ପଦ୍ମାବତୀ କଥା

       ମହାରାଜାଙ୍କ ସହିତ ନାରୀ ଜଣକ ମହଲରେ ପହଁଚି କହିଲା, “ମୁଁ ହେଉଛି ସିଂହଳଦ୍ୱୀପର ଜଣେ ଝିଅ । ଦିନେ ମୁଁ ମୋର ସଖୀ ମାନଙ୍କ ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିଲି । ସେ ଦାନବ ମୋତେ ଦେଖି ଲୋଭିଲା ଆଖିରେ ଚାହିଁଲା । ମୁଁ ପହଁରି ପହଁରି ଅନ୍ୟ ପଟକୁ ଯିବା ସମୟରେ ସେ ମୋତେ ଧରି ପକାଇଲା । ଶୂନ୍ୟେ ଶୂନ୍ୟେ ଟେକି ଏ ଜଙ୍ଗଲକୁ ନେଇ ଆସିଲା । ମୋତେ ଧମକ ଦେଇ ବିବାହ କରିବାକୁ ଚାହିଁଲା । ମୋର ସତୀତ୍ୱ ନଷ୍ଟ କରିବାକୁ ଉଦ୍ୟତ ହେଲା । ଫଳରେ ମୁଁ ଚିତ୍କାର କରିବାକୁ ବାଧ୍ୟ ହେଲି ଏବଂ ଆପଣ ପହଁଚି ମୋତେ ଏତେବଡ ମହାବିପଦରୁ ରକ୍ଷାକଲେ ।”

       “ହେଲେ ସେ ଦ୍ୱିତୀୟ ଦାନବ କିପରି ଜନ୍ମ ହେଲା ଏବଂ ପ୍ରଥମ ଦାନବର କଟାମୁଣ୍ଡ କିପରି ଯୋଡି ହୋଇଗଲା, ସେ କଥାତ କହିଲ ନାହିଁ?”

       ନାରୀ ଜଣକ ପୁଣି କହିଲା, “ଦାନବର ପେଟରେ ମୋହିନୀ ରହିଛି । ତା’ର ମୃତ୍ୟୁହେବା ମାତ୍ରେ ଏକ ନୂଆ ଦାନବ ଜନ୍ମନେବ ଏବଂ ମୋହିନୀ ତାଙ୍କୁ ସଂଜୀବନୀ ଦେଇ ବଂଚାଇବ । ସେ କୋଉଠି ହାରିବ ନାହିଁ । ପ୍ରଥମ ଦାନବ କିନ୍ତୁ ଖୁବ୍ ଭୟଙ୍କର । ସେ ଯେତେଥର ମରିବ ସେତେଥର ବଂଚିବ । ତାକୁ ମାରିବା ସହଜ ନୁହେଁ ।”

       ମହାରାଜ ବିକ୍ରମାଦିତ୍ୟ କହିଲେ, “ତୁମେ ଭୟକର ନାହିଁ । ନିର୍ଭୟରେ ରୁହ । ମୁଁ ସେ ଦାନବକୁ ମାରିବି ନିଶ୍ଚୟ ।” ଏହାପରେ ରାଜା ଜଙ୍ଗଲକୁ ଯାଇ ଏକ ଗଛ ମୂଳରେ ଅପେକ୍ଷା କରି ରହିଲେ । କିଛି ସମୟପରେ ଏକ ମହାବଳ ବାଘ ତାଙ୍କ ଉପରକୁ ଲମ୍ପ ଦେଲା । ବିକ୍ରମାଦିତ୍ୟ ତାକୁ କାବୁ କରି ପାରିଲେ ନାହିଁ । ସେ ତାଙ୍କୁ ଘାଇଲା କରି କୁଦା ମାରିଲା । ପୁଣି କିଛି ସମୟପରେ ରାଜାଙ୍କ ଆଡକୁ ଝପଟି ଆସିବାକ୍ଷଣି ରାଜା କାଳବିଳମ୍ବ ନ କରି ବାଘର ଦୁଇଗୋଡ ଧରି ଫାଡିଦେଇ ଫୋପାଡି ଦେଲେ । ହଠାତ୍ ବାଘ ଦାନବ ରୂପଧାରଣ କରି ରାଜାଙ୍କୁ ଆକ୍ରମଣ କଲା । ମହାରାଜ ଏହା ଦେଖି ଦାନବର ମାୟା ବୁଝିଗଲେ ଏବଂ ତା’ ସହିତ ଲଢେଇ କଲେ । ଦୁହିଁଙ୍କ ମଧ୍ୟରେ ଘମାଘୋଟ ଲଢେଇ ଲାଗିଗଲା । କିଛି ସମୟ ପରେ ଦାନବ ଦୁର୍ବଳ ହୋଇ ଆସିବାରୁ ରାଜା ତା’ ପେଟରେ ତରବାରୀ ଭୂଷିଦେଲେ ।

       ଦାନବ ତଳେ ପଡି ଯିବାରୁ ରାଜା ତାର ପେଟକୁ ଚିରି ଦି’ଫାଳ କରିଦେଲେ । ମୋହିନୀ ବାହାରି ଆସି ଦାନବକୁ ଅମୃତ ପେଇବାକୁ ଚେଷ୍ଟା କଲା । ମାତ୍ର ସକ୍ଷମ ହୋଇପାରିଲା ନାହିଁ । ରାଜାଙ୍କ ବେତାଳମାନେ ତାକୁ କାବୁ କରିନେଲେ । ଅମୃତ ନପାଇ ଦାନବ ମରିଗଲା । ରାଜା ମୋହିନୀକୁ ପଚାରିଲେ । “ତୁମେ କିପରି ପେଟକୁ ଆସିଲ?”

       ମୋହିନୀ କହିଲା “ମହାରାଜ ମୁଁ ଭଗବାନ ଶିବଙ୍କର ଗଣିକା ଥିଲି । ଥରେ ତାଙ୍କର ଆଜ୍ଞା ପାଳନ କରିବାରେ ମୁଁ ବିରୋଧ କରିବାରୁ ସେ କ୍ରୋଧାନ୍ୱିତ ହୋଇ ସେ ମୋତେ ଅଭିଶାପ ଦେଲେ ଏବଂ ମୋହିନୀ କରି ଦାନବ ପେଟରେ ରହିବାକୁ ନିର୍ଧେସ ଦେଲେ । ଆପଣ ସେ ଦାନବକୁ ମାରି ମୋତେ ଉଦ୍ଧାର କଲେ । ମୁଁ ଆପଣଙ୍କର ସେବିକା ହୋଇ ରହିବାକୁ ଚାହେଁ ।”

       ଏହାପରେ ମହାରାଜ ବିକ୍ରମାଦିତ୍ୟ ମୋହିନୀକୁ ନେଇ ମହଲକୁ ଗଲେ । ସିଂହଳ କନ୍ୟାକୁ ତାର ପିତା ମାତାଙ୍କ ପାଖରେ ଛାଡି ମୋହିନୀକୁ ନିଜେ ବିବାହ କଲେ । ସୁଖରେ ରାଜ୍ୟ ପାଳିଲେ ।

       ଏକଥା ଶୁଣି ଭୋଜରାଜ ସ୍ତବ୍ଧ ଚକିତ ହୋଇଗଲେ । ବିକ୍ରମାଦିତ୍ୟଙ୍କ ସହିତ ନିଜର ତୁଳନା କରିବାକୁ ଦୁଃସାହସ କରିପାରିଲେ ନାହିଁ । ନୀରବରେ ମହଲକୁ ଫେରିଗଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ