ପଥରର ବୁଦ୍ଧମୂର୍ତ୍ତି ଭିତରେ ସୁନାର ବୁଦ୍ଧମୂର୍ତ୍ତି

                ସପ୍ତଦଶ ଶତାବ୍ଦୀର ପ୍ରଥମ ଭାଗରେ ରୁଷିଆରେ ସୁନାଟଙ୍କା ପ୍ରଚଳିତ ଥିବାର ପ୍ରମାଣ ମିଳିଛି । ସେତେବେଳେ ସେହି ସୁନାଟଙ୍କା ବା ସ୍ୱର୍ଣ୍ଣମୁଦ୍ରାକୁ କୁହାଯାଉଥିଲା ‘ଗ୍ରିଭେନିକ୍’ ଏବଂ ‘ପ୍ୟାଟାକ୍’ । ୧୭୩୦ ମସିହାରେ ରାଣୀ ଆନା ଆୟୋଆନୋଭ୍ନାଙ୍କ ଅମଳରେ ପ୍ରଚଳନ କରାଯାଇଥିଲା ‘ଚେର୍ଭୋନେଟୂ’ ନାମକ ସ୍ୱର୍ଣ୍ଣମୁଦ୍ରା । ନିଜକୁ ଖୁବ୍ ଦାନୀ ବୋଲି ବୋଲେଇ ହେବା ପାଇଁ ସେ ତାଙ୍କ ପାରିଷଦମାନଙ୍କୁ ନିୟମିତ ଭାବରେ ଉପହାର ଦେଇ ଚାଲିଥିଲେ ବହୁ ପରିମାଣର ସୁନା । ୟେଲ୍ଜାଭେଟା ପେଟ୍ରେଭ୍ନା ନିଜ ରାଜ୍ୟରେ ଚଳେଇଲେ ‘ଇମ୍ପେରିଆଲ୍’ ନାମକ ସୁନାଟଙ୍କା । ୧୭୧୧ ମସିହାରେ ରାଜକୁମାର ଗାଗାରିନ୍ ନିଜର ଅମାପ ଧନ ସଂପର୍କରେ ଅନ୍ୟମାନଙ୍କୁ ଧାରଣା ଦେବାପାଇଁ ତିଆରି କରିଥିଲେ ଘୋଡାଗାଡିଟିଏ । ଘୋଡା ଗାଡିଟିର ଚକ ଦୁଇଟି ତିଆରି ହୋଇଥିଲା ରୁପାରେ । ଗାଡିରେ ଯୋଚା ଯାଉଥିବା ଘୋଡାମାନେ ପିନ୍ଧୁଥିଲେ ସୁନାରେ ତିଆରି ଜୋତା ।

                ରୁଷିଆର ଉରାଲ୍ ପର୍ବତମାଳା ନିକଟରେ ଥିବା ବେରେଜୋଭ୍କା ନଦୀ ତୀରରୁ ୟେରୋଫେଇ ମାର୍କୋଭ୍ ନାମକ ଜଣେ ଚାଷୀ ୧୭୧୬ ମସିହାରେ କିଛି ସୁନା ପାଇଥିଲେ । ସେହି ଅଂଚଳରୁ ୧୮୪୨ ମସିହାରେ ପାଖାପାଖି ୩୬ କିଲୋଗ୍ରାମ୍ ଓଜନର ସୁନାମୁଣ୍ଡାଟିଏ ସଂଗ୍ରହ କରିଥିଲେ ନିକିଫୋର୍ ସୁ୍ୟତ୍କିନ୍ ନାମକ ଜଣେ ଖଣି ଶ୍ରମିକ । କିନ୍ତୁ ସେଥିରୁ କାଣିଚାଏ ବି ସୁନା ମିଳିଲାନି ତାଙ୍କୁ । ତେଣୁ ନିଜ ମନର ଦୁଃଖ ଭୁଲିଯିବା ପାଇଁ ସେ ମଦ ପିଇବା ଆରମ୍ଭ କରିଦେଲେ ।

                ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ ନଗରୀରେ ରହିଥିଲା ଏକ ବିଶାଳ ବୁଦ୍ଧମୂର୍ତ୍ତି । ସେହି ମୂର୍ତ୍ତିଟିକୁ କିଏ କେଉଁଠୁ ଆଣି ସେଠାରେ ସ୍ଥାପନ କରିଥିଲା, ତାହା ଥିଲା ଅଜଣା । କିଛି ବର୍ଷ ତଳେ ଜଣେ ବ୍ୟକ୍ତି ସେଠାରେ ଏକ କରତ କଳ ବସେଇବା ପାଇଁ ଠିକ୍ କଲେ । ତେଣୁ ସେଠାରେ ରହିଥିବା ସେହି ବୁଦ୍ଧ ମୂର୍ତ୍ତିଟିକୁ ସେଠାରୁ ନେଇ ଅନ୍ୟ ସ୍ଥାନରେ ବସେଇବା ଦରକାର ପଡିଲା । କିନ୍ତୁ ଯେତେ ହୁସିଆରିରେ ମୂର୍ତ୍ତିଟିକୁ ତାଡିଲେ ମଧ୍ୟ ସେ ମୂର୍ତ୍ତିଟି ଫାଟିଗଲା । ଫାଟ ଭିତର ଦେଇ କିଛି ଚକ୍ ଚକ୍ କରୁଥିବାର ଶ୍ରମିକମାନେ ଦେଖିବାକୁ ପାଇଲେ । ସରକାରଙ୍କ ଆଦେଶ ଅନୁସାରେ ଆବରଣ ରୂପେ ରହିଥିବା ବୁଦ୍ଧ ମୂର୍ତ୍ତିଟିକୁ ଖଣ୍ଡ ଖଣ୍ଡ କରି ବାହାର କରି ଦେବାରୁ ତାହା ଭିତରୁ ବାହାରିଲା ଖାଂଟି ସୁନାରେ ତିଆରି ବୁଦ୍ଧମୂର୍ତ୍ତିଟିଏ । ସେହି ସୁନା ତିଆରି ବୁଦ୍ଧ ମୂର୍ତ୍ତିଟିର ଓଜନ ଥିଲା ୫,୫୦୦ କିଲୋଗ୍ରାମ୍ । ବିଶେଷଜ୍ଞମାନଙ୍କ ମତରେ ସେହି ମୂର୍ତ୍ତିଟି ଥିଲା ପ୍ରାୟ ୭୦୦ ବର୍ଷର ପୁରୁଣା । ବୋଧହୁଏ କୌଣସି ଏକ ଯୁଦ୍ଧ ସମୟରେ ସୁନା ମୂର୍ତ୍ତିଟିର ମାଲିକ ତା ଉପରେ ବୁଦ୍ଧ ମୂର୍ତ୍ତି ଭଳି ପଥରର ଏକ ଖୋଳ ତିଆରି କରିଦେଇଥିଲେ । ଉକ୍ତ ସ୍ୱର୍ଣ୍ଣ ବୁଦ୍ଧମୂର୍ତ୍ତିଟି ବ୍ୟାଙ୍କକ୍ର ପ୍ରସିଦ୍ଧ ସ୍ୱର୍ଣ୍ଣ ସଂଗ୍ରହାଳୟରେ ସାଇତି ରଖାଯାଇଛି ।


ଗପ ସାରଣୀ

ତାଲିକାଭୁକ୍ତ ଗପ