ନିମ୍ବ

                ନାମ୍ବିୟାର୍ଙ୍କ ଏଭଳି ପ୍ରସ୍ତାବ ଶୁଣି ମନ୍ତ୍ରୀ ଖୁବ୍ ବ୍ୟସ୍ତ ହୋଇ କହିଲେ, “ଏକେରେ ତ ଏତେ ଦୂର ଯିବାହିଁ ବଡ କଷ୍ଟକର କଥା । ଦ୍ୱିତୀୟରେ ମୁଁ ସେଠାରେ ପହଁଚିବା ପରେ ଯଦି ସେ ମୋତେ ଖାତିର୍ ନ କରନ୍ତି?”

                ନାମ୍ବିୟାର୍ କହିଲେ “ନା, ନା, ସେ ସେପରି ଲୋକ ନୁହଁନ୍ତି । ସେଇଥିପାଇଁ ତ ସେ ଏତେ ଲୋକପ୍ରିୟ ଚିକିତ୍ସକ । ଧନୀ, ଦରିଦ୍ର, ସମସ୍ତେ ତାଙ୍କ ପାଖରେ ସମାନ । ଆପଣ ସେଠାକୁ ଶୀଘ୍ର ଯାଆନ୍ତୁ । କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ ଯିବା ବାଟରେ ତେନ୍ତୁଳି ଗଛ ତଳେ ବିଶ୍ରାମ ନେବେ, ସେହି କାଠରେ ରନ୍ଧାରନ୍ଧି ମଧ୍ୟ କରିବେ । ଆଉ ପୁଣି ସେହି ଦାନ୍ତକାଠିରେ ଦାନ୍ତ ବି ଘସିବେ ।”

                ନାମ୍ବିୟାର୍ଙ୍କ ଉପଦେଶ ମାନି ସେ ସପରିବାରେ ଦିଲ୍ଲୀ ଗଲେ । ବାଟରେ ତାଙ୍କରି ଉପଦେଶ ମୁତାବକ ତେନ୍ତୁଳି ଗଛ ସହିତ ସେ ଘନିଷ୍ଠ ସମ୍ପର୍କ ରଖିଥା’ନ୍ତି । ଯାଉ ଯାଉ ଦେଖିଲେ, ତାଙ୍କ ଶରୀର ଦୁର୍ବଳ ହୋଇଗଲା ଓ ଦେହର ରଙ୍ଗ କ୍ରମଶଃ ଫିକା ହୋଇଗଲା । ମନ୍ତ୍ରୀ ମନେ ମନେ ଭାବିଲେ, “ଆମ ନାମ୍ବିୟାର୍ ଜଣେ ଆଶ୍ଚର୍ଯ୍ୟଜନକ ବୈଦ୍ୟ । ରୋଗ ହେବା ଆଗରୁହିଁ ସେ ଏକଥା ବତାଇ ଦେଇ ପାରିଲେ ।”

                ଦିଲ୍ଲୀରେ ପହଁଚି ସେ ହାକିମଙ୍କ ସହ ଦେଖା କରି ତାଙ୍କୁ ସବୁକଥା କହିଲେ । ସବୁକଥା ଶୁଣି ହାକିମ୍ ଠିକ୍ ଭାବେ ବୁଝିଗଲେ ଯେ ତେନ୍ତୁଳି ଗଛ ଲଗାଇବା ବିରୁଦ୍ଧରେ ମତ ପୋଷଣ କରି ନାମ୍ବିୟାର୍ ଏପରି କରିଛନ୍ତି । ତେଣୁ ସେ ମନ୍ତ୍ରୀଙ୍କୁ କହିଲେ, “ଆପଣଙ୍କ ରୋଗ ସାଧାରଣ ନୁହେଁ, କିନ୍ତୁ ତା’ର ଚିକିତ୍ସା ମଧ୍ୟ ହୋଇ ପାରିବ ।”

                “ତେବେ, ମୋତେ ସେ ଚିକିତ୍ସା ବିଷୟରେ କିଛି କୁହନ୍ତୁ । ମୁଁ ସାରା ଜୀବନ ଆପଣଙ୍କ ପାଖରେ କୃତଜ୍ଞ ରହିବି ।”

                ହାକିମ କହିଲେ “ଆପଣ କୌଣସି ପ୍ରକାରେ ଆଉ ଡେରି ନ କରି ନିଜ ରାଜ୍ୟକୁ ଫେରିଯା’ନ୍ତୁ । କିନ୍ତୁ ଫେରିବା ବାଟରେ ଗୋଟିଏ କଥା କେବଳ ମନେ ରଖିବେ । ଯେତେବେଳେ ବିଶ୍ରାମ କରିବେ ନିମ୍ବଗଛ ତଳେହିଁ ବିଶ୍ରାମ ନେବେ । ନିମ୍ବ କାଠରେ ରାନ୍ଧି ଖାଇବେ । ନିମ୍ବଗଛ ଛାଇରେ ଶୋଇବେ । ନିମ୍ବ କାଠିରେ ଦାନ୍ତ ମଧ୍ୟ ଘସିବେ । ନିମ୍ବ ପତ୍ରରେ ପଙ୍ଖା ବନାଇ ବିଂଚିହେବେ । ନିମ୍ବ ପବନ ସଦା ସର୍ବଦା ତମ ଦେହରେ ଯେପରି ବାଜିବ ।”

                ଏପରି ଚିକିତ୍ସା ଆଉ କିଏ କରନ୍ତା ତ ମନ୍ତ୍ରୀଙ୍କର ଆଦୌ ବିଶ୍ୱାସ ହୋଇ ନଥା’ନ୍ତା । କିନ୍ତୁ ଯେହେତୁ ଏ ଚିକିତ୍ସା ଖୋଦ୍ ବାଦଶାହଙ୍କ ହାକିମ୍ କରାଉଛନ୍ତି ତେଣୁ ସେ ଚୁପ୍ଚାପ୍ ସେସବୁ ମାନି ନେଲେ ଓ ହାକିମଙ୍କ କହିବା ଅନୁସାରେ ସବୁକିଛି କଲେ । ଫେରିବା ବାଟରେ ସେ ନିମ୍ବଗଛ ସହିତ ଘନିଷ୍ଠ ହୋଇ ରହିଲେ ଏବଂ ଦେଖିଲେ ତାଙ୍କର ଦେହ କ୍ରମେ ସୁସ୍ଥ ହେଉଛି । ଯେତେବେଳେ ସେ ଦିଲ୍ଲୀରୁ ଫେରି ନିଜ ରାଜ୍ୟରେ ପହଁଚିଲେ ସେତେବେଳକୁ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେଣି । ମନ୍ତ୍ରୀ ଫେରି ଆସିଛନ୍ତି ବୋଲି ନାମ୍ବିୟାର୍ ଯେମିତି ଶୁଣିଲେ ସେ ଯାଇ ମନ୍ତ୍ରୀଙ୍କ ସହିତ ତୁରନ୍ତ ଦେଖା କଲେ । ମନ୍ତ୍ରୀ ତାଙ୍କର ସାରା ଅନୁଭୁତି ନାମ୍ବିୟାର୍ଙ୍କୁ କହି ଶୁଣାଇଲେ ।

                ସବୁକଥା ଶୁଣି ନାମ୍ବିୟାର୍ କହିଲେ “ଆପଣଙ୍କ ଅନୁଭୁତି ବିଷୟରେ ଥରେ ରାଜା ଜାମୋରିନ୍ଙ୍କୁ ଶୁଣାନ୍ତୁ ।”

                ଏହାପରେ ମନ୍ତ୍ରୀ ରାଜାଙ୍କ ପାଖକୁ ଗଲେ ଓ ତାଙ୍କୁ ସବୁକଥା କହିଲେ । ନାମ୍ବୟାର୍ ମଧ୍ୟ ସେତେବେଳେ ତାଙ୍କ ସାଥିରେ ଥିଲେ । ରାଜା ଆଶ୍ଚର୍ଯ୍ୟ ହେଲେ । ସେତେବେଳେ ନାମ୍ବିୟାର୍ କହିଲେ, “ପ୍ରକୃତରେ ମୁଁ ଏକ ବହୁତ ବଡ ଅପରାଧ କରିଛି । ମୋତେ ଆପଣ ଦୁଇଜଣ କ୍ଷମା କରନ୍ତୁ । ମନ୍ତ୍ରୀ ମହାଶୟଙ୍କର କୌଣସି ରୋଗ ନଥିଲା । ତେନ୍ତୁଳି ଗଛର ଦୁର୍ଗୁଣ ବିଷୟରେ କିଛି ଜ୍ଞାନ ଦେବାକୁ ମୁଁ ଚାହିଁଥିଲି; ମହାରାଜ ତ ମୋ କଥା ଟିକେ ହେଲେବି ତାଙ୍କ କାନକୁ ନେଲେ ନାହିଁ । ତେଣୁ ମୁଁ ମନ୍ତ୍ରୀଙ୍କୁ ଦିଲ୍ଲୀ ଯିବା ପାଇଁ ଯୋଜନା କଲି ଓ କହିଲି ଯିବାବେଳେ ତେନ୍ତୁଳି ଗଛର ଛାଇରେ ବିଶ୍ରାମ କରିବ, ପତ୍ର ଫୁଲଫଳ ସବୁ ଖାଇବ । ସେଇ କାଠରେ ଜାଳେଣୀ କରିବ ଓ ସେଇଥିରେ ଦାନ୍ତକାଠି ବନାଇବ । ଏଇସବୁ ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟହାନୀ ଘଟିଲା ଏବଂ ହାକିମ୍ ଠିକ୍ ଘଟଣାଟା ବୁଝିଗଲେ  ଓ ନିମ୍ବଗଛର ଉପକାରିତା ବିଷୟରେ କହି ମନ୍ତ୍ରୀଙ୍କୁ ପଠାଇ ଦେଲେ । ଆସିବା ବେଳେ ନିମ୍ବଗଛ ଛାଇ, ପବନ, ପତ୍ରଫୁଲ ଖାଇବା, ଦାନ୍ତକାଠି କରିବା ସବୁକିଛି କରିବାରୁ ପୁଣି ପୂର୍ବ ସ୍ୱାସ୍ଥ୍ୟ ସେ ଫେରି ପାଇଲେ । ଆପଣମାନଙ୍କୁ ପ୍ରାର୍ଥନା, ଅଧିକ ନିମ୍ବଗଛ ରାଜ୍ୟରେ ଲଗାନ୍ତୁ । ତେନ୍ତୁଳି ଗଛ ଲଗାଇବାର ଯିଦ୍ ଛାଡି ଦିଅନ୍ତୁ । ତଦ୍ୱାରା ପ୍ରଜାଙ୍କର ସ୍ୱାସ୍ଥ୍ୟହାନୀ ଘଟିବ ।”

                ଜାମୋରିନ୍ ତା’ ପରଦିନ ଆଦେଶ ଦେଲେ ସାରା ରାଜ୍ୟରେ ନିମ୍ବଗଛ ଲଗାହେବ । ନିମ୍ବଗଛ ଚାରିଆଡେ ଲଗାହୋଇ ବଡ ସୁନ୍ଦର ଦେଖାଗଲା । ଲୋକମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ