ପରଶ ପଥର

                ହଠାତ୍ ହରିଦାସ କହିଲା, “ହଁ, ମହାଶୟ, ମୋ ବନ୍ଧୁ ଠିକ୍ କହୁଛନ୍ତି । ଜମିଦାର ବହୁତ ମହତ୍ ଲୋକ । ମୁଁ ତାଙ୍କ ଲାଗି ଯାହା ବି କିଛି କରିଥିଲି ସେସବୁ ତ ଯେ କୌଣସି ଲୋକ ମଧ୍ୟ କରନ୍ତା!”

                ଏଥର ଆଉ ସେ ମୂର୍ତ୍ତି ବିକଟ ହସ ନ ହସି କହିଲା, “ଧନ୍ୟ ହେଲି!”

                ହରିଦାସ ଓ କୁମରସିଂହ ଅନାଇ ଦେଖନ୍ତି ତ ସେ ଭୟଙ୍କର ମୂର୍ତ୍ତି ସ୍ଥାନରେ ଜଣେ ସୁନ୍ଦର ଗନ୍ଧର୍ବ ଠିଆ ହୋଇଛି । ସେ ହରିଦାସକୁ ନମସ୍କାର କରି କହିଲା, “ନିଜ ସ୍ୱାର୍ଥ ହାନି ହେବା ସତ୍ତ୍ୱେ ଅନ୍ୟର ପ୍ରଶଂସା କରିବା ଭଳି ଜଣେ ମଣିଷର ବାକ୍ୟ ଶୁଣିବା ମାତ୍ରେ ମୋ ଉପରେ ଥିବା ଅଭିଶାପ କଟିଗଲା । ଫଳରେ ମୁଁ ପୁଣି ମୋ ଗନ୍ଧର୍ବ ରୂପ ଫେରି ପାଇଲି । ତେଣୁ ଆପଣଙ୍କ ପ୍ରତି ମୁଁ ବିଶେଷ କୃତଜ୍ଞ ।”

                ଏହାପରେ ସେ ଗନ୍ଧର୍ବ କୁମରସିଂହ ଆଡକୁ ଅନାଇ କହିଲା, “ଆପଣଙ୍କ ପାଖରେ ବି ମୁଁ ଚିରଋଣୀ ।” ଏହା କହି ସେ କୁମରସିଂହ ହାତକୁ ଖଣ୍ଡିଏ ପରଶ ପଥର ବଢାଇ ଦେଲା ଓ ଅକସ୍ମାତ ଅଦୃଶ୍ୟ ହୋଇଗଲା ।

                ଅନେକ ସମୟ ନୀରବରେ ଠିଆ ହୋଇ ରହି କୁମରସିଂହ ହରିଦାସକୁ କହିଲା, “ଭାଇ, ନିଅ ଏ ପଥର । ଏହା କେବଳ ତମର ପ୍ରାପ୍ୟ ।”

                କିନ୍ତୁ ହରିଦାସ ତାହା ଗ୍ରହଣ କଲେ ନାହିଁ ।

                ଗପଟି କହିସାରି ସେ ବେତାଳ ଟିକିଏ ଚୁପ୍ ରହି ହଠାତ୍ ଧମକ ଦେଲାଭଳି ଭଙ୍ଗୀରେ ରାଜା ବିକ୍ରମାର୍କଙ୍କୁ ପ୍ରଶ୍ନ କଲା, “ରାଜା! କେଉଁ ବୁଦ୍ଧିରେ ଗନ୍ଧର୍ବ ପରଶ ପଥର ହରିଦାସକୁ ନଦେଇ କୁମରସିଂହକୁ ଦେଲା? ଏହା ତା’ର ମତିଭ୍ରମ ଛଡା ଆଉ କ’ଣ ବା ହୋଇପାରେ? ପାରିଲେ ମୋ ପ୍ରଶ୍ନର ସଠିକ୍ ଉତ୍ତର ଦିଅ । ଆଉ ଉତ୍ତର ଦେବାର ଶକ୍ତି ଥିବା ସତ୍ତ୍ୱେ ଯଦି ତମେ ନୀରବ ରହିବ, ତେବେ ତମ ଶୀର ନିଶ୍ଚୟ ସ୍କନ୍ଧଚ୍ୟୁତ ହେବ ।”

                ରାଜା ବିକ୍ରମାର୍କ ଚଟାପଟ୍ ଉତ୍ତର ଦେଲେ: “ଗନ୍ଧର୍ବ ଯାହା କଲେ, ତା’ର ମର୍ମ ସୂକ୍ଷ୍ମ ବୁଦ୍ଧି ଦ୍ୱାରା ହିଁ ବିଚାର କଲେ ଯାଇ ଠିକ୍ ବୁଝିହେବ । ପୁଣି ମହାପୁରୁଷ କାହିଁକି କୁମରସିଂହକୁ ସେଠାକୁ ପଠାଇଥିଲେ, ସେକଥା ବି ମନେ ରଖିବାକୁ ହେବ । କୁମରସିଂହର ଯେପରି ପରିବର୍ତ୍ତନ ହେବ, ସେ ଯେପରି ଦୃଷ୍ଟାନ୍ତ ରୂପେ ଅନ୍ୟମାନଙ୍କୁ ଅସାଧୁ ନ କରିବ, ଏସବୁ କରିବା ପଛରେ ସେ ମହାପୁରୁଷଙ୍କ ମୂଳ ଲକ୍ଷ୍ୟ ଏହାହିଁ ତ ଥିଲା । ହରିଦାସର ମହତ୍ୱ ଯୋଗୁଁ ଗନ୍ଧର୍ବ ଅଭିଶାପରୁ ମୁକ୍ତ ହେଲା, ଏ ଘଟଣା ଦେଖି କୁମରସିଂହର ଆଖି ଖୋଲିଗଲା । ମହତ୍ୱ ଶୁଣି ଯଦି ଏତେ ଲାଭ ହୋଇପାରେ, ତେବେ ମହତ୍ୱର ବିକାଶ ଦ୍ୱାରା ମଣିଷ କେତେ ଯେ ଲାଭବାନ୍ ନ ହେବ! ସେତିକି ପରିବର୍ତ୍ତନ ତା’ ଭିତରେ ହେଲା ବୋଲି ସେ ହରିଦାସକୁ ପରଶ ପଥର ଯାଚୁଥିଲା । ତେବେ ଏଭଳି ପରିବର୍ତ୍ତନ ଫଳରେ ଯେ ଧନସମ୍ପତ୍ତି ଉପରୁ ତା’ର ମୋହ ହଠାତ୍ ତୁଟିଯିବ, ସେକଥା ନୁହେଁ । କିନ୍ତୁ ପରଶ ପଥର ଦ୍ୱାରା ସେ ଯେତେ ଇଚ୍ଛା ସେତେ ଧନ ପାଇବ । ଅନ୍ୟକୁ ଦଗା ଦେଇ ଆଣିବା ଆଉ ତା’ର ଦରକାର ହେବ ନାହିଁ । ସମାଜରେ ସେ ଆଉ ଖରାପ ଉଦାହରଣ ସୃଷ୍ଟି କରିବ ନାହିଁ । ଗନ୍ଧର୍ବ ବୁଝୁଥିଲେ ଯେ ହରିଦାସ ମନରେ ପରଶ ପଥର ପ୍ରତି କୌଣସି ଆକର୍ଷଣ ନାହିଁ । ଗନ୍ଧର୍ବ କୁମରସିଂହ ପ୍ରତି ଋଣୀ ଅନୁଭବ କରି ତା’ ଋଣ ଶୁଝି ଦେଲେ । କିନ୍ତୁ ହରିଦାସ ପ୍ରତି ସେ କୃତଜ୍ଞ ଥିଲେ । କୃତଜ୍ଞତାର ପରିଶୋଧ ବସ୍ତୁ ଦ୍ୱାରା କଦାପି ମଧ୍ୟ ହୁଏ ନାହିଁ । ହୃଦୟର ନିର୍ମଳ ସଦିଚ୍ଛା ଦ୍ୱାରା ତଥା ପ୍ରାର୍ଥନା ଦ୍ୱାରା ହିଁ ହୁଏ ।”

                ରାଜାଙ୍କ ମୌନ ଭଙ୍ଗ ହେବା ମାତ୍ରେ ଶବ ସହ ସେ ବେତାଳ ବି ତାଙ୍କ କାନ୍ଧରୁ ଖସି ଯାଇ ପୁନରାୟ ସେହି ପ୍ରାଚୀନ ବୃକ୍ଷ ଡାଳରେ ଯାଇ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ