ନିର୍ଭୀକଙ୍କୁ ଭାଗ୍ୟ ସହାୟ

ଗୁରୁ ଏବଂ ତାଙ୍କ ଶିଷ୍ୟମାନେ ପବିତ୍ର ଭସ୍ମର ଚିତା ମୁଣ୍ଡରେ ଲଗାନ୍ତି । ଗୁରୁଙ୍କ ପାଖରେ ଏକ ବିସ୍ମୟକର କୁହୁକ ଭସ୍ମ ଥାଏ । ସେଇ ଭସ୍ମ ଭୀରନ୍କୁ ଦେଇ ଗୁରୁ କହିଲେ – “ଯିଏ ଏ ଭଷ୍ମ କପାଳରେ ଲଗାଇବ ସେ ଅଦୃଶ୍ୟ ହୋଇଯିବ । ତୁମେ ନେଇ ପରୀକ୍ଷା କର ।” ତହୁଁ ଭୀରନ୍ ଚିତା ଲଗାଇଲା ଓ ପ୍ରକୃତରେ ଅଦୃଶ୍ୟ ହୋଇଗଲା । ଏସବୁ ଦେଖି ତା ଆନନ୍ଦ କହିଲେ ଆଉ ନ ସରେ । ସେ ଭୀରନ୍କୁ ତ ଖାଇବାକୁ ଅତି ଭଲଲାଗେ । ତେଣୁ ସେ ରାଜାଙ୍କ ରୋଷେଇ ଘରେ ପଶି ନିଜ ଭାଗ୍ୟ ପରୀକ୍ଷା କରିବାକୁ ମନ କଲା । ସେଥିରେ ସେ ସଫଳ ମଧ୍ୟ ହେଲା । ଏଣିକି ସେ ପ୍ରତିଦିନ ରାଜାଙ୍କ ରୋଷଘରୁ ଖାଦ୍ୟ ପଦାର୍ଥ ଚୋରି କଲା ଓ ଆସ୍ତେ ଆସ୍ତେ ଏହା ତା’ର ଏକ ଅଭ୍ୟାସରେ ପରିଣତ ହୋଇଗଲା ।

ପୁଝାରୀମାନେ ଏ କଥା ଦେଖି ଡରିଗଲେ ଓ ପ୍ରଧାନ ରୋଷେଇଆ ଏ ଚୋରି ବିଷୟରେ ରାଜାଙ୍କୁ ଜଣାଇଲା । ରାଜା କୋଡିଏ ଜଣ ଜଗୁଆଳିଙ୍କୁ ଚୋର ଧରିବା କାମରେ ଲଗାଇଲେ । କିନ୍ତୁ ସେ ଅଦୃଶ୍ୟ ମାନବ ପ୍ରତିଦିନ ରୋଷଘରୁ ଖାଦ୍ୟ ଚୋରି କରିବାରେ ଲାଗିଲା । ଏହି କାରଣରୁ ସେ ରାଜା ଅତ୍ୟନ୍ତ ବ୍ୟସ୍ତ ହୋଇ ତାଙ୍କ ରାଜ୍ୟରେ ଘୋଷଣା କଲେ, ଯେ ଏ ଚୋରକୁ ଧରିଦେବ ରାଜା ତାକୁ ଶହେ ସ୍ୱର୍ଣ୍ଣ ମୁଦ୍ରା ପୁରସ୍କାର ଦେବେ ।

ଗୁରୁ ତ ଠିକ୍ ଜାଣିଥାନ୍ତି କିଏ ଚୋର । ତେଣୁ ସେ ରାଜାଙ୍କ ପାଖକୁ ଯାଇ କହିଲେ – “ମହାରାଜ, ଏ ଚୋରକୁ ଧରିବା ଭାରି ସହଜ । ସେଥିପାଇଁ ଆପଣଙ୍କୁ ଖାଲି ଗୋଟିଏ କାମ କରିବାକୁ ହବ । ରୋଷ ଘର ବାହାରେ ପ୍ରତି କୋଣରେ ଜଗୁଆଳି ରଖି ଦିଅନ୍ତୁ ଏବଂ ସେ ଘର ଭିତରେ କେମିତି ଗୁଳୁଗୁଳିଆ ଗରମ ହବ ତା’ର ସମସ୍ତ ବନ୍ଦୋବସ୍ତ କରି ଦିଅନ୍ତୁ । ତା’ପରେ ଦେଖିବେ ସେ ଚୋର ନିଶ୍ଚୟ ଧରା ପଡିଯିବ ।”

ପରଦିନ ରୋଷ ଘରର ମୁଖ୍ୟଦ୍ୱାର ଛଡା ଆଉ ସବୁ ଝର୍କାକବାଟ ବନ୍ଦ କରି ଦିଆଗଲା । ଭୀରନ୍ ପ୍ରତିଦିନ ପରି ସେଦିନ ମଧ୍ୟ ରୋଷେଇ ଘରକୁ ପଶିଲା ଓ ଅଭ୍ୟାସ ମୁତାବକ ଗୋଟିକ ପରେ ଗୋଟିଏ ଖାଦ୍ୟ ଚାଖି ଚାଲିଲା । ସେ ଘର ଭିତରେ ତ ଭାରି ଗରମ ହଉଥାଏ ତେଣୁ ଏ ଅଦୃଶ୍ୟ ମାନବର ଝାଳ ବୋହିବାକୁ ଲାଗିଲା । ତା’ କପାଳରୁ ବୋହି ପଡୁଥିବା ଝାଳରେ ତା’ କୁହୁକ ଭଷ୍ମ ଧୋଇ ହୋଇଗଲା ଓ ଭୀରନ୍ ଆଉ ଅଦୃଶ୍ୟ ହୋଇ ରହି ପାରିଲା ନାହିଁ । ଫଳରେ ତାକୁ ସମସ୍ତେ ଦେଖି ପାରିଲେ । ସେ ପଳାଇଯିବା ପୂର୍ବରୁ ଜଗୁଆଳିମାନେ ତାକୁ ଧରି ପକାଇଲେ ଓ ରାଜାଙ୍କ ଛାମୁକୁ ନେଇଗଲେ । ରାଜା ତାକୁ କାଲି ସକାଳୁ ପ୍ରାଣଦଣ୍ଡ ଦିଆଯିବାର ଘୋଷଣା କରି ଜେଲ୍ଖାନାକୁ ପଠାଇଦେଲେ ।

ଗୁରୁ ରାଜାଙ୍କ ଆଦେଶ ଶୁଣିଲେ । ମାତ୍ର ସେ ତାଙ୍କର ସାହସୀ ଶିଷ୍ୟଟିକୁ ହରାଇବାକୁ ଚାହୁଁ ନଥିଲେ । ତେଣୁ ସେ ଜେଲଖାନାକୁ ଗଲେ ଓ ଭୀରନ୍କୁ କହିଲେ – “କାଲି ସକାଳେ ତତେ ମୃତ୍ୟୁଦଣ୍ଡ ଦିଆଯିବ ଜାଣିଛୁ । ଯଦି ସେ ଠେକୁଆର ଆର ଗୋଡଟା କୁଆଡେ ଗଲା ମତେ ସତ କହିଦେବୁ ତେବେ ମୁଁ ରାଜାଙ୍କୁ କହି ତତେ ଏ ଦଣ୍ଡରୁ ମୁକ୍ତ କରିଦେବି ।

କିନ୍ତୁ ଭୀରନ୍ ତ ମହା ଜିଦ୍ଖୋର ପିଲା – କହିଲା – “ଗୁରୁଦେବ, ଯେଉଁ ଠେକୁଆକୁ ମୁଁ ସେଦିନ ଧରିଥିଲି ତା’ର ସର୍ବମୋଟ ତିନୋଟି ଗୋଡ ଥିଲା ।”

ଏହା ଶୁଣି ଗୁରୁ ମନେମନେ ତା’ ଅବିଚଳିତ ଚିତ୍ତର ପ୍ରଶଂସା ନ କରି ରହି ପାରିଲେ ନାହିଁ । ତାଙ୍କ ଶିଷ୍ୟଟିକୁ କ୍ଷମା କରି ଦେବାକୁ ରାଜାଙ୍କୁ ଅନୁରୋଧ କଲେ ।

ରାଜା ପୂରା କଥାଟି ଶୁଣିଲେ ଆଉ ଖୁବ୍ ହସିଲେ । ମୃତ୍ୟୁ ଦଣ୍ଡରେ ଦଣ୍ଡିତ ପିଲାଟିର ସାହସ ଦେଖି ସେ ରାଜା ଖୁବ୍ ଆଶ୍ଚର୍ଯ୍ୟ ହେଲେ ଓ ନିଜର ଉଦାରତା ଦେଖାଇ ତା’କୁ କ୍ଷମା ମଧ୍ୟ କରିଦେଲେ ।

ନିର୍ଭୀକକୁ ଭାଗ୍ୟ ସହାୟ ହୁଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ