ପରନ୍ତପ ଜାତକ

       ବୋଧିସତ୍ୱ ଶୃଗାଳୀ ଓ ତା’ର ଶାବକମାନଙ୍କ କଥା ବୁଝିପାରି ପଥିକକୁ ଡାକି ପଚାରିଲେ, “ତୁମର ଜୋତା କାହିଁ?” ପଥିକ କହିଲା, “ମୋର ଗୋଡ ପାଖେ ରହିଛି ।” ତହୁଁ ବୋଧିସତ୍ୱ ତାକୁ ଉପଦେଶ ଦେଇ କହିଲେ, “ଜୋତାଯୋଡିକୁ ଉଚ୍ଚ ସ୍ଥାନରେ ଟାଙ୍ଗିଦିଅ । ନଚେତ୍ କୁକୁର କିମ୍ବା ବିଲୁଆ ଆସି ନେଇଯିବେ ।” ପଥିକ ତାହାହିଁ କଲା । ଶୃଗାଳୀ ଦେଖିଲା, ତାହାର ଆଶା ପଣ୍ଡ ହୋଇଅଛି । ଏତେ ଉଚ୍ଚ ସ୍ଥାନରୁ ଜୋତା ନେଇ ଆସିବା ତାହା ପକ୍ଷରେ ଅସମ୍ଭବ । ଏହି ହେତୁରୁ ସେ ବୋଧିସତ୍ୱଙ୍କ ଉପରେ କ୍ରୁଦ୍ଧ ହୋଇ ରହିଲା ।

       ଆଉଦିନେ ଜଣେ ଲୋକ ମଦ ପିଇ ମାତାଲ ହୋଇ ପାଣି ପିଇବାକୁ ପୋଖରୀରେ ପଶିଲା । ନିଶାରେ ତା ପାଦ ଟଳମଳ ହେଉଥିଲା । ପୋଖରୀରେ ପଦ୍ମଲତା ପୂରିଥିଲା । ସେ ପାଣି ପିଇବାକୁ ଭିତରକୁ ଯାଉ ଯାଉ ଅଥଳ ପାଣିରେ ପଶିଗଲା । ପଦ୍ମଲତାରେ ତା’ର ପାଦ ଛନ୍ଦି ହୋଇଯିବାରୁ ସେ ବୁଡିଯାଇ ପ୍ରାଣ ହରାଇଲା । ତାହାର ଅଂଟାରେ ଏକସହସ୍ର ମୁଦ୍ରା ଓ ହାତର ଅଙ୍ଗୁଳିରେ ଗୋଟିଏ ସୁନା ମୁଦି ଥିଲା । ଦୈବାତ୍ ସେହି ଶୃଗାଳୀ ପୁଷ୍କରିଣୀର ନିକଟରେ ଥିଲା । ଛୁଆ ଦୁଇଟି ତାକୁ ଆହାର ମାଗିବାରୁ ସେ କହିଲା, “ତୁମେମାନେ ଆଉ ଟିକିଏ ଅପେକ୍ଷା କର । ପୋଖରୀରେ ଗୋଟିଏ ଲୋକ ମରିଛି । କିଛି ସମୟ ପରେ ତା’ର ଶବ ପୋଖରୀ କୂଳରେ ଲାଗିବ । ତା ଅଂଟାରେ ହଜାର ମୁଦ୍ରା ଓ ଅଙ୍ଗୁଳିରେ ଗୋଟିଏ ସୁନା ମୁଦି ଅଛି । ସେ କୂଳରେ ଲାଗିଲେ ମୁଁ ତାକୁ ଟାଣିଆଣି ତୁମମାନଙ୍କୁ ଖାଇବାକୁ ଦେବି ।

       ବୋଧିସତ୍ୱ ଶୃଗାଳୀ ଓ ତା’ର ଶାବକମାନଙ୍କ କଥାରୁ ଏହା ଜାଣିପାରି ଜଣେ ଚାକରକୁ ଡାକି କହିଲେ, “ପଦ୍ମପୋଖରୀକୁ ଯାଆ । ସେଠାରେ ଜଣେ ଲୋକ ବୁଡି ମରିଛି । ତା’ର ଅଂଟା ଖୋସଣିରେ ଏକହଜାର ସ୍ୱର୍ଣ୍ଣମୁଦ୍ରା ଓ ଆଙ୍ଗୁଠିରେ ଗୋଟିଏ ସୁନା ମୁଦି ଅଛି । ସେଗୁଡିକୁ ନେଇ ଆସିବୁ । ଆଉ ଗୋଟିଏ କଥା । ଶବଟିକୁ ଗୋଟିଏ ପଥରରେ ବାନ୍ଧି ଦେବୁ ଯେ ତାହା ଉପରକୁ ଭାସିଉଠିବନାହିଁ ।” ଚାକରଟି ପଦ୍ମପୋଖରୀକୁ ଯାଇ ତାହାହିଁ କଲା ।

       ଶୃଗାଳୀ ଏହିପରି ତା’ର ଆହାରରୁ ବଂଚିତ ହୋଇ ନିତାନ୍ତ କ୍ରୁଦ୍ଧ ହୋଇ କହିଲା, “ଏ ଲୋକଟା ଥରେ ମୋର ପିଲାମାନଙ୍କର ଜୋତା ଖାଇବା ବନ୍ଦ କରିଥିଲା । ଆଜି ମଲା ଲୋକଟାକୁ ଖାଇ ସେମାନେ ସନ୍ତୁଷ୍ଟ ହୋଇଥାନ୍ତେ; କିନ୍ତୁ ଏ ପୁଣି ସେଥିରେ ବାଦ କଲା । ଆଜିଠାରୁ ତିନିଦିନ ପରେ ଜଣେ ଶତ୍ରୁରାଜା ଆସି ଏ ରାଜ୍ୟକୁ ଆକ୍ରମଣ କରିବ । ଏହାକୁ ତା’ର ବାପ ଯୁଦ୍ଧ କରିବାକୁ ପଠାଇବ । ଯୁଦ୍ଧରେ ଶତ୍ରୁମାନେ ଏହାର ମୁଣ୍ଡକାଟି ନେବେ । ମୁଁ ସେତେବେଳେ ଏହାର ରକ୍ତ ପିଇବି । ମୋର ମନ ସନ୍ତୁଷ୍ଟ ହେବ ।” ଏହିପରି କହି ଶୃଗାଳୀ ଛୁଆମାନଙ୍କ ସହିତ ଚାଲିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ