ନ୍ୟାୟସୂତ୍ର

                ନାଗୁଣୀର କଥା ଶୁଣି ସେ ରାଜା ବଡ ବ୍ୟାକୁଳ ହେଲେ । ନ୍ୟାୟ ଅନୁସାରେ ରାଜକୁମାର ଦଣ୍ଡଯୋଗ୍ୟ । ସେ ଅନ୍ୟାୟରେ ନାଗକୁ ବଧ କରି ନାଗୁଣୀକୁ ବିଧବା କରିଛି । ତା’ପରେ ସେ ପୁଣି ରାଜାଙ୍କ ଏକମାତ୍ର ପୁତ୍ର । ସେ ଭାବିଲେ ଯେ ଏ ବିପତ୍ତିରୁ ସେ କିପରି ବଂଚିବେ । ନାଗୁଣୀକୁ ନ୍ୟାୟ ଅଧିକାର ଦେବାକୁ ହେବ ଅର୍ଥ ପୁଅଟିକୁ ବଳ ଦେବାକୁ ହେବ । ଏହିଭଳି କେତେକଥା ଭାବି ସେ ରାଜାଙ୍କ ମନ ବଡ ବ୍ୟସ୍ତ ବିବ୍ରତ ହୋଇ ଉଠିଲା ।

                ଅନନ୍ୟୋପାୟ ହୋଇ ରାଜା ପାଂଚଜଣ ନ୍ୟାୟାଧୀଶଙ୍କୁ ଡକାଇଲେ । ନାଗୁଣୀର ସବୁ କଥା ସେମାନେ ଶୁଣିଲେ । ସବୁକିଛି ଶୁଣିବା ପରେ ଜଣେ ନ୍ୟାୟାଧୀଶ କହିଲେ, “ମହାରାଜ ଆଖି ପାଇଁ ଆଖି ଓ ଦାନ୍ତ ପାଇଁ ଦାନ୍ତ, ଆମର ଏହି ନ୍ୟାୟସୂତ୍ର ସମସ୍ତିଙ୍କୁ ବିଦିତ । କେବଳ ରାଜକୁମାରଙ୍କ ଅତ୍ୟାଚାରରୁ ଏ ନାଗୁଣୀ ଆଜି ବିଧବା ହେଲା । ତା’ର ବୈଧବ୍ୟର କଷ୍ଟ ରାଜକୁମାରଙ୍କ ପତ୍ନୀ ପାଇବା କଥା । କିନ୍ତୁ ସେ ଦଣ୍ଡ ଦେବାର ଅଧିକାର ତ କେବଳ ନାଗର ଅଛି । କିନ୍ତୁ ଏବେ ପ୍ରଶ୍ନ ହେଉଛି ମରିଯାଇଥିବା ନାଗ କିପରି କାହାକୁ ଦଣ୍ଡ ଦେବ?”

                ମାତ୍ର ଏଭଳି କଥାକୁ ସେ ନାଗୁଣୀ ଅସ୍ୱୀକାର କରି କହିଲା, ଏହା କୌଣସି ନ୍ୟାୟଶାସ୍ତ୍ର ସମ୍ମତ ନୁହେଁ । ଏହି ନ୍ୟାୟାଧୀଶ ମୋତେ ଠକାଇବାର ଚେଷ୍ଟା କରୁଛନ୍ତି । ମରିଥିବା ନାଗ କିପରି ବା ରାଜକୁମାରଙ୍କ ପତ୍ନୀକୁ ବିଧବା ବନାଇବ? ଏ ନ୍ୟାୟାଧୀଶ ଜଣକ ନିଜର ବାକ୍ପଟୁତା ଦ୍ୱାରା ଯୁବରାଜଙ୍କୁ ବଂଚାଇବାକୁ ଚାହୁଁଛନ୍ତି ।” ନାଗୁଣୀର ଏ କଥାର ଉତ୍ତର ନ୍ୟାୟାଧୀଶ ଦେଇ ନପାରି ଶେଷରେ ସେ ତୁନି ହୋଇ ରହିଲେ ।

                ତା’ପରେ ଦ୍ୱିତୀୟ ନ୍ୟାୟାଧୀଶ କହିଲେ, “ଏ ନାଗୁଣୀ ଯାହା କିଛି ବି କହୁଛି ତାହା ସତ୍ୟ । କିନ୍ତୁ ଏଠାରେ ଏକ ଧର୍ମସଂକଟ ହେଉଛି ।” ଏତିକି କହି ସେ ନାଗୁଣୀକୁ ପଚାରିଲେ, “ତୁମର କେତୋଟି ପିଲାପିଲି?”

                ତହୁଁ ସେ ନାଗୁଣୀ କହିଲା – “ମୋର ପାଂଚଟି ପୁତ୍ର”

                ଦ୍ୱିତୀୟ ନ୍ୟାୟାଧୀଶ କହିଲେ, “ଏହା ତ ବଡ ଦୁଃଖର କଥା ଯେ ରାଜପୁତ୍ର ତୁମପରି ପାଂଚପୁତ୍ରର ଜନନୀକୁ ବିଧବା ବନେଇ ଦେଲେ । ତେବେ ତମେ ମଧ୍ୟ ତାଙ୍କ ପତ୍ନୀଙ୍କୁ ବିଧବା କରିଦେବ, ମାତ୍ର ଯେତେବେଳେ ସେ ପାଂଚପୁତ୍ରର ଜନନୀ ହେବେ । ସେପରି କଲେ ଯାଇ ଠିକ୍ ନ୍ୟାୟ ହେବ । ନୁହେଁ କି?” ଏଭଳି କଥା ଶୁଣି ସନ୍ଦେହ ଅବସ୍ଥାରେ ପଡି ସେ ନାଗୁଣୀ କହିଲା “ହଁ ହଁ ।”

                ନ୍ୟାୟାଧୀଶ କହିଲେ “ତେଣୁ ସେଥିପାଇଁ ତୁମକୁ କିଛି ସମୟ ପ୍ରତୀକ୍ଷା କରିବାକୁ ହେବ । କାହିଁକିନା ଯୁବ ରାଜଙ୍କର ଏଯାବତ ମାତ୍ର ଦୁଇଟି ସନ୍ତାନ ହୋଇଛି । ଯେବେ ସେମାନଙ୍କର ପାଂଚପୁତ୍ର ଜନ୍ମ ହେବେ ତେବେଯାଇ ତମେ ଆସି ତାଙ୍କୁ ଦଂଶିବ ।”

                ନାଗୁଣୀ ଭାବିଲା ଏହାହିଁ ଠିକ୍ । ତେଣୁ ସେ ରାଜାଙ୍କୁ କହିଲା ଯେ, “ଯେଉଁ ମୁହୂର୍ତ୍ତରେ ଆପଣଙ୍କ ଯୁବରାଜଙ୍କର ପାଂଚଟି ପୁତ୍ର ହେବେ, ସେତେବେଳେ ରାଜା ଯେପରି ନାଗୁଣୀକୁ ଖବର ଦିଅନ୍ତି ।” ନ୍ୟାୟଶୀଳ ରାଜା ସେଥିରେ ସମ୍ମତ ହେଲେ । କିନ୍ତୁ ତା’ପରେ ସେ ଯୁବରାଜଙ୍କର କୌଣସି ସନ୍ତାନହିଁ ହେଲା ନାହିଁ ।

                ଯେତେବେଳେ ସେମାନେ ବଗିଚାରେ ବୁଲନ୍ତି ନାଗୁଣୀ ସେତେବେଳେ ନିଜ ବିଳରୁ ବାହାରି ଆସି ଦେଖେ ଓ ତାଙ୍କ ପିଲାଙ୍କୁ ଗଣେ । ସେଇ ଦୁଇଟି ହିଁ ଅଛନ୍ତି । ନାଗୁଣୀ ସବୁବେଳେ ଭାବେ କିପରି ବା ସେ ନିଜ ପ୍ରତିଶୋଧ ନେବ । ଏମିତି ଭାବୁ ଭାବୁ ସେ ଦିନେ ବୁଢୀ ହୋଇ ଶେଷରେ ମରିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ