ପତିପତ୍ନୀ

                ରଙ୍ଗା ଯିବା ପରେ ପଡୋଶୀ ଘରୁ ଦୁଇ ତିନି ଜଣ ସ୍ତ୍ରୀ ଲୋକ ତାଙ୍କ ଘରକୁ ଆସି ସୀତାକୁ କହିଲେ, “ସୀତା, ତୁମକୁ ଦେଖି ଆମ ମନରେ ବଡ ଦୟା ଆସୁଛି, ତୁମର କଷ୍ଟ ଦେଖି ଆମର ମନରେ ବଡ ଦୁଃଖ ଆସୁଛି । ସାରା ସଂସାର ମଧ୍ୟରେ ତୁମ ପରି ବୋଧ ହୁଏ ଅନ୍ୟ କେଉଁ ସ୍ତ୍ରୀ ଏତେ କଷ୍ଟ ପାଉ ନଥିବ । ଏତେ ଅପମାନ ପାଇବା ପରେ ମଧ୍ୟ ତୁମେ ଯେ ବଂଚିକରି ରହିଛ । ତୁମ ସ୍ୱାମୀ ତ ଦୁର୍ବାସାମୁନିଙ୍କ ପରି କଥା କଥାରେ ଖାଲି କ୍ରୋଧ ପ୍ରକାଶ କରୁଛନ୍ତି । ଏପରି ଲୋକ ସହିତ ତୁମେ କେମିତି ଯେ ସଂସାର କରି ଚାଲିଛ? ତୁମ ସ୍ଥାନରେ ଆମେ ଥିଲେ ଆମେ ତ କେବେଠାରୁ ଆତ୍ମହତ୍ୟା କରିଥା’ନ୍ତୁ ।” ସେମାନେ ସୀତା ପ୍ରତି ସହାନୁଭୂତି ଦେଖାଇ ସୀତାକୁ ଏଭଳି କଥା ସବୁ କହିଲେ ଓ ନିଜ ନିଜ ଘରକୁ ଚାଲିଗଲେ । ସୀତା ଭାବିଲା ଯେ ଏମାନେ ଠିକ୍ କଥା କହୁଛନ୍ତି ଏପରି ଅସହ୍ୟ ଅପମାନ ସହି ବଂଚିବା ବ୍ୟର୍ଥ । ତେଣୁ ସେ ଗୋଟିଏ ଚିଠି ସ୍ୱାମୀକୁ ଲେଖିଲା ଓ ଖଟ ଉପରେ ସେହି ଚିଠିଟି ରଖିଦେଇ ଘର ଛାଡି ପଳାଇଲା ।

                ସଂଧ୍ୟାକୁ ସ୍ୱାମୀ ଘରକୁ ଫେରିଲା ଓ ଚିଠିଟି ପଢିଲା । ଚିଠିଟି ପଢି ତା’ର ମନ ବଡ ଦୁଃଖ ହୋଇଗଲା । ସେ ସୀତାକୁ ଚାରିଆଡେ ଖୋଜିଲା । କିନ୍ତୁ କେଉଁଠି ହେଲେ ବି ସେ ତାକୁ ପାଇଲା ନାହିଁ । ପରଦିନ ସକାଳେ ଯାଇ ସେ ତା’ର ଶ୍ୱଶୁର ଘରେ ପହଁଚିଲା । ଦେଖିଲା ବାହାର ଘରେ ଶ୍ୱଶୁର ମହେନ୍ଦ୍ର ବସିଛନ୍ତି । ରଙ୍ଗା ଯାଇ ଶ୍ୱଶୁରଙ୍କୁ ସବୁକଥା ଡରି ଡରି କହିଲା ଓ ଦୁଃଖରେ କାନ୍ଦିବାକୁ ଲାଗିଲା । ମହେନ୍ଦ୍ର ସବୁ ଶୁଣି କହିଲେ, “ରଙ୍ଗା, ତୁମେ ବିବାହ ଉତ୍ସବକୁ ଯିବା ପରେ ତ ସେ ଏହି ଚିଠି ଲେଖିଛି । ତା’ପରେ ଯଦି ସେ ଆତ୍ମହତ୍ୟା କରିଥିବ ତେବେ ଗତ କାଲି ତ କରିଥିବ । କିନ୍ତୁ କାଲିଠାରୁ ସୀତା ପରି ଝିଅଟିଏ ଆମ ଘରେ ବୁଲୁଛି । ହୁଏତ ସେ ସୀତାର ପ୍ରେତ ହୋଇଥିବ ।”

                ଇତିମଧ୍ୟରେ ଘର ଭିତରୁ ସୀତା ବାହାରି ଆସି ପରିସ୍ଥିତି ବୁଝି ଯାଇ ନିଜ ମୁଣ୍ଡରେ ହାତ ଦେଇ କହିଲା, “ଓଃ ଏବେ ଏହି ଚିଠିଟି ଦେଖି ମୋର ସବୁ ଠିକ୍ ଠିକ୍ ମନେ ପଡୁଛି । ମୋର କି ଭୁଲାପଣ । ଆତ୍ମହତ୍ୟା କରିବାକୁ ଘରୁ ବାହାରି ମୁଁ ମୋ ବାପା ପାଖରେ ଆସି ସିଧା ପହଁଚିଗଲି ହେଲେ ଆତ୍ମହତ୍ୟା କରିବାକୁ ତ ମୁଁ ପୁରାପୁରି ଭୁଲିଗଲି । ଏପରି ସ୍ୱାମୀ ସହିତ ଚଳିବା ବଡ କଷ୍ଟସାଧ୍ୟ । ତେଣୁ ମୁଁ ଏବେ ଆତ୍ମହତ୍ୟା କରିବାକୁ ଯାଉଛି ।” ଏହା କହି ସୀତା ତୁରନ୍ତ କୂଅ ଆଡକୁ ଦୌଡିଲା ।

                ସ୍ତ୍ରୀର ଏଭଳି କଥା ଶୁଣି ରଙ୍ଗା କହିଲା “ରହିଥାଅ ସୀତା; ମୋର ଦୁର୍ବ୍ୟବହାର ଯୋଗୁଁ ତୁମେ ମରିବାକୁ ଯାଉଥିଲ, ତା’ପରେ ମୋର ଅବସ୍ଥା ଯେ କ’ଣ ହୋଇଥା’ନ୍ତା? ତୁମର ସେହି ଭୁଲାପଣ ଯୋଗୁଁ ତ ତମେ ଏବେ ମଧ୍ୟ ବଂଚିଛ ଓ ତୁମକୁ ମୁଁ ଜୀବନ୍ତ ପାଇ ପାରିଲି । ମୋର କ୍ରୋଧ ଯୋଗୁଁ ତୁମେ ଆତ୍ମହତ୍ୟା କରିବାକୁ ଯିବ ବୋଲି ମୁଁ କଦାପି ବି ଜାଣି ନଥିଲି । ଆଜିଠାରୁ ମୁଁ ମଧ୍ୟ ମୋର କ୍ରୋଧକୁ ସଂଯମ କରିବି । ମୁଁ ଶାନ୍ତ ରହିବାକୁ ଚେଷ୍ଟା କରିବି ।”

                ସ୍ୱାମୀ କଥାରେ ଏକମତ ହୋଇ ସୀତା କହିଲା, “ମୁଁ ମଧ୍ୟ ଆଜିଠାରୁ ସବୁ ମନେ ରଖିବାକୁ ଚେଷ୍ଟା କରିବି । ତୁମେ ରାଗିବାର କାରଣ ତ ଅଛି । ମୋର ସବୁଦିନେ ଭୁଲ୍ ହେଉଛି । ତୁମେ ତ ଆଉ ଖାଲିରେ ରାଗୁନାହଁ ।”

                ମହେନ୍ଦ୍ର ଝିଅ ଜ୍ୱାଇଁଙ୍କ କଥା ଶୁଣୁଥିଲେ । ସେ ସେଠାକୁ ଆସି କହିଲେ, “ସ୍ୱାମୀ ସ୍ତ୍ରୀ ଦୁହିଁଙ୍କ ମଧ୍ୟରେ ଭଲ ବୁଝାମଣା ଥିବା ଦରକାର ତେଣୁ ବଦଭ୍ୟାସସବୁ ନିଜେ ନିଜେ ଛାଡିବାକୁ ଚେଷ୍ଟା କରିବ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ରାଗ, କ୍ରୋଧ, କ୍ଷମା ଏସବୁର ମୂଲ୍ୟ କିଛି ବି ନଥାଏ । ଦୁହିଁଙ୍କ ମଧ୍ୟରେ ସ୍ନେହ ଓ ପ୍ରେମ ରହିଲେ ସଂସାର କରି ଆନନ୍ଦରେ ରହି ପାରିବ ।”

                ମହେନ୍ଦ୍ରଙ୍କ କଥା ଦୁହେଁ ନୀରବରେ ଶୁଣିଲେ ଓ ଅଳ୍ପ ହସି ସ୍ୱୀକାର କଲେ । ସେହିଦିନଠାରୁ ସେମାନେ ଆଦର୍ଶ ଦମ୍ପତ୍ତି ହୋଇ ରହିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ