅନୁରୋଧ ରାଜାଙ୍କ ପାଇଁ ବହୁତ ଅପମାନଜନକ ବୋଧ ହେଲା । ଭାବିଲେ, ସେ ଏହାର କ’ଣ ଉତ୍ତର ଦେବେ? ଠିକ୍ ସେତିକିବେଳେ ଜନତାଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ରାଜାଙ୍କ ପାଖରେ ପହଁଚି ରାଜାଙ୍କୁ ପ୍ରଣାମ କରି କହିଲା, “ପ୍ରଭୁ, ମୋର ନାମ ଦରହାସ, ମୋତେ ଯଦି ଆପଣ ଅନୁମତି ଦେବେ ତ ଏ ପଣ୍ଡିତଙ୍କୁ ମୁଁ କିଛି ପ୍ରଶ୍ନ ପଚାରିବି ।”

ଏହା ଶୁଣି ରାଜା ସ୍ୱୀକୃତି ଦେଲେ । ଦରହାସର ଲମ୍ବା ପତଳା ଚେହେରା ଦେଖି ନିକୁମ୍ଭ ହସି ପକାଇଲେ । ଦରହାସ ନିକୁମ୍ଭଙ୍କୁ କହିଲା, “ମହାଶୟ, ଆପଣ ତ ମହାନ୍ ପଣ୍ଡିତ । ତେଣୁ ଆପଣଙ୍କ ପରି ମେଧାବୀଙ୍କ ପ୍ରଶ୍ନର ଉତ୍ତର ଦେବା ମୋ ପକ୍ଷେ ସମ୍ଭବ ନୁହେଁ । ମୁଁ କେବଳ ଦୁଇଟି ପ୍ରଶ୍ନ ଆପଣଙ୍କୁ ପଚାରିବି । ଆପଣ ଯଦି ତାହାର ଉତ୍ତର ଦେଇ ପାରିବେ ତେବେ ମୁଁ ହାର ମାନିବି । ଯଦି ଆପଣ ହାରିଯିବେ ତ ଚୁପ୍ଚାପ୍ ଏ ରାଜସଭା ଛାଡି ଚାଲିଯିବେ ।”


ଗପ ସାରଣୀ

ତାଲିକାଭୁକ୍ତ ଗପ